• About
  • Contact
Thursday, January 15, 2026
Thursday, January 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅନୁବାଦ ପୁସ୍ତକର ସମ୍ପାଦନା

ଅନୁବାଦ ପୁସ୍ତକର ସମ୍ପାଦନା
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଅପ୍ରେଲ ୨୦୨୪

ଅନୁବାଦ କହିଲେ ଅନେକେ ଗୋଟିଏ ଭାଷାର ପାଠର ଅନ୍ୟ ଭାଷାକୁ ଭାଷାନ୍ତର ବୋଲି ବୁଝନ୍ତି । ଅନେକେ ସିଧାସଳଖ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରିବାବେଳେ ମୂଳ ଭାଷାଜ୍ଞାନ ନରଖି ତୃତୀୟ ଭାଷା ମାଧ୍ୟମ ବ୍ୟବହାର କରନ୍ତି । ନିକଟରେ ଅନ୍ୟ ଭାଷାରୁ ଓଡ଼ିଆରେ ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଥିବା ଦୁଇଜଣ ତାହାର ଉଦାହରଣ । ଅନୁବାଦର ସଂଜ୍ଞା ଓ ପରିସର ବିଷୟରେ ଅଜ୍ଞତା ଏହାର କାରଣ ।

ମୂଳ ଲେଖାର ଅବିକଳ ରୂପ ଅନ୍ୟ ଭାଷାରେ ଆଣିବା ସହଜ କଥା ନୁହେଁ । ଫିଟବେରାଲ୍ଡ, ମାକ୍ସମୁଲାର ଆଦି ପଣ୍ଡିତ ମାନେ ସେଥିପାଇଁ ମୂଳ ଭାଷା ଶିଖିଥିଲେ । ଡ. ସୁମତୀନ୍ଦ୍ର ଶକ୍ତି ଚଟ୍ଟୋପଧ୍ୟାୟଙ୍କ ରଚନା ବଙ୍ଗଳାରୁ କନ୍ନଡ଼ରେ ଅନୁବାଦ କରିବାପାଇଁ ବଙ୍ଗଳା ଭାଷା ଶିଖିଲେ । ଭାଷା ଶିଖିବା ସହ ବହୁ ଅନୁବାଦକ ସେହି ଭାଷାର ସାମାଜିକ ସାଂସ୍କୃତିକ ପୃଷ୍ଠଭୂମି ଜାଣିବା ପାଇଁ ସେହି ଭାଷାଭାଷୀ ଅଞ୍ଚଳରେ ମାସାଧିକ ରହି ସେହି ଲୋକ ମାନଙ୍କ ଜୀବନଧାରା, ପରମ୍ପରା ଜାଣିବା ଥିଲା ଏକ ଆବଶ୍ୟକତା । ଏ ପରମ୍ପରା ଏବେ ନାହିଁ ।

ଅନୁବାଦ କରିବାଠାରୁ ଆହୁରି କଷ୍ଟ ହେଉଛି ଅନୁବାଦ ସଂଶୋଧନ ବା ସମ୍ପାଦନା କରିବା । ରବୀନ୍ଦ୍ରନାଥ ଠାକୁର ଏଥିପାଇଁ ଅନୁବାଦକୁ ଅନ୍ତର ଭାଷ୍ୟ ବୋଲି କହିଛନ୍ତି । ଅନ୍ତର ଭାଷ୍ୟ ବୁଝି ନପାରିଲେ  ସମ୍ପାଦନା ନିରସ, ବେକାର । ଅନୁବାଦର ସମ୍ପାଦକ ଉଭୟ ଭାଷା ଓ ସେହି ଭାଷାଭାଷୀ ଅଞ୍ଚଳର ସାମାଜିକ ସାଂସ୍କୃତିକ ପୃଷ୍ଠଭୂମି ଜାଣିବା ଜରୁରୀ ।

