• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୧୬)

ଆମେ ପାଉଡି ଭୂୟାଁ (ଭାଗ ୧୬)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅଗଷ୍ଟ ୨୦୨୩

ସକାଳୁ ସକାଳୁ ବିଲୁଆ ବବାଙ୍କୁ ଦେଖି ଚିନାମାଳୀ ଆଶ୍ଚର୍ଯ୍ୟ ଯେତିକି ହେଲା ତା ଅପେକ୍ଷା ଅଧିକ ଖୁସି ହେଲା। ବବା ଆସିଲେ କାହାଣୀ ପେଡ଼ି ଖୋଲି ଦିଅନ୍ତି। ବହୁତ ସୁନ୍ଦର ସୁନ୍ଦର କାହାଣୀ ସବୁ କହନ୍ତି। ବବାଙ୍କୁ ଦେଖି ବୋଉ ପାଣି ଆଣି ଗୋଡ଼ ଧୋଇ ଜୁହାର କଲା। ପିଣ୍ଡାରେ ମାଞ୍ଚିଆ ପକାଇ ଚା ପାଣି ଆଣିବାକୁ ଚାଲିଗଲା। ଚିନାମାଳୀ ବବା ଙ୍କୁ ଜୁହାର କରି ଖଟ ପାଖରେ ବସି ପଡ଼ି ପଚାରିଲା ବବା କାଲି କାମିନୀ ଆଈ ତୁମ କଥା କହୁଥିଲା। ସିଂପୁର ର ବିଷ୍ଣୁ ମାମୁଁ ଆସିଥିଲେ । ସେ ଆଜି ଗଲେ । ସେ ଆମମାନଙ୍କୁ ତାଙ୍କ ଅଞ୍ଚଳର ଭୂୟାଁ ଗାଁ ମାନଙ୍କର କଥା ସବୁ କହୁଥିଲେ । ତୁମେ ଆସିଲ । ଆମ ଝିଅମାନଙ୍କୁ ତୁମେ ତୁମ ଅଞ୍ଚଳ ର କଥା କହିବ । ହସି କରି ବବା କହିଲେ ହଉ ରାତିରେ ମୁଁ କାମିନୀ ଅପା ଘରକୁ ଯିବି । ସେଠି ତୁମ ଝିଅମାନଙ୍କୁ ମୁଁ ଆମ ଅଞ୍ଚଳ କଥା କହିବି ।

ସନ୍ଧ୍ୟାରେ କାମିନୀ ଆଈ ଘରେ ସବୁ ଝିଅମାନେ ଏକାଠି ହେଲେ ଏବଂ ଆଈକୁ ବିଲୁଆ ବବା ଆସିଥିବା କଥା କହିବା ସହ ଏବେ ଏଠାକୁ ଆସିବେ ବୋଲି କହିଲେ । କାମିନୀ ଆଈ ବିଲୁଆ ବବା ଆସିଥିବା ଶୁଣି କହିଲା ହେଉ ସେ ଆସୁ ତୁମକୁ ବଣେଇଁ ଅଞ୍ଚଳରେ ରହୁଥିବା ଭୂୟାଁ ମାନଙ୍କ କଥା କହିବ । ଏହି ସମୟରେ ଦାଣ୍ଡରେ କାହାର ପାଟି ଶୁଭିବାରୁ ଆଈ କବାଟ ଖୋଲିବା ପାଇଁ ଉଠିଗଲା । ବାହାରେ ବିଲୁଆ ବବା ଠିଆ ହୋଇଥିଲେ । କାମିନୀ ଆଈ ତାଙ୍କୁ ଦେଖି କହିଲା କଣ ଏତେ ଦିନେ ଅପା କଥା ମନେ ପଡ଼ିଲା । ହଉ ଭିତରକୁ ଆସେ । ବିଲୁଆ ବବା ଆଈ କୁ ଜୁହାର ହୋଇ ଭିତରକୁ ଆସି ମାଞ୍ଚିଆ ଉପରେ ବସି ପଡି କହିଲେ । ନାତୁଣୀମାନେ ଭଲ ଅଛତ । ହଉ ଆମ ଅଞ୍ଚଳ କଥା ଆଜି ତୁମମାନଙ୍କୁ କହିବି । ତା ପରେ କଥା ଆରମ୍ଭ କରି କହିଲେ ।

