ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୭ ଜୁନ୍ ୨୦୨୫
କଲେଜରେ ପଢିଲା ବେଳେ ମୁଁ ସ୍କୁଟର ଚଲାଇବା ଶିଖିନେଇଥିଲି। ୧୯୯୧ରେ ସ୍କୁଟରଟିଏ କିଣିବା ପାଇଁ ଆଡ଼ଭାନ୍ସ ଅଫିସରୁ ନେଲି। ଓଡ଼ିଶାରେ ଆମର ବହୁ କାମ ଥିବାରୁ ସ୍କୁଟର କାମରେ ଲାଗିବ ବୋଲି ଭାବି ସ୍କୁଟରଟି ଭୁବନେଶ୍ଵରରୁ କିଣିଲି ଓ ପୁରୀରେ ରଖିଲି। ଏଲ୍.ଏମ୍.ଏଲ୍.- ୧୫୦ ଏନ୍.ଭି. ଭଲ ସ୍କୁଟର ବୋଲି ସମସ୍ତେ କହିଲେ। ମୋ ଦୁର୍ଭାଗ୍ୟକୁ ତାହା ଭଲ ପଡ଼ିଲା ନାହିଁ। ପ୍ରଥମ ଦୁଇ ତିନି ବର୍ଷ ପରେ ତହିଁରେ ନାନା ପ୍ରକାର ଅସୁବିଧା ଦେଖାଦେଲା।
ଏଣେ ଅଫିସରେ ବି କର୍ତ୍ତୃପକ୍ଷ ଭୁବନେଶ୍ଵର ବା ପୁରୀରେ ସ୍କୁଟର ରଖିବା ନେଇ ଆପତ୍ତି କଲେ। ତା ସତ୍ତ୍ଵେ ବି ମୁଁ ସ୍କୁଟରଟି ଭୁବନେଶ୍ଵରରେ ରଖିଲି। କାରଣ ଭଡ଼ାଗାଡ଼ି ବା ଅଟୋ ସେତେବେଳେ ମିଳିବା ଥିଲା କଷ୍ଟକର ଓ ବ୍ୟୟସାପେକ୍ଷ।
ବହି ଦୁଇଟିର ଟାଇପ୍ ସେଟିଂ କାମ ଆଗେଇ ଚାଲିଲା। ସୁମିତ୍ ଓ ମୁଁ ପ୍ରତିଦିନ ସଞ୍ଜରେ ବସି ଟାଇପ୍ ସେଟିଂ କରାଉ। ସେତେବେଳେ ବହି କାମ ଟାଇପ୍ ସେଟିଂ ସଂସ୍ଥାମାନେ ରାତିରେ କରୁଥିଲେ। ଜଣେ ଅଭିଜ୍ଞ ଅପରେଟର ଦିନ ବେଳା ସରକାରୀ ମୁଦ୍ରଣାଳୟରେ କାମ କରୁଥିଲେ ଓ ସଂଜରେ ଆସି କୋଣାର୍କ ଡାଟା ପ୍ରୋସେସିଂରେ ଆମ କାମ କରୁଥିଲେ। ମୋ ଆଗର ଓଡ଼ିଆ ସଂପାଦକ କଟକରେ ତିନୋଟି ଲେଟର ପ୍ରେସ୍ରେ କେତୋଟି ବହି ଛପାଇବାକୁ ଦେଇଥିଲେ। ୧୯୯୨ ମସିହା ପର୍ଯ୍ୟନ୍ତ ଏନ.ବି.ଟି.ର ବହି ସବୁ ସମ୍ପୃକ୍ତ ଭାଷାର ରାଜ୍ୟମାନଂକରେ ଛପୁଥିଲା। ସେଇଠି ବି ବନ୍ଧେଇ ହୋଇ ଦିଲ୍ଲୀ ଯାଉଥଲା। କାହାର ISBN ସେତେବେଳକୁ ଆରମ୍ଭ ହୋଇନଥିଲା ବୋଲି କହିଲେ ଚଳେ। ଆମେ ଦୁହେଁ ଦିନ ବେଳା ସେହିମାନଙ୍କ କାମ ବୁଝିବାକୁ କଟକ ଯାଉଥିଲୁ। କୋଣାର୍କ ଡାଟା