• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ଗାନ୍ଧୀଜୀ ଓ ମୌଳିକ ଶିକ୍ଷା – ୨

ଗାନ୍ଧୀଜୀ ଓ ମୌଳିକ ଶିକ୍ଷା – ୨
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୧ ନଭେମ୍ବର ୨୦୨୨

ଗାନ୍ଧିଜୀ କହିଥିଲେ ମୌଳିକ ଶିକ୍ଷା ପଦ୍ଧତି ଦ୍ଵାରା ମନ, ଶରୀର ଓ ହୃଦୟର ସମତୁଲ ଭାବେ ବିକାଶ ସମ୍ଭବ ହେବ । ପ୍ରଚଳିତ ଶିକ୍ଷା ପଦ୍ଧତିରେ କେବଳ ମାନସିକ ବିକାଶ ପ୍ରତି ଦୃଷ୍ଟି ଦିଆଯାଇଥାଏ । ଅଳ୍ପ ପଢ଼ ମାତ୍ର ଯାହା ପଢୁଛ ତାକୁ ବିଚାର କର ଏବଂ ତାହାର ରହସ୍ୟ ବୁଝି ତଦନୁସାରେ ଆଚରଣ କରିବାକୁ ପ୍ରସ୍ତୁତ ହୁଅ । ସରକାରୀ ସ୍କୁଲ ଓ କଲେଜ ମାନଙ୍କରେ ଛାତ୍ରମାନଙ୍କୁ ରାସ୍ତା ଓ ପାଇଖାନା ସଫା କରିବା ଆଦି ଶିକ୍ଷା ଦେବା ଆଜି ଅପରାଧ ବୋଲି ବିବେଚନା ହେଉଛି । ମାତ୍ର ମୌଳିକ ଶିକ୍ଷା ପରିଷ୍କାର ପରିଚ୍ଛନ୍ନତା ଓ ସ୍ଵଚ୍ଛତା ଉପରେ ଗୁରୁତ୍ବ ଦିଏ । ମୌଳିକ ଶିକ୍ଷାପ୍ରାପ୍ତ ଛାତ୍ରମାନେ ଶୁଦ୍ଧ ଚରିତ୍ର ଓ ସାସ୍ଥ୍ୟବାନ ହୁଅନ୍ତି । ମସ୍ତିଷ୍କ ଓ ହାତ ସମାନ ଭାବେ ବିକଶିତ ହୁଏ । ସେମାନେ ବଂଚିବା ପାଇଁ ଭିକ ମାଗନ୍ତି ନାହିଁ କି କାହାରି ଉପରେ ଭାର ହୋଇ ରୁହନ୍ତି ନାହିଁ । ସେମାନଙ୍କର ଶିକ୍ଷା ଓ ଶରୀର ଶ୍ରମ ଫଳରେ ବୌଦ୍ଧିକ ବିକାଶ ଘଟେ । ଆର୍ଯ୍ୟନାୟକମ, ଆଶାଦେବୀ, ବିନୋବା ଭାବେ, ଜେ.ବି.କ୍ରିପାଲିନି, କାକା କାଲେଲକର ଓ ଡ଼କ୍ଟର ଜାକିର ହୁସେନ୍ ମୌଳିକ ଶିକ୍ଷାର ତତ୍ତ୍ୱ ଓ ଲକ୍ଷ୍ୟ ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୩୪ ମସିହାରେ ‘ସେବାଶ୍ରମ’ ନାମରେ ଏକ ଆଶ୍ରମ ଗାନ୍ଧୀଜୀ ଓର୍ଦ୍ଧାରେ ସ୍ଥାପନ କରିଥିଲେ ଯେଉଁଠି ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମଧ୍ୟରେ ନୟୀତାଲିମ ବା ମୌଳିକ ଶିକ୍ଷା ଅନ୍ତର୍ଭୁକ୍ତ ଥିଲା । ୧୯୩୮ ମସିହାରେ ଓର୍ଦ୍ଧାସ୍ଥିତ ଏହି ସେବାଶ୍ରମରେ ମୌଳିକ ଶିକ୍ଷା ତାଲିମ କେନ୍ଦ୍ର ଖୋଲିଲା ।

