• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ-୧୩)

ଆମେ ପାଉଡି ଭୂୟାଁ (ଭାଗ-୫)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଜୁନ୍ ୨୦୨୩

ସେଦିନ ସକାଳୁ ସକାଳୁ ଉଠିପଡ଼ି ଦାଣ୍ଡଦୁଆର ଓଳାଇ ସାରି ଚୁଆରୁ ପାଣି ଆଣିବାକୁ ବାହାରି ପଡ଼ିଲା ଚିନାମାଳୀ। ବାଟରେ ଚମ୍ପା ସହିତ ଭେଟ ହୋଇଗଲା ତାର। ତାକୁ ଦେଖି ଚମ୍ପା କହିଲା ଆଲୋ ଜାଣିଛୁ କାଲି ଆମ ଘରକୁ ସିଂପୁର ର ବିଷ୍ଣୁ ମାମୁଁ ଓ ଅର୍ଜୁନ ମାମୁଁ ଆସିଛନ୍ତି। ଆଜି ରାତିରେ ସେ ଦୁଇଜଣଙ୍କୁ କାମିନୀ ଆଈ ଘରକୁ ନେବି। ତାଙ୍କ ଠାରୁ ଆମ ଭୂୟାଁ ଜାତି ବିଷୟରେ କିଛି ଶୁଣିବା। ଏହା କହି ଚମ୍ପା ତା ଘରମୁହାଁ ହେଲା। ଚିନାମାଳୀ ଚୁଆରୁ ପାଣି ଆଣି ଘରେ ରଖି ଆଉ କିଛି ଘର ପାଇଟି ସାରି ଜଙ୍ଗଲକୁ ଜାଳ ଆଣିବାକୁ ବାହାରି ପଡ଼ିଲା। ବାଟରେ ବିଷ୍ଣୁ ମାମୁଁ ଓ ଅର୍ଜୁନ ମାମୁଁଙ୍କ ଙ୍କ ସହ ଭେଟ ହୋଇଗଲା। ଉଭୟଙ୍କୁ ଜୁହାର କଲା ସେ। କଥା ପ୍ରସଙ୍ଗରେ ବିଷ୍ଣୁ ମାମୁଁ ପଚାରିଲେ ଆରେ ମା କଣ ଜଙ୍ଗଲ ବାହାରିଲୁ। ହଉ ଯା ତୁ ସନ୍ଧ୍ୟାରେ ଜଙ୍ଗଲ ରୁ ଫେରିଲେ ଆମେ ତୁମ ଘରକୁ ଯିବୁ। ତୋ ବିଷୟରେ ଏକ ପ୍ରସ୍ତାବ ଧରି ଆସିଛି । ଭଲ ଶାନ୍ତ ସୁଧାର ପିଲାଟି । ଲାଜରେ ସେଠାରୁ ଦୌଡ଼ି ଜଙ୍ଗଲ ଆଡ଼କୁ ପଳାଇଲା ସେ।

ଜଙ୍ଗଲରେ ପହଞ୍ଚି ଶାଗ ଓ ଛତୁ ତୋଳିସାରି ଝରଣା କୂଳକୁ ଚାଲିଲା ସିଏ। ବାଟରେ ଗଲାବେଳେ ଭାବୁଥିଲା ଆଜି ମନ୍ମଥକୁ ଭଲ କରି ଶୁଣାଇଵି। କେତେ ଘର ଲୋକଙ୍କୁ ମିଛ କହିବି। ଏମିତି ଭାବି ସେ ଝରଣା କୂଳରେ ପହଞ୍ଚି ସେଠି ମନ୍ମଥକୁ ଅପେକ୍ଷା କଲା। ଅଳ୍ପ କିଛି ସମୟ ପରେ ମନ୍ମଥ ଆସି ପହଞ୍ଚିଲା। ସାଙ୍ଗରେ କିଛି ଚାରକୋଳି ଓ ହାତପାଚେରି କୋଳି ତା ଗାମୁଛାରେ ବାନ୍ଧି କରି ଆଣିଥିଲା ସେ। ଗଛମୂଳରେ ଆଉଜି କରି ବସି ପଚାରିଲା ଆଲୋ ଆଜି ତୋର କଣ ହୋଇଛି କି ମୁହଁ ଫୁଲେଇ ବସିଛୁ।