• About
  • Contact
Friday, November 6, 2026
Friday, November 6, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Tribute

ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ

ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ନଭେମ୍ବର ୨୦୨୬

ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସ ଜଣେ ଅନନ୍ୟ ଦେଶପ୍ରେମୀ, ଦରଦୀ ଦେଶ ସେବକ, ବିଚକ୍ଷଣ ଆଇନଜ୍ଞ ତଥା ପ୍ରବୀଣ ରାଜନୈତିକ ଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମକୁ ଅତୁଳନୀୟ ଅବଦାନ ଥିବା ମୁକୁନ୍ଦ ପ୍ରସାଦ ସେତେବେଳେ ଜଣେ ବିପ୍ଳବୀ ବା ସାହସୀ ଯୋଦ୍ଧା ଭାବରେ ପରିଚିତ ଥିଲେ। ଇଂରେଜ ଶାସକଙ୍କ ମିଥ୍ୟା ମୋକଦ୍ଦମାର ଶିକାର ହେଉଥିବା ରାଜନୈତିକ କର୍ମୀମାନଙ୍କୁ ସେ ବିନା ପାରିଶ୍ରମିକରେ ଲଢ଼ି ଖଲାସ କରୁଥିଲେ। ସେଥିପାଇଁ ତାଙ୍କୁ ବ୍ରିଟିଶ ସରକାରଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା। ତେଣୁ ସ୍ୱାଧୀନତା ସଂଗ୍ରାମ କାଳରେ ତାଙ୍କ ଉପରେ ଏକାଧିକବାର ମରଣାନ୍ତକ ଆକ୍ରମଣ ସଂଘଟିତ ହୋଇଥିଲା ଏବଂ ସେ ବାରମ୍ବାର କାରାବରଣ କରିଥିଲେ। ଏହାସତ୍ତ୍ୱେ ଇଂରେଜ-ବିରୋଧୀ ଆଚରଣରୁ ସେ କ୍ଷାନ୍ତ ହୋଇନଥିଲେ। ତାଙ୍କର ଏହି ନିର୍ଭୀକତା ପାଇଁ ପ୍ରାକ୍-ସ୍ୱାଧୀନତା ବା ବ୍ରିଟିଶ ସରକାର ସମୟରେ ତାଙ୍କୁ ଓଡ଼ିଶା ବିଧାନସଭାର ପ୍ରାୟ ୧୦ ବର୍ଷ ଧରି ବାଚସ୍ପତି ରୂପେ ନିର୍ବାଚିତ କରାଯାଇଥିଲା। ଇଂରେଜ ଶାସନ କାଳରେ ମୁକୁନ୍ଦ ପ୍ରସାଦ ଏଭଳି ନିର୍ଭୀକ ଭାବରେ ବିଧାନସଭା ପରିଚାଳନା ଓ ନିଷ୍ପତି ଗ୍ରହଣ କରୁଥିଲେ, ତାହା ସମଗ୍ର ଦେଶରେ ଚହଳ ପକାଇଦେଉଥିଲା। ସର୍ବୋପରି ସ୍ୱାଧୀନତା ପରେ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନ ସହିତ କୃଷି ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଲାଗି ସେ ଅହରହ ଉଦ୍ୟମ ଚଳାଇଥିଲେ ବୋଲି ବିଧାନସଭାର ଶୋକ ପ୍ରସ୍ତାବରେ ସଭ୍ୟମାନେ ମତବ୍ୟକ୍ତି କରିଛନ୍ତି ।

