ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୫ ଜୁଲାଇ ୨୦୨୫
ଆମ ଶାସନ ଏଭଳି ହୋଇଛି,
ଶିଳ୍ପପତି ଧନୀ ହୋଇ ଯାଉଛି ।
ନେତା କୋଟିପତି ଖାଲି ହେଉଛି,
ଚାଷୀ ଋଣ ଭାରେ ନଇଁ ପଡ଼ୁଛି ।
ନାରୀ ନିରାପତ୍ତା ପାଇଁ ଲଢ଼ୁଛି,
ଯୁବ ବେରୋଜଗାରରେ ଷଢ଼ୁଛି ।
ବାବୁଭାୟାଙ୍କ ବହପ ବଢ଼ୁଛି ।।୧।।
ଏଠି ଏଭଳି ବ୍ୟବସ୍ଥା ରହିଛି,
ଶିକ୍ଷା ଭଲ ବ୍ୟବସାୟ ବନୁଛି ।
ସ୍ୱାସ୍ଥ୍ୟ ସେବାର ବେପାର ବଢ଼ୁଛି,
ପାଣି ପାଇଁ ହାହାକାର ପଡ଼ୁଛି ।
ବ୍ୟାପକ ଜଙ୍ଗଲ କ୍ଷୟ ହେଉଛି,
ମାଫିଆ କବଳେ ଜମି ରହୁଛି ।
ପରିବେଶ ଧ୍ୱଂସ ହୋଇ ଯାଉଛି ।।୨।।
ଏହା କିଭଳି ପ୍ରଗତି ହେଉଛି ?
ଯେଉଁଠି ଦୁଃଖୀ ଭୋକରେ ରହୁଛି ।
ଧନୀଙ୍କ ସମ୍ପତ୍ତି ବଢ଼ି ଚାଲିଛି,
ଜନତା ଗରିବ ହୋଇ ଯାଉଛି ।
ନେତା କୋଟିପତି ସାଜି ବୁଲୁଛି,
ଦଳର ପାଣ୍ଠି ଉଛୁଳି ପଡ଼ୁଛି ।
ନିର୍ବାଚନେ କଳାଟଙ୍କା ଉଡ଼ୁଛି ।।୩।।
ପଞ୍ଚାୟତ ନିର୍ବାଚନ ଆସୁଛି,
ଦଳ ଭିତରେ ଛନକା ପଶୁଛି ।
ସବୁ ଦଳ ସଜବାଜ ହେଉଛି,
ନିଜ ପ୍ରଭାବ ବିସ୍ତାର ଚାହୁଁଛି ।
ଜନସଭା ଆୟୋଜନ ହେଉଛି,
ସେଠି ଗର୍ଜନ ତର୍ଜନ ଚାଲୁଛି ।
ମତଦାତା ମନ ଭିଜି ଯାଉଛି ।।୪।।