କଣ ମୋର ଡେରି ହୋଇଗଲା ବୋଲି ନା ଆଜି ତୋ ବାପା କଣ କହିଛି। ଏତିକି କହି ତା ପାଖକୁ ଘୁଞ୍ଚି ଯାଇ ତା କାନ୍ଧରେ ହାତ ରଖି କହିଲା ହଉ ରାଗ ସେତିକି ଥାଉ। କୋଳି ଆଣିଛି ନେ ଦୁଇଟା ଖାଇ ଦେ।ତା ହାତକୁ ଛିଞ୍ଚାଡି ଦେଇ ଚିନାମାଳୀ କହିଲା ରଖ ସେ ମିଛ ସୁହାଗ। କୋଳି ରଖିଥା ତୋ ଘରବାଲୀ ଆସିଲେ ତାକୁ ଦେବୁ। ମୁଁ ତୋର କିଏ କି? ତା କଥା ଶୁଣି ମନ୍ମଥ କହିଲା କହିଲେ ସିନା ମୁଁ ଜାଣିବି, ନ କହିଲେ ମୁଁ କିସ କରିଵି। ଏହା ଶୁଣି ଚିନାମାଳୀ କହିଲା ଶୁଣିବୁତ ଶୁଣ। ମୋତେ ସଫା ସଫା କହ ମୋ ହାତ ଧରି ତୋ ଘରକୁ କେଵେ ନେଉଛୁ। ଆମ ଘରେ ପୁଅ ଘରୁ ପ୍ରସ୍ତାବ ଆସିଲାଣି। ଆଜି ତ ସନ୍ଧ୍ୟା ବେଳକୁ ବାଂଶପାଳର ବିଷ୍ଣୁ ମାମୁଁ ଏକ ପ୍ରସ୍ତାବ ନେଇ ଆମ ଘରକୁ ଯିବେ। ମନ୍ମଥ ହସିଦେଇ କହିଲା ତା ହେଲେ ରୋଗ ଯାଇଁ ସେଠି।ଆଲୋ ସେ ହେଉଛନ୍ତି ମୋର ମାମୁଁ। ମୋ ବାଆ ତାଙ୍କୁ ପଠାଇଛି ମୋ ବିଷୟରେ ପ୍ରସ୍ତାବ ନେଇ। ତୋ ବାପା ଆମ ଘରକୁ ପ୍ରସ୍ତାବ ନେଇ ଯାଇଥିଲା। ତାର ପସନ୍ଦ ହେବାରୁ ସେ ମୋ ବାଆକୁ କହି ଆସିଥିଲା ତୁମ ଘରକୁ ଆସିବା ପାଇଁ। ସତେ ଯେପରି ସେ ଆକାଶରୁ ଖସି ପଡ଼ିଲା। ହସି ଦେଇ ତା ନିକଟକୁ ଘୁଞ୍ଚି ଆସି କହିଲା କାଇଁ ତୁ ତ ମୋତେ ଏ କଥା କହୁ ନ ଥିଲୁ। ହସିଦେଇ ମନ୍ମଥ କହିଲା ମୁଁ ଭାବିଲି ତୁ ଜାଣିଚୁ ବୋଲି। ଏହାପରେ ଉଭୟ କଥାବାର୍ତ୍ତା ରେ ମଜ୍ଜିଗଲେ।

