• About
  • Contact
Monday, October 12, 2026
Monday, October 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Tribute

କଳିଙ୍ଗର ମୁକୁଟ ବିହୀନ ସମ୍ରାଟ

କଳିଙ୍ଗର ମୁକୁଟ ବିହୀନ ସମ୍ରାଟ
Share on FacebookShare on Xshare on Whatsappshare on Linkedin
ଅମୂଲ୍ୟ କୁମାର ସ୍ଵାଇଁ, ଭୁବନେଶ୍ବର, ୧୭ ଅପ୍ରେଲ ୨୦୨୫

କଳିଙ୍ଗର ମୁକୁଟ ବିହୀନ ସମ୍ରାଟ, ଓଡିଆ ଜାତିର ଗର୍ବ, ଗୌରବ ଓ ସ୍ୱାଭିମାନର ପ୍ରତୀକ, ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ଜଣେ କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନାୟକ, ଶିଳ୍ପପତି, ନବ ଉତ୍କଳର ଅନ୍ୟତମ ନିର୍ମାତା ବିଜୁ ପଟ୍ଟନାୟକ। ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁରର ଆନନ୍ଦଭବନରେ ଜନ୍ମଗ୍ରହଣ କରିଥିଲ। ଓଡିଶା ରାଜନୀତିରେ ବିଜୁବାବୁ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଯେ କି ନବଉତ୍କଳର ବିନ୍ଧାଣୀ। ଯାହାର ନାମ ସ୍ମରଣ ମାତ୍ରେ ଆଖି ଆଗରେ ଝଲସିଉଠେ ସ୍ୱାଭିମାନର ସାହାସିକତାର ଶିଖର ଛୁଇଁଥିବା ଜଣେ ସ୍ୱାଭିମାନୀ, ପ୍ରଚଣ୍ଡ ଦେଶଭକ୍ତି ଓ ବିସ୍ମୟ ପୁରୁଷର ଛବି। ପଡିଆରେ ଭଲି, ଫୁଟବଲ, ପୋଲଭୋଲ୍ଟ ଖେଳଠାରୁ ଆରମ୍ଭ କରି ଆକାଶରେ ଦେଶବିଦେଶକୁ ଜାହାଜ ଉଡାଇବା ପର୍ଯ୍ୟନ୍ତ ସବୁଥିରେ ସେ ଥିଲେ ଜଣେ ସାହାସୀ ଓ ଧୂରନ୍ଧର ବ୍ୟକ୍ତି। ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱରେ ରହି ଦେଶ ସେବାରେ ନିଜ ଜୀବନକୁ ସମର୍ପିତ କରିବା ସହିତ ସାଧାରଣ ଜନତାଙ୍କ ଦୁଃଖ, ସୁଖର ସାଥି ହୋଇ ମଣିଷ ଭିତରେ ମଣିଷର ପରିଚୟ ସଂପର୍କର ସେତୁ ଗଢିଥିଲେ।

ଯୁବପୀଢିକୁ ସେ ସର୍ବଦା କହୁଥିଲେ ଗୋଲାମୀ ନକରି ସ୍ୱାଧୀନ ହୁଅ। ସବୁବେଳେ ନିଜ ଗୋଡରେ ନିଜେ ଛିଡା ହେବାକୁ ଚେଷ୍ଟା କର। କାହାର ଦୟାର ପାତ୍ର ହୁଅ ନାହିଁ। ଅନ୍ୟ ପାଖରେ ହାତ ପତାଅ ନାହିଁ। ଓଡିଆ ପୁଅର ବୀରତ୍ୱ ବଜାୟ ରଖ। ଓଡିଆର ସୁନାମ ରଖ। ଅଯଥାରେ ସମୟ ନଷ୍ଟ କରନାହିଁ। ଦେଶ କଥା ଭାବ, ଜାତି କଥା ଭାବ। ଦେଶ ପାଇଁ ରାଜ୍ୟ ପାଇଁ କାର୍ଯ୍ୟ କରିବା ପାଇଁ ଆଗେଇ ଆସ। ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ମାତା ଆଶାଲତା ଦେବୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ଥିବା ବିଜୁ ଜଣେ ଦେଶଭକ୍ତ ଓ ସଂଗ୍ରାମୀ ପୁରୁଷଭାବେ ପରିଗଣିତ ହେବ ତାହା ପିଲାଦିନର ସ୍ୱଭାବରୁ ଜଣା ପଡିଥିଲା। କଟକ ମିଶନ ସ୍କୁଲରୁ ପ୍ରାଥମିକ ଶିକ୍ଷା, ରେଭେନ୍ସା କଲଜିଏଟ ସ୍କୁଲରୁ ସ୍କୁଲ ଶିକ୍ଷା ଓ ପରେ ରେଭେନ୍ସା କଲେଜରେ ବିଜ୍ଞାନ ବିଭାଗରେ ବି.ଏ.ସି. ପାଠ ପଢାବେଳେ ସେ ପାଇଲଟ ଟ୍ରେନିଂ ପାଇଁ ଚାଲିଯାଇଥିଲେ।

