ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜାନୁୟାରୀ ୨୦୨୬
୧୯୭୮ ମସିହା। ମୁଁ ସେତେବେଳେ ସାମନ୍ତ ଚନ୍ଦ୍ରଶେଖର କଲେଜରେ ବି. ଏ. ଫାଷ୍ଟ ଇଅରରେ ପଢୁଥାଏ। ଭଦ୍ରକରୁ ପ୍ରକାଶିତ “ଗଳ୍ପଝର” ପତ୍ରିକାର ପୂଜା ସଂଖ୍ଯାରେ ମୋର ଗପଟିଏ ଛପିଲା।ଆମ ଓଡ଼ିଆ ବିଭାଗର ମୁଖ୍ଯ ଡଃ ନାରାୟଣ ଶତପଥୀ ମତେ ଦିନେ କହିଲେ “ତୁମକୁ ଇଭିନିଂ କଲେଜର ବଳରାମ ଦାସ ଖୋଜୁଛନ୍ତି।” ପର ଦିନ ସକାଳୁ ଯାଇ ତାଙ୍କୁ ଦେଖା କଲି। ସେ ରହୁଥାନ୍ତି ଦତ୍ତ ତୋଟାରେ। ସେଇ ଆମ ପ୍ରଥମ ଦେଖା। କହିଲେ, “ତୁମ ଗପଟି ଗଳ୍ପଝରରୁ ପଢିଲି। କଲେଜର ବୋଧହୁଏ ତମେ ଏକମାତ୍ର ଛାତ୍ର ଯିଏ ଏତେ ବଡ଼ ପତ୍ରିକାରେ ଗପ ଲେଖିଛ।ମୋର ଜଣେ ଛାତ୍ର ମାନସ ଦାସ କଟକରୁ “କଥା ଉପକଥା” ନାମରେ ପତ୍ରିକାଟିଏ ପ୍ରକାଶ କରୁଛନ୍ତି। ଆମକୁ ଗପଟିଏ ଦେବ।”
ସେ ଗପଟି ଛପିଲା। ମଝିରେ ଅନେକ ଥର ଦେଖା ହୋଇଛି। କବିତା କଥା ପଡ଼ିଛି। ଗପ କଥା ସାର୍ ପଚାରି ନାହାନ୍ତି। ଏବେ କିଛି ମାସ ତଳେ ଉପେନ୍ଦ୍ର ମିଶ୍ର ସ୍ମୃତି ସଂସଦ ବୈଠକରେ ହେରାଗୋହିରୀ ସାହିରେ ଆମର ଦେଖା ହେଲା। ମୁଁ ଆଉ ଗପ ଲେଖୁଛି କି ନାହିଁ ସେ ମତେ ପଚାରିଲେ।
ମୋର ଏବେ ଗପ ବହିଟିଏ ଅନେକ ବର୍ଷ ପରେ ପ୍ରକାଶିତ ହୋଇଛି।ଭାବିଥିଲି, ବହିଟି ଯାଇ ସାରଙ୍କୁ ଦେବି। କାହିଁକି ଗଲି ନାହିଁ କେଜାଣି !!?






