ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୬
ପ୍ରାଣନାଥ ପଟ୍ଟନାୟକ ସ୍ୱାଧୀନତା ଆନ୍ଦୋଳନର ଜଣେ ଲଢ଼ୁଆ ଯୋଦ୍ଧା ଥିଲେ। ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ବାରମ୍ବାର କାରାବରଣ କରିଥିଲେ। ସ୍ୱାଧୀନତା ପରେ ନିଷ୍ପେସିତ ଜନତାଙ୍କ ଅର୍ଥନୈତିକ ଓ ସାମାଜିକ ଉନ୍ନତି ପାଇଁ ଆନ୍ଦୋଳନ କରି ବହୁବାର ଜେଲ୍ ଯାଇଥିଲେ। ଏତଦଭିନ୍ନ ଗଡ଼ଜାତ ଆନ୍ଦୋଳନର ମଧ୍ୟ ସେ ନେତୃତ୍ୱ ନେଇଥିଲେ। ଖଣ୍ଡପଡ଼ା, ନୟାଗଡ଼, ଦଶପଲ୍ଲା, ରଣପୁର ଆଦି ଗଡ଼ଜାତ ଆନ୍ଦୋଳନକୁ ପରିଚାଳନା କରିଥିବା ପ୍ରାଣନାଥ ବାବୁ ପ୍ରଥମେ କଂଗ୍ରେସ ଦଳରେ ଥିଲେ। ତା’ପରେ କଂଗ୍ରେସ ସୋସାଲିଷ୍ଟ ପାର୍ଟିରେ ଯୋଗଦେଇ ଓଡିଶାରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ସଂଗଠନ ଆରମ୍ଭ କରିଥିଲେ। ସେହି ସମୟରେ ସେ କୃଷକ ଆନ୍ଦୋଳନ, ପ୍ରଜା ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନ ଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ବାମପନ୍ଥୀ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଓଡ଼ିଶାରେ କମୁନିଷ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ସାଜିଥିଲେ। ଶୋଷିତ ସମ୍ପ୍ରଦାୟର ମୁ୍କ୍ତି ତଥା କୃଷକ, ଶ୍ରମିକଙ୍କ ଉତଥାନ ଲାଗି ସେ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ଖୋର୍ଦ୍ଧା ଭଳି ସ୍ଥାନରେ ଏକ ବିରାଟ କଲେଜ ସ୍ଥାପନ କେବଳ ତାଙ୍କର ଅଦମ୍ୟ ସାହସ ଯୋଗୁଁ ସମ୍ଭବ ହୋଇପାରିଛି। ସ୍ୱାଧୀନତା ସଂଗ୍ରାମର ଏହି ମହାନ ସୈନିକ, ନିଷ୍କଳଙ୍କ ରାଜନୈତିକ କର୍ମୀ ତଥା ବିଶିଷ୍ଟ ସମାଜ ସଂସ୍କାରକଙ୍କ ଲୋକପ୍ରିୟତା ଦଳର ସଂକୀର୍ଣ୍ଣ ପରିସର ଉର୍ଦ୍ଧ୍ବରେ ଥିଲା। ତେଣୁ ରାଜନୈତିକ ବିରୋଧୀମାନେ ମଧ୍ୟ ତାଙ୍କୁ ସ୍ନେହାଦର କରୁଥିଲେ ବୋଲି ବିଧାନସଭାରେ ଦଳମତ ନିର୍ବିଶେଷରେ ସଭ୍ୟମାନେ ମତବ୍ୟକ୍ତ କରିଛନ୍ତି ।