କଟକର ମିଶନ ସ୍କୁଲରେ ପଢିବାବେଳେ ଗୋରା ସାହେବଙ୍କ ବିମାନରେ ହାତମାରି ବେତ୍ରାଘାତ ପାଇବା, ହାଇସ୍ଲୁଲ ପଢିବାବେଳେ ସ୍ୱରାଜ ଆଶ୍ରମକୁ ଆସିଥିବା ଗାନ୍ଧିଜୀଙ୍କ ଦର୍ଶନ ପାଇଁ ପଟୁଆର ଭେଦ କରି ଗାନ୍ଧିଜୀଙ୍କ ପାଖକୁ ଯିବା ଓ ସେଠାରେ ପୋଲିସର ଲାଠି ପ୍ରହାରରେ ମୁଣ୍ଡ ଫଟାଇବା, ଖରସ୍ରୋତା ନଦୀରେ ଗୋପବନ୍ଧୁଙ୍କ ଛତା ଖସିପଡିବାବେଳେ ଛାତ୍ର ବିଜୁ ଡଙ୍ଗାରୁ ଲମ୍ପ ପ୍ରଦାନ କରି ଗୋପବନ୍ଧୁଙ୍କ ଛତାକୁ ଉଦ୍ଧାର କରିବା, ଓ କଲେଜରେ ପଢିବାବେଳେ କଟକରୁ ପେଷାଓ୍ବାରକୁ ସାଇକେଲରେ ଦୁଃସାହସିକ ଯାତ୍ରା ଭଳି ଅନେକ କାର୍ଯ୍ୟ, ଅଦମ୍ୟ ସାହସ, ସେବା ମନୋଭାବ ଓ ଉଚ୍ଚ ଚିନ୍ତାଧାରା ଯୋଗୁଁ ପରବର୍ତ୍ତୀ କାଳରେ ଜଣେ ଦକ୍ଷ ପାଇଲଟ ହୋଇପାରିଥିଲେ। ଦେଶ ଯାର ପ୍ରାଣ, ସ୍ୱାଧିନତା ଯାର ପଣ, ସେ ବା କିପରି ମାତୃଭୂମିଠାରୁ ଦୂରରେ ରହିପାରିଥାନ୍ତେ?

ଭାରତ ଛାଡ଼ ଆନ୍ଦୋଳନର ବର୍ଷେ ୨ ବର୍ଷ ପୂର୍ବରୁ ଗାନ୍ଧିଜୀ ଓ ଜୟପ୍ରକାଶଙ୍କ ସହ ସାକ୍ଷାତ ଓ ତାଙ୍କ ପ୍ରେରଣା, ଅତ୍ୟାଚାରୀ ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ଲଢିବା ପାଇଁ ଖୋରାକ ଯୋଗାଇଥିଲା। ସ୍ୱାଧୀନତା ସଂଗ୍ରାମର ପ୍ରାରମ୍ଭରେ ଇଂରେଜ ସରକାରଙ୍କ ପାଇଲଟ୍ ଥାଇ ସୁଦ୍ଧା ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅରୁଣା ଆସଫ ଅଲ୍ଲୀ, ଅଚ୍ୟୁତ ପଟ୍ଟବର୍ଦ୍ଦନ ପ୍ରଭୃତି ଜାତୀୟ ବିପ୍ଲବୀ ନେତାମାନଙ୍କୁ ଗୁପ୍ତରେ ସଂଗ୍ରାମକୁ ବ୍ୟାପକ କରିବା ପାଇଁ ଉଡାଜାହାଜରେ ବସାଇ ବିଭିନ୍ନ ସ୍ଥାନରେ ଛାଡୁଥିଲେ। ୧୯୪୩ ମସିହା ଜାନୁଆରୀ ୧୩ ତାରିଖ ଦିନ ବ୍ରିଟିଶ ସରକାରଙ୍କ ବିରୋଧରେ କାର୍ଯ୍ୟ କରିଥିବାରୁ ହାତରେ କଡ଼ି, ଅଣ୍ଟାରେ ବେଡ଼ି ପକାଇ ଗିରଫ କରାଗଲା। ପ୍ରଥମେ ଦିଲ୍ଲୀ, ପରେ ଲାହୋର ଜେଲରେ ରଖାଯାଇ ଅକଥନୀୟ ଦଣ୍ଡ ଦିଆଯାଇଥିଲା।

ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ପଣ୍ଡିତ ନେହେରୁ ଓ ଅନ୍ୟାନ୍ୟ ଜାତୀୟ ନେତାମାନଙ୍କ ପ୍ରିୟପାତ୍ର ହୋଇ ଅନେକ ଦୁଃସାହସିକ ଦେଶପ୍ରେମ କାର୍ଯ୍ୟ କରିଥିଲେ। ଇଂରେଜଙ୍କ ଦୃଷ୍ଟିର ଆଢୁଆଳରେ ରହି ଲୁଚି ଲୁଚି ଗସ୍ତ କରିବାରେ ଓ ତାଙ୍କ ଗୁପ୍ତତଥ୍ୟ ଯୋଗାଇବାରେ ସେ ବିଶେଷ ସହଯୋଗ କରୁଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ବିଶ୍ୱର ଏକଛତ୍ରବାଦୀ ଶାସକ ଜର୍ମାନର ନାଜିସେନା ମୁଖ୍ୟ ହିଟଲରଙ୍କ ବିରୁଦ୍ଧରେ ଋଷ ସୈନ୍ୟମାନଙ୍କୁ ସାହାଯ୍ୟ କରି ଋଷର ମୁଖ୍ୟ ଷ୍ଟାଲିନଙ୍କ ସହ ସଂପର୍କ ରଖିଥିଲେ ଏବଂ ଋଷ ସରକାରଙ୍କଠାରୁ ପ୍ରଶଂସିତ ହୋଇଥିଲେ। ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମରେ ଯୋଗ ଦେଇ ପଣ୍ଡିତ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆର ତୁଙ୍ଗ ନେତା ଡଃ ମହମ୍ମଦ ହାଟ୍ଟା ଓ ସାହାରିୟାରଙ୍କୁ ଉଦ୍ଧାର କରି (ଡଚମାନଙ୍କ କବଳରୁ) ବିଶ୍ୱବାସୀଙ୍କୁ ଚକିତ କରିଥିଲେ।

ସ୍ୱାଧୀନତା ପରେ ଭାରତ ବିଭାଜନ (ଭାରତ ପାକିସ୍ଥାନ) ସମୟରେ କାଶ୍ମିରରେ ଭାରତୀୟ ସୈନ୍ୟମାନଙ୍କୁ ପହଞ୍ଚାଇ ପାକିସ୍ଥାନ କବଳରୁ କାଶ୍ମିରକୁ ରକ୍ଷା କରିବା, ପରେ ପୂର୍ବ ପାକିସ୍ଥାନ କବଳରୁ ଆସାମକୁ ଭାରତ ମାନଚିତ୍ରରେ ରଖାଇବାର ଗୁରୁଦାୟିତ୍ୱ ନେବା ପ୍ରଭୃତି କାର୍ଯ୍ୟରେ ସମଗ୍ର ଭାରତ ବର୍ଷରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟି ଯାଇଥିଲେ।

ରାଜନୀତିରେ ପଶି ୫୦ ବର୍ଷରୁ ଉର୍ଦ୍ଧ୍ୱକାଳ ବିଭିନ୍ନ ପଦ ପଦବୀରେ ଯଥା ୨ଥର ମୁଖ୍ୟମନ୍ତ୍ରୀ, ଅନେକବାର ବିଧାୟକ, ବିରୋଧି ଦଳ ନେତା, ଜରୁରୀକାଳୀନ ପରିସ୍ଥିତି ପରେ କେନ୍ଦ୍ରମନ୍ତ୍ରୀ, ଯୋଜନା ବୋର୍ଡ ଅଧ୍ୟକ୍ଷ, ଦେଶରକ୍ଷା କମିଟିର ଉପଦେଷ୍ଟା ରହି ଦେଶର ଘଡିସଂନ୍ଧି ମୁହୂର୍ତ୍ତରେ ଦେଶର ହିତ ପାଇଁ ଅନେକ ମୂଲ୍ୟବାନ ଉପଦେଶ ଦେଇଛନ୍ତି ଏବଂତାହା କାର୍ଯ୍ୟରେ ପରିଣତ କରିଛନ୍ତି।

