ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬
ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଚୟନ ନିମନ୍ତେ ଏହି ବୈଠକ ବସିଥିବା କୁହାଗଲା । ବୈଠକ ଶେଷରେ ଚିରାଚରିତ ଢଙ୍ଗରେ ନିଷ୍ପତ୍ତି ଗଣମାଧ୍ୟମକୁ ଜଣାଇ ଦିଆଗଲା । ତାହା ହେଲା ନବୀନ ବାବୁ ଯାହା ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ଗ୍ରହଣ କରିବେ । ପିଏସି ସଦସ୍ୟା ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ଏହା ଜଣାଇଦେଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ନବୀନ ପଟ୍ଟନାୟକ ଏବେ ବି ବିଜେଡିରେ ଅଲ୍ ଇନ୍ ଅଲ୍ । ତାଙ୍କ ନିଷ୍ପତ୍ତି ଉପରେ ଚ୍ୟାଲେଞ୍ଜ କରିବାର ଶକ୍ତି ଦଳରେ କାହାର ନାହିଁ ।
ବିଜେଡି କ୍ଷମତାରୁ ଗଲା ପରେ ନବୀନ ପଟ୍ଟନାୟକ ଦୁର୍ବଳ ହୋଇଯାଇଥିବା ଚର୍ଚ୍ଚା ହେଲା । ଦଳରେ ମୁଣ୍ଡ ଟେକିଥିବା ବିଶୃଙ୍ଖଳା ଓ ଅସନ୍ତୋଷକୁ ଦେଖି ଦଳ ଉପରେ ତାଙ୍କର ସେହି ପୂର୍ବ ନିୟନ୍ତ୍ରଣ ନାହିଁ ବୋଲି ଧରି ନିଆଗଲା । ନିର୍ବାଚନ ପରାଜୟ, ଅଧିକ ବୟସ, ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କର କ୍ୟାରିୟର୍ ସରିଗଲା ବୋଲି ପ୍ରଚାର ବି ହେଲା । ତାଙ୍କର ଅତି ବିଶ୍ୱସ୍ତ ଭି.କେ. ପାଣ୍ଡିଆନଙ୍କ ଉପରେ ପ୍ରବଳ ଜନଅସନ୍ତୋଷ ତାଙ୍କର ମନୋବଳକୁ ଭାଙ୍ଗିଦେଇଛି ବୋଲି ଚାରିଆଡ଼େ ଆଲୋଚନା ହେଲା । ନବୀନଙ୍କ ମତିଗତି ଏବଂ କାର୍ଯ୍ୟକଳାପରୁ ଏହି ଚର୍ଚ୍ଚା ଯେ ସତ ତାହା ବାରି ହେଉଥିଲା । ନୂଆପଡ଼ା ଉପନିର୍ବାଚନ ମଇଦାନରେ ତାଙ୍କୁ ଦେଖିଲା ପରେ ଏହା ଆହୁରି ଦୃଢ଼ୀଭୂତ ହୋଇଥିଲା । ସେଠି ନବୀନଙ୍କ ପୂର୍ବ କ୍ରେଜ୍ ରହିଲା ନାହିଁ । ନୂଆପଡ଼ାବାସୀ ବିଜେଡିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଦେଲେ । ଓଡ଼ିଶାରେ ନବୀନଙ୍କ ଯୁଗ ସରିଗଲା ବୋଲି କୁହାଗଲା । ବିଜେଡିର ଅନିଶ୍ଚିତ ଭବିଷ୍ୟତ ଜାଣି ଅସନ୍ତୁଷ୍ଟ ନେତା ଲଗାମ ଛଡ଼ା ହୋଇଗଲେ । ଯିଏ ଯାହା ପାଇଲେ ମିଡ଼ିଆରେ ଗପି ଚାଲିଲେ । ନବୀନଙ୍କ ନିରବତା ବିଜେଡିରେ ଅରାଜକତା ସୃଷ୍ଟି କଲା ।
ମାତ୍ର ୨୦୨୬ ଆରମ୍ଭରୁ ଏହି ସ୍ଥିତି ହଠାତ୍ ବଦଳି ଗଲା ପରି ମନେ ହେଉଛି । ନବୀନ ପଟ୍ଟନାୟକ ପୁଣି ସକ୍ରିୟ ହୋଇ ଉଠିଛନ୍ତି । ରାଜ୍ୟସଭା ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଦୁଇ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବନ କଲେ । ଦଳରେ ଥାଇ ଯିଏ ଦଳ ବିରୋଧରେ କାର୍ଯ୍ୟ କରିବେ ତାଙ୍କର ଦଳରେ ସ୍ଥାନ ନାହିଁ ବୋଲି ନବୀନ ପୁଣି ଥରେ ବାର୍ତ୍ତା ଦେଲେ ।
