ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୫ ଜୁନ୍ ୨୦୨୬
ସଂପ୍ରତି ଦିବଂଗତ ପିତାମାତା ଅବା ପୂର୍ବ ପୁରୁଷ ମାନଙ୍କ ସ୍ମୃତିକୁ ନିଜ ସାମାଜିକ ପରିସର ମଧ୍ୟରେ ସଜୀବ ରଖିବାକୁ ଲୋକଙ୍କ ମଧ୍ୟରେ ସେତେଟା ଆଗ୍ରହ ଥିଲା ପରି ପ୍ରତୀତ ହେଉନାହିଁ। କାରଣ ସମାଜ ଓ ସମୟ ଆଗକୁ ବଢୁଛି। ପଛକଥା ସବୁ ପୁରୁଣା ହେଲାଣି। ଇତିହାସ ପୃଷ୍ଠାରୁ ସାଉଁଟା ସେଗୁଡ଼ାକ ସ୍ମରଣ ରଖିବା କଣ ଉତ୍ତର ପିଢ଼ି ପାଇଁ ଜରୁରୀ ? ପିତାମାତା, ଅଭିଭାବକ ଅବା ପୂର୍ବଜ ମାନେ ନିଜ ନିଜର ସନ୍ତାନସନ୍ତତି, ପରିବାର ସଦସ୍ୟ, ବନ୍ଧୁ, ଆତ୍ମୀୟ ସ୍ୱଜନ, ସାହିପଡିଶା, ସମାଜ, ଦେଶ ଓ ଜାତି ପାଇଁ ସେମାନଙ୍କର ସାହାଯ୍ୟ, ସହାନୁଭୂତି, କର୍ତ୍ତବ୍ୟ ବୋଧ, ତ୍ୟାଗ ଓ ତିତିକ୍ଷା ସବୁ ଯେମିତି ବିସ୍ମୃତ ହୋଇଛି। ମୋଟ୍ ଉପରେ କହିବାକୁ ଗଲେ ସ୍ମୃତିର କବର ତଳୁ ବାହାରି ଯେଉଁ ପୂର୍ବସୁରୀ ମାନଙ୍କ ମୁହଁ ଜୟନ୍ତୀ କିମ୍ବା ଶ୍ରାଦ୍ଧ ତିଥିରେ ଟିକେ ଝାପସା ଆଲୁଅରେ ପ୍ରତିଭାତ ହୁଅନ୍ତି, ସେମାନଙ୍କ ସ୍ମୃତି ଚାରଣ ସୀମିତ ଥାଏ ତଥାକଥିତ ଶ୍ରଦ୍ଧାଞ୍ଜଳି ଅର୍ଥାତ୍ ଶ୍ରଦ୍ଧାବିହୀନ ପୁଷ୍ପମାଳରେ। କତିପୟ ଆୟୋଜକ ଆଉ ଅତିଥିଙ୍କ ଗହଣରେ ଆମ ପୂଜ୍ୟ ପୂଜାର ପରମ୍ପରାକୁ ବଜାୟ ରଖିବାକୁ ଉଦ୍ୟମ କରାଯାଏ। କ୍ଵଚିତ୍ ପରିଦୃଷ୍ଟ ହୁଏ ପରିବାର, ଆତ୍ମୀୟ ସ୍ୱଜନ ଆଉ ସାଧାରଣ ଜନତାଙ୍କ ସଂପୃକ୍ତି। ଏମିତିକା ପ୍ରହସନର ପର୍ବ ସରିବା ପୂର୍ବରୁ ଆରମ୍ଭ ହୋଇଯାଏ ଠେଲାପେଲାର ଏକ ପ୍ରକାର ପ୍ରତିଯୋଗିତା ଭୋଜିଭାତ କିମ୍ବା ଜଳଖିଆ ପ୍ୟାକେଟ ବଣ୍ଟନ ବ୍ୟବସ୍ଥାରେ। ଇଏ ଆଜିକାଲିକା ଆମ ଗୌରବ ଗାଥା!