ପ୍ରୋସେସିଂ ମାଲିକଙ୍କ ନାଁ ମୋର ମନେ ନାହିଁ। ରାୟନ୍ ବୋଲି ଜଣେ ଦକ୍ଷିଣ ଭାରତୀୟ ପରିଚାଳକ ସେଠି ଥିଲେ। ସେ ହିଁ ପ୍ରତି ରାତିରେ ଟାଇପ୍ ସେଟିଂ ହୋଇଥିବା ପାଠର ପ୍ରୁଫ୍ ନେଇ ତା ପରଦିନ ଆମକୁ କିଛିଦିନ ଦେଲେ। କ୍ରମେ ସେ ଯୋଜନା ଆମକୁ ସମୟସାପେକ୍ଷ ଲାଗିଲା। ଆମେ ସଂଜ ସୁଦ୍ଧା କଟକ କାମ ସାରି ଭୁବନେଶ୍ଵର ଫେରି ରାତି ଖାଇବା ସାରି କୋଣାର୍କ ଡାଟା ପ୍ରୋସେସିଂରେ ପହଂଚିବା ଆରମ୍ଭ କଲୁ। ଅପରେଟର ଟାଇପ୍ ସେଟିଂ କରି ମତେ ପ୍ରୁଫ୍ ଦେବେ, ମୁଁ ତାହା ସଂଶୋଧନ କରିବା ଭିତରେ ସୁମିତ ଓ ଅପରେଟର ମିଶି ପୃଷ୍ଠାର ଡିଜାଇନ୍ କରିବେ। ଏମିତି କିଛିଦିନ ଚାଲିଲା। ଏ ଭିତରେ ଆଚାର୍ଯ୍ୟ ବିହାରରେ ଓଁକାର ଡାଟା ପ୍ରୋସେସିଂ ଓ କଟକରେ ଦୁଇଟି ନୂଆ ଡି.ଟି.ପି. ଖୋଲିଥାଏ। ତାଂକୁ ବି ଏନ.ବି.ଟି.ର ଆଉ କିଛି ଓଡ଼ିଆ ପାଣ୍ଡୁଲିପି ଟାଇପ୍ ସେଟିଂ ପାଇଁ ଦେଇଦେଲୁ। ଦିନବେଳା ସେ କାମ କରୁ, ରାତି ହେଲେ କୋଣାର୍କ ଡାଟା ପ୍ରୋସେସିଂ।
ଏମିତି ଚାଲୁ ଚାଲୁ ଦୀପାବଳି ପାଖେଇଗଲା। ସୁମିତ ବଂଗାଳି ଲୋକ। ତାଙ୍କର କାଳୀପୂଜାରେ ଲକ୍ଷ୍ମୀପୂଜା ହୁଏ। ବହି ଦୁଇଟିର ଚାଇପ୍ ସେଟିଂ କାମ ସେତେବେଳକୁ ସରିଆସିଲାଣି। ସେ ଦିଲ୍ଲୀ ଫେରିଗଲା।
ତା ପରଦିନ ଦିନଯାକ ମୁଁ କୋଣାର୍କ ଡାଟା ପ୍ରୋସେସିଂରେ ରହିଲି। କାମ ସରିଲା ନାହିଁ। ପରଦିନ ଦୀପାବଳି। ଦୀପାବଳି ଖରାବେଳକୁ କାମ ସରିଲା ଓ ମୋତେ ପ୍ରିଣ୍ଟଆଉଟ ମିଳିଗଲା। ସ୍କୁଟରରେ ଆସିଲା ବେଳକୁ ସଂଜ, ଆଗ ଲାଇଟଟି ଫ୍ୟୁଜ୍ ହୋଇଗଲା। ଏତେ ବର୍ଷା ଗୋଟିଏ କାର୍ ଆଗରେ ଯାଉଥାଏ। ମୁଁ ତାକୁ ଅନୁସରଣ କରୁଥାଏ। ସେ ଚାଲିଗଲା ପରେ ପରବର୍ତ୍ତୀ କାରର ଅପେକ୍ଷା। ଏମିତି ହେଇ ହେଇ ସଂଜରେ ପୁରୀରେ ପହଂଚିଗଲି। ମୋ ସ୍ତ୍ରୀ ଓ ପିଲାମାନେ ବାଟ ଚାହିଁ ବସିଥିଲେ।