ମୁକୁନ୍ଦ ପ୍ରସାଦଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରି ତଦାନିନ୍ତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେବ ଦର୍ଶାଇଥିଲେ, ଦେଶ ପାଇଁ ତାଙ୍କର ଉଲ୍ଲେଖନୀୟ ତ୍ୟାଗ ଥିଲା ଏବଂ ସ୍ୱାଧୀନତା ସଂଗ୍ରାମ କାଳରେ ସେ ବହୁବାର କାରାବରଣ କରିଥିଲେ । ତାଙ୍କର ଦେହାବସାନରେ ଦେଶର ବିଶେଷ କ୍ଷତି ଘଟିଲା । ବିରୋଧୀ ସଭ୍ୟ ବିନାୟକ ଆଚାର୍ଯ୍ୟ କହିଥିଲେ, ଦେଶ ଓ ରାଜ୍ୟ ପାଇଁ ମୁକୁନ୍ଦ ବାବୁଙ୍କ ଅବଦାନ ବିଷୟରେ ସଭ୍ୟମାନେ ଭଲ ଭାବରେ ଜାଣନ୍ତି । ତାଙ୍କ ଦେହାନ୍ତରେ ଅପୂରଣୀୟ କ୍ଷତି ଘଟିଲା ।

ବାଲେଶ୍ୱର ବିଧାୟକ ରବୀନ୍ଦ୍ର ମୋହନ ଦାସ ଉଲ୍ଲେଖ କରିଥିଲେ, ମୁକୁନ୍ଦ ବାବୁ ବାଚସ୍ପତି ହେବା ଓଡ଼ିଶା ବିଧାନସଭା ଇତିହାସରେ ଏକ ଉଜ୍ଜ୍ୱଳମୟ ଅଧ୍ୟାୟ । ବିଶାଳ ଉତ୍କଳ ପ୍ରଦେଶ ଗଠନ ଲାଗି ସେ ସୀମାନ୍ତବର୍ତ୍ତୀ ଓ ବିଚ୍ଛିନ୍ନାଞ୍ଚଳରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ବହୁ ସଭାସମିତିରେ ଯୋଗ ଦେଇଥିବାବେଳେ ସ୍ୱାଧୀନତା ସଂଗ୍ରାମ ସମୟରେ ବହୁବାର କାରାବରଣ କରିଥିଲେ। ୧୯୧୭ କିମ୍ବା ୧୮ ମସିହାରେ ବ୍ରିଟିଶ ସରକାର ତାଙ୍କ ବିରୁଦ୍ଧରେ ମିଥ୍ୟା ଷଡ଼ଯନ୍ତ୍ର ମୋକଦ୍ଦମା ରୁଜୁ କରି ମୁକୁନ୍ଦ ବାବୁଙ୍କୁ ଗିରଫ କରିଥିଲା। ଜଣେ ବିପ୍ଳବୀ ହିସାବରେ ସେ ରାଜନୈତିକ କର୍ମୀମାନଙ୍କ ବିରୁଦ୍ଧରେ ରୁଜୁ ମିଥ୍ୟା ମାମଲାଗୁଡ଼ିକ ଦୃଢ଼ତାର ସହିତ ଆଇନଜ୍ଞ ଭାବେ ଲଢ଼ିଥିଲେ। ତାଙ୍କ ନିର୍ଭିକତା ପାଇଁ ମୁକୁନ୍ଦ ବାବୁଙ୍କୁ ଇଂରେଜ ଶାସନ କାଳରେ ବିଧାନସଭାର ବାଚସ୍ପତି କରାଯାଇଥିଲା। ବେଗୁନିଆ ସଭ୍ୟ ଗଙ୍ଗାଧର ପାଇକରାୟ ଦର୍ଶାଇଥିଲେ, ବ୍ରିଟିଶ ସରକାର ସମୟରେ ମୁକୁନ୍ଦବାବୁ ନିର୍ଭୀକ ଭାବରେ ଗୃହ ପରିଚାଳନା କରି ଯେଭଳି ନିଷ୍ପତ୍ତି ଗ୍ରହଣ କରୁଥିଲେ, ତାହା ସମଗ୍ର ଦେଶରେ ଚହଳ ସୃଷ୍ଟି କରୁଥିଲା ।