ପ୍ରଥମ ଅନୁବାଦ ଯଦି ଉଚ୍ଚକୋଟୀର ହୋଇଥାଏ ତେବେ ତୃତୀୟ ଭାଷାରେ ତାହାର ରୂପାନ୍ତର ସୁପାଠ୍ୟ ହୁଏ । ସମ୍ପାଦକଙ୍କ ସୃର୍ଜନଶୀଳତା ତାହାକୁ ଆହୁରି କମନୀୟ କରେ । ଫିଜରାଲ୍‌ଡ କେବଳ ଜଣେ ଭଲ ଅନୁବାଦକ ନ ଥିଲେ, ଥିଲେ ଜଣେ ଭଲ କବି । ‘ଓମାରରୁ ବ।ୟତ’ର ସୄର୍ଜନଶୀଳ ଇଂରାଜୀ ଅନୁବାଦରୁ ତାହାର ଓଡ଼ିଆ ଅନୁବାଦ କରିଥିଲେ ଗୋପାଳ କାନୁନ୍‌ଗୋ । ଜ୍ଞାନୀନ୍ଦ୍ର ବର୍ମାଙ୍କ ସୁଦକ୍ଷ ସୃଜନଶୀଳ ସମ୍ପାଦନା ଏହି ଅନୁବାଦକୁ କରିଥିଲା ଆହୁରି ସୁନ୍ଦର ଓ ସୁପାଠ୍ୟ । ଜ୍ଞାନୀନ୍ଦ୍ର ବର୍ମା ତାଙ୍କ ସମୟର ଜଣେ ଜଣାଶୁଣା କବି ଓ ସୁଦକ୍ଷ ଅନୁବାଦକ ତଥା କୁଶଳୀ ସମ୍ପାଦକ ଥିଲେ ।

ସର୍ଜନଶୀଳ ଅନୁବାଦ

ଭାଷା ନ ଜାଣି ମଧ୍ୟ ସର୍ଜନଶୀଳ ଅନୁବାଦର କେତୋଟି ଉତ୍କୃଷ୍ଟ ଉଦାହରଣ ଅଛି । ଏସ୍‌.ଏଲ୍‌. ଭୈରାପପାଙ୍କ ‘ଗୃହଭଙ୍ଗ’ ଉପନ୍ୟାସର ଉମାକାନ୍ତ ମିଶ୍ର କୃତ ଓଡ଼ିଆ ଅନୁବାଦ ଏହାର ଏକ ବିରଳ ଉଦାହରଣ । ଅନୁଶୀଳନାତ୍ମକ  ଅନେକ ଉଦାହରଣ ଅଛି । ଲେଖକୀୟ କଳା ଯଦି ଅନୁବାଦକର ଥାଏ, ସୁନ୍ଦର ଲାଗିବ ତ ନିଶ୍ଚୟ ହେଲେ ଅନୁବାଦକ ନିଜେ ଲେଖକ ହୋଇଥିଲେ, ତାଙ୍କ ରଚନା ଶୈଳୀରେ ଅନୁଦିତ କୃତିଟି ପ୍ରଭାବିତ ହେବା ସ୍ୱାଭାବିକ । ଏ କ୍ଷେତ୍ରରେ ପାଠ ସମ୍ପାଦକ ମୂଳ କୃତିଟି ମୂଳ ଭାଷାରେ ପଢ଼ି ନ ଥିଲେ ବା ସମ୍ପୃକ୍ତ ଭାଷାଭାଷୀ ଅଞ୍ଚଳର ସାମାଜିକ – ସାଂସ୍କୃତିକ ଜୀବନ ଜାଣି ନ ଥିଲେ, ପାଠକଟି ନିକୃଷ୍ଟ କୃତିଟିଏ  ବାଧ୍ୟବାଧକତାରେ ପଢ଼ିବ ସିନା  ରସ ଆସ୍ୱାଦନ କରିପାରିବ ନାହିଁ । ମାଲାୟଲମ୍ ଓ କନ୍ନଡ଼ ଭାଷାରୁ ଓଡ଼ିଆରେ ଅନୁଦିତ ଅନେକ କୃତି ଏହି ଦୋଷରେ ଆକ୍ରାନ୍ତ ।

ଅନୁବାଦର ସମ୍ପାଦକ ହେବା ଯେମିତି କଷ୍ଟ, ତା’କୁ ସାମାଜିକ ସାଂସ୍କୃତିକ ପଟ୍ଟଭୂମିକୁ ସମ୍ଭ୍ରାନ୍ତ ଦେଇ ଉତ୍କୃଷ୍ଟ ଅନୁବାଦଟିଏ ପ୍ରସ୍ତୁତ କରିବା ବି ସେତିକି କଷ୍ଟ । ଅତୀତରେ ଲେଖକ, ସମ୍ପାଦକ, ଅନୁବାଦକ ଓ ସର୍ବଶ୍ରେଷ୍ଠ ସାହିତ୍ୟ ତପସ୍ୱୀ ମନୋଜ ଦାସ ସେଇଥିପାଇଁ ଏ.କେ. ରାମାନୁଜନଙ୍କ ସଂକଳିତ ‘ଫୋକ୍‌ଟେଲସ୍ ଫ୍ରମ ଇଣ୍ଡିଆ’ର ଓଡ଼ିଆ ଅନୁବାଦ କରିବାକୁ ମନା କରିଦେଇଥିଲେ; କାରଣ ତହିଁରେ ଥିବା କେତେକ କାହାଣୀରେ ମା-ପୁଅ, ଭାଇ, ଭଉଣୀଙ୍କ ଯୌନ ସମ୍ପର୍କ ବର୍ଣ୍ଣିତ ହୋଇଥିଲା, ଯାହାକି ଭାରତୀୟ ସଂସ୍କୃତିର ପରିପନ୍ଥୀ । କବିବର ରାଧାନାଥଙ୍କ ‘ନନ୍ଦିକେଶ୍ୱରୀ’ କାବ୍ୟ ମଧ୍ୟ ଏହି କାରଣରୁ ସମାଲୋଚିତ ହୋଇଥିଲା ।

ଏହି ସାମାଜିକ ସାଂସ୍କୃତିକ ପଟ୍ଟଭୂମିଟି କ’ଣ? ପ୍ରତି ଜାତି, ଧର୍ମ, ଦେଶର ଏକ ପ୍ରଚଳିତ ବିଶ୍ୱାସ ଥାଏ, ପରମ୍ପରାର ଏହି ବିଶ୍ୱାସ ହେଉଛି ମୂଳଭିତ୍ତି । ସାହିତ୍ୟିକ ଉତ୍କୃଷ୍ଟ ନାଁରେ ପୌରାଣିକ ଚରିତ୍ରମାନଙ୍କ କବିତା, ଗଳ୍ପ, ଆଦିମାନଙ୍କରେ କଦର୍ଥ କରିବାର ପରିଣାମ ସବୁବେଳେ ହୋଇଆସିଛି ଦୟନୀୟ । ଯଦି ଅନୁବାଦ ମାଧ୍ୟମରେ ତାହା ରୂପାନ୍ତରିତ ହୁଏ, ତେବେ ଲକ୍ଷ୍ୟ ଭାଷାରେ ତାହା ଗୃହୀତ ନ ହୋଇପାରିଲେ ପାଠକ ହୁଏ ଅସନ୍ତୁଷ୍ଟ । କୁଶଳୀ ସମ୍ପାଦକମାନେ ଏଥିାଇଁ ଅନେକ ପାଠ ବିଷୟ ସଂଶୋଧନ କରିବାକୁ ବାଧ୍ୟ ହୁଅନ୍ତି । ତେବେ, ସମ୍ପାଦନ ନାଁରେ ତଥ୍ୟକୁ ଲୁଚେଇବାର ଅପଚେଷ୍ଟା ପରବର୍ତ୍ତୀ ସମୟର ପାଠକ ଗ୍ରହଣ କରିପାରେନାହିଁ । ଫକୀର ମୋହନ ସେନାପତିଙ୍କ ପୁତ୍ର ମୋହିନୀ ମୋହନ ସେନାପତି କରିଥିବା ‘ଆତ୍ମଜୀବନ ଚରିତ’ ଏହାର ଏକ ଉତ୍କୃଷ୍ଟ ଉଦାହରଣ ।

