• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଲୋକ ବାଚସ୍ପତି
ଶରତ କୁମାର କର

ଲୋକ ବାଚସ୍ପତି ଶରତ କୁମାର କର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୪

ଶରତ କୁମାର କର ଅନେକ ଦୃଷ୍ଟିରୁ ଜଣେ ନିଆରା ମଣିଷ ଥିଲେ। ବହୁମୁଖୀ ପ୍ରତିଭାର ଅଧିକାରୀ ଶରତ ବାବୁ ଜଣେ ଲୋକପ୍ରିୟ ରାଜନେତା ଥିଲେ ବୋଲି ରାଜ୍ୟବାସୀ ଉଣା ଅଧିକେ ଜାଣନ୍ତି । ତେବେ ଅନ୍ୟାନ୍ୟ କ୍ଷେତ୍ରରେ ତାଙ୍କର ଅନନ୍ୟ ପ୍ରତିଭା ବା ଗୁଣାବଳୀ ସମ୍ପର୍କରେ ଅଦ୍ୟାବଧି ଉପଯୁକ୍ତ ମୂଲ୍ୟାୟନ ହୋଇପାରି ନାହିଁ । ସେଥିନେଇ ଏହି ସଂକ୍ଷିପ୍ତ ଆଲେଖ୍ୟରେ ଆଲୋଚନା କରିବା ମଧ୍ୟ ସମ୍ଭବ ନୁହେଁ । ତେବେ ସେଥିମଧ୍ୟରୁ କେବଳ ଗୋଟିଏ ବା ଦୁଇଟି ଗୁଣାବଳୀ ବିଷୟରେ ସ୍ମୃତି ଚାରଣ କରିବା ହେଉଛି ଏହି ଆଲେଖ୍ୟର ଉଦେଶ୍ୟ ।

ଭାରତବର୍ଷରେ ଅନେକ ବ୍ୟକ୍ତି ମର୍ଯ୍ୟାଦା ଜନକ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତି । କିନ୍ତୁ ଅବଦୁଲ କାଲାମଙ୍କୁ ଦେଶବାସୀ “ଲୋକଙ୍କ ରାଷ୍ଟ୍ରପତି” ବା “ଲୋକ-ରାଷ୍ଟ୍ରପତି” ଭାବେ ମନେ ରଖିଛନ୍ତି। କାରଣ ସାଧାରଣ ଲୋକଙ୍କ ପ୍ରତି ତାଙ୍କ ଆଚରଣ ବିଶେଷ କରି ସମାଜର ଦୁର୍ବଳବର୍ଗଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ ହିଁ କାଲାମଙ୍କୁ “ଲୋକ ରାଷ୍ଟ୍ରପତି” ସମ୍ମାନରେ ଅଭିଷିକ୍ତ କରି ପାରିଛି।

ଅନୁରୂପ ଭାବେ ଶରତ କୁମାର କର ମଧ୍ୟ ଓଡ଼ିଶାର “ଲୋକଙ୍କ ବାଚସ୍ପତି” ବା “ଲୋକ-ବାଚସ୍ପତି” ମର୍ଯ୍ୟାଦାର ଅଧିକାରୀ । ଓଡ଼ିଶା ବିଧାନସଭାର ବାଚସ୍ପତି ଥିବା ବେଳେ ତାଙ୍କର ଦରଦୀ ମନୋଭାବ ତଥା ଲୋକାଭିମୁଖୀ କାର୍ଯ୍ୟକଳାପ ହିଁ ଶରତ ବାବୁଙ୍କୁ ଏଭଳି ବିରଳ ସମ୍ମାନର ଗୌରବ ଆଣିଦେଇଛି।