ଆଠଗଡ଼ ସଭ୍ୟ ରାଧାନାଥ ରଥ ଜଣାଇଥିଲେ, ସାରା ଜୀବନ ସମାଜ ସେବାରେ ନିଜକୁ ସମର୍ପିତ କରିଥିବା ମୁକୁନ୍ଦ ବାବୁ ନିର୍ଭୀକ ଭାବରେ ଦେଶ ଓ ରାଜ୍ୟ ପାଇଁ କାର୍ଯ୍ୟ ସମ୍ପାଦନ କରିବା ଯୋଗୁଁ ସେ ଇଂରେଜ ଶାସକଙ୍କ ବର୍ବରୋଚିତ ଅମାନୁଷିକ ଅତ୍ୟାଚାରର ଶୀକାର ହୋଇଥିଲେ। ଓଡ଼ିଶା ପ୍ରଦେଶ ଗଠନ, ଓଡ଼ିଆ ଭାଷାର ସୁରକ୍ଷା, ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଆଦି କ୍ଷେତ୍ରରେ ଗ୍ରହଣ କରିଥିବା ମହନୀୟ ପଦକ୍ଷେପ ଲାଗି ସେ ଓଡ଼ିଆ ଜାତି ନିକଟରେ ସ୍ମରଣୀୟ ହୋଇ ରହିବେ। ଅନ୍ୟପକ୍ଷରେ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ମଧ୍ୟ ସେ ବନ୍ଦନୀୟ ହୋଇରହିବେ।

ଆଇନ ମନ୍ତ୍ରୀ ହର ପ୍ରସାଦ ମହାପାତ୍ର ଉଲ୍ଲେଖ କରିଥିଲେ, ନିର୍ଭୀକତା, ସତସାହସ, ଧର୍ମ ବିଶ୍ୱାସ, ନୈତିକତା ପାଇଁ ରାଜ୍ୟବାସୀଙ୍କ ନିକଟରେ ମୁକୁନ୍ଦ ବାବୁ ଆଦର୍ଶସ୍ଥାନୀୟ ହୋଇ ରହିବେ। ସ୍ୱାଧୀନତ୍ତୋର କାଳରେ କୃଷି ଏବଂ ଶିଲ୍ପର ବିକାଶ ନିମନ୍ତେ ତାଙ୍କର ଅସମାନ୍ୟ ଅବଦାନ ରହିଥିଲା। ଭୂ-ସଂସ୍କାର କମିଶନଙ୍କ ସମୁଖ୍ୟରେ ବକ୍ତବ୍ୟ ପ୍ରଦାନ କରି ସେ ଦର୍ଶାଇଥିଲେ, ଜମିର ବିଭକ୍ତିକରଣ ନୁହେଁ ବରଂ ଏକତ୍ରୀକରଣ ଦ୍ୱାରା କୃଷିର ଉନ୍ନତି ହୋଇପାରିବ। ତେଣୁ ଜମିଗୁଡ଼ିକର ଏକତ୍ରୀକରଣ ଲାଗି ଆଇନରେ ବ୍ୟବସ୍ଥା ହେବା ନିହାତି ଦରକାର। କୃଷିର ବିକାଶ ପାଇଁ ସେ ଉନ୍ନତ ପ୍ରାଣାଳୀର ଉପଯୋଗ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସେ ଦିଗରେ ପ୍ରବର୍ତ୍ତାଇ ଥିଲେ। ଅନ୍ୟପକ୍ଷରେ ଶିଳ୍ପର ଉନ୍ନତି ପାଇଁ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ପରାମର୍ଶ ଦେଇଥିଲେ।

