ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୭ ଡିସେମ୍ବର ୨୦୨୪
ଆକାଶର ବୁକୁ ଚି଼ରି
ସୁରୁଜ ଆସୁଛି ଉଇଁ,
ଆଲୁଅର ମୁରୁଜରେ
ଧରାକୁ ଧୋଇବା ପାଇଁ ||୧||
ପକ୍ଷୀଙ୍କର କଳରବ
ନିଦକୁ ଦିଏ ହଜାଇ
କୋଇଲିର କୁହୁ ତାନ
ହୃଦୟେ ପ୍ରେମ ଭରଇ ||୨||
ଗାଁଆ ଦାଣ୍ଡେ ଗୋରୁ ପଲ
ରାସ୍ତାରେ ଧୂଳି ଉଡ଼ାଇ
ନିର୍ବିକାରେ ଚାଲୁଥିବେ
ଉଦର ଭରିବା ପାଇଁ ||୩||
ସିନ୍ଦୁରା ଫାଟିବା ପରେ
ବିଲ ମୁହାଁ ଚାଷୀ ଭାଈ
ଲଙ୍ଗଳ ଜୋତିକି ସିଏ
ଚଷୁ ଥିବ ଗୀତ ଗାଇ ||୪||
ଅଳସ ତନୁକୁ ପ୍ରିୟା
ଶେଯରେ ଲୋଟାଇ ଦେଇ
ସପନରେ ଭିଜୁ ଥିବ
ପ୍ରଜାପତି ରୂପ ନେଇ ||୫||
ତା’ ମନର ଉପବନେ
ଫୁଲରୁ ଫୁଲକୁ ଡେଇଁ
ଘୁରି ବୁଲୁଥିବ ସିଏ
ଉଲ୍ଲସିତ ମନନେଇ ||୬||
ମିଳନର ମଧୁଶଯ୍ୟା
ନିରବେ ରଚିବା ପାଇଁ
ପ୍ରଣୟ ପିପାସୀ ପ୍ରିୟା
ରହିଥିବ ମୋତେ ଚାହିଁ ||୭||