ରାଜ୍ୟର ସର୍ବକନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବା ଶରତ କୁମାର କର ୨୦୦୦ ମସିହାରେ ଓଡ଼ିଶା ବିଧାନସଭାର ସମ୍ମାନଜନକ ବାଚସ୍ପତି ପଦରେ ଅଧିଷ୍ଠିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିର ସେହି ବିଧାନସଭାରେ ବିରୋଧି ଦଳ ଯଥେଷ୍ଟ ସଶକ୍ତ ବା ସୁଦୃଢ଼ ଥିଲା । କାରଣ ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ସେତେବେଳେ ଶାସକ ବି.ଜେ.ଡ଼ି. ଓ ବି.ଜେ.ପି. ମେଣ୍ଟର ୧୦୬ ଜଣ ବିଧାୟକ ଥିବାବେଳେ ବିରୋଧି ପକ୍ଷର ବିଧାୟକ ସଂଖ୍ୟା କଂଗ୍ରେସର ୨୬କୁ ମିଶାଇ ଥିଲା ମୋଟ ୪୧ । ଏତଦ୍ ଭିନ୍ନ ରାଜନୀତିରେ ନବାଗତ ନବୀନ ପଟ୍ଟନାୟକଙ୍କର ମଧ୍ୟ ସେତେବେଳେ ମୁଖ୍ୟମନ୍ତ୍ରୀତ୍ୱର ଆଦୌ କୌଣସି ଅଭିଜ୍ଞତା ନଥିଲା । ସେଭଳି ସଙ୍କଟ ଜନକ ପରିସ୍ଥିତିରେ ଶରତବାବୁଙ୍କୁ ବିଧାନସଭାର ବାଚସ୍ପତି ପଦବୀ ଭଳି ଗମ୍ଭୀର ଦାୟିତ୍ୱ ବହନ କରିବାକୁ ପଡିଥିଲା । ତେଣୁ ସ୍ୱାଭାବିକ ଭାବେ ବାଚସ୍ପତି ହିସାବରେ ସେ ସେତେବେଳେ ଅନେକ ଆହ୍ୱାନର ସମୁଖୀନ ହୋଇଥିଲେ। ତେବେ ସେହି ସମୟରେ ଶରତବାବୁ ଏଭଳି କେତେକ ପଦକ୍ଷେପ ଗ୍ରହଣ କରିଥିଲେ, ଯାହାକି ତାଙ୍କୁ ଜନସାଧାରଣଙ୍କ ନିକଟରେ ବେଶ୍ ପ୍ରିୟଭାଜନ କରିଥିଲା । ଟେଲିଭିଜନରେ ବିଧାନସଭା ବିବରଣୀର ସିଧା ପ୍ରସାରଣ ଏବଂ କାଳଜୟୀ ‘ବନ୍ଦେ ଉତ୍କଳ ଜନନୀ’ କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିବା ଲାଗି ସରକାରଙ୍କୁ ଏକାଧିକ ଥର ନିର୍ଦ୍ଦେଶ ଦେବା ଘଟଣା ସେହି ଜନାଭିମୁଖୀ ପଦକ୍ଷେପଗୁଡ଼ିକ ମଧ୍ୟରେ ଅନ୍ୟତମ ।.

ସେତେବେଳେ କେନ୍ଦ୍ରର ବାଜପେୟୀ ସରକାର ଟେଲିଭିଜନରେ ପାର୍ଲାମେଣ୍ଟ ବିବରଣୀର ସିଧା ପ୍ରସାରଣ ଲାଗି ପଦକ୍ଷେପ ନେଇଥିଲେ ଏବଂ ରାଜ୍ୟ ବିଧାନସଭାଗୁଡ଼ିକ ପାର୍ଲାମେଣ୍ଟର ସେହି ପଦାଙ୍କ ଅନୁସରଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ବିଭିନ୍ନ ରାଜ୍ୟର ବିଧାନସଭାଗୁଡ଼ିକ ସେଦିଗରେ କେତେକ ପଦକ୍ଷେପ ଗ୍ରହଣ କରିଥିଲେ । ତେବେ ଶରତ ବାବୁଙ୍କ ଆନ୍ତରିକ ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁଁ ଓଡ଼ିଶା ବିଧାନସଭାର ଏକ ଘଣ୍ଟା ବ୍ୟାପୀ ପ୍ରଶ୍ନକାଳର ସିଧା ପ୍ରସାରଣ ସମ୍ଭବ ହୋଇପାରିଥିଲା। ମାତ୍ର ପାର୍ଲାମେଣ୍ଟ ଭଳି ବିଧାନସଭାର ସମ୍ପୂର୍ଣ ବିବରଣୀର ସିଧା ପ୍ରସାରଣ(ଲାଇଭ୍-ଟେଲିକାଷ୍ଟ) ନହେବାର କାରଣ କଣ ? ଏବଂ କେବେ ସୁଦ୍ଧା ତାହା କରାଯିବ ବୋଲି ଜଣେ ଗଣମାଧ୍ୟମର ପ୍ରତିନିଧି ହିସାବରେ ମୁଁ ତାଙ୍କ ସାମ୍ନାରେ ପ୍ରଶ୍ନ ରଖିଥିଲି। ଉତ୍ତରରେ ଶରତ ବାବୁ ଦର୍ଶାଇଥିଲେ ଯେ, ବିଧାନସଭାର ଦିନବ୍ୟାପୀ ସମ୍ପୂର୍ଣ ବିବରଣୀ ପ୍ରସାରଣ ଲାଗି ଆଞ୍ଚଳିକ ଦୂରଦର୍ଶନ କେନ୍ଦ୍ରର ଆବଶ୍ୟକ ଭିତ୍ତିଭୂମି ନାହିଁ । ଅନ୍ୟପକ୍ଷରେ ସେଥି ନିମନ୍ତେ ରାଜ୍ୟ ସରକାରଙ୍କୁ ମଧ୍ୟ କିଛି ପରିମାଣର ବୋଝ ବହନ କରିବାକୁ ପଡ଼ିବ। ତେଣୁ ପ୍ରଥମ ପର୍ଯ୍ୟାୟରେ ବିଧାନସଭାର ଏକ ଘଣ୍ଟା ବ୍ୟାପୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆରମ୍ଭ ହେଉ। ପରବର୍ତ୍ତୀ ପର୍ଯ୍ୟାୟରେ ତା’ର ସମୟ ପରିବର୍ଦ୍ଧନ ଦିଗରେ ପଦକ୍ଷେପ ନିଆଯିବ ।.