ଓଡ଼ିଶାରୁ ଯେଉଁ ଶିକ୍ଷାବିତ୍ ମାନଙ୍କୁ ଏହି ଟ୍ରେନିଂରେ ଯୋଗ ଦେବା ପାଇଁ ବଛାଯାଇଥିଲା, ସେମାନଙ୍କ ମଧ୍ୟରେ ଥିଲେ ଲାଲବିହାରୀ ପଟ୍ଟନାୟକ, କିଶୋର ଚନ୍ଦ୍ର ପଣ୍ଡା, ଗୋବିନ୍ଦ ପଟ୍ଟନାୟକ, ଶ୍ରୀନିବାସ ମିଶ୍ର, କାହ୍ନୁଚରଣ ମହାନ୍ତି, ଡ଼.ରାମକୃଷ୍ଣ ପଟ୍ଟନାୟକ ଓ ଶରତ ଚନ୍ଦ୍ର ମହାରଣା । ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଚୌଧୁରୀ, ମା ରମାଦେବୀ ପ୍ରମୁଖ ଅଧୁନା ଯାଜପୁର ଜିଲ୍ଲାର ବରୀ ରାମଚନ୍ଦ୍ରପୁର ଠାରେ ପ୍ରଥମ ମୌଳିକ ସ୍କୁଲ ସ୍ଥାପନ କଲେ ଯାହାର ନାମକରଣ କରାଯାଇଥିଲା “ବାଣୀଶ୍ରୀ” । ଗୁଣନିଧ ମହାନ୍ତି ଙ୍କ ତତ୍ତ୍ୱାବଧାନରେ କାଠ ଓ ବାଉଁଶରେ ଘର ତିଆରି ହୋଇ ମୌଳିକ ଟ୍ରେନିଂ ସ୍କୁଲ ୧୯୩୯ ମସିହାରେ ବରୀରେ ଆରମ୍ଭ ହେଲା ଓ ଶରତଚନ୍ଦ୍ର ମହାରଣା ଉକ୍ତ ତାଲିମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଇଥିଲେ । ଏହା ପରେ ବିଭିନ୍ନ ଗ୍ରାମରେ ମୌଳିକ ବିଦ୍ୟାଳୟ ମାନ ସ୍ଥାପନ ହେଲା । ମୌଳିକ ଶିକ୍ଷା ତାଲିମପ୍ରାପ୍ତ ହୋଇ ଅନ୍ନପୂର୍ଣ୍ଣା ମହାରଣା ଅରଙ୍ଗିବାଦ ମୌଳିକ ସ୍କୁଲରେ ଶିକ୍ଷୟତ୍ରୀ ଭାବେ ଯୋଗଦେଲେ। ଗାନ୍ଧୀଜୀଙ୍କ ମତରେ ପ୍ରତ୍ୟେକ ଦିନ ପ୍ରତ୍ୟେକ ମଣିଷ ଉତ୍ପାଦକ ଶରୀର ଶ୍ରମ କରିବା ଉଚିତ ଯାହାକି ମନ ଓ ଶରୀରକୁ ସର୍ବଦା ସତେଜ ରଖିବାରେ ସହାୟକ ହୁଏ । ଓଡିଶାରେ ମୌଳିକ ଶିକ୍ଷା ପ୍ରଚଳନ କରିବା ପାଇଁ ଏକ କମିଟି ଗଠନ କରାଗଲା। ଯେଉଁଥିରେ ଶ୍ୟାମ ଚରଣ ତ୍ରିପାଠୀ, ମହେଶ ଚନ୍ଦ୍ର ପ୍ରଧାନ ଓ ଗୋପବନ୍ଧୁ ଚୌଧୁରୀ ରହିଲେ । ୧୯୩୮ ମସିହାରେ Board of Basic Education ଗଠନ ହୋଇ ଗୋପବନ୍ଧୁ ଚୌଧୁରୀଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ସମୟ କ୍ରମେ ରାମଚନ୍ଦ୍ରପୁର ଓ ବରୀ ଅଂଚଳର ବିଭିନ୍ନ ସ୍ଥାନରେ ୧୪ଟି ମୌଳିକ ବିଦ୍ୟାଳୟ ସ୍ଥାପନ କରାଗଲା । କିପରି ଛାତ୍ରମାନଙ୍କର ବୌଦ୍ଧିକ ବିକାଶ ହେବ, ଚରିତ୍ର ଗଠନ ହେବ, ଉପଯୁକ୍ତ ନାଗରିକ ହେବେ, ବେକାରୀ ହଟିବ ଓ ସମସ୍ତେ ସ୍ୱାବଲମ୍ବୀ ହୋଇପାରିବେ ଥିଲା ଏହାର ଲକ୍ଷ୍ୟ । ଛାତ୍ରମାନଙ୍କ ମଧ୍ୟରେ ଭୟଭାବ ରହିବ ନାହିଁ, ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ, ଆଗ୍ରହ ସହକାରେ ପାଠପଢିବେ, ଶିଖିବେ ଓ ସବୁ ବିଷୟ ଜାଣିବେ ଏହାର ଉଦ୍ଦେଶ୍ୟ । ମୌଳିକ ଶିକ୍ଷା ବ୍ୟବସ୍ଥା ଆସ୍ତେ ଆସ୍ତେ ଲୋକପ୍ରିୟ ହେବାକୁ ଲାଗିଲା । ଓଡିଶା ସରକାର ନିଷ୍ପତ୍ତି ନେଲେ ୨୮-୦୨-୧୯୪୧ ପର୍ଯ୍ୟନ୍ତ ମୌଳିକ ବିଦ୍ୟାଳୟ ଗୁଡ଼ିକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ, ତାପରେ ଆଉ କୈାଣସି ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ନାହିଁ ।

