ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୭ ଅପ୍ରେଲ ୨୦୨୬
ବିଶ୍ୱ ସମୁଦାୟ ପାଇଁ ସ୍ୱାସ୍ଥ୍ୟ ହିଁ ପରମ ସମ୍ପଦ ଏବଂ ଏହି ସମ୍ପଦର ସୁରକ୍ଷା ହିଁ ଏକ ପ୍ରଗତିଶୀଳ ସଭ୍ୟତାର ମୂଳଦୁଆ ଅଟେ। ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ସମଗ୍ର ବିଶ୍ୱରେ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଇଥାଏ। ୧୯୪୮ ମସିହା ଏପ୍ରିଲ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ / World Health Organization (WHO) ପ୍ରତିଷ୍ଠା ହୋଇଥିଲା ଏବଂ ଏହି ଐତିହାସିକ ଦିନକୁ ସ୍ମରଣୀୟ କରିବା ସହ ବିଶ୍ୱର ସମସ୍ତ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ୧୯୫୦ ମସିହାରୁ ଏହି ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ କହିଲେ କେବଳ ରୋଗର ନିଦାନ କିମ୍ବା ତହିଁର ଅନୁପସ୍ଥିତିକୁ ବୁଝାଏ ନାହିଁ । ବରଂ ଏହା ବ୍ୟକ୍ତିର ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାର ଏକ ସନ୍ତୁଳିତ ଅବସ୍ଥା କହିଲେ ଠିକ୍ ହେବ । ଆଜିର ପରିବର୍ତ୍ତିତ ଜୀବନଶୈଳୀ, ପ୍ରଦୂଷିତ ପରିବେଶ ଏବଂ ଅହରହ ପରିବର୍ଦ୍ଧିତ ମାନସିକ ଚାପ ମଧ୍ୟରେ ଏହି ଦିବସର ପ୍ରାସଙ୍ଗିକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ ହୁଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ର ସାରବତ୍ତା ବା ‘ଥିମ୍’କୁ ଆଧାର କରି ଏହି ଦିବସ ପାଳନ କରେ, ଯାହା ବିଶ୍ୱର ସାମ୍ପ୍ରତିକ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଏକ ଦିଗ୍ ଦର୍ଶନ ପ୍ରଦାନ କରିଥାଏ।
ବିଶ୍ବରେ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରଥମ ସୋପାନ ହେଉଛି ସଚେତନତା। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବା ପାଇଁ ଚେଷ୍ଟା କରାଯାଏ । କାରଣ: ନିରନ୍ତର ସ୍ୱାସ୍ଥ୍ୟ ସେବା ପାଇବା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର।
ଦୁର୍ଭାଗ୍ୟବଶତଃ, ଆଜି ବି ବିଶ୍ୱର ଏକ ବୃହତ୍ତର ଜନସଂଖ୍ୟା ଉନ୍ନତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ। ଆର୍ଥିକ ଅଭାବ ହେଉ ବା ଭୌଗୋଳିକ ପ୍ରତିବନ୍ଧକ, ସ୍ୱାସ୍ଥ୍ୟ ସେବାର ଅସମାନତା ସମାଜ ପାଇଁ ଏକ ବଡ଼ ଆହ୍ୱାନ ହୋଇ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଆମକୁ ସ୍ମରଣ କରାଇ ଦିଏ ଯେ, ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ବା ‘ୟୁନିଭର୍ସାଲ ହେଲଥ କଭରେଜ୍’ କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏହା ସାମାଜିକ ନ୍ୟାୟର ଏକ ପ୍ରମୁଖ ଅଂଶବିଶେଷ । ଯେତେବେଳେ ଜଣେ ବ୍ୟକ୍ତି ନିଜର ଚିକିତ୍ସା ପାଇଁ ଆର୍ଥିକ ଅନାଟନ ର ସମ୍ମୁଖୀନ ହୁଏ, ସେତେବେଳେ ସମଗ୍ର ପରିବାରର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିଯାଏ। ତେଣୁ ସରକାର ଏବଂ ସ୍ୱେଚ୍ଛାସେବୀ ସଂଗଠନମାନେ ଏକାଠି ହୋଇ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ସହ ସାଧାରଣ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ଏକାନ୍ତ ଆବଶ୍ୟକ।