ବଣେଁଇର ଭୂୟାଁମାନଙ୍କ ନିକଟରୁ ଶୁଣିଥିବା ଏକ ଲୋକଗୀତ ନିମ୍ନରେ ଉଲ୍ଲେଖ କରୁଛି ।
ଗାଁର ନାମ ଲସି
ଫଟାଟାଙ୍ଗର ବସି
ଗୁ୍ଣ୍ଡିଗାଇ ଚସୁ
ଭାଉଜମାଇପ ପୋଷୁ
ବଦଳ ନା ଖେଣ୍ଡି
୧୦ଖଣ୍ଡ ନେହିଁ ପାରବା
ଆମେ ଦେଇପାରବୁ ବାରଖଣ୍ଡ

ପୂର୍ବେ ରାଜାରାଜୁଡା ଅମଳରେ ଭୂୟାଁମାନେ ପାହାଡରେ ଜଙ୍ଗଲ କାଟି ପୋଡୁଚାଷ କରୁଥିବାରୁ ରାଜାଙ୍କୁ ଭେଟି ଆକାରରେ ଅମଳ କରିଥିବା ଶସ୍ୟରୁ କିଛି ଦେଉଥିଲେ । ପ୍ରଜାମାନେ ଦେଉଥିବା ଭେଟିର ପରିମାଣ କେତେ ହେବ ତାହା ଗାଁର ମୂଖ୍ୟ ବା ପ୍ରଧାନିମାନେ ସ୍ଥିର କରୁଥିଲେ । ଏକଦା ବଣେଁଇ ଅନ୍ତର୍ଗତ ଲସି ଗ୍ରାମ ଓ ଏହାର ନିକଟବର୍ତ୍ତି ୧୫ଟି ଗାଁର ପ୍ରଧାନିମାନେ ବା ଷୋଳପ୍ରଧାନିମାନେ ରାଜାଙ୍କୁ ଭେଟି ସେମାନେ ୧୦ ଖଣ୍ଡି ବିରି ଦେଇପାରିବେ ବୋଲି କହି ରାଜାଙ୍କ ଠାରୁ ଅନୁମତି ପାଇ ଫେରିବା ସମୟରେ ପୀଢର ସର୍ଦ୍ଦାର ଙ୍କ ସହ ଦେଖା ହେଲା । ସର୍ଦ୍ଦାର ପ୍ରଧାନିମାନଙ୍କୁ କେତେ ପରିମାଣର ଭେଟିପାଇଁ ରାଜା ଅନୁମତି ମିଳିଲା ବୋଲି ପଚାରନ୍ତେ ସେମାନେ ୧୦ ଖଣ୍ଡି ବୋଲି କହିଲେ । ସର୍ଦ୍ଦାର ପ୍ରଧାନିମାନଙ୍କୁ ଏହି ଭେଟିର ପରିମାଣ କମାଇଦେବା କହି ସେମାନଙ୍କୁ ବିଦା କରି ରାଜାଙ୍କୁ ଭେଟିଲେ ଓ କହିଲେ ପ୍ରଧାନିମାନେ କହୁଥିଲେ ସେମାନେ ୧୦ ଖଣ୍ଡି ବିରି ଦେଇପାରିବେ ନାହିଁ ସେମାନେ ୧୨ ଖଣ୍ଡି ବିରି ଦେବାପାଇଁ ସ୍ଥିର କରିଛନ୍ତି । ଚତୁର ରାଜା ଏଥିରେ ସମ୍ମତି ପ୍ରକାଶ କରି ସେହି ଅନୁସାରେ ଭେଟିଦେବାପାଇଁ ଭୂୟାଁମାନଙ୍କୁ ଆଦେଶ ଦେଲେ । ସର୍ଦ୍ଦାର ରାଜାଙ୍କ ପାଖରୁ ଫେରି ୧୬ ପ୍ରଧାନିମାନଙ୍କୁ ଭେଟିଲାପରେ ସେମାନେ ରାଜା କଣ ଆଦେଶ ଦେଲେ ବୋଲି ପଚାରନ୍ତେ ସର୍ଦ୍ଦାର ହସିହସି କହିଲେ ମୁଁ ରାଜାଙ୍କୁ କହିଛି ଆମେ ୧୦ ଖଣ୍ଡି ବିରି ଦେଇପାରିବୁ ନାହିଁ ଆମେ ୧୨ ଖଣ୍ଡି ବିରି ଦେଇପାରିବୁ । ଷୋଳପ୍ରଧାନିମାନେ ସର୍ଦ୍ଦାରଙ୍କ ଠାରୁ ଏହା ଶୁଣି ରାଗିକରି ତାଙ୍କୁ ୧୨ଟି ପଥର ଦେଲେ ଓ ତାକୁ ଗଣିବାକୁ କହିଲେ । ସର୍ଦ୍ଦାର ଗଣିକରି କହିଲା ତୁମେମାନେ ମୋତେ ୧୨ଟା ପଥର ଦେଇଛ । ପ୍ରଧାନିମାନେ ସର୍ଦ୍ଦାରଙ୍କୁ ପଚାରିଲେ ତେବେ ୧୦ ଓ ୧୨ ମଧ୍ୟରୁ କେଉଁଟା ବଡ ଓ କେତେ ବଡ । ସର୍ଦ୍ଦାର ୧୨ ବଡ ଓ ଏହା ୨ ବଡ ବୋଲି କହିବାରୁ ପ୍ରଧାନିମାନେ କହିଲେ ତୁମର ମୂର୍ଖାମିପାଇଁ ତୁମେପ୍ରତି ଘର ପାଇଁ ୨ ଖଣ୍ଡି ବିରି ଜୋରିମାନା ଆକାରରେ ଦେବ । ସର୍ଦ୍ଦାର ନିଜର ଭୁଲ ବୁଝିପାରି ପୀଢ ବୈଠକରେ ଭୂୟାଁମାନଙ୍କ ଶରଣ ଯିବାରୁ ପୀଢ ବୈଠକରେ ଜଣେ ଜାତିଭାଇ ଦେଇଥିବା କଥାକୁ ନଟାଳି ସେହି ଅନୁଯାୟି ଦେବାପାଇଁ ସମସ୍ତେ ସ୍ଥିର କରିଥିଲେ ।