ସେଦିନ କାମିନୀ ଆଈ ଘରକୁ ବାହାରିଛି। ଏହି ସମୟରେ ବିଷ୍ଣୁ ମାମୁଁ ଓ ଅର୍ଜୁନ ମାମୁଁ ଆସି ପହଞ୍ଚିଗଲେ। ବାପା ସଙ୍ଗେ ଗପସପ ହେଉଥାନ୍ତି। ଚିନାମାଳୀ ସେ ଦୁଇଜଣଙ୍କୁ ଚା ଓ କୋଳଥ ଭଜା ଦେଇ ଜୁହାର କରି ସେମାନଙ୍କ ପାଖରେ ଠିଆ ହେଲା। ବିଷ୍ଣୁ ମାମୁଁ କହିଲେ ଆଲୋ ଝିଅ ଗଲୁ ପାଣି ଟିକେ ଆଣିବୁ ପିଇବା। ସେ ପାଣି ଆଣିବାକୁ ଭିତରକୁ ଯାଉଥିବା ସମୟରେ ଶୁଣିଲା ମାମୁଁ ବାପାଙ୍କୁ କହିଲେ। ଭାଇ ପଠାଇଥିଲେ। ଆମର ଚିନାମାଳୀ କୁ ବୋହୂ କରିନେବା ଟା ପକ୍କା। ମୋ ଭଣଜା ମନ୍ମଥ ର ରାଜି। ତୁମେ କେବେ ତୁମ ସାହିଭାଈଙ୍କୁ ନେଇ ତାଙ୍କ ଘରକୁ ଯିବ ମୋ ହାତରେ କହିବା ପାଇଁ କହିଛନ୍ତି। ଲାଜରେ ପାଣି ଢାଳ ଓ ଗିଲାସ କୁ ବୋଉ ହାତରେ ପଠାଇ ଦେଇ କାମିନୀ ଆଈ ଘରକୁ ବାହାରି ଗଲା।

ସେଦିନ ରାତିରେ ଗାଁ ର ସବୁ ଝିଅମାନେ ଏକାଠି ବସିଥାନ୍ତି। କାମିନୀ ଆଈ କଥା ଆରମ୍ଭ କରି କହିଲା ଆଲୋ ଆଜି ସିଂପୁର ର ବିଷ୍ଣୁ ଓ ଅର୍ଜୁନ ଆସିଛନ୍ତି। ତାଙ୍କୁ ଆମ ଘରକୁ ଆସିବା ପାଇଁ କହିଥିଲି। ସେମାନେ ଆସିଲେ କେନ୍ଦୁଝର ର ଥିବା ଆମ ଭୂୟାଁମାନଙ୍କ ବିଷୟରେ ଜାଣିବା। ଏହି ସମୟରେ ସେମାନେ ଆସି ପହଞ୍ଚିଗଲେ। ଆଈ କହିଲା କିରେ ତୁମେ ଦୁଇଜଣ ଏତେ ଡେରିକଲ ଯେ। ମୋ ନାତୁଣୀମାନେ ପା ତୁମ ଦୁଇଜଣଙ୍କ ଠାରୁ ତୁମ ଅଞ୍ଚଳ ରେ ରହୁଥିବା ଭୂୟାଁମାନଙ୍କ କଥା ଶୁଣିବା ପାଇଁ ଜଗିକରି ବସିଛନ୍ତି। ବିଷ୍ଣୁ ମାମୁଁ ହସି ଦେଇ କହିଲେ ହଉ ଆମ ଅଞ୍ଚଳ କଥା ଝିଅମାନଙ୍କୁ ନିଶ୍ଚୟ କହିବି। କିନ୍ତୁ ଆଜି ନୁହେଁ କାଲି। ଆଜି ତୁମମାନଙ୍କୁ କନ୍ତଦେଵୀଙ୍କ ବିଷୟରେ କହୁଛି ଶୁଣ।

ବହୁତ ବର୍ଷତଳେ (ପାଖାପାଖି ୨୦୦ବର୍ଷତଳେ) କନ୍ତସରା ଗାଁର ଜଣେ ପାତ୍ର ଲୋକ ତାର ବିଲରେ ହଳ କରୁଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଜାଗାରେ ଲଙ୍ଗଳର ସମାରେ ଆଉ ଗୋଟିଏ ସମାଭଳି ଏକ ଲୌହ ଜିନିଷ ଲାଗିବାରୁ ସେ ତାକୁ ହାତରେ ଧରି ଫୋପାଡିଦେଲା ଏହିପରି ବାରମ୍ବାର ଫୋପାଡିବାପରେ ହଠାତ ସେ ଦେଖିଲା ସେ ସ୍ଥାନରୁ ରକ୍ତ ବାହାରୁଛି । ସେ ହଳ ନବୁଲାଇ ଘରକୁ ଫେରି ଗାଁର ସମସ୍ତଙ୍କ ଆଗେ ଘଟଣା ସଂପର୍କରେ କହିଲା । ଗାଁର ସମସ୍ତେ ସେହି ଜାଗା ମଧ୍ୟ ବୁଲି ଦେଖିଲେ କିନ୍ତୁ ସେପରି କିଛି ଦେଖିପାରିଲେ ନାହିଁ । ଠିକ୍ ସେହିଦିନ ରାତିରେ ଗାଁର ନାୟକଙ୍କୁ ସ୍ବପ୍ନାଦେଶ ହେଲା ଯେ ନିକଟବର୍ତ୍ତି ପାହାଡରେ ଦେବୀଙ୍କୁ ପ୍ରତିଷ୍ଠିତ କରି ପୂଜା କରିବା ପାଇଁ । ସେହିଦିନଠାରୁ ଦେବୀ କନ୍ତସରା ଗ୍ରାମରେ ଆବିର୍ଭାବ ହୋଇଥିବାରୁ କନ୍ତଦେବୀ ନାମରେ ପରିଚିତ ହେଲେ ଓ ଆଶ୍ବୀନ ମାସରେ ଦେବୀଙ୍କ ନିକଟରେ ଏକ ବିଶେଷ ପୂଜାର ଆୟୋଜନ ଭୂୟାଁମାନଙ୍କ ଦ୍ବାରା କରାଯାଇଥାଏ । ଏବେ ଲକ୍ଷ୍ମଣ ଦେହୁରୀ ନାମକ ଜଣେ ଯୁବକ ଦେହୁରୀଭାବେ ଦେବୀଙ୍କ ପୂଜାର୍ଚ୍ଚନା ଦାୟିତ୍ବରେ ଅଛନ୍ତି । କିନ୍ତୁ ବାଂଶପାଳର ଭୂୟାଁମାନେ କନ୍ତଦେବୀ କେନ୍ଦୁଝରର ଭୂୟାଁମାନଙ୍କ ଦେବୀ ଓ ସୁନ୍ଦରଗଡର ଭୂୟାଁମାନେ ଏଠାରୁ ଚୋରିକରି ନେଇଛନ୍ତି ବୋଲି ଦାବିକରନ୍ତି ।

ପୂର୍ବ ଲୋକ କଥାରେ କହୁଥିଲି କି ଯେ କେନ୍ଦୁଝରର ଭୂୟାଁମାନେ କହୁଥିଲେ ଯେ ବଣେଁଇର ଭୂୟାଁମାନେ କେନ୍ଦୁଝରରୁ ଦେବୀ କନ୍ତଙ୍କୁ ଚୋରିକରି ନେଇଛନ୍ତି ବୋଲି । ପାଳଲହଡାର ଇତି ଗାଁରେ ଏହି ପ୍ରସଙ୍ଗରେ ଜଣେ ବୟସ୍କ ଭୂୟାଁ ଲୋକ ବନ୍ଧୁଦେହୁରୀଙ୍କ ସହ କଥା ହେଉଥିଲି ସେ ଏହିପରି କହୁଥିଲେ। ତାଙ୍କ ମତଥିଲା ଯେ ବହୁବର୍ଷ ତଳେ (ପ୍ରାୟ ୩୦୦ ବର୍ଷତଳେ) ବଣେଁଇଗଡ ନିକଟସ୍ଥ କନ୍ତସରା ଗାଁର ଜଣେ ଭୂୟାଁ ଯୁବକ କେନ୍ଦୁଝରର ଏକ ବନ୍ଧୁ ଗାଁକୁ ଆସିଥିବା ବେଳେ ଧାଙ୍ଗଡା ଧାଙ୍ଗଡାଧାଙ୍ଗଡୀମାନଙ୍କ ଚାଙ୍ଗୁନାଚ ସମୟରେ ଜଣେ ଭୂୟାଁ ଯୁବତୀକୁ ଭଲପାଇ ବସେ । ଭୂୟାଁମାନଙ୍କ ବିବାହରେ ଧରିପଳା ବା ଝିଙ୍କା ବିବାହ ପ୍ରଥା ରହିଛି । ସେହି ପ୍ରଥା ଅନୁଯାଇ ଉକ୍ତ ଯୁବକଟି ସେ ଭଲପାଉଥିବା ଝିଅଟିକୁ ଧରି ପଳାଇ ଆସିଲା। ଅଧବାଟରେ ଅର୍ଥାତ ବାଂଶପାଳର ଉପରବରଡା ଗ୍ରାମସନ୍ନିକଟ ଜଙ୍ଗଲରେ ଝିଅକୁ ଛାଡି (ଅଧବାଟରେ) ତାର ବାପାମା, ପରିବାରବର୍ଗ ଓ ଜ୍ଞାତି କୁଟୁମ୍ବ ଜଣାଇ ସଙ୍ଗରେ ଆଣିବା ପାଇଁ ନିଜ ଘରକୁ ଗଲା। ଘରେ ସମସ୍ତଙ୍କୁ ଜଣାଇଁ ସେମାନଙ୍କୁ ସଙ୍ଗରେ ଧରି ସେହି ଜାଗାରେ (ଉପରବରଡାର ଜଙ୍ଗଲରେ) ପହଞ୍ଚିଲା । କିନ୍ତୁ ଝିଅଟି ସେ ଜାଗାରେ ନଥିଲା । ଯୁବକଟି ବ୍ୟସ୍ତହୋଇ ଯୁବତୀଟିର ନାମ ଧରି ଡାକି ଡାକି ଜଙ୍ଗଲରେ ଝିଅଟିକୁ ଖୋଜିବାରେ ଲାଗିଲା । ଏହି ସମୟରେ ଝିଅଟିର କୁନ୍ଥାଣ (ଭୂୟାଁମାନଙ୍କ ଭାଷାରେ କୁନ୍ତୁ କୁନ୍ତୁ ) ସେମାନଙ୍କୁ ଶୁଣାଗଲା । ଶବ୍ଦଟି ଯେଉଁ ଜାଗା ରୁ ଆସୁଥିଲା ସେଠାରେ ପହଞ୍ଚି ସେଠାରେ ସେମାନେ ଝିଅ ବଦଳରେ ମାଙ୍କୁ ଦର୍ଶନ କଲେ । ମାଙ୍କ ନିର୍ଦେଶ ଥିଲା ଏହିପରି ନିକଟରେ ପଡିଥିବା ସମାପରି ଲୁହାକୁ ନେଇ କନ୍ତସରା ଗ୍ରାମରେ ପୂଜା କରିବା ପାଇଁ । କୁନ୍ତୁ କୁନ୍ତୁ ରୁ ଦେବୀଙ୍କ ନାମ କନ୍ତ ରଖାଗଲା ବୋଲି ଲୋକେ କହନ୍ତି । ନିର୍ଦେଶ ମୁତାବକ ସେହି ସମାକୁ ଆଣି କନ୍ତସରାରେ ପୂଜା କରାଗଲା । ଲୌକିକ ମତରେ ଏବେ ମଧ୍ୟ କନ୍ତସରା ଗ୍ରାମର ଲୋକମାନେ କେନ୍ଦୁଝରର ସେହି ଗାଁକୁ ମୂଲ (କନ୍ୟାମୂଲ, ଯାହାକି ଭୂୟାଁମାନଙ୍କ ବିବାହ ସମୟରେ ବରଘର କନ୍ୟାଘରକୁ ଦେଇଥାଏ) ଦେଇଆସୁଛନ୍ତି ।

କନ୍ତଦେବୀଙ୍କ ପୂଜାବିଧି ସଂପର୍କରେ କହୁଛି ଶୁଣ । କନ୍ତଦେବୀଙ୍କ ପୂଜା ଦେବଗଡର ଶରଣକୂଳଠାରେ ମଧ୍ୟ ସେଠାକାର ଭୂୟାଁମାନେ ବର୍ଷକୁ ଥରେ ଆଶ୍ବୀନ ମାସରେ କରନ୍ତି । ତେବେ କନ୍ତସରାଠାରେ ଆଶ୍ବୀନମାସ ପୂର୍ଣମୀ ତିଥୀରେ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ଜଣେ ଅବିବାହିତ ଯୁବକକୁ ଲୁହାଶିକୁଳି ଓ କଣ୍ଟାଦ୍ବାରା ଦେବୀଙ୍କ ସମ୍ମୁଖରେ ବହୁ ଉଚ୍ଚରେ ଉକୁଚାଇ ଦିଆଯାଏ (ଟଙ୍ଗାଇବାକୁ ଭୂୟାଁମାନଙ୍କ ଭାଷାରେ ଉକୁଚାଇଦେବା କୁହାଯାଏ । ଉଦାହରଣ, ସେ ଦଉଡିଦେଇଦେଲାକୁ ଭୂୟାମାନେ ସେ ଉକୁଚାଇଦେଲା କୁହାଯାଇଥାଏ)। ସେହି ଯୁବକଟିକୁ ହାଣ୍ଡିଆ ପିଆଇ ନିଶାସକ୍ତ କରାଇଦିଆଯାଇଥାଏ । ସେଠାରେ ପୂଜା କାର୍ଯ୍ୟ ସମାପନ ହେବାପରେ ଓ ଉପସ୍ଥିତ ସମସ୍ଥ ଭକ୍ତମାନେ ଟୀକା ଲଗାଇଲାପରେ ଉକୁଚାଇ ଦିଆଯାଇଥିବା ଯୁବକଟିକୁ ତଳକୁ ଅଣାଯାଏ । ପୂର୍ବେ ଦେବୀଙ୍କ ନିକଟରେ ବଳି ଦିଆଯାଉଥିଲା । ଏବେ ବୋଦାବଳି ଦିଆଯାଉଛି । ପୂର୍ବେ ଏକ ନିର୍ଦ୍ଦିଷ୍ଟ ପରିବାରର ଜଣେ ଅବିବାହିତ ଯୁବକକୁ ଏହି କାର୍ଯ୍ୟ କରିବାକୁ ପଡୁଥିଲା ଏବେ ପାଳିକରି କରାଯାଉଅଛି । ମାଙ୍କ ପୂଜାରେ କୌଣସି ତ୍ରୁଟି ଘଟିଲେ ସଂପ୍ରୁକ୍ତ ଯୁବକଟି ବର୍ଷେ ମଧ୍ୟରେ ମୃତ୍ୟୁ ବରଣ କରିଥାଏ ବୋଲି ଭୂୟାଁମାନେ ବିଶ୍ବାସ କରନ୍ତି । ତେଣୁ ପୂଜାକାର୍ଯ୍ୟ ବହୁ ସତର୍କତାର ସହ କରାଯାଇଥାଏ । ପୂଜାରେ ମଧ୍ୟ ମାନସିକ ରଖିଥିବା ଭକ୍ତମାନେ ମାଙ୍କ ନିକଟରେ ଅରୁଆ ଚାଉଳ, ଗୁଡ, ଫଳମୂଳ ଭୋଗ କରିଥାନ୍ତି । ପୂଜାପରେ ସାମୁହିକ ଭୋଜନ କରି ହାଣ୍ଡିଆ ପିଇ ସାରାରାତି ଚାଙ୍ଗୁନାଚ କରିଥାନ୍ତି (ଏହି ନାଚରେ ଧାଙ୍ଗଡା ଧାଙ୍ଗଡାଧାଙ୍ଗଡୀମାନେ ଭାଗ ନେଇଥାନ୍ତି) । ଏହା ପରେ ମାମୁଁ କହିଲେ ପିଲାମାନେ ରାତି ବେଶୀ ହେଲାଣି। ଆଜି ଆମ କଥାକୁ ଏହିଠାରେ ରଖିବା। କାଲି ତୁମମାନଙ୍କୁ ମୁଁ ଆମ ଭୂୟାଁ ଗାଁ ମାନଙ୍କ ବିଷୟରେ କହିବି। ଏହାପରେ କାମିନୀ ଆଈ ଓ ଝିଅମାନେ ଘର ଭିତରକୁ ଶୋଇବାକୁ ଗଲେ ଓ ବିଷ୍ଣୁ ମାମୁଁ ଆଉ ଅର୍ଜୁନ ମାମୁଁ ଚମ୍ପା ଘରକୁ ବାହାରି ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.