ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୪ ଅଗଷ୍ଟ ୨୦୨୫
ତୁମେ ଚକାଡ଼ୋଳା ବସିଛ ମଉନ
ମୁହଁରୁ ତୁମର ନସ୍ଫୁରେ କଥନ
ତଥାପି ଆକୁଳ ହୁଏ ଭକ୍ତଜନ
ଶୁଣିବାକୁ ତୁମ ନିଃଶବ୍ଦ ବଚନ ।।୧।।
ସେ ମୌନ ଭାଷାରେ ଅଛିକି ସ୍ପନ୍ଦନ
କୋଟି ହୃଦୟକୁ କରାଏ ବିମନ
ସେହି ଶବ୍ଦଶୂନ୍ୟ ଭାଷାର ଶ୍ରବଣ
ଅଧୀର କରଇ ଭକତ ପରାଣ ।।୨।।
ଶୁଣିବାକୁ ପରା ନାହିଁ ତୁମ କାନ
କେମିତି ଶୁଣୁଛ ଜଣାଣ ଭଜନ
ଆର୍ତ୍ତ ଜନଙ୍କର ଗୁହାରି କୀର୍ତ୍ତନ
କରୁଛି କିପରି ତୁମକୁ ଦହନ ।।୩।।
ଭକତ ଜାଣିଛି ତୁମେ କର୍ଣ୍ଣହୀନ
ତଥାପି ତୁମଠି ରଖେ ନିବେଦନ
ବିଶ୍ୱାସ ରଖିଛି ଦେବ ବରଦାନ
ଗୁହାରି ଶୁଣିବ ଦେଇ ମନଧ୍ୟାନ ।।୪।।
ଅପଲକ ସଦା ତୁମରି ନୟନ
ହୃଦୟେ ଖେଳାଏ ପୁଲକ ପ୍ଲାବନ
ତୁମରି କରୁଣା ପରା ଅନ୍ତହୀନ
ମୋ ବେଳକୁ କିଆଁ ତୁମେ ଅନ୍ତର୍ଦ୍ଧାନ ।।୫।।