ରାଜନୈତିକ ଘଟକ

ଅନେକ କ୍ଷେତ୍ରରେ ରାଜନୈତିକ ପରିସ୍ଥିତି ସାହିତ୍ୟକୁ ପ୍ରଭାବିତ କରେ । ପରିସ୍ଥିତି ବଦଳିଯାଏ । ସେ ସମୟର ସାହିତ୍ୟ ହୁଏ ଅବାଞ୍ଛିତ । ଅନୁବାଦ ମାଧ୍ୟମରେ ଅନ୍ୟ ଏକ ଭୂଖଣ୍ଡର ପାଠକ, ଅନ୍ୟ ଏକ ଭାଷାରେ ସେ ସମୟର କଥା ଜାଣିପାରେ । ଏ କ୍ଷେତ୍ରରେ ସମ୍ପାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦୁଇଟି କାଳ ଖଣ୍ଡ ଓ ଭୂଖଣ୍ଡ ମଧ୍ୟରେ ଅନୁବାଦଟି କିଭଳି ସମ୍ପର୍କ ରକ୍ଷା ସୂଚାରୁରୂପେ କରିପାରିବ, ତାହା ହିଁ ଏ କ୍ଷେତ୍ରରେ ସମ୍ପୃକ୍ତ ସମ୍ପାଦକଙ୍କ ମୁଖ୍ୟ କାମ । ନାଥୁରାମ ଗଡ୍‌ସେଙ୍କ ‘ମୈନେ ଗାନ୍ଧୀ କୋ ହତ୍ୟା କ୍ୟୁଁ କିୟା’ ଭାରତର ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ନାଥୁରାମ ଗଡ୍‌ସେଙ୍କ ଯୁକ୍ତି ଯେତେ ଅକାଟ୍ୟ ହୋଇଥାଉ ପଛକେ, ସମ୍ପାଦକ ହତ୍ୟାକୁ ସମର୍ଥନ କରିବା ଅସମ୍ଭବ । ଫଳତଃ ଗାନ୍ଧୀ ବିରୋଧୀ ମନ୍ତବ୍ୟମାନ ସମ୍ପାଦିତ ହୋଇଛି ।

ଠିକ ସେହି କାରଣରୁ ପ୍ରଚଣ୍ଡ ବିପ୍ଲବାତ୍ମକ ବା ସମକାଳୀନ ଭ୍ରଷ୍ଟାଚାର ବିରୋଧୀ ଗୀତିକବିତାମାନର ଅନ୍ୟ ଭାଷାରେ ବିଶେଷ ଅନୁବାଦ ହୋଇପାରିନାହିଁ । ରବି ସିଂହ, ରାଧାମୋହନ ଗଡ଼ନାୟକ, ମାୟାଧର ମାନସିଂହ, କୁମାର ମହାନ୍ତି ପ୍ରମୁଖଙ୍କ କବିତାମାନ ତାହାର ଉଦାହରଣ । ଅନ୍ୟ ଭାଷା ଭୂଖଣ୍ଡରେ ସେ ପ୍ରକାର କବିତାମାନଙ୍କ ପାଠକ ତ ଅଛନ୍ତି, ମାତ୍ର ଓଡ଼ିଆ ଜାଣିଥିବା ସମ୍ପାଦକ ଯଥେଷ୍ଟ କମ୍ ଅଛନ୍ତି, ଅନୁବାଦକ ବି ସେଇ ଛନ୍ଦକୁ ଅନୁବାଦରେ ଫୁଟାଇ ପାରିବା କଷ୍ଟ । ମାତ୍ର, ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ବାଜି ରାଉତ’ ଏଥିରୁ ବଞ୍ଚିଯାଇଛି । ତେବେ ଇଂରାଜୀକୁ ଅନୁବାଦଠାରୁ ଭାରତୀୟ ଭାଷାମାନଙ୍କୁ ଅନୁସରଣ ଯେ କି କଠିନ, ଏହା ତର୍କସାପେକ୍ଷ ।

ଅଭିଧାନ ବହିର୍ଭୁତ ଭାଷା

ବେଳେବେଳେ ଲେଖକମାନେ ନିଜ ରଚନାର ଚାହିଦା ବଢ଼େଇବା ପାଇଁ ଅଭିଧାନ ବହିର୍ଭୂତ ଭାଷା, ବିଶେଷତଃ ତାଙ୍କ ନିଜ ସାହିତ୍ୟକୃତିରେ ବ୍ୟବହାର କରିଥାନ୍ତି । ମରାଠି ଲେଖକ ଭାୟଚନ୍ଦ୍ର ନେମାଡ଼େଙ୍କ ‘କୋସଲା’ ଉପନ୍ୟାସରେ ଏହା ଦେଖିବାକୁ ମିଳେ । ତାହାର ଭାରତୀୟ ଭାଷାମାନଙ୍କରେ ଅନୁବାଦ ହୋଇଛି, ସମ୍ପାଦକମାନେ ତାଙ୍କ ଭାଷାରେ ସେହି ଗାଳିଗୁଡିକ ଗ୍ରହଣୀୟ ନ ଥିବାରୁ ବାଦ୍ ଦେଇଛନ୍ତି । ସାହିତ୍ୟିକ କୃତିର ସବୁକିଛି ଅନୁବାଦରେ ଗ୍ରହଣୀୟ ନୁହେଁ, ସମ୍ପାଦକମାନେ ଏହା ଦ୍ୱାରା ପ୍ରମାଣିତ କରିଛନ୍ତି ।

ସାହିତ୍ୟ ରଚନା ନାମରେ ଜାତିଗତ ବିଭେଦକୁ ପ୍ରଶ୍ରୟ ଦିଆଯାଇପାରିବ ନାହିଁ । ଅନୁବାଦର ସମ୍ପାଦନା କାଳରେ ପାଠ ସମ୍ପାଦକଙ୍କୁ ଏହା ଦେଖିବାକୁ ପଡ଼େ । ବ୍ୟକ୍ତିଗତ ଆକ୍ଷେପ ଓ ରାଜନୈତିକ ଆକ୍ରମଣରୁ ସାହିତ୍ୟକୁ ବଞ୍ଚାଇବା ଭାଷା ଅନୁବାଦ ସମ୍ପାଦକଙ୍କ ଅନ୍ୟ ଏକ ବଡ଼ କାମ । ଏ କାମ ପାଇଁ ଅତୀତରେ ବହୁ ସମ୍ପାଦକ ରୋଷର ଶିକାର ହୋଇଛନ୍ତି ।

ସାହିତ୍ୟର ଅନୁବାଦ ପରି ଚିତ୍ରର ଭାଷାନୁରୂପ ସାମାଜିକ ସାଂସ୍କୃତିକ ରୂପାନ୍ତର ଦରକାର । ଏ କ୍ଷେତ୍ରରେ ସମ୍ପାଦକମାନଙ୍କର ଚିତ୍ରକଳା ଉପରେ ଧାରଣା ଥିବା ଆବଶ୍ୟକ । ସର୍ଜନଶୀଳତାର ସ୍ୱାଧୀନତା ନାମରେ ବିଭତ୍ସତା ବା ବିଭେଦକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ । ସମ୍ପାଦକ ଏହାର ଏକମାତ୍ର ଜଗୁଆଳି । ସାହିତ୍ୟିକ, ସାମାଜିକ, ସାସ୍କୃତିକ, ରାଜନୈତିକ ଅବୁଝାମଣାର ଅନେକ ମାଧ୍ୟମ ଅଛି- ଅନୁବାଦ ତାହାର ମାଧ୍ୟମ ନ ହେଉ, ଏହା ସୁନିଶ୍ଚିତ କରିବାର ଦାୟିତ୍ୱ ସମ୍ପାଦକମାନଙ୍କର । ମୁଲକରାଜ ଆନନ୍ଦ ଏଥିାଇଁ ଏକ ସମ୍ପାଦକ-ବ୍ରିଗେଡ୍ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ।