୧୯୩୯ ମସିହା ସେପଟେମ୍ବର ୨ ତାରିଖରେ ବିଶ୍ବଯୁଦ୍ଧ ଆରମ୍ଭ ହେବାରୁ କଂଗ୍ରେସ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଲେ । ଫଳସ୍ଵରୁପ ୧୯୪୦ ମସିହା ମାର୍ଚ୍ଚ ମାସରୁ ସରକାରୀ ପରଖ ବନ୍ଦ କରିଦିଆଗଲା । ସରକାରଙ୍କର ଏହି ନୀତିକୁ ବିରୋଧ କରି ମୌଳିକ ଶିକ୍ଷା ସଂଗଠକ ଶରତ ଚନ୍ଦ୍ର ମହାରଣା ଓ ମୌଳିକ ବିଦ୍ୟାଳୟର ଶିକ୍ଷକ ସର୍ବଶ୍ରୀ ମଧୁସୂଦନ ମିଶ୍ର, ଗୋପୀନାଥ ଦାସ, ମଧୁସୂଦନ ଜେନା, ଋଷି ବେହେରା, ଶ୍ୟାମ ସୁନ୍ଦର ପାଣିଗ୍ରାହୀ, ଘନଶ୍ୟାମ ଖଣ୍ଡୁଆଳି,ଜୟକୃଷ୍ଣ ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ସାହୁ, ବହ୍ମାନନ୍ଦ ସାହୁ, ଗୋଲକ ଚନ୍ଦ୍ର ନାୟକ, କାହ୍ନୁ ଚରଣ ଜେନା, ରାମଚନ୍ଦ୍ର ମିଶ୍ର, ରାଧାକୃଷ୍ଣ ସାମଲ, ଆର୍ତ୍ତବନ୍ଧୁ ମହାନ୍ତି, ନାରାୟଣ ମିଶ୍ର ଓ ନବଘନ ରାୟ ପ୍ରଭୃତି ବେସରକାରୀ ଭାବେ ମୌଳିକ ଶିକ୍ଷା ଚଳାଇବାକୁ ଆଗ୍ରହ ପ୍ରକାଶ କଲେ । ଶେଷରେ ସ୍ଥାନୀୟ ଗାଁ ଲୋକଙ୍କ ସାହାଯ୍ୟରେ ମୌଳିକ ବିଦ୍ୟାଳୟ ଗୁଡିକ ଚଳାଇବାକୁ ସ୍ଥିର କରାଗଲା । ମୌଳିକ ବିଦ୍ୟାଳୟ ଚଳାଇବା ପାଇଁ ଲୋକମାନେ ଗାଁ ଗାଁ ବୁଲି ଚାଉଳ, ଡାଲି, ପନିପରିବା, ଜାଳ କାଠ ଯୋଗାଡ଼ କଲେ । ବେସରକାରୀ ଭାବେ ହାଟସାହି, ବାଲିବିଲ, ହଳଦୀବସନ୍ତ, ଅନ୍ୟାସୀପୁର, ରାମଚନ୍ଦ୍ରପୁର, ରତକାଙ୍ଗ, ଅରଙ୍ଗବାଦ ଆଦି ସ୍ଥାନରେ ସାତୋଟି ମୌଳିକ ବିଦ୍ୟାଳୟ ଚାଲିଲା । ଶେଷରେ ଦେଖାଗଲା ସରକାରୀ ସ୍କୁଲ ତୁଳନାରେ ଏହି ମୋୖଳିକ ବିଦ୍ୟାଳୟ ଗୁଡିକରେ ଝିଅମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଲା । ଗାନ୍ଧୀଜୀ ଏଥିରେ ଆନନ୍ଦ ପ୍ରକାଶ କରି ଶ୍ରୀମତୀ ରମାଦେବୀଙ୍କୁ ଏକ ପତ୍ର ଲେଖିଥିଲେ ଯାହାର ଓଡ଼ିଆ ଅନୁବାଦ ଏହିପରି –

