• About
  • Contact
Monday, December 15, 2025
Monday, December 15, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Article

ବିଧି ବ୍ୟବସ୍ଥାପକଙ୍କ ବେତନ ବୃଦ୍ଧି

ବିଧି ବ୍ୟବସ୍ଥାପକଙ୍କ ବେତନ ବୃଦ୍ଧି
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୦ ଡିସେମ୍ବର ୨୦୨୫

ସମୟର ଚକ୍ର ଘୂର୍ଣ୍ଣ।ୟମାନ । କେବେ କାହା ଭାଗ୍ୟରେ ଘମାଘୋଟ କଳା ବାଦଲ ଛାଇ ଯାଏ ତ, କେବେ କାହାର ଚୂଲି ଜାଳିବାକୁ ମଧ୍ୟ ସଂଘର୍ଷ କରିବାକୁ ପଡ଼େ। ପୁଣି କେବେ କାହାର ଭାଗ୍ୟରେ ବି, ଧନ ସମ୍ପଦ ଅବା ଐଶ୍ୱର୍ଯ୍ୟର ବର୍ଷା ହୁଏ। ଓଡ଼ିଶା ବିଧାନସଭାରେ ଆଗତ ହୋଇ ସଦ୍ୟ ପାରିତ ହୋଇଥିବା “ବେତନ ଓ ଭତ୍ତା ବୃଦ୍ଧି ବିଲ୍”ଏହି ସତ୍ୟକୁ ହିଁ ସ୍ପଷ୍ଟ କରିଛି। ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି ଓ ପୂର୍ବତନ ବିଧାୟକ ଆଦି ବିଧି ବ୍ୟବସ୍ଥାପକଙ୍କ ପେନ୍ ସନ୍ / ବେତନ ବୃଦ୍ଧିର ଘୋଷଣା ସରିଛି। ସଂସଦୀୟ ପରମ୍ପରାର ଅଂଶ ଭାବେ ଏହିପରି ବିଲ୍ ପାସ୍ ହେବା ଏକ ରାଜନୈତିକ ପ୍ରକ୍ରିୟା ନିଶ୍ଚିତ, କିନ୍ତୁ ଏହାଦ୍ବାରା ସାଧାରଣ ଜନତାଙ୍କ ମନରେ ଗୁଞ୍ଜରୀ ଉଠୁଥିବା ପ୍ରଶ୍ନଗୁଡ଼ିକୁ କଦାପି ଅବଦମିତ କରିବା ସମ୍ଭବ ନୁହେଁ ।

ଏକ ମୁଖ୍ୟ ସାମ୍ବିଧାନିକ ପ୍ରଶ୍ନ ଆଜି ସମାଜରେ ଚିନ୍ତାର କାରଣ ସାଜି ସଭିଙ୍କ ମନରେ ନିଆଁ ପରି ହୁତୁ ହୁତୁ ହୋଇ ଜଳୁଛି । ସମାଜ ପାଇଁ, ସରକାରଙ୍କ ପାଇଁ ଅହରହ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ, ଯୋଜନା କର୍ମୀ, ସର୍ବନିମ୍ନ ସ୍ତରୀୟ କର୍ମଚାରୀ, ସଫେଇ କର୍ମଚାରୀ, ଶ୍ରମିକ / ଠିକା କର୍ମଚାରୀ, ଏପରିକି ଠିକା ସଂସ୍ଥା ଜରିଆରେ ଅନେକ ସରକାରୀ କାର୍ଯ୍ୟ କରୁଥିବା ଡ଼ାକ୍ତର, ଇଞ୍ଜିନିୟର ତଥା ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ମାନଙ୍କ ବେତନ ବୃଦ୍ଧିର ଆବଶ୍ୟକତା ନାହିଁ କି ? ସେମାନେ କୌଣସି ଶ୍ରେଣୀଭୁକ୍ତ କର୍ମଚାରୀ / ଅଧିକାରୀ ନୁହନ୍ତି କି ?