ପାଠ୍ୟପୁସ୍ତକର ଅନୁବାଦ

ଏବେ ପାଠ୍ୟପୁସ୍ତକ ଅନୁବାଦ କଥା ଆଲୋଚନା କରିବା । ଏନ୍‌.ସି.ଇ.ଆର.ଟି.ର ମୁଖ୍ୟ ସମ୍ପାଦକ ଦୀପେନ୍ ଦାସ ଥିଲେ ନିଜ କାଳର ଜଣେ ଅଗ୍ରଣୀ ଅନୁବାଦ ସମ୍ପାଦକ । ସେ କିଛି ସମୟ ଅକ୍ସଫୋର୍ଡ ୟୁନିଭରର୍ସିଟି ପ୍ରେସ୍‌ର ମଧ୍ୟ ସମ୍ପାଦକ ଥିଲେ । ସେ ସମୟରେ ରମେଶ ବକ୍‌ସି ଥିଲେ ନ୍ୟାସନାଲ ବୁକ୍ ଟ୍ରଷ୍ଟର ସମ୍ପାଦକ । ଏମାନଙ୍କ ମତରେ, ଅନୁବାଦ ସମ୍ପାଦନା କ୍ଷେତ୍ରରେ ବିଶେଷ୍ୟ ଓ ସର୍ବନାମମାନେ ସମସ୍ୟା ସୃଷ୍ଟି କରନ୍ତି । ଭାରତୀୟ ଭାଷାମାନଙ୍କରେ ବିଭିନ୍ନ ଶବ୍ଦର ଅନୁବାଦ ଭିନ୍ନ ଭିନ୍ନ । ‘ଏରୁଣ୍ଡି ବନ୍ଧ’କୁ ‘ଏରୁଣ୍ଡି ନାମ୍‌କା ବାଂଧ’ କୁହାଯିବା ସମ୍ଭବ ନୁହେଁ, ଯଦିଓ ଜଣେ ଅନୁବାଦକ ଏ ପ୍ରକାର ଭ୍ରାନ୍ତ ଅନୁବାଦ କରିଛନ୍ତି । ଅନେକ ଭାଷାରେ ପୁ ଲିଙ୍ଗ, ସ୍ତ୍ରୀ ଲିଙ୍ଗ ଓ କ୍ଳୀବ ଲିଙ୍ଗର ପ୍ରୟୋଗ ଅନୁବାଦକ ପାଇଁ ବ୍ୟାକରଣଗତ ସମସ୍ୟା ସୃଷ୍ଟି କରେ । ପୁଣି, ବୈଦେଶିକ ଶବ୍ଦମାନଙ୍କ କ୍ଷେତ୍ରରେ ମଧ୍ୟ ଭୟଙ୍କର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ । ସମ୍ପାଦକମାନେ ଏ କ୍ଷେତ୍ରରେ ଭାଷାଗତ ସମାନତା ଉପରେ ଜୋର୍ ଦେବା ଦରକାର ।

ପ୍ରଶ୍ନ ଉଠୁଛି, ସାମାଜିକ-ସାଂସ୍କୃତିକ ପୃଷ୍ଠଭୂମିର ରକ୍ଷା ଅନୁବାଦ କ୍ଷେତ୍ରରେ ଜରୁରୀ କି? ବହୁ ସମ୍ପାଦକ ଏ ନେଇ ଭିନ୍ନ ଭିନ୍ନ ମତ ଦେଇଆସିଛନ୍ତି । ସାହିତ୍ୟ ଏକାଡେମୀର ଏକଦା ସମ୍ପାଦକ ଓ କବି ତଥା ଅନୁବାଦକ କେ. ସଚ୍ଚିଦାନନ୍ଦନ ରସର ମୌଳିକତାକୁ ସାମାଜିକ ସାଂସ୍କୃତିକ ପୃଷ୍ଠଭୂମିଠାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଓଡ଼ିଶାର ବିଶିଷ୍ଟ କବି ଓ ସମ୍ପାଦକ ସଚ୍ଚିଦାନନ୍ଦ ରାଉତରାୟ ଲେଖକର ସ୍ୱାଧୀନତାଠାରୁ ସାମାଜିକ, ସାଂସ୍କୃତିକ ପୃଷ୍ଠଭୂମି ସମ୍ପାଦକ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଛନ୍ତି ।

ଅନେକଙ୍କର ଧାରଣା ଯେ ପୁରସ୍କୃତ କୃତିଗୁଡ଼ିକ ଅତ୍ୟନ୍ତ ଉଚ୍ଚକୋଟୀର, ସେଇଥିପାଇଁ ସାହିତ୍ୟିକ କୃତିଟିର ପୁରସ୍କାର ପାଇବା ମାତ୍ରେ ତାହାର ଅନୁବାଦ ହୋଇଯାଏ । ବାସ୍ତବରେ ଅନେକ ପୁରସ୍କାର ଯୋଗାଡ଼ ଯତ୍ନ ଫଳରେ ଭାରତର ମିଳେ । ପ୍ରକୃତ କୃତିଟି ନିକୃଷ୍ଟତର ହୋଇଥିଲେ ଅନୁବାଦଟି ନିକୃଷ୍ଟତର ହେବା ନିଶ୍ଚିତ । ଏ କ୍ଷେତ୍ରରେ ସମ୍ପାଦକଙ୍କୁ ଅନେକ ପରିଶ୍ରମ କରିବାକୁ ହୁଏ ।