ଚିରଂଜୀବୀ ରମା,
ତୁମ ଚିଠି ପଢି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି । ଯେଉଁ ଶିକ୍ଷକମାନେ ସଂକଳ୍ପ କରିଛନ୍ତି ସେମାନଙ୍କୁ ଧନ୍ୟବାଦ । ମୋର ଆଶା ଅନ୍ୟ ଶିକ୍ଷକମାନେ ମଧ୍ୟ ଏହିପରି ତ୍ୟାଗ କରିବେ ଏବଂ ନିଜ ନିଜ ବିଦ୍ୟାଳୟ ଛାଡ଼ିବେ ନାହିଁ । ଗ୍ରାମବାସୀଙ୍କୁ ମଧ୍ୟ ଧନ୍ୟବାଦ । ଯଦି ଏ କାମ ସଫଳ ହେବ ତେବେ ଏକ ମହାନ୍ ସେବା ହେବ ।

ବାପୁର ଆର୍ଶୀବାଦ
(ସେବାଗ୍ରାମ, ୧୪/୦୨/୧୯୪୧)

ମୌଳିକ ଶିକ୍ଷାର ପ୍ରସାର ପାଇଁ ଗାନ୍ଧୀଜୀ କେତେ ବ୍ୟାକୁଳ ଥିଲେ ଏହି ପତ୍ରରୁ ସହଜେ ଅନୁମେୟ ।

୧୯୪୧ ଏପ୍ରିଲ ୯ ତାରିଖରେ ‘ଉତ୍କଳ ମୌଳିକ ଶିକ୍ଷା ପରିଷଦ’ ନାମକ ଏକ ବେସରକାରୀ ସଂସ୍ଥା ଗଢ଼ା ହେଲା ଯାହାର ସଭାପତି ଓ ସଂପାଦକ ଦାୟିତ୍ବରେ ଯଥାକ୍ରମେ ଆଚାର୍ଯ୍ୟ ହରିହର ଓ ଗୋପବନ୍ଧୁ ଚୌଧୁରୀ ରହିଲେ । ୧୯୪୨ ମସିହା ଅଗଷ୍ଟ ମାସରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସବୁ ଶିକ୍ଷକ ଜେଲଗଲେ । ମୌଳିକ ଶିକ୍ଷା କାର୍ଯ୍ୟ ବାଧାପ୍ରାପ୍ତ ହେଲା । କାଳକ୍ରମେ ମୌଳିକ ଶିକ୍ଷା ବିରୋଧର ସମ୍ମୁଖୀନ ହେଲା । କିଛି ଲୋକ କହିବା ଆରମ୍ଭ କଲେ ଛୋଟ ପିଲାଗୁଡ଼ାଙ୍କ ହାତରେ କାମ କରେଇ ସେମାନଙ୍କ ବୁଦ୍ଧି ମୋଟା କରି ଗାନ୍ଧୀବାଲାମାନେ ଦେଶଟାକୁ ବଳଦଗାଡ଼ି ଯୁଗକୁ ନେଇଯିବେ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶ ପଛରେ ପଡ଼ିଯିବ । ହାତ କାମ କଲେ ମସ୍ତିଷ୍କର ବିକାଶ ହୁଏ ନାହିଁ ବୋଲି ଚାରିଆଡ଼େ ପ୍ରଚାର କରିବା ଆରମ୍ଭ କଲେ । ୧୯୪୩ ମସିହାରେ ଶିକ୍ଷକ ମାନେ ଜେଲରୁ ଖଲାସ ହେଲାପରେ ଠକକର ବାପାଙ୍କ ସାହାଯ୍ୟରେ ଓ ଭାଗିରଥି ଦାସ ଙ୍କ ପୃଷ୍ଠପୋଷକତାରେ ପୁଣି ମୌଳିକ ଶିକ୍ଷା କାର୍ଯ୍ୟକ୍ରମ ଆଗେଇ ଚାଲିଲା । ବିଶ୍ଵଯୁଦ୍ଧ ପରେ ୧୯୪୨ ମସିହାରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଚାଲିଲା ଓ ରାଜ୍ୟରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ମୌଳିକ ବିଦ୍ୟାଳୟ ସ୍ଥାପନ ହେଲା ।