ବିଧାୟକ ମାନଙ୍କ ଦରମା ବୃଦ୍ଧି ହେବାରେ କେତେକ ନିର୍ଦ୍ଦିଷ୍ଟ ଯୁକ୍ତି ରହିଥିବା କୁହାଯାଉଛି, ଯଥା: ସେମାନଙ୍କ ଉପରେ ରହୁଥିବା ଦାୟିତ୍ଵଭାର, ନିର୍ବାଚନୀ ଖର୍ଚ୍ଚ, ନିଜ ଅଞ୍ଚଳ / ଜିଲ୍ଲା ଭ୍ରମଣ, ଅନ୍ୟାନ୍ୟ ଜନସେବାର ଦାୟିତ୍ୱ, ଇତ୍ୟାଦି । ଏସବୁ ପ୍ରସଙ୍ଗମାନ ସଠିକ୍ ବୋଲି ଗ୍ରହଣ କରାଯାଉଥିଲେ ମଧ୍ୟ ଆମ ସମାଜର ଅନ୍ୟ କ୍ଷେତ୍ରରେ ପ୍ରତ୍ୟହ ୮ ରୁ ୧୦ ଘଣ୍ଟା ଶ୍ରମଦାନ କରୁଥିବା ୪ର୍ଥ ଶ୍ରେଣୀ କର୍ମଚାରୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, କ୍ଷେତ୍ର – କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ କିମ୍ବା ନିର୍ବାଚିତ ସରପଞ୍ଚ ମାନଙ୍କ ଜୀବନର ସ୍ଥିତି ଉପରେ ଅନୁଧ୍ୟାନ କରିବାପାଇଁ କେବେ ସମୟ ମିଳେ ? ଯଥଯୋଗ୍ୟ ବେତନ ପାଇଁ ସେମାନେ ଭାଜ୍ୟ ନୁହନ୍ତି କି ?

ସଂସଦ କିମ୍ବା ବିଧାନ ସଭାର ମହଲାରେ ସଂଚରି ଯାଉଥିବା ସୁଲୁ ସୁଲିଆ ଶୀତଳ ପବନ ସହିତ ସାଧାରଣ କର୍ମଚାରୀଙ୍କ ଘରକୁ ବହୁଥିବା ଝାଞ୍ଜି ପିଟା ଗରମ ପବନରେ ମିଶ୍ରିତ ବଜାର ଦର, ପିଲାଙ୍କ ପାଠପଢ଼ା ଖର୍ଚ୍ଚ, ପରିବାର ସଦସ୍ୟଙ୍କ ଚିକିତ୍ସା ଖର୍ଚ୍ଚ ଆଦି କେମିତି ଅବା ତୁଳନୀୟ ହୋଇପାରିବ ? ଏହି ପ୍ରଶ୍ନ ଆଜି ଅନେକଙ୍କ ମନକୁ ଆନ୍ଦୋଳିତ କରୁଛି, ନିଦ୍ରା ଛିନ୍ନ କରି ପକାଉଛି ।ସେମାନଙ୍କର ଦରମା ବୃଦ୍ଧି, ସୁରକ୍ଷା, ସାମାଜିକ ସମ୍ମାନ ଆଦି ସବୁ ଯେମିତି ଆଜି ମଧ୍ୟ ‘ପରବର୍ତ୍ତୀ ସଭା’ର ଅପେକ୍ଷାରେ ଥିବା ନଥିପତ୍ରର ନାଲି ଫିତା ତଳେ ବନ୍ଧା ପଡ଼ିଛି।