ଏହାପରେ ଶରତବାବୁ ସଂସଦୀୟ ବିବରଣୀର ସିଧା ପ୍ରସାରଣର ଉପାଦେୟତା ସମ୍ପର୍କରେ ମୋ ସାମ୍ନାରେ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ତା’ପରେ ସେହି ସିଧା ପ୍ରସାରଣ ସଂପର୍କରେ ମୋର ମତାମତ ଜାଣିବାଲାଗି ଆଗ୍ରହ ପ୍ରକାଶ କରିଥିଲେ । ଉପାଦେୟତା ସଂପର୍କରେ ଉଲ୍ଲେଖ କରି ଶରତ ବାବୁ କହିଥିଲେ, ସଂସଦୀୟ ଗଣତନ୍ତ୍ର ହେଉଛି ସର୍ବୋକୃଷ୍ଟ ଶାସନ ବ୍ୟବସ୍ଥା । ତେଣୁ ପୃଥିବୀର ଅଧିକାଂଶ ରାଷ୍ଟ୍ର ଏହି ଶାସନ ବ୍ୟବସ୍ଥାକୁ ଆପଣେଇ ନେଇଛନ୍ତି । ଇଂଲଣ୍ଡ, ଆମେରିକା, ଅଷ୍ଟ୍ରେଲିଆ ପ୍ରଭୃତି ଦେଶ ବହୁ ଦଶନ୍ଧି ଧରି ପାର୍ଲାମେଣ୍ଟ ବିବରଣୀର ସମ୍ପୁର୍ଣ୍ଣ ସିଧା ପ୍ରସାରଣ କରି ଆସୁଛନ୍ତି । କାରଣ ସାଂସଦ ଓ ବିଧାୟକଙ୍କ ଭଳି ଜନ ପ୍ରତିନିଧିମାନେ ଜନତାଙ୍କ କଲ୍ୟାଣ ସକାଶେ କିଭଳି କାର୍ଯ୍ୟ ସଂପାଦନ କରୁଛନ୍ତି, ତାହା ଗଣତନ୍ତ୍ରର ମାଲିକ ଭୋଟରମାନେ ନିହାତି ଜାଣିବା ଦରକାର । ସେଥିପାଇଁ ଟେଲିଭିଜନରେ ପାର୍ଲାମେଣ୍ଟ ଓ ବିଧାନସଭା ବିବରଣୀର ସିଧା ପ୍ରସାରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ମୁଁ କଣ’ ପାଇଁ ବିଧାନସଭାର ସଂପୂର୍ଣ୍ଣ ବିବରଣୀ ଟେଲିଭିଜନରେ ସିଧାପ୍ରସାରିତ ହେଉ ଚାହୁଁଛି ବୋଲି ସେ ଜିଜ୍ଞାସା କରିଥିଲେ । ମୋର ମନେ ପଡୁଛି, ମୁଁ କହିଥିଲି ପ୍ରତିଦିନ ବିଧାନସଭା ଚାଲିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ଯେଉଁଥିରେ ଗରିବ ଟିକସଦାତାଙ୍କ ଅର୍ଥରାଶି ମଧ୍ୟ ସାମିଲ ଅଛି । ତେଣୁ ସେହି ଅର୍ଥରାଶିର ସଦୁପଯୋଗ ହେବା ନିହାତି ଆବଶ୍ୟକ । ଏହି ବ୍ୟବସ୍ଥା ଦ୍ୱାରା ବିଧାନସଭାରେ ବିଧାୟକମାନଙ୍କ କାଯ୍ୟକଳାପର ଯଥାର୍ଥ ମୂଲ୍ୟାୟନ ମଧ୍ୟ ସାଧାରଣ ଲୋକ କରିପାରିବେ । ଫଳରେ ଗୃହରେ ସଭ୍ୟମାନଙ୍କ ବିଶୃଙ୍ଖଳିତ ଆଚରଣ ଉପରେ ମଧ୍ୟ ଯଥାର୍ଥ ରୋକ ଲଗା ଯାଇପାରିବ ।