ଛପନ ବର୍ଷ ପୂର୍ବେ ଓଡ଼ିଶା ବିଧାନସଭାରେ ବିଶିଷ୍ଟ ବାମପନ୍ଥୀ ନେତା ପ୍ରାଣନାଥ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସେଥିରେ ସବୁଦଳର ସଭ୍ୟ ଅଂଶଗ୍ରହଣ କରି ତାଙ୍କ ଗୁଣାବଳୀର ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଶୋକ ପ୍ରସ୍ତାବ ଆଗତ କରି ଦର୍ଶାଇଥିଲେ, ୧୯୩୭ ରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ପ୍ରତିନିଧିତ୍ବ କରିଥିବା ପ୍ରାଣନାଥ ବାବୁ ୧୯୫୭ ମସିହା ପର୍ଯ୍ୟନ୍ତ ଗୃହର ସଦସ୍ୟ ଥିଲେ। ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହରେ ସାମିଲ ହୋଇ କରାବରଣ କରିଥିବା ପ୍ରାଣନାଥ ବାବୁ ସେଥିରୁ ମୁକ୍ତି ପାଇବା ପରେ କାଶୀ ବିଦ୍ୟାପୀଠରେ ଅଧ୍ୟୟନ କରିଥିଲେ। ଛାତ୍ର ଜୀବନରୁ ସେ ସମାଜବାଦ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ। ସେ ଜଣେ ଅମାୟିକ ବ୍ୟକ୍ତି ଥିଲେ ଓ ଯେଉଁମାନଙ୍କ ସଂସ୍ପର୍ଶରେ ଆସୁଥିଲେ ତାଙ୍କର ପ୍ରିୟଭାଜନ ହେଉଥିଲେ। ତାଙ୍କର ପ୍ରଗାଢ଼ ଉଦ୍ୟମ ଫଳରେ ଖୋର୍ଦ୍ଧା ଠାରେ ଗୋଟିଏ କଲେଜ ସ୍ଥାପିତ ହୋଇ ପାରିଥିଲା। ଗରିବ ଜନସାଧାରଣଙ୍କୁ ସାହାଯ୍ୟ କରିବା ଲାଗି ସର୍ବଦା ଚେଷ୍ଟିତ ପ୍ରାଣନାଥ ବାବୁଙ୍କର ତାଙ୍କ ପୁତ୍ରଙ୍କ କୋଲକାଟାସ୍ଥିତ ବାସଭବନରେ ଦେହାବସାନ ଘଟିଛି।
ବିରୋଧୀ ଦଳ ନେତା ଗଙ୍ଗାଧର ମହାପାତ୍ର କହିଥିଲେ, ନିଜର ଅମାୟିକ ବ୍ୟବହାର, ଦରଦୀ ପଣିଆ ଏବଂ ସାଧୁତା ଲାଗି ପ୍ରାଣନାଥ ବାବୁ ସମସ୍ତଙ୍କର ଆଦର୍ଶ ସ୍ଥାନୀୟ ହୋଇପାରିଥିଲେ। ତାଙ୍କର ଦେଶପ୍ରାଣତା ଓ ଚରିତ୍ରବତ୍ତା ରାଜନୈତିକ ପ୍ରତିପକ୍ଷମାନଙ୍କୁ ମଧ୍ୟ ମୁଗ୍ଧ କରୁଥିଲା। ତାଙ୍କ ବ୍ୟକ୍ତିଗତ ଜୀବନର ସଚ୍ଚୋଟତା ଏବଂ ନିର୍ମଳ ଚରିତ୍ର ସମସ୍ତଙ୍କର ଆଦର୍ଶ ହେବା ଉଚିତ। ତଦ୍ଦ୍ୱାରା ଆମର ରାଜନୈତିକ ଜୀବନ ବହୁ ପରିମାଣରେ ଦୁର୍ନୀତିମୁକ୍ତ ହୋଇପାରିବ। ତାଙ୍କ ତିରୋଧାନରେ ଓଡିଶାର ରାଜନୈତିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଲା ।
ବାଲେଶ୍ୱର ବିଧାୟକ ରବୀନ୍ଦ୍ର ମୋହନ ଦାସ ଦର୍ଶାଇଥିଲେ, ଜଣେ ନିଷ୍ଠାପର ଦେଶ ସେବକ ଓ ନିର୍ଭୀକ କର୍ମୀ ହିସାବରେ ପ୍ରାଣନାଥ ବାବୁ ଶେଷ ଜୀବନ ପର୍ଯ୍ୟନ୍ତ ଜନସାଧାରଣଙ୍କ ସେବା କରିଛନ୍ତି। ବିଶେଷକରି ନିଷ୍ପେସିତ କୃଷକ ଏବଂ ଶ୍ରମିକମାନଙ୍କ ଉତ୍ଥାନ ଲାଗି ସେ ନିରନ୍ତର ପ୍ରଚେଷ୍ଟା ଚଳାଇଥିଲେ।