ସଭ୍ୟ ହରିହର ବାହିନୀପତି ଜଣାଇଥିଲେ, ଅନନ୍ୟ ଅବଦାନ ଲାଗି ମୁକୁନ୍ଦ ବାବୁଙ୍କ ନାମ ଆମ ରାଜ୍ୟର ଗୌରବୋଜ୍ଜ୍ୱଳ ଇତିହାସରେ ଲିପିବଦ୍ଧ ହୋଇ ରହିବ। ବିଧାନସଭା ବିବରଣୀରୁ ହିଁ ଗୃହ ପରିଚାଳନାରେ ତାଙ୍କର ଦକ୍ଷତା, ବିଚକ୍ଷଣତା ଓ ଅସାମାନ୍ୟ ବାଗ୍ମିତାର ସ୍ପଷ୍ଟ ପ୍ରମାଣ ମିଳିଥାଏ।

ବାଚସ୍ପତି ନନ୍ଦ କିଶୋର ମିଶ୍ର ଦର୍ଶାଇଥିଲେ, ନିଜର ସରଳ, ଦରଦୀ ତଥା ଅମାୟିକ ଆଚରଣ ଦ୍ୱାରା ସେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ମୁକୁନ୍ଦ ବାବୁଙ୍କ ତିରୋଧାନରେ ଓଡ଼ିଶାର ବିଶେଷ କ୍ଷତି ଘଟିଲା। ଶେଷରେ ଅମର ଆତ୍ମା ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ଗୃହରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ୧୮୮୭ ମସିହା ଅଗଷ୍ଟ ୧୮ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଗଣ୍ଡିବେଡ଼ ନିକଟବର୍ତ୍ତୀ ପାର୍ବତୀପୁର ଗାଁରେ ଭୂମିଷ୍ଠ ହୋଇଥିବା ମୁକୁନ୍ଦ ପ୍ରସାଦ ୧୯୬୯ ମସିହା ନଭେମ୍ବର ୬ ତାରିଖରେ ପରଲୋକ ଗମନ କରିଥିଲେ। ଓଡିଶାର ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ”ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ସେ କନିଷ୍ଠ ଭଗ୍ନୀ ପତି ବା ସାନ ଭିଣୋଇ ଥିଲେ। ତାଙ୍କ ଧର୍ମପତ୍ନୀ ଜାହ୍ନବୀ ଦେବୀ ତାଙ୍କ ସମୟର ଅନ୍ୟତମ ସର୍ବମାନ୍ୟ ନେତ୍ରୀ ଥିଲେ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

The Driver Who Parked 40 Lives
Tribute

The Driver Who Parked 40 Lives

by Shivaji Mohinta
October 31, 2026

A daily wage driver’s last 20 km teach us more about leadership than any title can Shivaji Mohinta, Bhubaneswar, 31 October 2026...

Read more
ପ୍ରାଣନାଥ ପଟ୍ଟନାୟକ: ଶୋଷିତବର୍ଗର ତ୍ରାଣକର୍ତ୍ତା

ପ୍ରାଣନାଥ ପଟ୍ଟନାୟକ: ଶୋଷିତବର୍ଗର ତ୍ରାଣକର୍ତ୍ତା

October 12, 2026
ସ୍ମୃତିରେ ଶରତ କୁମାର କର……

ସ୍ମୃତିରେ ଶରତ କୁମାର କର……

October 12, 2026
Remembering Sarat Kumar Kar……

Remembering Sarat Kumar Kar……

October 12, 2026
ଡକ୍ଟର ପ୍ରିୟ ରଞ୍ଜନଙ୍କ ପରଲୋକ

ଡକ୍ଟର ପ୍ରିୟ ରଞ୍ଜନଙ୍କ ପରଲୋକ

October 3, 2026
ପଦ୍ମଶ୍ରୀ ରଜତ କୁମାର କର – ଏକ ଅମଳିନ ପ୍ରତିଭା  (ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷରେ)

ପଦ୍ମଶ୍ରୀ ରଜତ କୁମାର କର – ଏକ ଅମଳିନ ପ୍ରତିଭା (ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷରେ)

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.