ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩ ଅକ୍ଟୋବର, ୨୦୨୬
ଡ଼କ୍ଟର ପ୍ରିୟ ଆଇଆଇଟି ଖଡ଼ଗପୁରରୁ ସ୍ନାତକ ହେବା ପରେ ୨୦୦୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ୟୁନିଭର୍ସିଟି ଅଫ୍ ମେରିଲ୍ୟାଣ୍ଡ, କଲେଜ୍ ପାର୍କରୁ ପିଏଚ୍ଡି ହାସଲ କରିଥିଲେ। ଯୋଗାଯୋଗ ନେଟୱର୍କର ଅରୈଖିକ ଗତିବିଦ୍ୟା ଏବଂ ଯୋଗାଯୋଗରେ ବିଳମ୍ବ ଥିବାବେଳେ ନେଟୱର୍କର ସ୍ଥିରତା ସମ୍ପର୍କିତ ଗବେଷଣାରୁ ତାଙ୍କ ଗବେଷଣାଜୀବନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ଗବେଷଣା ବିତରିତ ପ୍ରଣାଳୀ, ରୋବୋଟିକ୍ସ ଏବଂ କୃତ୍ରିମ ବୁଦ୍ଧିମତ୍ତାଭିତ୍ତିକ ଜୈବଚିକିତ୍ସା ଇଞ୍ଜିନିୟରିଂ ପର୍ଯ୍ୟନ୍ତ ବ୍ୟାପିଥିଲା। ସେ ବହୁ ଗବେଷଣାପତ୍ର ପ୍ରକାଶ କରିଥିଲେ ଏବଂ ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା ଓ କମ୍ପ୍ୟୁଟର ଭିଜନ୍ର ପ୍ରୟୋଗ ଉପରେ ଜୈବଚିକିତ୍ସା ଇଞ୍ଜିନିୟରିଂରେ ଗବେଷଣା କରୁଥିବା ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଆମେରିକାରେ ଡାର୍ପା ( ଡି ଏ ଆର ପି ଏ ) ଅନୁଦାନପ୍ରାପ୍ତ ଗବେଷଣା ପ୍ରକଳ୍ପ ସହ ଜଡ଼ିତ କାର୍ଯ୍ୟ କରିବା ପରେ ପ୍ରିୟ ଭାରତକୁ ଫେରି ଆଇଆଇଟି କାନପୁରରେ ଯୋଗ ଦେଇଥିଲେ। ପରେ ସେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିଥିଲେ। ନେଟୱର୍କର ସ୍ଥିରତା ସମ୍ପର୍କିତ ଗାଣିତିକ ଗବେଷଣାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଓ ସମାଜର ଉନ୍ନତିରେ ସହାୟକ ହୋଇପାରୁଥିବା ପ୍ରଯୁକ୍ତି ପର୍ଯ୍ୟନ୍ତ ତାଙ୍କର ଗଭୀର ଆଗ୍ରହ ଥିଲା। ୧୯୯୯ ମସିହାର ଓଡ଼ିଶା ମହାବାତ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ସମୟରେ ଆମର ବନ୍ଧୁତା ଆରମ୍ଭ ହୋଇଥିଲା। ଆମେରିକାରେ ଆସୋସିଏସନ୍ ଫର୍ ଇଣ୍ଡିଆଜ୍ ଡେଭଲପମେଣ୍ଟ (ଏଡ଼ ) ପକ୍ଷରୁ ସଂଗୃହୀତ ପାଣ୍ଠିରେ ଚାଲିଥିବା ରିଲିଫ୍ କାର୍ଯ୍ୟରେ ପ୍ରିୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ପରେ ଆମେ ଭୁବନେଶ୍ୱରର କେଏମ୍ବିବି କଲେଜ୍ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଘନିଷ୍ଠ ଭାବେ ଏକାଠି କାମ କରିଥିଲୁ। ୨୦୨୩ ମସିହାରେ ସେ ଗବେଷକ ଭାବେ ହଂକଂ ଆସି ଆମ ସହିତ ରାସ୍ପେସଟା ରେ କାମ କରିଥିଲେ। ସବୁଠାରୁ ନିକଟ ଅତୀତରେ ଆମେ ଭୁବନେଶ୍ୱରରୁ ରାସ୍ପେସଟା ଓ ଡିକେଏମ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ଏକାଠି କାମ କରୁଥିଲୁ। ଡକ୍ଟର ସନ୍ଦୀପ ପାଣ୍ଡେଙ୍କ ‘ଅମନ କି ଆଶା’ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଆମେ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ।
ପ୍ରିୟ ମୋ ପାଇଁ ଜଣେ ଅତି ଆପଣାର ବନ୍ଧୁ, ଜଣେ କୃତୀ ଗବେଷକ ଏବଂ ଅନ୍ୟମାନଙ୍କ ସହାୟତା ପାଇଁ ସର୍ବଦା ଆଗେଇ ଆସୁଥିବା ମଣିଷ ଭାବେ ସ୍ମରଣୀୟ ହୋଇ ରହିବେ। ତାଙ୍କ ପରିବାର, ବନ୍ଧୁବର୍ଗ, ଛାତ୍ରଛାତ୍ରୀ ଓ ସହକର୍ମୀମାନଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇଛନ୍ତି ପ୍ରଫେସର ଡ଼ ଧନଦାକାନ୍ତ ମିଶ୍ର।