ଆଜି ସେମିତି ଜଣେ ଅଗ୍ରଗଣ୍ୟ ପୂର୍ବଜ ଅଭିଭାବକଙ୍କର ଜନ୍ମ ତିଥି। ଯିଏ ଜନ୍ମ ହୋଇଥିଲେ ଓଡ଼ିଶାର କଟକ ଜିଲ୍ଲା ମାହାଙ୍ଗା ଅଂଚଳର କୁମୁଡ଼ା ଜୟପୁର ପ୍ରଗଣାରେ ୧୮୪୫ ଜୁନ୍ ମାସ ୫ ତାରିଖରେ। କରଣ ବଂଶଜ ଏକ ଜମିଦାର ପରିବାରରେ ଜନ୍ମିତ ଏହି ବରପୁତ୍ର ଜଣକ ବ୍ରିଟିଶ ଶାସନ କାଳରେ ନିଜର ଅସୀମ ବୁଦ୍ଧିମତା, ବିଦ୍ ବତ୍ତା, କର୍ତ୍ତବ୍ୟ ନିଷ୍ଠା ଓ ଦେଶ ପ୍ରୀତି ତଥା ଜାତି ପ୍ରେମର ଯେଉଁ ଚରମ ପରାକାଷ୍ଠା ପ୍ରତିପାଦନ କରିଥିଲେ, ତା’ର ପଟ୍ଟାନ୍ତର ନାହିଁ। ସେ ଥିଲେ ସେହିସମୟର ପ୍ରଥମ ଓଡ଼ିଆ ଜିଲ୍ଲା ମାଜିଷ୍ଟ୍ରେଟ୍ ରାୟ ବାହାଦୁର ନନ୍ଦ କିଶୋର ଦାସ।
ହେଲେ ସେ ଆଜି ବିସ୍ମୃତ। ତାଙ୍କ ପାଇଁ ଇତିହାସ ନୀରବ କାହିଁକି? କୃତଜ୍ଞ ହେବା ପରିବର୍ତ୍ତେ ଏ ଜାତି କୃତଘ୍ନ ହେଲା କିପରି? ଏଭଳି ଜଣେ ଯୋଗଜନ୍ମା ଯୁଗ ପୁରୁଷଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ କିଏ ଉତ୍ତରଦାୟୀ? ତାଙ୍କ ବଂଶର ଉତ୍ତରାଧିକାରୀ ନା ସାଧାରଣ ଜନତା! ଆମ ଓଡ଼ିଆ ଜାତି, ଆମ ସମାଜ ନା ଆମ ସରକାର – ଯାହା ପାଖରେ ଅଛି ଏହାର ଯଥାର୍ଥ ଉତ୍ତର? ପାଠକେ, ଅନୁଶୀଳନ କରନ୍ତୁ।
ପରିଚୟ ତାଙ୍କର ସୀମିତ ନଥିଲା। ତତ୍ କାଳୀନ ବ୍ରିଟିଶ୍ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥାଇ ସେ ବହୁ ଉଚ୍ଚ ପଦବୀ ରେ ଅବସ୍ଥାପିତ ହୋଇ ପାରିଥିଲେ। ୧୮୬୬ ନଅଙ୍କ ଦୁର୍ଭିକ୍ଷ ପରେ ସେ ଜିଲ୍ଲା ରିଲିଫ୍ କାର୍ଯ୍ୟାଳୟରେ କିରାଣୀ ଭାବେ ଯୋଗ ଦେଇଥିଲେ। ୧୮୭୨ ମସିହାରେ ଡେପୁଟି କଲେକ୍ଟର, ୧୮୭୫ ମସିହାରେ ଶିକ୍ଷା ବିଭାଗର ନିରୀକ୍ଷକ, ୧୮୭୯ ମସିହାରେ ପୁଣି ଡେପୁଟି ମାଜିଷ୍ଟ୍ରେଟ, ତହିଁ ପରେ ୧୮୮୦ ମସିହାରେ ଗଡ଼ଜାତ ଅଞ୍ଚଳର ପଲିଟିକାଲ ଏଜେଣ୍ଟ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୮୯୦ ମସିହାରେ ତାଙ୍କୁ ବ୍ରିଟିଶ୍ ପ୍ରଶାସନ ପକ୍ଷରୁ ତାଙ୍କୁ “ରାୟବାହାଦୁର” ଉପାଧିରେ ଭୂଷିତ କରାଯାଇଥିଲା। ୧୮୯୨ ମସିହା ରୁ ନନ୍ଦ କିଶୋର ଦାସ ଅନୁଗୁଳ ଡେପୁଟି କମିଶନର ଭାବେ ଅବସ୍ଥାପିତ ହୋଇଥିଲେ। ୧୮୯୪ ରେ ତାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ପଦୋନ୍ନତି ମିଳିଥିଲା। ସ୍ଵତନ୍ତ୍ର ଓଡିଶା ପ୍ରଦେଶ ତଥା ଓଡ଼ିଆ ଜାତିର ଜନକ କୁହାଯାଉଥିବା କୁଳବୃଦ୍ଧ ମଧୁସୂଦନ ଏବଂ ଓଡ଼ିଆ ଭାଷା ସାହିତ୍ୟର ସାର୍ଥକ ସେନାପତି ଫକୀର ମୋହନଙ୍କ ଭଳି ଅନେକ ବ୍ୟକ୍ତିତ୍ଵଙ୍କ ମହାନ୍ ମନ୍ତ୍ରଦାତା / ଅନ୍ନଦାତା / ପ୍ରେରଣାଦାତା ନନ୍ଦ କିଶୋର ଦାସଙ୍କୁ ଅଣଦେଖା କରାଯାଇ ପାରିବନାହିଁ । ସ୍ଵକୀୟ ଢଙ୍ଗରେ ଏମାନେ ସମସ୍ତେ ଏହା ସ୍ଵୀକାର କରିଥିବା ଜଣାଯାଏ। ଓଡ଼ିଆ ପିଲାଙ୍କ ପାଇଁ ପାଠ୍ୟପୁସ୍ତକ ପ୍ରଣୟନ, ପ୍ରକାଶନ, ମାଗଣା ବିତରଣ ସହିତ ଓଡ଼ିଆ ଜାତିର ଉତ୍ ଥାନ ପାଇଁ, ଭାଷା ସୁରକ୍ଷା ପାଇଁ ତାଙ୍କର ଅନବଦ୍ୟ ଅବଦାନ ଅବଶ୍ୟ ସ୍ମରଣୀୟ।
ଏଥି ସହିତ ସେ ତାଙ୍କ ପାରିପାର୍ଶ୍ବିକ ଶାସନ ବ୍ୟବସ୍ଥା କୁ ପରିମାର୍ଜିତ କରିଥିଲେ। ଶିକ୍ଷା, ସଂସ୍କୃତି, ଶାସନ ସବୁ କ୍ଷେତ୍ରରେ ନିଜର ପାରଙ୍ଗମ ପଣିଆ ପ୍ରଦର୍ଶନ କରି ସେ ଜନସାଧାରଣଙ୍କ ସମେତ ତତ୍କାଳୀନ ସରକାରଙ୍କ ଅତ୍ୟନ୍ତ ପ୍ରିୟଭାଜନ ହୋଇଥିଲେ। ନିଜ ମାତୃଭୂମି ଓଡ଼ିଶାର ତଥା ଓଡ଼ିଆ ଜାତିର ସ୍ବାର୍ଥ, ସ୍ଵାଭିମାନ ରକ୍ଷା ଏବଂ ସାମଗ୍ରିକ ସମୃଦ୍ଧି ପାଇଁ ଅହରହ ଉଦ୍ୟମ କରିଥିଲେ ଏବଂ ବ୍ରିଟିଶ୍ ପ୍ରଶାସକ ମାନଙ୍କୁ ଅଧିକାଂଶ କ୍ଷେତ୍ରରେ ସ୍ଵକୀୟ ପ୍ରଚଣ୍ଡ ପ୍ରତିଭା ଏବଂ ପ୍ରତ୍ୟୁତ୍ପନ୍ନମତିତା ବଳରେ ପ୍ରଭାବିତ କରି ପାରୁଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ତାଙ୍କ ଅତୁଳନୀୟ ଅବଦାନ କୁ କେହି ଅସ୍ୱୀକାର କରିପାରିବେ ନାହିଁ । ତାଙ୍କ ପ୍ରତିଷ୍ଠିତ “ଉତ୍କଳ ସମ୍ମିଳନୀ ସଭା” ୧୮୮୯ ମସିହାରେ ଗଠିତ ହୋଇଥିଲା। ଯେଉଁଥିରେ କି, ସେସମୟର ବହୁ ପ୍ରମଥ ପୁରୁଷ ଓଡ଼ିଆ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଉତ୍କଳ ଗୌରବ ମଧୁସୂଦନଙ୍କ ସାନଭାଇ ଗୋପାଳ ବଲ୍ଲଭ ଦାସ। ସମ୍ପର୍କରେ ଗୋପାଳ ବଲ୍ଲଭ ଥିଲେ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ଙ୍କ ଜାମାତା।
ମଧୁବାବୁଙ୍କୁ କଲିକତାରୁ ଫେରି ଆସିବା ପାଇଁ ଏବଂ ନବ ଉତ୍କଳର ନିର୍ମାଣ ପାଇଁ ପ୍ରବର୍ତ୍ତାଇ ସେଥିରେ ସଫଳ ହୋଇଥିବା ବ୍ୟକ୍ତି ଜଣଙ୍କ ଥିଲେ ନନ୍ଦ କିଶୋର ଦାସ। ଯାହାଙ୍କ ପ୍ରଚ୍ଛନ୍ନ ପ୍ରେରଣାରେ ଉଦବୁଦ୍ଧ ହୋଇଥିଲେ ମନସ୍ଵୀ ମଧୁସୂଦନ। କଲିକତାରୁ କଟକ ଫେରିଥିଲେ ସେ। ତାଙ୍କୁ ସ୍ବାଗତ କରିଥିଲେ ଯୋବ୍ରା ସ୍ଥିତ ଲଂଚ୍ ଘାଟରେ ନନ୍ଦ କିଶୋର ଦାସ । ତାପରେ ୧୯୦୩ ମସିହାରେ ଗଠିତ ହେଲା ଓଡ଼ିଆ ଜାତିର ମୁକ୍ତି ମଞ୍ଚ “ଉତ୍କଳ ସମ୍ମିଳନୀ”। ଏହି ସଂଗ୍ରାମର ପ୍ରକୃତ ପ୍ରଚ୍ଛନ୍ନ ପ୍ରେରଣା ଦାତା ଥିଲେ ନନ୍ଦ କିଶୋର ଦାସ। ସେଥିପାଇଁ ତାଙ୍କୁ “ଗ୍ରେଟ୍ ଓଡ଼ିଆ ହିରୋ” ବୋଲି ଆଖ୍ୟାୟିତ କରିଥିଲେ ମଧୁବାବୁ । ନିରବଛିନ୍ନ ଉଦ୍ୟମ ଆଉ ନୀତିନିଷ୍ଠ ଦାବି ଉପସ୍ଥାପନ ଯୋଗୁ ନବ କଳେବର ନେଇ ଜନ୍ମ ନେଲା ଭାଷା ଭିତ୍ତିକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ। ତେବେ ସ୍ଵତନ୍ତ୍ର ଓଡ଼ିଶାର ଆଦ୍ୟ ଉଦ୍ ଗାତା ନନ୍ଦ କିଶୋର ଏ ଜାତିର ମାନସ ପଟ୍ଟରୁ ବିସ୍ମୃତ ହେବା ଏକ ବିଚିତ୍ର ବିସ୍ମୟ ନିଶ୍ଚୟ! ତେବେ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ଅବସ୍ଥାପିତ ହୋଇ ଅନୁଗୁଳରୁ ପୁରୀ ଯିବା ସମୟରେ ଅତିଶୟ ଅସୁସ୍ଥତା ଯୋଗୁଁ ୧୮୯୪ ମସିହା ଏପ୍ରିଲ୍ ୬ ତାରିଖରେ ଏହି ଓଡ଼ିଆ ପ୍ରାଣ ଯୁଗପୁରୁଷ ନନ୍ଦ କିଶୋର ଦାସଙ୍କ ଦେହାନ୍ତ ଘଟିଲା। ତତ୍ କାଳୀନ ତହସିଲ୍ ଦାର୍ ଙ୍କ ଉଦ୍ୟମରେ ଅନୁଗୁଳ ପୁରୁଣାଗଡ଼ ଠାରେ ଏହି ମହାନୁଭବ ଜିଲ୍ଲା ପ୍ରଶାସକ ନନ୍ଦ କିଶୋର ଦାସଙ୍କ ସମାଧି ମନ୍ଦିର ନିର୍ମିତ ହୋଇଥିଲା। ଯେଉଁଥିରେ ବ୍ରିଟିଶ୍ ସଚିବ କଟନ୍ ସାହେବଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଫଳକ ସ୍ଥାନ ପାଇଥିଲା। ସେଥିରେ ରାୟବାହାଦୁର ନନ୍ଦ କିଶୋର ଦାସଙ୍କ ସମ୍ପର୍କରେ ଲେଖାଥିଲା – “କର୍ତ୍ତବ୍ୟର ଅନୁପ୍ରେରଣା ସେ ଜୀବନ ଉତ୍ସର୍ଗ କରିଛନ୍ତି “। ଏହି ଫଳକ ପ୍ରାୟ ୧୯୬୦ ମସିହା ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା ବୋଲି ତାଙ୍କ ଅଣନାତୁଣୀ ଅନ୍ନପୂର୍ଣ୍ଣା ମହାରଣା (ରମାଦେବୀ ଙ୍କ କନ୍ୟା) ନିଜ ଆତ୍ମ ଜୀବନୀ ଅମୃତ ଅନୁଭବ ର “ମାମୁଁଘର” ଅଧ୍ୟାୟରେ ଉଲ୍ଳେଖ କରିଛନ୍ତି। ତାପରେ ତାହାକୁ ଆଉ କେହି ଦେଖିଛନ୍ତି କି ନାହିଁ, ଜ୍ଞତ ନାହିଁ। ଅଦୃଶ୍ୟ ଫଳକ ଆଉ ଜରାଜୀର୍ଣ୍ଣ ସମାଧି ମନ୍ଦିର ଆଧାରରେ ଭୁବନେଶ୍ବର ସ୍ଥିତ ସାମାଜିକ ଅନୁଷ୍ଠାନ “ମାହାଙ୍ଗା ମୈତ୍ରୀ ମଞ୍ଚ” ଆନୁକୂଲ୍ୟରେ ଏଇ ଲେଖକ ଦ୍ଵାରା ତାହାର ପୁନର୍ବିନ୍ୟାସ କରାଯାଇଛି। ବିସ୍ମୃତ ହେବାକୁ ଯାଉଥିବା ଓଡ଼ିଆ ଜାତିର ଅଭିଭାବକ ଜଣେ ମହାନାୟକ ରାୟବାହାଦୁର ନନ୍ଦ କିଶୋର ଦାସଙ୍କ ଅମ୍ଳାନ ସ୍ମୃତି ଜଗାଇବା ପାଇଁ ପ୍ରୟାସ ଜାରି ରହିଛି। ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହି ମହାନ୍ ଜନନାୟକ ସ୍ବର୍ଗତ ନନ୍ଦ କିଶୋର ଦାସଙ୍କ ସ୍ମୃତିରକ୍ଷା ଦିଗରେ ଯଥେଷ୍ଟ ଧ୍ୟାନ ଦେବାକୁ ଆଜି ତାଙ୍କ ଜୟନ୍ତୀ ଅବସରରେ ଏଇ ଲେଖକର ବିନମ୍ର ନିବେଦନ।







