ଜୟ କୁମାର ମିଶ୍ର, ବୁଦୁରା, ଗଜପତି, ୧୮ ମଇ ୨୦୨୫
ପ୍ରଚଣ୍ଡ ଅହଂକାର, ମନେ ଭରପୁର
ନଖରୁ, ନାସିକା ଯାଏ
ଭାବି ବଡ଼ ଲୋକ, ସବୁରି ମାଲିକ
ଟେକ ଟାଣ କଥା କୁହେ ll
ପତନର ଦ୍ୱାର, ଭବିଷ୍ୟ ଅନ୍ଧାର
ସବୁରି ଅଳିଆ ସେହି,
କିଏ ଟେକେ ନାକ, କିଏ ମୁଡ଼େ ମୁଖ
ନିକୃଷ୍ଟ ଆଖ୍ୟାଟି ଦେଇ ll
ସବୁ ସେ’ ଜାଣଇ, ମହା ଜ୍ଞାନୀ ସେହି
ନାହିଁ ସରି ସମ କେହି,
ଓଠରୁ ଝରଇ, ଅହଂକାର ନଈ
ଭାଷାରେ ସଞ୍ଜମ ନାହିଁ ll
ଅବିଜ୍ଞତା ଅନ୍ଧ, କରେ ଶ୍ୱାସ ରୁଦ୍ଧ
କରେ ନୀଚମନା ତାକୁ,
ହଜାରେ କୁହଇ, ଗୋଟିଏ ରେ ନାହିଁ
ହୋଇ ବଡ଼, ଅଲାଜୁକୁ ll
କୂପ ମଣ୍ଡୁକଟି, ଖୋଲି ନିଜ ପାଟି
କଟର କଟର କେଏଁ,
କୂପ ତାର ସ୍ୱର୍ଗ, ସେହି ଦିଗ ବାଗ
ତାକୁ ଦେଖି ଫୁଲୁ ଥାଏ ll
କାଲା ଆଗେ ମୂଳା, ଚୋବାଇବା କଳା
ମୂର୍ଖଠି ପଣ୍ଡିତ କହେ,
ବୃଥା ବାହାଦୁରି, ବଚନରେ ମାରି
ଅନ୍ଧାରେ ବାଡ଼ି ବୁଲାଏ ll
ଦେଖିନି ଦୁନିଆ, ଜଗତର କାୟା
ସୁବିସ୍ତୃତ ରୂପ ଛଇ,
ଅଛନ୍ତି ପ୍ରତିଭା, ଜ୍ଞାନୀ ଗୁଣୀ ଆଭା
ଅହଙ୍କାରୀ, ଜାଣେ ନାହିଁ ll
କେରାଣ୍ଡିର ତେଜ, ଡେଇଁବାର କାର୍ଯ୍ୟ
ଅଳପ ପାଣିରେ ରହି,
ଗଭୀର ଜଳରେ, ରୋହି ରହି ପାରେ
ନିରବ, ନିଶ୍ଚଳ ହୋଇ ll
ଫମ୍ପା ମାଠିଆର, ସବଦର ସ୍ୱର
ଶୁଭେ ଡିବି ଡିବି ଘରେ,
ଜଳ ପୂର୍ଣ୍ଣ ଗରା, ଧୀରରେ ନିଶ୍ଚଳ
ଦେଇ ନୀର ତୃଷା ହାରେ ll
ନାଗ ସାପ କେବେ, ଦିଏ ନାହିଁ ଧରା
ଦମ୍ଭ, ଧଇର୍ଯ୍ୟରେ ରୁହେ
ହେଲେ ଆବଶ୍ୟକ, ପ୍ରତାପର ମୁଖ
ଦେଖାଇ ଡରାଇ ଦିଏ ll
ଧଣ୍ଡା ସାପ ଟିଏ, ମୋଟାରୋଟା ଦେହେ
ବାହାର ରୂପ ସୁନ୍ଦର
ଚିକଣ, ଚାକଣ, କଖାରୁର ବଡ଼ି
ଜନ ଦେଖି ଥରହର ll
ପ୍ରତିଭା ନିର୍ଝର, ଆପେ ନିରନ୍ତର
ଆକଟ ମାନେନେ କା’ର,
ଦେଖି ସେ ମଉକା, ଯାଏ ଏକା ଏକା
ଖୋଜି ପଥ ବହୁ ଦୂର ll
ନୋହି ବାକ୍ୟ ବୀର, କାମରେ ତତ୍ପର
ହୋଇବାଟି ଭଲ କଥା,
ପ୍ରଚାର ବିହୀନ, କାମଟିର ମାନ
ଡେଇଁ, ଡେଇଁ ଯିବ ହତା ll
ନିଜ ଢୋଲ ପିଟି, କଲେ ବଡ଼ ପାଟି
କିଆଵା ସେଥିରେ ଲାଭ ?
ପାଗଳର ଆଖ୍ୟା, ହୋଇ ଯିବ ଯୋଖା
ଏକଥା ହିଁ ସାର ହେବ ll
ହେବ ଲୋକହସା, ହଜିବ ଭରସା
କମି ଯିବ, ଓଜ ତେଜ
ମୁହଁ ମୋଡ଼ି ଯିବେ, ହେୟ ଭାବି ନେବେ
କହିବେ ଏହି ନିର୍ଲଜ ll