ନବୀନ ନିବାସରେ ଏବେ ନେତାମାନଙ୍କୁ ଭେଟି ଆଲୋଚନା କରୁଛନ୍ତି । ଦଳର ସମସ୍ତ ଖବର ସେ ରଖୁଥିବା ଭଳି ଲାଗୁଛି। ବିରୋଧୀ ଦଳ ନେତା ଭାବେ ବିଧାନସଭାର ବଜେଟ ଅଧିବେଶନରେ ତାଙ୍କର ସକ୍ରିୟତା ଦେଖିବାକୁ ମିଳୁଛି । ଅଧିକାଂଶ ଦିନ ଗୃହରେ ଉପସ୍ଥିତ ବି ରହୁଛନ୍ତି । ବାହାରେ ଗଣମାଧ୍ୟମକୁ ନିଜ ମନରୁ ବାଇଟ୍ ଦେଉଛନ୍ତି । ସେଥିପାଇଁ ତାଙ୍କୁ କାଗଜ ଧରି ପଢ଼ିବାକୁ ପଡୁନାହିଁ ।ରାଜ୍ୟରେ ଧାନ ସଂଗ୍ରହ ଅବ୍ୟବସ୍ଥାକୁ ନେଇ ଜୋରଦାର ଆନ୍ଦୋଳନ ପଛରେ ଥିଲା ତାଙ୍କର ନିଷ୍ପତ୍ତି । ଭୁବନେଶ୍ୱରରେ ଆୟୋଜିତ ବିଜେଡିର ଚାଷୀ ସୁରକ୍ଷା ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ତାଙ୍କର ଲଢ଼େଇ ଆହ୍ୱାନ କର୍ମୀମାନଙ୍କୁ ଉତ୍ସାହିତ କରିଛି ।
ସାମାଜିକ କାର୍ଯ୍ୟକ୍ରମ ରେ ତାଙ୍କୁ ଏବେ ଦେଖିବାକୁ ମିଳିଲାଣି। ବାହାଘର ଭୋଜି ନିୟନ୍ତ୍ରଣ ରକ୍ଷା କରି ଯାଉଛନ୍ତି ଓ ଗୁପଚୁପ ବି ଖାଉଛନ୍ତି। ନବୀନ ନିବାସ ଆସୁଥିବା ବାହାର ଅତିଥିମାନଙ୍କ ସହ ମନଖୋଲା କଥା ହେଉଛନ୍ତି । ଖୁସିଗପ କରୁଛନ୍ତି । ସହଯୋଗ ପାଇଁ ନବୀନଙ୍କ ପାଖେ ପାଖେ ଏବେ ଆଉ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନି । ନବୀନ ବୋଧହୁଏ ଏଇ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ତାଙ୍କର ସମୟ ସରିନି । ଆଗରୁ ଯେମିତି ଥିଲେ ସେମିତି ଅଛନ୍ତି ।
ମାତ୍ର ଆଗାମୀ ଦିନରେ ନବୀନ କାହାର ବିନା ସହଯୋଗରେ କ’ଣ ଦଳକୁ ଏକା ସମ୍ଭାଳି ପାରିବେ ? ପାଣ୍ଡିଆନଙ୍କ ପୂର୍ବ ଭୂମିକାରେ ସେ କାହାରିକୁ ରଖିବେ ନା ନାହିଁ ? ଏହା ଏବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
ଏହି ମହଲର କହିବାନୁଯାୟୀ, ନବୀନ ବାବୁ ତାଙ୍କ ରାଜନୈତିକ ସହଯୋଗୀମାନଙ୍କୁ କେବେହେଲେ ବିଶ୍ୱାସକୁ ନେଇନାହାନ୍ତି । ସେଥିପାଇଁ ପ୍ରଥମରୁ ବେଣୁଧର ମିଶ୍ର, ଯୁଗଳ ମହାପାତ୍ର,ବିଜୟ ପଟ୍ଟନାୟକଙ୍କ ଭଳି ତୃତୀୟ ମହଲା ଅଫିସରଙ୍କ ପରାମର୍ଶକୁ ଗ୍ରହଣ କରୁଥିଲେ । ପ୍ୟାରୀମୋହନ ମହାପାତ୍ରଙ୍କ ଅଧ୍ୟାୟ ଥିଲା ସବୁଠାରୁ ଲମ୍ବା ଇତିହାସ । ବିଜେଡିକୁ ତାଙ୍କ ହାତରେ ଛାଡ଼ି ଦେଇଥିଲେ ନବୀନ ବାବୁ । ତାଙ୍କ ପରେ ନବୀନଙ୍କ ପରିଧିକୁ ଆସିଲେ ପାଣ୍ଡିଆନ। ପାଣ୍ଡିଆନଙ୍କ ଦକ୍ଷତା, ନିଷ୍ଠା ଓ ନବୀନଙ୍କ ପ୍ରତି ସମର୍ପଣ ଭାବକୁ କେହି ପ୍ରଶ୍ନ କରିପାରିବେନି । ମାତ୍ର ନବୀନଙ୍କ ଅତି ବିଶ୍ୱସ୍ତ ଓ ନିକଟତର ଭାବେ ବିଜେଡିରେ କ୍ଷମତାର ସ୍ୱାଦ ଚାଖୁ ଚାଖୁ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ପାଲଟିଗଲା ତାଙ୍କ ବରବାଦର ପ୍ରମୁଖ କାରଣ।
ଏବେ ବିଜେଡିରେ ସେଭଳି କୌଣସି ଚେହେରା ଦେଖା ଯାଉନାହାନ୍ତି, ଯିଏ ନବୀନଙ୍କ ବିଶ୍ୱାସଭାଜନ ହୋଇ ପାରିବେ। ନବୀନଙ୍କ ପ୍ରତି ଏକାନ୍ତ ଆନୁଗତ୍ୟ ଏବଂ ସାଂଗଠନିକ ଦକ୍ଷତା ଏହି ଦୁଇଟିଯାକ ମାପକାଠି ପୂରଣ କରୁଥିବା ନେତାଙ୍କର ଅଭାବ ରହିଛି । ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଖରେ ସାଙ୍ଗଠନିକ ଦକ୍ଷତା ଅଛି,ମାତ୍ର ଆନୁଗତ୍ୟର ଅଭାବ ରହିଛି । ଅରୁଣ ସାହୁଙ୍କ କଥା ବିଚାର କରାଯାଇପାରେ, ମାତ୍ର ସେ ପାଣ୍ଡିଆନଙ୍କର ବିରୋଧୀ ଭାବେ ପ୍ରଚାରିତ ହୋଇଥିବାରୁ ନବୀନ ତାଙ୍କୁ ଗ୍ରହଣ କରିବାରେ ଅସୁବିଧା ହୋଇପାରେ । କାରଣ ପାଣ୍ଡିଆନଙ୍କ ପ୍ରତି ନବୀନଙ୍କର ଦୁର୍ବଳତା ରହିଛି ଏବଂ ରହିବ । ତାହାକୁ କେହି ଅସ୍ବୀକାର କରି ପାରିବେ ନାହିଁ । ପାଣ୍ଡିଆନଙ୍କୁ ଯିଏ ଅପମାନିତ କରିବେ ନବୀନ ତାଙ୍କୁ ସହ୍ୟ କରିବେନି ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରିବା ପରେ ନବୀନଙ୍କ ଉପରେ ରାଗ ଝାଡ଼ିଲେ ଅରବିନ୍ଦ ଏବଂ ତାଙ୍କର ସମର୍ଥକ । ଏପରିକି ନବୀନଙ୍କୁ ମିଛୁଆ ଏବଂ ଚୋର କହି ଗାଳି ବି କଲେ । ସେତେବେଳେ ନବୀନଙ୍କୁ ସୁରକ୍ଷା ଦେବା ପାଇଁ ଜଣେ ବି ନେତା ଆଗକୁ ଆସିଲେନି। ଏହା ନବୀନଙ୍କୁ ହୁଏତ ବିଚଳିତ କରିଥାଇପାରେ ।
ଯେ କେହି ବି ଏହା ସ୍ୱୀକାର କରିବ ଯେ, ବିଜେଡି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି । ଆଗାମୀ ଦିନରେ ଦଳ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି । ନବୀନ ବାବୁ ଯେ ଏକାକୀ ସବୁ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବେ ତାହା ଆଦୌ ସମ୍ଭବ ନୁହେଁ । ତାଙ୍କ ନେତୃତ୍ୱକୁ ଆଗକୁ ନେବାକୁ ବିଜେଡିରେ ଜଣେ “ସେକେଣ୍ଡ ଇନ କମାଣ୍ଡ”ଙ୍କର ଆବଶ୍ୟକତା ରହିଛି । ଯେତେ ଯାହା କଲେ ମଧ୍ୟ ନବୀନ ଯେ ପୂର୍ବ ଭଳି ଏକାକୀ ସବୁ କିଛି କରିବାର କ୍ଷମତା ରଖନ୍ତି ତାହାକୁ କ’ଣ କେହି ଏବେ ସହଜରେ ବିଶ୍ୱାସ କରିପାରିବ ?