ତାଙ୍କ ମନ୍ତ୍ରିମଣ୍ଡଳର ଶାସନ କାଳରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷିକ୍ଷେତ୍ରରେ ବିକାଶ ପାଇଁ ବହୁ ପ୍ରଗତିଶୀଳ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ କାର୍ଯ୍ୟକାରୀ କରାଯାଇଥିଲା। ସେଥିମଧ୍ୟରେ ପାରାଦ୍ୱୀପ ବନ୍ଦର, ପାରାଦ୍ୱୀପ ଏକ୍ସପ୍ରେସ୍ ହାଇୱେ, ବାଲିମେଳା ଜଳ ବିଦ୍ୟୁତ ଯୋଜନା, ସୁନାବେଡା ମିଗ୍ ବିମାନ କାରଖାନା, ବଡିବଲ ଲୁହା କାରଖାନା, ନାଲକୋ ଆଲମିନିୟମ ପ୍ରକଳ୍ପ, ସୈନିକ ସ୍କୁଲ, ରିଜିଓନାଲ କଲେଜ ଅଫ ଏଜୁକେଶନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ, ରାଉରକେଲା ଇଂଜିନିୟରିଂ କଲେଜ, ଓଡିଶା ଟେକ୍ସଟାଇଲ ମିଲ୍ସ (ଓ.ଟି.ଏମ) ପ୍ରତିଷ୍ଠା ପ୍ରଭୃତି ବିଜୁବାବୁଙ୍କ ଶାସନର ଉଲ୍ଲେଖନୀୟ ଅବଦାନ। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟ ଥିଲା ଓଡିଶା ପାଇଁ ଏକ ନିର୍ମାଣ ଯୁଗ। ସେହି ସମୟରେ ସେ ଓଡିଶାରେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ପ୍ରଚଳନ କରିଥିଲେ ଯାହାକି ବର୍ତ୍ତମାନ ପୁନଃ ପ୍ରଚଳିତ। ପ୍ରଶାସନିକ ସଂସ୍କାର ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲା ସଂଖ୍ୟା ୧୩ ରୁ ୩୦ କରିବା, ମହିଳାମାନଙ୍କ ପାଇଁ ଚାକିରୀରେ ଏକ ତୃତୀୟାଂଶ ପଦବୀ ସଂରକ୍ଷଣ ତଥା ପଂଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ରଖି ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲେ। ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଇ ବହୁ ମହିଳା ମହାବିଦ୍ୟାଳୟ, ବାଳିକା ବିଦ୍ୟାଳୟ, ମହିଳା ପ୍ରଶିକ୍ଷଣ ମହାବିଦ୍ୟାଳୟ, ମହିଳା ବିକାଶ ନିଗମ ପ୍ରତିଷ୍ଠା କରି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ମାର୍ଗ ଦେଖାଇଥିଲେ। ତାଙ୍କ ଶାସନ କାଳରେ “ଗାଁ କୁ କାମ, ମା କୁ ସମ୍ମାନ” ସହିତ, ଯୌତୁକ ପ୍ରଥାକୁ କଡାକଡି ଭାବରେ ବିରୋଧ କରି “ଶାଶୁ ହାତକଡି, ନଣନ୍ଦ ବେଡି” ଭଳି ସ୍ଲୋଗାନ ପ୍ରଚଳିତ ଥିଲା। ମାତୃଜାତିର ଉନ୍ନତି ପାଇଁ ମହିଳା ସମୃଦ୍ଧି ଯୋଜନା କାର୍ଯ୍ୟକାରୀ ସହିତ ମହିଳାମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିଲା। ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁନାମ ଅର୍ଜନ କରିଛି।