ଆମ ରାଜ୍ୟରେ ଜଣେ ଶିକ୍ଷକ ହୁଅନ୍ତୁ କି, ଜଣେ ଶ୍ରମିକ ୨୫-୩୦ ବର୍ଷ ପର୍ଯ୍ୟନ୍ତ ‘ସମାନ କାମ କୁ ସମାନ ଦରମା’ ନ୍ୟାୟରେ ତତ୍ ଜନିତ ଅସଙ୍ଗତି ଦୂର କରିବାକୁ କିମ୍ବା ବେତନ ବୃଦ୍ଧି ପାଇଁ ଯେପରି ବିକଳ ଚିତ୍କାର କରି ଚାଲିଛନ୍ତି, ତାହା ପ୍ରାୟ କାହାରିକୁ ଅବିଦିତ ନୁହେଁ । କିନ୍ତୁ, ସେହି ଅନୁପାତରେ ଆମ ବିଧି ବ୍ୟବସ୍ଥାପକଙ୍କ ବେତନ ବୃଦ୍ଧି କେମିତି ତୁଲାନୀୟ ହେବ ? ବିଧି ଓ ବ୍ୟବସ୍ଥା ସବୁ ତ ସେମାନଙ୍କ ହାତରେ । ସେପରି କିଛି କଥା ଉଠିଲା ମାତ୍ରକେ ଗୃହରେ ଦଳମତ ନିର୍ବିଶେଷରେ ଏକାଥରେ ବିଲ୍ ପାରିତ ହେବା ବିଚିତ୍ର ପ୍ରସଙ୍ଗ ବୋଲି ବିବେଚିତ ହୁଏନାହିଁ । ଏହାର ପ୍ରାସଙ୍ଗିକ ଆଧାର କଣ ? କେଉଁ ପରିମାପକ ଦଣ୍ଡରେ ଏହା ତୁଳିତ ହୋଇଛି ? ଏମିତିକା ପ୍ରଶ୍ନ ଉତ୍ଥାପନ କରିବା ପ୍ରତ୍ୟେକ ନାଗରିକଙ୍କ ସ୍ଵାଭାବିକ ଅଧିକାର।

ବିଧି ବ୍ୟବସ୍ଥାପକ ତଥା ନିର୍ବାଚିତ ଜନସେବକ ମାନଙ୍କ ଦରମା ବଢ଼ିବା ପାଇଁ ଯେପରି ଯୁକ୍ତି ଉପସ୍ଥାପିତ ହୋଇଥାଏ, ସେହି ଯୁକ୍ତିକୁ ନିମ୍ନ ବର୍ଗର ସରକାରୀ କର୍ମଚାରୀ, ଦିନ ମଜୁରିଆ, ଚାକିରି ପ୍ରାର୍ଥୀ ଯୁବକ, ଅଧିକୃତ ଦଖଲକାରୀ, ଗ୍ରାମଞ୍ଚଳରେ ଜୀବିକାଧାରୀ ମାନଙ୍କ ପାଇଁ କାହିଁକି ସମାନ ପ୍ରକାର ମାପଦଣ୍ଡରେ ପ୍ରୟୋଗ କରାଯାଏ ନାହିଁ ?

ସମାଜର ଅସମତା ବେଳେବେଳେ ଅଧିକ ପ୍ରଗାଢ଼ ହୋଇଯାଏ, ଯେବେ କୌଣସି ବର୍ଗ ବୃତ୍ତିଧାରୀଙ୍କ ଦୀର୍ଘ ପଥ ଯାତ୍ରା ସୌଖିନ ଯାନରେ ସମାହିତ ହେଲାବେଳେ, ତଥାପି ତାହାକୁ ‘ସମୟର ଆବଶ୍ୟକତା’ ବୋଲି ବର୍ଣ୍ଣନା କରାଯାଏ । ଆଉ ଠିକ୍ ସେହି ବେଳେ ଅନ୍ୟ କୌଣସି ନିମ୍ନ ବର୍ଗ ସରକାରୀ କର୍ମଚାରୀଙ୍କ ପରିଶ୍ରମକୁ ବଜେଟ୍ ସଙ୍କଟର ଦ୍ୱାହି ଦେଇ ଉପେକ୍ଷା କରାଯାଏ।

