ଆଲୋକ କୁମାର ପ୍ରଧାନ, ପୁରୀ, ୨୨ ଅକ୍ଟୋବର ୨୦୨୫
ନିଜ ପାଇଁ ଆଉ ବଳୁନି ସମୟ ବଳକା ହେବି ମୁଁ କା’ପାଇଁ କୁହ
ବଳେଇ ବଳେଇ ପିଉଛି ଦୁଃଖ ମୁଁ ବରାବର ଦୁଇ ଆଖିର ଲୁହ
ବାରବାର ସବୁ ଶୁଣାକଥା ଏବେ ହେଜୁଛି କିଛି ମୁଁ ଭୁଲୁଛି କିଛି
ଯେତେ ମନେଇଲେ ମନ କି ବୁଝୁଛି ଅକୁହା ହୋଇ ବି ଆହୁରି ଅଛି।
ଯେତେ ଥାଉ ପଛେ ମନରେ ଦରଜ ଓଠରେ ପିନ୍ଧୁଛି ହସର ମୁଖା
ନିତି ଭେଟୁଥିବା ସବୁ ସକାଳର ଅକାଳେ ବି ଆଉ ମିଳୁନି ଦେଖା
ଯେଉଁ ସକାଳର ସଜଳ ସଜାରେ ସଞ୍ଜ ଭୋଗିବାକୁ ମନରେ ଥିଲା
ନିର୍ମେଘ ଆକାଶ ପରି ମନଟିଏ ହେବି ହେବି ବୋଲି ଦିହକ ଗଲା।
ନିର୍ଭୁଲ ହେବାକୁ ନିରବି ଗଲି ମୁଁ ପିଇଗଲି କେତେ ଅପିଆ କଥା
ଭଲରେ ଭୁଲ୍ ମନ୍ଦରେ ଭୁଲ୍ ଭୁଲ୍ ନ କରି ସବୁଠି ପତାଏ ମଥା
ଏପାଖରେ ଖରା ସେ ପାଖରେ ଛାଇ ଦି ଧାର ଖଣ୍ଡାରେ ଚାଲେ ମୁଁ ନିତି
ବୟସ ଦୋଷ କି ସମୟର ଦୋଷ ବିରାମ ନାହିଁ କି ନାହିଁ ବିରତି।
ଏମିତି ହୁଅନ୍ତା ସମୟ ବଳନ୍ତା ବଳକା ନ ହୋଇ ହୁଅନ୍ତି ଲୋଡା
ମପାଚୁପା କଥା ଛାଞ୍ଚରୁ ବାହାରି ଚଢନ୍ତି କି ମନପବନ ଘୋଡ଼ା।।