ହେଲେ ପୃଥିବୀର ବିଭିନ୍ନ ଦେଶରେ ସାହିତ୍ୟ ପଠନର ଧାରା ଅଲଗା ଅଲଗା । ଡେନ୍‌ମାର୍କରେ ଅନେକ ପାଠାଗାର ଅଛି, ଯେଉଁଠି ବହିଟିଏ ବଦଳରେ ବହିର ଚରିତ୍ର ଭଳି ଜଣକୁ ଅଧଘଣ୍ଟା ଶୁଣିହୁଏ । ସେ ଲାଗି ସମୟ ଓ ଅର୍ଥ ବ୍ୟୟ କରିବା ପାଇଁ ପାଠକମାନେ ପ୍ରସ୍ତୁତ । ଆମ ଦେଶରେ ପୁସ୍ତକର ଚରିତ୍ର ଛାଡ଼, ପୁସ୍ତକ ପାଠକ ମିଳିବା ଭାଗ୍ୟର କଥା । ସେ କ୍ଷେତ୍ରରେ ଭଲ ପୁସ୍ତକର ଭଲ ଅନୁବାଦ ଭଲ ସମ୍ପାଦକଙ୍କ ଦ୍ୱାରା ସମ୍ପାଦିତ ହେବା ବେଳେ ବେଳେ ଦିବାସ୍ୱପ୍ନ ପରି ଲାଗେ ।

ସାହିତ୍ୟକୁ ଏବେ ଗ୍ରାସ କଲାଣି ଅପସଂସ୍କୃତି । ସେହି ଅପସଂସ୍କୃତିଗ୍ରସ୍ତ ସାହିତ୍ୟିକ କୃତିମାନଙ୍କ ଅନୁବାଦ ସମ୍ପାଦନା ଏକ ଜଟିଳ କାର୍ଯ୍ୟ । ବିଜ୍ଞାନ ପ୍ରାଦ୍ୟୋଗିକୀର ଏହି ଯୁଗରେ ଅନୁବାଦ ଏବଂ ତାହାର ସମ୍ପାଦନା ଧୀରେ ଧୀରେ ଏକ ଯାନ୍ତ୍ରିକ ପ୍ରକ୍ରିୟାର ରୂପ ନେଲାଣି । ଏ କ୍ଷେତ୍ରରେ ଅନୁବାଦ ଆଉ ସାମାଜିକ ସାଂସ୍କୃତିକ ପଟ୍ଟଭୂମି ଆଧାରିତ ହେବା ସମ୍ଭବ ହୋଇପାରୁନାହିଁ । ସମ୍ପାଦନାର କୁଶଳତା ହିଁ ଏ ସୁଯୋଗ୍ୟ ସାହିତ୍ୟକୁ ବଂଚେଇ ପାରିବ ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଅପରାହ୍ନ
Literature

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

by Manas Ranjan Mahapatra
January 14, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଜାନୁୟାରୀ ୨୦୨୬ ସମକାଳୀନ ଓଡ଼ିଆ ସାହିତ୍ଯକୁ ଦୁଇ ଜଣ ଲେଖକ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ପାରିଛନ୍ତି। ଜଣେ କଥାଶିଳ୍ପୀ ମନୋଜ...

Read more
ଅପରାହ୍ନ

ଅପରାହ୍ନ

January 14, 2026
ଗଣତନ୍ତ୍ର ଶାସନ ଚାଲିଛି

ଗଣତନ୍ତ୍ର ଶାସନ ଚାଲିଛି

January 13, 2026
ବିଶ୍ବଗୁରୁ ବିବେକାନନ୍ଦ!

ବିଶ୍ବଗୁରୁ ବିବେକାନନ୍ଦ!

January 12, 2026
A Poem

A Poem

January 11, 2026
ମୁହିଁ ତୁମ ପାଶେ ସମର୍ପିତ

ମୁହିଁ ତୁମ ପାଶେ ସମର୍ପିତ

January 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.