ମୋର ଏଭଳି ରୋକ୍ ଠୋକ୍ ମତାମତକୁ ଶରତ ବାବୁ ଗ୍ରହଣ କରିଥିଲେ । ସିଧାପ୍ରସାରଣ ଅନେକ ପରିମାଣରେ ଗୃହର ବିଶୃଙ୍ଖଳାକୁ ହ୍ରାସ କରିପାରିବ ବୋଲି ସେ ସମ୍ମତ ହୋଇଥିଲେ । ଶରତ ବାବୁଙ୍କ ବାଚସ୍ପତିତ୍ବ ସମୟରୁ ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନ କାଳର ସିଧାପ୍ରସାରଣ ଆଜି ମଧ୍ୟ ଅବ୍ୟାହତ ଅଛି । ତେବେ ବିଭିନ୍ନ କାରଣରୁ ତା’ର କଳେବରରେ ସାମାନ୍ୟତମ ପରିବର୍ଦ୍ଧନ ହୋଇପାରିନାହିଁ । ଅର୍ଥାତ ପ୍ରଶ୍ନ କାଳ ବ୍ୟତିରେକେ ଅଧିକ ସମୟ ବିବରଣୀର ସିଧାପ୍ରସାରଣ କରାଯାଉନାହିଁ । ମାତ୍ର ଏହି କ୍ରାନ୍ତିକାରୀ ପଦକ୍ଷପ ହିଁ ଆଜି ଓଡ଼ିଶା ବିଧାନସଭାକୁ ରାଜ୍ୟବାସୀଙ୍କ ନିକଟରେ ଅଧିକ ଆଦରଣୀୟ ଓ ଗ୍ରହଣୀୟ କରିପାରିଛି । ଯେଉଁଥି ପାଇଁ ଶରତବାବୁ “ଲୋକ ବାଚସ୍ପତି” ଭାବରେ ପରିଚିତ ହୋଇପାରିଛନ୍ତି ।

ସେହିପରି କାନ୍ତକବିଙ୍କ ରଚିତ କାଳଜୟୀ ଦେଶାତ୍ମବୋଧକ ସଂଗୀତ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଂଗୀତର ମାନ୍ୟତା ଦେବାଲାଗି ବାଚସ୍ପତି ହିସାବରେ ଶରତ ବାବୁଙ୍କର ସରକାର ଉପରେ ଚାପ ମଧ୍ୟ ତାଙ୍କର ଅନ୍ୟତମ ଐତିହାସିକ ପଦକ୍ଷପ ଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରଭାବଶାଳୀ ଅବଦାନ ରଖିଥିବା ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବାପାଇଁ ସେତେବେଳେ ଦଳମତ ନିର୍ବିଶେଷରେ ଦୃଢ଼ମତ ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଶରତ ବାବୁ ସେତେବେଳେ ସରକାରଙ୍କୁ ଏ ଦିଗରେ ତୁରନ୍ତ ବିହିତ ପଦକ୍ଷପ ନେବାଲାଗି ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ । ଏ ଦିଗରେ ପ୍ରଶାସନିକ ଉଦାସୀନତାକୁ ଲକ୍ଷ୍ୟ କରି ସେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ଏବଂ ଉକ୍ତ କମିଟି ରାଜ୍ୟ ସଂଗୀତ ମାନ୍ୟତା ସଂପର୍କିତ ସମସ୍ତ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରିଥିଲା । ସେତେବେଳେ ଶରତ ବାବୁଙ୍କର ଏହି ନିଷ୍ପତ୍ତି ତାଙ୍କୁ ରାଜ୍ୟବାସୀଙ୍କ ନିକଟରେ ଯଥେଷ୍ଟ ଲୋକପ୍ରିୟ କରିଥିଲା । ତେଣୁ ଶରତ ବାବୁ ଯଥାର୍ଥରେ ଓଡ଼ିଶାର “ଲୋକଙ୍କ ବାଚସ୍ପତି” ବୋଲି କୁହାଯାଇପାରେ । ଶରତ ବାବୁଙ୍କ ଶ୍ରାଦ୍ଧ ଦିବସରେ ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.