ବେଗୁନିଆ ସଭ୍ୟ ଗଙ୍ଗାଧର ପାଇକରାୟ ଜଣାଇଥିଲେ, ବେଜେଲଗେଟ୍ ହତ୍ୟା ସମ୍ପର୍କରେ ଗଠିତ ‘ଡିଫେନ୍ସ କମିଟି’ର ସେ ସମ୍ପାଦକ ଥିଲେ। ବ୍ରିଟିଶ ରାଜତ୍ୱର ଦୃଢ଼ ପ୍ରତିରୋଧ ପାଇଁ ସେ ଜଣେ ପ୍ରଧାନ କର୍ତ୍ତାରୂପେ କାମ କରୁଥିଲେ। ରଣପୁର ରାଜ୍ୟରୁ ତାଙ୍କୁ ବାହାର କରିଦେବା ଲାଗି ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ରଣପୁର ସାମରିକ ଆଇନ ଅନୁସାରେ ପ୍ରାଣନାଥ ବାବୁଙ୍କୁ ରଣପୁରବାସୀଙ୍କ ସହିତ ଭେଟିବା ପାଇଁ ମନା କରି ଦିଆଯାଇଥିଲା। ରଣପୁରର ଓକିଲ ଭାବରେ ସେ ୧୦ କିଲୋମିଟର ଦୂରରେ ରହି ମୋକଦ୍ଦମା ପରିଚାଳନା କରୁଥିଲେ। ବ୍ରିଟିଶ ସରକାର ତାଙ୍କ ବିରୁଦ୍ଧରେ କରିଥିବା ଷଢଯନ୍ତ୍ର ମୋକଦ୍ଦମାକୁ ସେ ନିର୍ଭୀକ ଭାବରେ ଲଢ଼ିଥିଲେ। ୧୯୩୯ରେ ସଂଘଟିତ ବିଶାଳ ରେଳବାଇ ଧର୍ମଘଟ କାଳରେ ଗିରଫ ହୋଇ ସେ ଜେଲରେ ୩୫ ଦିନ ଅନଶନ ଚଳାଇଥିଲେ। ୧୯୬୭ରେ କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାରେ ପରିଲକ୍ଷିତ ଭୟଙ୍କର ମରୁଡ଼ିର ମୁକାବିଲା ପାଇଁ ସେ ଖଣ୍ଡିଏ ଛତା ଧରି ଲୋକଙ୍କ ଦୁର୍ଦ୍ଦଶା ପ୍ରତ୍ୟକ୍ଷ କରିଥିଲେ ଏବଂ ପ୍ରଥମ ରିପୋର୍ଟ ଦେଇଥିଲେ। ସବୁବେଳେ ଚାଷୀ, ମୂଲିଆ, ଶ୍ରମିକଙ୍କ ଭଳି ଶୋଷିତ ଶ୍ରେଣୀର ନେତୃତ୍ୱ ନେଉଥିବା ପ୍ରାଣନାଥ ବାବୁ ଏଖରାଜତ ମାହାଲରୁ ଖଜଣା ଛାଡ଼ ଲାଗି ମଧ୍ୟ ଆନ୍ଦୋଳନ ଚଳାଇଥିଲେ ।
ସଭ୍ୟ ବିନାୟକ ଆଚାର୍ଯ୍ୟ ଉଲ୍ଲେଖ କରିଥିଲେ, ତାଙ୍କଭଳି ନିଷ୍ଠାପର ନେତା ଓ କର୍ମୀ ସମାଜରେ ଅତି ବିରଳ। ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଇଂରେଜ ଶାସକଙ୍କ ନିର୍ଯ୍ୟାତନାର ଶୀକାର ହୋଇଥିବା ପ୍ରାଣନାଥ ବାବୁ ସ୍ୱାଧୀନତା ପରେ ନିଷ୍ପେସିତ ଜନତାଙ୍କ ଉତ୍ଥାନ ପାଇଁ ଲଢ଼େଇ କରି ବାରମ୍ବାର କାରାବରଣ କରିଥିଲେ। ଜଟଣୀ ହାଇସ୍କୁଲ ଓ ଖୋର୍ଦ୍ଧା କଲେଜ ପ୍ରତିଷ୍ଠା କରିଥିବା ଏହି ମହାନୁଭବ ରାଜ୍ୟରେ ଶିକ୍ଷାର ପ୍ରସାର ଏବଂ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ଲାଗି ଅହରହ ଉଦ୍ୟମ କରିଥିଲେ।