ଜନସେବକ / ପ୍ରତିନିଧି ମାନେ ଯଦି ସମାଜର ମୂଳ ଆଧାର, ତେବେ ସମସ୍ତ ଜନସେବକଙ୍କ ପାଇଁ ସମ ନୀତି ପ୍ରଣୟନ ହେବା ଆବଶ୍ୟକ ନୁହେଁ କି ? ଏଥିରେ ବ୍ୟତିକ୍ରମ ହେଲେ ଜନତାର ବିଶ୍ୱାସ, ଯାହା ଗଣତନ୍ତ୍ରର ପ୍ରଥମ ବିଧି ବ୍ୟବସ୍ଥା ସେହିଥିରୁ ବିଚ୍ୟୁତ ହୋଇଯିବ।

ବେତନ ବୃଦ୍ଧି କୌଣସି ଅପରାଧ ନୁହେଁ କି, ଅଯୌକ୍ତିକ / ଅବାନ୍ତର ନୁହେଁ । କିନ୍ତୁ ଏଥିରେ ସମାନତାର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ । ବିଧାୟକଙ୍କ ବେତନ ବୃଦ୍ଧିକୁ ଯେତିକି ଗୁରୁତ୍ଵ ଦିଆଯାଉଛି; କଲ୍ୟାଣକର ଯୋଜନା ବୋଲି ବିବେଚନା କରାଯାଉଛି; ଅନୁରୂପେ ଗ୍ରାମାଞ୍ଚଳ ରେ କାର୍ଯ୍ୟରତ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ, କ୍ଷେତ୍ର କର୍ମଚାରୀ, ଠିକା କର୍ମଚାରୀ, ନିମ୍ନ ବର୍ଗ ପଦବୀଧାରୀ କର୍ମଜୀବି, ଅଥବା ଶ୍ରମିକ ତଥା ଦିନ ମଜୁରିଆଙ୍କ ବେତନ ବୃଦ୍ଧି କରି ସେମାନଙ୍କୁ ମଧ୍ୟ ସ୍ଵ ସ୍ୱ ଜୀବନରେ ଆଶାର ନୂଆ ଖାତା ଖୋଲିବାର ସହଜ ଅନୁଭବ କରିବାର ସୁଯୋଗ ଦିଆଯିବା ଆବଶ୍ୟକ।

ସରକାରୀ ଦପ୍ତର ଟେବୁଲ୍ ଯଦି ସମାନ ନ୍ୟାୟର ପାଦପୀଠ ହୋଇଯାଏ, ତେବେ ଆମ ରାଜ୍ୟର ଦୃଶ୍ୟ ଭିନ୍ନ ହେବ ଏବଂ ଅମୃତ ଅନୁଭବ ଦେବାରେ ସହାୟକ ହେବ।
ବିଧାନସଭାର ପବିତ୍ର ଅଟ୍ଟାଳିକା ଉପରେ ଯେପରି ସୂର୍ଯ୍ୟ ଆଲୋକ ବିଚ୍ଛୁରିତ ହୁଏ, ସେପରି ରଶ୍ମି ମଧ୍ୟ ସାଧାରଣ କର୍ମଚାରୀଙ୍କ ଘର ଅଗଣାରେ ପ୍ରତିଭାତ ହୁଏ । ତେବେ ସୂର୍ଯ୍ୟରଶ୍ମି ବିକିରଣରେ ସମାନତା ଥିବା ନ୍ୟାୟରେ ବିଧି ବ୍ୟବସ୍ଥାପକ ମାନଙ୍କ ଭଳି ସାଧାରଣ କର୍ମଚାରୀଙ୍କ ବେତନ ବୃଦ୍ଧି ବ୍ୟାପାରକୁ ସମାନ ଆଧାରରେ ବିଚାର କରାଯିବା ଜରୁରୀ । ଏହାହିଁ ହେଉଛି ସତ୍ୟ ସୁଶାସନର ମୂଳ ମନ୍ତ୍ର।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

No Content Available
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.