ଶାରୀରିକ ସୁସ୍ଥତା ସହିତ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ମଧ୍ୟ ଅପରିସୀମ। ଆଧୁନିକ ଯୁଗରେ ପ୍ରତିଯୋଗିତା ଏବଂ ବ୍ୟସ୍ତବହୁଳ ଜୀବନ ମଣିଷକୁ ଏକାକୀ କରିଦେଇଛି। ମାନସିକ ଅବସାଦ, ଚିନ୍ତା ଏବଂ ଭୟ ଆଜିର ସମାଜରେ ଏକ ନିରବ ମହାମାରୀ ଭାବେ ଦେଖାଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମାନସିକ ସ୍ୱାସ୍ଥ୍ୟକୁ ନେଇ ଥିବା “ସାମାଜିକ ବାସନ୍ଦ” କୁ ଦୂର କରିବା ପାଇଁ ପ୍ରୟାସ ଅତ୍ୟନ୍ତ ଅଭିନନ୍ଦନିୟ। ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ଦେଖାଯାଉଥିଲେ ମଧ୍ୟ ଯଦି ସେ ମାନସିକ ସ୍ତରରେ ଅସନ୍ତୁଳିତ ଅବା ବିଚଳିତ ମନା ଅଛନ୍ତି, ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କେମିତି କହି ପାରିବା ? ଏଣୁ, ଆମକୁ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ହେବ ଯେଉଁଠାରେ ଲୋକମାନେ ନିଜର ମାନସିକ ସମସ୍ୟା ବିଷୟରେ ବିନା ସଂକୋଚରେ କଥା ହୋଇପାରିବେ ଏବଂ ଆବଶ୍ୟକୀୟ ପରାମର୍ଶ ଗ୍ରହଣ କରିପାରିବେ। ଠିକ୍ ସେହିପରି, ପରିବେଶ ସହିତ ଆମର ସ୍ୱାସ୍ଥ୍ୟର ସମ୍ପର୍କ ଅତ୍ୟନ୍ତ ନିବିଡ଼। ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ ଏବଂ ଦୂଷିତ ଜଳ ଆଜି ଅନେକ ରୋଗର ମୁଖ୍ୟ କାରଣ ସାଜିଛି। ସୁସ୍ଥ ପୃଥିବୀ ବିନା ସୁସ୍ଥ ମଣିଷ ସମାଜର କଳ୍ପନା କରାଯାଇ ନପାରେ। ତେଣୁ ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ ପରିବେଶକୁ ସ୍ୱଚ୍ଛ ରଖିବାର ପ୍ରୟାସ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ହେବା ଉଚିତ।
ବର୍ତ୍ତମାନ ସମୟରେ ଅଣ-ସଂକ୍ରାମକ ରୋଗ ଯଥା ମଧୁମେହ, ରକ୍ତଚାପ ଏବଂ ହୃଦରୋଗର ମାତ୍ରା ଯେପରି ଭାବେ ବଢ଼ୁଛି, ତାହା ଚିନ୍ତାର ବିଷୟ। ଏହାର ବିକଳ୍ପ ପ୍ରତିକାର ପାଇଁ ପ୍ରତିଷେଧକ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ । “ପ୍ରତିକାର ଅପେକ୍ଷା ସତର୍କତା ଭଲ” – ଏହି ଉକ୍ତିକୁ ଆଧାର କରି ଆମକୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ସନ୍ତୁଳିତ ଆହାର, ନିୟମିତ ବ୍ୟାୟାମ ଏବଂ ଯୋଗ ପ୍ରାଣାୟାମକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ଆବଶ୍ୟକ। ବିଶେଷକରି ଯୁବପିଢ଼ିଙ୍କୁ ଜଙ୍କ୍ ଫୁଡ୍ ଏବଂ ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ପାଇଁ ବ୍ୟାପକ ସଚେତନତା ର ଆବଶ୍ୟକତା ରହିଚ୍ଛି । ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ପୋଷଣ ଉପରେ ମଧ୍ୟ ବିଶେଷ ଦୃଷ୍ଟି ଦେବା ଉଚିତ । କାରଣ: ଏକ ସୁସ୍ଥ ମା’ ହିଁ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇପାରେ ଏବଂ ସେହି ଶିଶୁଟି ଆଗାମୀ ଦିନର ସୁସ୍ଥ ସମାଜ ତଥା ଦେଶ ଗଠନ କରିବାରେ ସକ୍ଷମ ହୋଇ ପାରିବ ।
ଶେଷରେ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ କେବଳ ଗୋଟିଏ ଦିନ ପାଳନୀୟ ନୁହେଁ, ବରଂ ଏହା ଏକ ନିରନ୍ତର ଯାତ୍ରା। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ଆମକୁ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରତିଜ୍ଞାବଦ୍ଧ ହେବାକୁ ପଡ଼ିବ। ଆସନ୍ତୁ, ଆଜିର ଏହି ପବିତ୍ର ବିଶ୍ଵ ସ୍ବାସ୍ଥ୍ୟ ଦିବସରେ ଆମେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ସଚେତନ ରହିବାକୁ ଉତ୍ସାହିତ କରିବା। କାରଣ: ଏକ ସୁସ୍ଥ ଜାତି ହିଁ ବିଶ୍ୱ ପ୍ରଗତିର ପଥପ୍ରଦର୍ଶକ ହୋଇପାରିବ। ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳନ ଅବସର ରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ସର୍ବତ୍ର ସ୍ୱାସ୍ଥ୍ୟ ସେବା – ଏହାହିଁ ହେଉ ଆଜିର ବାର୍ତ୍ତା ।