୧୯୪୫ ମସିହାରେ ମାଳତୀ ଚୌଧୁରୀ ଓ ସାରଙ୍ଗଧର ଦାସଙ୍କ ପ୍ରଚେଷ୍ଟାରେ ଅନୁଗୁଳରେ ମୌଳିକ ଶିକ୍ଷା ଆରମ୍ଭ ହେଲା ଓ କୁଶିଆପାଳ, ତୁତିଗୁଡ଼ିଆ ଓ ଆଦମପୁରରେ ଏହି କାର୍ଯ୍ୟ ଚାଲିଲା । ଅନୁଗୁଳ ନିକଟସ୍ଥ ଚମ୍ପତ୍ତିମୁଣ୍ଡାରେ ଜୀବନ ବିଦ୍ୟାଳୟ ସ୍ଥାପନ ହେଲା ମାଳତୀ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କ ଉଦ୍ୟମରେ ଯାହାକି ପରେ ଉତ୍ତର ମୌଳିକ ଶିକ୍ଷା ବିଦ୍ୟାଳୟ ଭାବେ ପରିଚିତ ହେଲା । ୧୯୪୯ ମସିହାରେ ନବକୃଷ୍ଣ ଚୌଧୁରୀ ରାଜସ୍ବ ମନ୍ତ୍ରୀ ପଦତ୍ୟାଗ କରି ମୌଳିକ ଶିକ୍ଷା ସଂଗଠନ ଦାୟିତ୍ବ ତୁଲାଇଲେ । ୧୯୫୧ ମସିହାରେ ବିନୋବା ଭାବେଙ୍କ ଡାକରାରେ ଓଡିଶାରେ ଭୂଦାନ ଯଜ୍ଞ ଅୟମାରମ୍ଭ ହେବାପରେ ମୌଳିକ ଶିକ୍ଷା କାର୍ଯ୍ୟ ଆସ୍ତେ ଆସ୍ତେ ଧିମେଇ ଗଲା । ମାତ୍ର ମୌଳିକ ଶିକ୍ଷା ମାଧ୍ୟମରେ ଗାନ୍ଧିଜୀ ଯେଉଁ ଶିକ୍ଷା ପ୍ରବର୍ତ୍ତନ କରିଥିଲେ ଆଜି ସାରା ବିଶ୍ୱ ତାର ପ୍ରାସଙ୍ଗିକତା ଓ ତାତ୍ପର୍ଯ୍ୟ ହୃଦୟଙ୍ଗମ କରୁଛି ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Agony of Pilgrims
Opinion

Agony of Pilgrims

by Subhamoy Banerjee
May 17, 2026

Subhamoy Banerjee, Mumbai, 17 May 2026 Want to witness organized human suffering? Visit the Jagannath temple at Puri during peak...

Read more
Resilient Relationships For A Flourishing Life

Resilient Relationships For A Flourishing Life

April 5, 2026
India-Nepal Relationship: Will Balen heal the wounds?

India-Nepal Relationship: Will Balen heal the wounds?

April 3, 2026
Why is Iran attacking Dubai? In this war, the modern-day city of immense wealth is being needlessly crushed

Why is Iran attacking Dubai? In this war, the modern-day city of immense wealth is being needlessly crushed

March 29, 2026
Thriving in the Age of Artificial Intelligence

Thriving in the Age of Artificial Intelligence

March 27, 2026
Fuel Crisis And The Need For Renewable Energy

Fuel Crisis And The Need For Renewable Energy

March 22, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.