ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୯ ଅଗଷ୍ଟ ୨୦୨୫
ରକ୍ଷାର ବନ୍ଧନ ବହୁ ପୁରାତନ
କେହି ନ ପାରନ୍ତି କହି ।
କେବେ ଠାରୁ ତାହା ଆରମ୍ଭ ହୋଇଛି
ଇତିହାସେ ଲେଖା ନାହିଁ ।।
ମେୱାରକୁ ଥରେ ପଡ଼ିଲା ବିପତ୍ତି
ଇତିହାସ ଯା’ର ସାକ୍ଷୀ ।
ଗୁଜୁରାଟ ରାଜା ବାହାଦୁର ସାହା
ଆକ୍ରମଣ କଲେ ଆସି ।।
ଚିତ୍ତୋରର ରାଣୀ ସେ କରୁଣାବତୀ
ଶୁଣି ଘୂରିଗଲା ମଥା ।
ମୋଗଲ ସମ୍ରାଟ ହୁମାୟୁନ ଥିଲେ
ସେ ସମୟର କଥା ।।
ସାହାଯ୍ୟର ଭିକ୍ଷା ମାଗିଥିଲେ ରାଣୀ
ରାକ୍ଷୀଟିଏ ପଠାଇଲେ ।
ଭଗିନୀ ସମ୍ମାନ ରଖିବ ହେ’ ଭାଇ
ଭାବପୂର୍ଣ୍ଣ ସନ୍ଦେଶରେ ।।
ତତ୍-କାଳେ ସମ୍ରାଟ ସେନା ପଠାଇଲେ
ରଖିଲେ ଭଗିନୀ ମାନ ।
ଭାଇ ଭଉଣୀଙ୍କ ନିବିଡ଼ ସମ୍ପର୍କ
ହିନ୍ଦୁ ହେଉ ବା ଯବନ ।।
ଆଲେକଜାଣ୍ଡରଙ୍କ ଧର୍ମ ପତ୍ନୀ ଥିଲେ
ପୁରୁଙ୍କୁ ବାନ୍ଧିଲେ ରାକ୍ଷୀ ।
ବିଦେଶୀ ହେଲେ ବି ହିନ୍ଦୁ ଧର୍ମ-ଶାସ୍ତ୍ର
ଜ୍ଞାନ ଥିଲା ତାଙ୍କ କିଛି ।।
ଭଗିନୀଟେ ପାଇ ପୁରୁ ମହାରାଜ
ଗଦ୍ ଗଦ୍ ହୋଇଗଲେ ।
ଉପହାର ଦେଇ ଆଲେକଜାଣ୍ଡରଙ୍କୁ
ସ-ସମ୍ମାନ ବିଦା କଲେ ।।
ଭାଇ ଭଉଣୀଙ୍କ ନିବିଡ଼ ସମ୍ପର୍କ
ପୁରାଣ ଯୁଗରୁ ଅଛି ।
ଶ୍ରୀ ମନ୍ଦିରେ ମଧ୍ୟ ଜାଗା ବଳିଆଙ୍କୁ
ସୁଭଦ୍ରା ବାନ୍ଧନ୍ତି ରାକ୍ଷୀ ।।
ଦ୍ରୁପଦ ନନ୍ଦିନୀ ନାମ ଯାଜ୍ଞସେନି
ଶ୍ରୀଙ୍କୃଷ୍ଣଙ୍କ କ୍ଷତ ଦେଖି ।
ଅଙ୍ଗ ବସ୍ତ୍ର ଚିରି ବାନ୍ଧିଲେ ତତ୍-କ୍ଷଣେ
ଆଶ୍ୱସ୍ତି ଲଭିଲି ସଖୀ ।।
ଭାବର ଠାକୁର ଭକତ ବତ୍ସଳ
ଦ୍ରବିଭୂତ ହୋଇଗଲେ ।
କହିଲେ ପାଞ୍ଚାଳୀ ମାଗି ନିଅ ବର
ଯାହା ଇଚ୍ଛା ତୋ ମନରେ ।।
ପାଣ୍ଡବଙ୍କ ରାଣୀ ଯୋଡ଼ି ବେନି ପାଣି
କୁହନ୍ତି ସେ ବିନୟରେ ।
ସାହା ହୋଇଥିବ ଅନାଥ ଜନରେ
ଏତିକି ଅଳୀ ପୟରେ ।।
କୁରୁ ସଭା ସ୍ଥଳେ ବିପଦେ ବେଳରେ
ଘଞ୍ଚାଳୁଛି ଦୁଃଶାସନ ।
ଡାକଇ ପାଞ୍ଚାଳୀ ଆହେ ମହାବାହୁ
ରକ୍ଷାକର ଆର୍ତ୍ତତ୍ରାଣ ।।
କୋଟି ବସ୍ତ୍ର ହେଳେ ପ୍ରଭୁ ଖଞ୍ଜିଦେଲେ
ଝିଙ୍କି ଝିଙ୍କି ଦୁଃଶାସନ ।
ଥକିଗଲା ସିନା ଦେଖନ୍ତି ସକଳେ
ହୋଇଗଲା ସଂଜ୍ଞାହୀନ ।।
ବସ୍ତ୍ର ଚାଖଣ୍ଡକ ପାଇଁ ସିନା ପ୍ରଭୁ
ରଖିଲେ ଭଗିନୀ ମାନ ।
ରାକ୍ଷୀ ସୁତ୍ରେ ତାହା ରହି ଯାଇଅଛି
ଜାଣନ୍ତି ଜଗତ ଜନ ।।
ସୁଖରେ ଦୁଃଖରେ ଭଗିନୀ ଆଗରେ
ଭାଇ ହୁଏ ସଦା ଠିଆ ।
ଯେତେ ବାଧା ଆସୁ ଜୀବନ କାଳରେ
ଭାଇ ଏକା ମୋର ସାହା ।।
ଆଜିର ଦିନରେ ସଭ୍ୟ ସମାଜରେ
ମା’ ଭଉଣୀଙ୍କ ପାଇଁ ।
ଅ-ସୁରକ୍ଷିତ ସେ ମାନନ୍ତି ନିଜକୁ
ସଚେତନ ହୁଅ ଭାଇ ।।
ରକ୍ଷା ବନ୍ଧନର ପବିତ୍ର ଦିନରେ
ଶପଥ ନେବାରେ ଆସ ।
ନାରୀ ଜାତି ପ୍ରତି ସମ୍ମାନ ନ କଲେ
ଦେଶ ହୋଇଯିବ ଧ୍ଵଂସ ।।