କଥା ଏହିଠାରେ ଶେଷକରି ବବା ପୁଣି କହିବା ଆରମ୍ଭ କରି କହିଲେ ଆଉ ଏକ କଥା କହୁଛି ଶୁଣ।

ରାଜରାଜୁଡା ଅମଳରେ ଏକଦା ରାଜା ଭୂୟାଁ ମାନଙ୍କୁ ଡାକି କହିଲେ ପିଲେ ହାତୀକୁ କେତେ ଖାଇବାକୁ ଦେବା ତୁମେମାନେ ଏହାକୁ ଏବେ ଜଙ୍ଗଲରେ ଛାଡିଦିଅ । ହାତୀ ଜଙ୍ଗଲରେ ଡାଳପତ୍ର ଖାଇବ ଓ ସ୍ବଛନ୍ଦରେ ବୁଲାଚଲା କରିବ । ପାରିଧୀ ପାଇଁ ଆମର ଦରକାର ହେଲେ ଆମେ ମାହୁନ୍ତ ଦ୍ୱାରା ହାତୀକୁ ଜଙ୍ଗଲରୁ ନେଇଆସିବା । ପାରିଧୀ ସରିଲେ ପୁଣି ଜଙ୍ଗଲରେ ଛାଡିଦେଇଆସିବା । ଭୂୟାଁମାନେ ରାଜାଙ୍କ ଆଦେଶ ପାଳନ କରି ହାତୀକୁ ଜଙ୍ଗଲକୁ ନେଇଗଲେ କିନ୍ତୁ ତାକୁ ମାରିଦେଇ ଘରକୁ ପଳାଇଲେ । କିଛିଦିନପରେ ରାଜା ରାଜ୍ୟ ଭ୍ରମଣରେ ଯିବାକୁ ବାହାରିଲେ । ତେଣୁ ମହାନ୍ତି (ମାହୁନ୍ତ) କୁ ପଠାଇଲେ ଜଙ୍ଗଲରୁ ହାତୀକୁ ଆଣିବାପାଇଁ । ମହାନ୍ତି ଭୂୟାଁ ମାନଙ୍କୁ ପଚାରିଲା ବାବୁମାନେ ରାଜାଙ୍କ ହାତୀ କେଉଁଠାରେ ଅଛି । ଭୂୟାଁମାନେ ଜଙ୍ଗଲରେ ହାତୀ ଅଛି ବୋଲି କହିଲେ । ମହାନ୍ତି ଜଙ୍ଗଲରେ ଭୂୟାଁମାନେ ବତାଇଥିବା ଜାଗାରେ ପହଞ୍ଚି ଦେଖିଲା ହାତୀ ମରିପଡିଛି ଓ ପଚିକରି ଦୁର୍ଗନ୍ଧ ହେଉଛି । ମହାନ୍ତି ଫେରିକରି ରାଜାଙ୍କୁ କହିଲା ହଜୂର ହାତୀତ ମହାରଣା (ଏହାର ଅର୍ଥ ମରିକରି ପଚି ଗନ୍ଧାଉଛି) ହୋଇଯାଇଛି । ରାଜା କହିଲେ ହାତୀଟା ଜଙ୍ଗଲର କୌଣସି ବିଷାକ୍ତ ଗଛର ଡାଳପତ୍ର ଖାଇକରି ବୋଧହୁଏ ମରିଗଲା କିମ୍ବା ବୁଢା ହୋଇଯାଇଥିଲା ମରିଗଲା । ଚତୁର ମହାନ୍ତି କହିଲା ହଜୁର ଭୂୟାଁମାନେ ହାତୀକୁ ମାରିଦେଇଛନ୍ତି । ଭୂୟାଁ ମାନଙ୍କୁ ଡକରା ପଡିଲା । ଭୂୟାଁମାନେ ରାଜାଙ୍କ ନିକଟରେ ପହଞ୍ଚନ୍ତେ ରାଜା ସେମାନଙ୍କୁ କହିଲେ ପିଲେ ହାତୀତ ଜଙ୍ଗଲରେ ମରିଗଲା ତାକୁ ନଦୀରେ ପକାଇବା ତୁମେମାନେ ଶିମିଳି ଗଛଟିଏ କାଟ କିନ୍ତୁ ତଳେ ପକାଇବନି । ଛିଣିବ (ଟେକିକରିଧରିବ,ଯେପରି ତଳେ ପଡବନି) । ଭୂୟାଁମାନେ ଚିନ୍ତାକଲେ କଣ କରିବା ବଡ ଗଛଟାକୁ କାଟିକରି କାନ୍ଧରେ ଟେକିକରି କିପରି ରଖିବା । ମରିବା ନିଶ୍ଚୟ । ଏହି ସମୟରେ ଗୋଟିଏ ବୟସ୍କ ଭୂୟାଁ ଲୋକଟିଏ କହିଲା ନଦୀକୂଳରେ ଏକ ଗଛଅଛି ଯାହାକୁକି କାଟିଲେ ତାହା ପାଣି ଭିତରେ ପଡିବ ମୁଁ ନଦୀର ଆରପଟେ ରହିବି ଓ ତୁମେମାନେ ନଦୀ ମଧ୍ୟରେ ରୁହ । ଗଛ କଟାଗଲା ଓ ନଦୀ ଆରପଟେ ଥିବା ଭୂୟାଁଟି ଉପରେ ବଡ ଡାଳଟି ପଡିବାରୁ ସେ ସେହିଠାରେ ମୃତ୍ୟୁବରଣ କଲା । ଗଛଟି ନଦୀମଧ୍ୟରେ ପଡିଥାଏ । ଭୂୟାଁମାନେ ଗଛଟିକୁ କାନ୍ଧରେ ଧରି ଠିଆହୋଇଥାନ୍ତି । ରାଜା ମହାନ୍ତିକୁ ପଠାଇଲେ କହିଲେ ଯାଅ ଦେଖ ଭୂୟାଁମାନେ ଗଛକୁ ଛିଣୁଥିଲେ କାର୍ଯ୍ୟ ସରିଲା ନା ନାହିଁ । ମହାନ୍ତି ଆସି ଗଛ କଟାହୋଇଥିବା ଓ ଭୂୟାଁମାନେ କାନ୍ଧୋଇ କରି ଠିଆ ହୋଇଥିବାର ଦେଖି ପଚାରିଲା ପିଲା କାଟିଲ କିଏ ମରିଗଲା କି । ଭୂୟାଁମାନେ କହିଲେ ହଁ ଗୋଟିଏ ବୁଢାଭୂୟାଁଟି ଗଛତଳେ ରହି ମରିଗଲା । ମହାନ୍ତି ରାଜାଙ୍କୁ ଖବର କଲା ହଜୁର କିଛି ଭୂୟାଁ ଗଛତଳେ ରହି ମରିଗଲେ । ରାଜାଙ୍କ ଆଦେଶ ପାଇ ଭୂୟାଁମାନେ ରାଜାଙ୍କ ସମ୍ମୁଖରେ ପହଞ୍ଚିଲେ। ରାଜା କହିଲେ ପିଲେ କିଛି ଭୂୟାଁ ମରିଗଲେ । ସାବଧାନ ହୋଇ ଗଛ କାଟାବାର ଥିଲା । ହଉ ଏବେ ଡାଲି, ଚାଉଳ ଦିଆଯାଉଛି ତାକୁ ନଦୀ ପାଣିଦେଇ ଛିଣ (ଏହାର ଏକ ଅର୍ଥ ପିଟ ଆଉ ଏକ ଅର୍ଥ ରୋଷାଇ କର) । ଭୂୟାଁମାନେ ରାଜପ୍ରସାଦରୁ ଡାଲି ଚାଉଳ ନେଇଗଲେ। ଡାଲି ଚାଉଳ ସବୁ ଲୁଚାଇ ଅଳ୍ପ ଡାଲି, ଚାଉଳ ପାଣିରେ ପକାଇ କାଠରେ ପାଣିକୁ ପିଟିବାରେ ଲାଗିଲେ । ଡେରିହେବାରୁ ରାଜାଜଣକୁ ପଠାଇଲେ କହିଲେ ଯାଅ ଦେଖ ଭୂୟାଁମାନେ କଣ କରୁଛନ୍ତି । ସେ ଲୋକଟି ଭୂୟାଁମାନେ ପାଣିକୁ ପିଟୁଥିବାର ଖବର ରାଜାଙ୍କୁ ଦେବାପରେ ରାଜା ଭୂୟାଁମାନଙ୍କୁ ଡକାଇ କାରଣ ପଚାରନ୍ତେ ଭୂୟାଁମାନେ କହିଲେ ହଜୁର ଆପଣଙ୍କ ଆଦେଶ ଥିଲା ଡାଲିଚାଉଳକୁ ପାଣିରେ ପକାଇ ପିଟିବାପାଇଁ । ଆମେମାନେ ସେହି କାର୍ଯ୍ୟ ହିଁ କରୁଥିଲୁ। ରାଜା କହିଲେ ମୁଁ ତୁମକୁ ନଦୀକୂଳରେ ରୋଷାଇ କରି ଖାଇବାକୁ କହିଥିଲି । ହଉ ତୁମେମାନେ ପୁଣି ଡାଲିଚାଉଳ ନିଅ ରୋଷାଇ କରି ଖାଇ ଘରକୁ ଯାଅ । ଭୂୟାଁମାନେ ପୁଣି ଡାଲି ଚାଉଳ ନେଇ ରୋଷାଇ କରି ଖାଇଲେ ଓ ପୂର୍ବରୁ ରାଜା ଦେଇଥିବା ଚାଉଳକୁ ନିଜ ଘରକୁ ନେଇକରି ଗଲେ।

ଏହି ସମୟରେ କାମିନୀ ଆଈ କହିଲେ ବାପା ଆଜି ଏହିଠାରେ କଥାକୁ ରଖ । ରାତି ବହୁତ ହେଲାଣି । ଏହାପରେ ସମସ୍ତେ ଉଠିଗଲେ ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Dhanada’s Discourse: In the Aftermath of the US Losing the War to Iran: Prof Jiang
More

Dhanada’s Discourse:
In the Aftermath of the US Losing the War to Iran: Prof Jiang

by Dhanada K. Mishra
March 8, 2026

Dhanada K Mishra, Hong Kong, 8 March 2026 In the midst of escalating tensions between the United States and Iran...

Read more
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.