ଆଲୋକ କୁମାର ପ୍ରଧାନ, ପୁରୀ, ୧୦ ଫେବୃଆରୀ ୨୦୨୫
ସୂତେ ସମ୍ପର୍କର ଗୋଲାପି ଓଠରେ ଥାପି ମମତାରୁ ଧାରେ
ଧିରେ ଚାଲନ୍ତି କି ଖୁସି ଧାରେଧାରେ ଶଇଶବ ସୁନା ସୁରେ
ସେ ସୁର ମିଶନ୍ତା ଆଜିର ସୁରରେ ଭେଟନ୍ତି ବିତିଲା କଥା
ଯେଉଁ କଥା ପାଇଁ ନଥା ନଯୋଗାଡ଼ି ଉଠାଇ ଚାଲନ୍ତି ମଥା
ରାତିର ଛାତିରେ ଋତୁର କାହାଣୀ କିଏ ଯାନ୍ତା ଲେଖିଦେଇ
ଲେଖା-ଅଲେଖାର ଅଲୋଡ଼ା ଗପକୁ ଶୁଣନ୍ତି ମୁଁ ମନଦେଇ
ମିଛିମିଛିକା ମୁଁ ହସନ୍ତି ପଛକେ ପଛକୁ ଫେରନ୍ତି ଥରେ
ମନ ଆଇନାରେ ଦେଖନ୍ତି ବସି ମୁଁ ଯୌବନ ସେପାଖ ଗାରେ
ମିଛ ଅଭିମାନ ସତରେ ଫେରନ୍ତା ପାହାଡ଼ି ଝରଣା ପରି
ତା ପ୍ରେମରେ ପଡ଼ି ବାଟ ଭୁଲିଯାଇ ଆଉ ନ ପାରନ୍ତି ଫେରି
ଯଦି ବା ଫେରନ୍ତି ସାଙ୍ଗରେ ଆଣନ୍ତି ପିଲାଦିନପଣ କିଛି
ଯେଉଁ ପିଲାଦିନ ମନେପଡ଼ିଗଲେ ଓଠରେ ହସ ନାଚୁଛି
ସତରେ ଏମିତି ହୁଅନ୍ତା କି ଥରେ ସବୁ ଲୋଡ଼ିବା ର ଆଗେ
ପିଲାଦିନ ମୋତେ ଫେରସ୍ତ ମିଳନ୍ତା ଶେଷ ସୁଖ ଶେଷଭାଗେ।