ମନ୍ତ୍ରୀ ବନମାଳି ପଟ୍ଟନାୟକ କହିଥିଲେ ଖୋର୍ଦ୍ଧା ଏକ ପାଇକ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ବ୍ରିଟିଶ ସରକାର ସମ୍ପୃକ୍ତ ଇଲାକାରୁ ସୈନ୍ୟବାହିନୀ ପାଇଁ ପ୍ରାର୍ଥୀ ନିଯୁକ୍ତି କରନ୍ତୁ। ଏଥିପାଇଁ ସେ ଖୋର୍ଦ୍ଧା ଅଞ୍ଚଳରେ ବୁଲି ବୁଲି ଜନତାଙ୍କୁ ସଚେତନ କରାଇଥିଲେ। ପରାକ୍ରମୀ ବ୍ରିଟିଶ ସରକାରଙ୍କ ପ୍ରାର୍ଥୀ ବିରୁଦ୍ଧରେ ସେତେବେଳେ କେହି ପ୍ରତଦ୍ୱିନ୍ଦିତା କରିବାକୁ ରାଜି ହେଉ ନଥିଲେ। କିନ୍ତୁ ପ୍ରାଣନାଥ ବାବୁ ୧୯୩୭ ମସିହାରେ ଇଂରେଜ ଶାସକଙ୍କ ବିରୁଦ୍ଧରେ ପାର୍ଥି ହୋଇ ନିର୍ଭୀକ ଭାବରେ ଖୋର୍ଦ୍ଧାରୁ ନିର୍ବାଚନ ଲଢ଼ିଥିଲେ। ସେ ଯେଉଁ କାମ ହାତକୁ ନେଉଥିଲେ ତାହା ଶେଷ ନ କରିବା ପର୍ଯ୍ୟନ୍ତ ସୁଖ, ସ୍ୱାଚ୍ଛନ୍ଦ କଥା ଦୂରେ ଥାଉ ଏପରିକି ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେଉନଥିଲେ। ସେଥିପାଇଁ ତାଙ୍କର ମାତ୍ର ୬୫ ବର୍ଷ ବୟସରେ ଆକସ୍ମିକ ବିୟୋଗ ଘଟିଥିଲା।
ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ ଦର୍ଶାଇଥିଲେ, ଓଡିଶାରେ ଯେଉଁ କେତେଜଣ ବ୍ୟକ୍ତି ସ୍ୱାଧୀନତା ସଂଗ୍ରାମ ସମୟରେ ନେତୃତ୍ୱ ନେଇଥିଲେ, ପ୍ରାଥନାଥ ବାବୁ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଓଡିଶାର ବିକାଶ, ଜମିଦାରୀ ପ୍ରଥା ଉଚ୍ଛେଦ, ପ୍ରଜା ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନ ଭଳି କ୍ଷେତ୍ରକୁ ତାଙ୍କର ଅସମାନ୍ୟ ଅବଦାନ ଥିଲା। ସେଥିପାଇଁ ଓଡ଼ିଶାବାସୀ ତାଙ୍କ ନିକଟରେ ଋଣୀ ହୋଇ ରହିବେ।
ପୁରୀ ବିଧାୟକ ହରିହର ବାହିନୀପତି ଜଣାଇଥିଲେ, ଜାତୀୟ ଆନ୍ଦୋଳନର ଜଣେ ମହାନ ସୈନିକ, ନିଷ୍କଳଙ୍କ ରାଜନୈତିକ କର୍ମୀ, ନିଷ୍ଠାପର ସମାଜ ସଂସ୍କାରକ ଭାବରେ ତାଙ୍କର କର୍ତ୍ତବ୍ୟ ପ୍ରାଣନାଥ ବାବୁଙ୍କୁ ଓଡ଼ିଶାବାସୀଙ୍କ ନିକଟରେ ସ୍ମରଣୀୟ କରି ରଖିବ। ତାଙ୍କର ଅମାୟିକ ବ୍ୟବହାର ଏପରିକି ରାଜନୈତିକ ପ୍ରତିପକ୍ଷମାନଙ୍କୁ ମଧ୍ୟ ମନ୍ତ୍ରମୁଗ୍ଧ କରି ଦେଇଥିଲା।
ଶେଷରେ ବାଚସ୍ପତି ନନ୍ଦ କିଶୋର ମିଶ୍ର କହିଥିଲେ, ବହୁମୁଖୀ ପ୍ରତିଭାର ଅଧିକାରୀ ପ୍ରାଣନାଥ ବାବୁ କେବଳ ସ୍ୱାଧୀନତା ସଂଗ୍ରାମର ଜଣେ ବଳିଷ୍ଠ ଯୋଦ୍ଧା ନଥିଲେ ବରଂ ଓଡିଶାର ପ୍ରଗତିରେ ତାଙ୍କର ଅମୁଲ୍ୟ ଅବଦାନ ରହିଥିଲା। ତାଙ୍କ ଦେହାନ୍ତରେ ଓଡ଼ିଶାର ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ଏହାପରେ ଅମର ଆତ୍ମାର ସଦଗତି କାମନା କରି ଗୃହରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।






