ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜୁଲାଇ ୨୦୨୫
ତୁମେ ଏକ ରଙ୍ଗଭରା ସୁଗନ୍ଧିତ ଫୁଲ
କଳି ହୁଏ ନାହିଁ ତୁମ ମହକର ମୂଲ
ଭଅଁର ବିଭୋର ହୋଇ ମାନେ ନାହିଁ ବୋଲ
କିମିଆ କର ତୁମେ ବିଛାଇ ଇନ୍ଦ୍ରଜାଲ ।।୧।।
ତୁମେ ଏକ ମତୁଆଲା ଅମାନିଆ ନଈ
ରୂପବତୀ ସାଜ କେବେ ତନୁକୁ ସଜେଇ
କୁହୁକ ସ୍ପର୍ଶରେ ଦିଅ ମନକୁ ଭିଜେଇ
ନିଜକୁ ଦିଅ ହଜେଇ ଆତ୍ମହରା ହୋଇ ।।୨।।
ସୁମଧୁର ସଙ୍ଗୀତର ତୁମେ କୁହୁତାନ
ମଧୁମୟ କରିଦିଅ ନିରସ ଜୀବନ
ସଙ୍ଗୀତର ମୂର୍ଚ୍ଛନାରେ ହୃଦୟ ଉଚ୍ଛନ୍ନ
ଅଭୁଲା ସ୍ଵରରେ ତୁମେ ଅଲିଭା ଦହନ ।।୩।।