ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୪ ଅକ୍ଟୋବର ୨୦୨୫
ସିଏ ପରା ଅଟେ ଶ୍ରବଣବାଧିତ
ପ୍ରଶଂସାରେ ସିଏ ନୁହେଁ ଆହ୍ଲାଦିତ,
ନିନ୍ଦା କରେ ନାହିଁ ତାକୁ ମର୍ମାହତ
ପ୍ରଶଂସା, ନିନ୍ଦାରେ ସିଏ ଅନାହତ ॥୧॥
ଆଧୁନିକ ଅବା ଶାସ୍ତ୍ରୀୟ ସଂଗୀତ
କରିଥାଏ ତାକୁ କେତେ ଆଲୋଡ଼ିତ,
ହୋଇଥାଏ ସିଏ କେତେ ବିମୋହିତ
ଅଜଣା ରହିଛି ତାହା ଏପର୍ଯ୍ୟନ୍ତ ॥୨॥
ଭଜନ, କୀର୍ତ୍ତନ, ସୁମଧୁର ଗୀତ
ତା’ ହୃଦୟେ କରେ କେତେ ରେଖାପାତ,
ମିଳିପାରେ ନାହିଁ ତାହାରି ସଂକେତ
ରହିଛି ଏବେ ତାହା ରହସ୍ୟାବୃତ୍ତ ॥୩॥
ନାଦବ୍ରହ୍ମର ସେ ମହାର୍ଘ ମୁହୂର୍ତ୍ତ
ଓଁକାର ଧ୍ୱନିର ପବିତ୍ର ପ୍ରଭୁତ୍ୱ,
କରିପାରେ କିରେ ତାକୁ ବିଗଳିତ
ଅବୁଝା ରହିଛି ତାହା ଏଯାବତ ॥୪॥