ଜଗନ୍ନାଥହିଁ ଥିଲେ ତାଙ୍କର ଆରାଧ୍ୟ ଦେବତା। ଜଗନ୍ନାଥ ମହାପ୍ରଭୁଙ୍କର ନାମ ନେଇ କଳିଙ୍ଗ ଭୂଇଁକୁ ବିଶ୍ୱରେ ପରିଚିତ କରାଇବାରେ ସେ ଥିଲେ ଅନ୍ୟତମ। ପୁର୍ବତନ ବାଚସ୍ପତି ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ସ୍ବର୍ଗତ ଶରତ କୁମାର କରଙ୍କ ଭାଷାରେ, “ବିଜୁ ବାବୁ ଏକାଧାରରେ ଗାନ୍ଧିଜୀଙ୍କ ପରି ଦରଦୀମାନବ, ସୁଭାଷଙ୍କ ପରି ଦୁଃସାହସୀ ଓ ନେହେରୁଙ୍କ ପରି ସ୍ପଷ୍ଟବାଦୀ ରାଷ୍ଟ୍ରନାୟକ ଥିଲେ।”

ସେ ଓଡିଶାର ବରପୁତ୍ର, ଇଣ୍ଡୋନେସିଆର ଭୂମିପୁତ୍ର ଏବଂ ଏକ ପ୍ରବାଦ ପୁରୁଷ। ତାଙ୍କର ଶାସନ ନୂଆ ଦର୍ଶନ ଆଧାରରେ ତାଙ୍କର ସ୍ୱପ୍ନର ଲକ୍ଷ୍ୟକୁ ସାକାର କରିବା ପାଇଁ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ଦେଶର ଅନନ୍ୟ ରାଜ୍ୟ। ଜୀବନର ତ୍ୟାଗପୂତ କର୍ତ୍ତବ୍ୟ, ଦୃଢ ମନୋବଳର ଅପୂର୍ବ ଅପରାଜୟ କୃତିତ୍ୱ ପାଇଁ ଏ ମାଟି ଆଜି ଧନ୍ୟ ହୋଇଯାଇଅଛି ଯେଉଁଥିପାଇଁ ତାଙ୍କୁ ଓଡିଆ ଜାତି କେବେହେଲେ ଭୁଲିପାରିବନି। ଏହି ମହାନ ବ୍ୟକ୍ତିଙ୍କର ତିରୋଧାନ ହୋଇଥିଲା ୧୭ ଅପ୍ରେଲ ୧୯୯୭ ମସିହାରେ। ତାଙ୍କର ମରଶରୀର ଓ ଅମର ଆତ୍ମା ସ୍ୱର୍ଗଦ୍ୱାରଠାରେ ଶ୍ରୀକ୍ଷେତ୍ରରେ ଇହଧାମରୁ ମୁକ୍ତି ନେଲେ ସତ କିନ୍ତୁ ଇତିହାସର ପୃଷ୍ଠାରେ ବିଜୁ ପଟ୍ଟନାୟକଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଗଲା।

Amulya Kumar Swain

Amulya Kumar Swain

Writer and Researcher

Related Posts

ସ୍ମୃତିରେ ଶରତ କୁମାର କର……
Tribute

ସ୍ମୃତିରେ ଶରତ କୁମାର କର……

by Nirvik Bureau
October 12, 2026

Read more
Remembering Sarat Kumar Kar……

Remembering Sarat Kumar Kar……

October 12, 2026
ଡକ୍ଟର ପ୍ରିୟ ରଞ୍ଜନଙ୍କ ପରଲୋକ

ଡକ୍ଟର ପ୍ରିୟ ରଞ୍ଜନଙ୍କ ପରଲୋକ

October 3, 2026
ପଦ୍ମଶ୍ରୀ ରଜତ କୁମାର କର – ଏକ ଅମଳିନ ପ୍ରତିଭା  (ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷରେ)

ପଦ୍ମଶ୍ରୀ ରଜତ କୁମାର କର – ଏକ ଅମଳିନ ପ୍ରତିଭା (ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷରେ)

May 8, 2026
ପ୍ରଫେସର ଧୁନ୍ ଖୁଣ୍ଟିଆଙ୍କ ପରଲୋକ

ପ୍ରଫେସର ଧୁନ୍ ଖୁଣ୍ଟିଆଙ୍କ ପରଲୋକ

March 7, 2026
Honoring a Life of Unwavering Integrity, Selfless Public Service, and Unconditional Love

Honoring a Life of Unwavering Integrity, Selfless Public Service, and Unconditional Love

August 5, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.