ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୫
ରାଜନୀତି ବଡ଼ ଜଟିଳ ଗଣିତ
ତାହା ସହଜେ ହୁଏନି ବୁଝି
ସେଇ ଗଣିତର ସୂତ୍ର ନ ଜାଣିଲେ
ତାର ଉତ୍ତାପେ ଯିବରେ ସିଝି ।।୧।।
ରାଜନୀତି ଏକ ଅବୁଝା ସଙ୍ଗୀତ
ତାର ସୁର, ତାଳ ଯାଏ ହଜି,
ସେଇ ସଙ୍ଗୀତକୁ ବୁଝିବା ପାଇଁକି
ସାରା ଜୀବନ ଲାଗେରେ ବାଜି ।।୨।।
ରାଜନୀତି ଅତି କଠିନ ସାହିତ୍ୟ
ତାର ଭାବ, ଭାଷା ବଡ଼ କଷ୍ଟ
ସେହି ସାହିତ୍ୟର ରସରେ ଭିଜିଲେ
ଜୀବନେ ଶାନ୍ତି ହୁଅଇ ନଷ୍ଟ ।।୩।।
ରାଜନୀତି ଏକ ସମ୍ମୋହନ ନୃତ୍ୟ
ଯାହା ଦର୍ଶକଙ୍କୁ କରେ ମୁଗ୍ଧ,
ସେ ନୃତ୍ୟାଭିନୟର କୁହୁକ ସ୍ପର୍ଶ
ଲୋକମାନଙ୍କୁ କରଇ ଦଗ୍ଧ ।।୪।।
ରାଜନୀତି ପୁଣି ସୁନେଲି ସପନ
ଯାହା ମୋହି ନେଇଯାଏ ମନ,
ସ୍ବପ୍ନ ଭଙ୍ଗ ପରେ ଉଦାସ ଚିତ୍ତକୁ
ତାହା କରଇ ପରା ଉଚ୍ଛନ ।।୫।।