ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଅପ୍ରେଲ ୨୦୨୫
ଦିଆ, ନିଆ ହୁଏ ଏଠି କେତେ ପୁରସ୍କାର,
ତାହା ପୁଣି ଥାଏ ଭିନ୍ନ ଭିନ୍ନ କିସମର।
କେଉଁଠି ଚିହ୍ନ ତାହା ପୂର୍ବଜଙ୍କ ସ୍ମୃତିର,
ଅନ୍ୟଠି ତାହା ସ୍ୱୀକୃତି ଅମୂଲ୍ୟ ଦାନର।
ଏବେ ତ ମିଳୁଛି ମାଳମାଳ ପୁରସ୍କାର,
ତହିଁରୁ ଖାଣ୍ଟି ବାଛିବା ଅତି କଷ୍ଟକର।
ତାହା ଦେବା ଲାଗି ଚାଲିଥାଏ କେଁକଟର,
ନେବା ପାଇଁ ଭିଡ଼ାଭିଡ଼ି ନସରପସର।
ପୁରସ୍କାର କାହା ପାଇଁ ପଣ୍ୟ ବେପାରର ,
କେଉଁଠି ପ୍ରତୀକ ତାହା ଆତ୍ମସମ୍ମାନର।
ଜଳ ପାଇଁ ମୀନ ହୁଏ ଯେମିତି ଆତୁର,
କା’ଲାଗି ଏହା ସେମିତି ନିହାତି ଦର୍କାର।
ପୁରସ୍କାର ଦେବା ପାଇଁ କିଏ ହରବର,
ତାହା ନେବା ଲାଗି ପୁଣି ଆନ ତରତର।
ତାହା ପାଇବାକୁ କିଏ ସାଜେ ବଚସ୍କର,
ମାରିବାକୁ ପଡ଼େ ପୁଣି କେତେ ନମସ୍କାର।
ସେଥିପାଇଁ ଚାଲେ କେତେ ଯୋଗାଡ଼ ଜନ୍ତର,
ଚାପର ପ୍ରହାର ସହ ଅର୍ଥ କାରବାର।
ତଥାପି ରହିଛି ଆଦର ଏହି ଭୂଷଣର,
ତାକୁ କରି ହୁଏ ନାହିଁ ପରା ହତାଦର।
ଅସଲି ପୁରସ୍କାରର ରହିଛି ଆଦର,
ନକଲି ବିଭୂଷଣକୁ ଦୂରରୁ ଜୁହାର।






