ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୨ ଅକ୍ଟୋବର ୨୦୨୬
ଶରତ କର ଓ ଅନିମା କର ଫାଉଣ୍ଡେସନର ବନ୍ତଳା (ମାହାଙ୍ଗା) ସ୍ଥିତ କୃଷି ଉତ୍କର୍ଷ କେନ୍ଦ୍ର ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ସଂସ୍ଥାର ଅଧ୍ୟକ୍ଷ ତଥା ପ୍ରାକ୍ତନ ଆୟକର କମିଶନର ଶ୍ରୀ ଶୋଭନ କର ଙ୍କ ଦ୍ଵାରା ଉଦ୍ ଘାଟିତ ହୋଇ ଯାଇଛି । ଜୟନ୍ତୀ ଉପଲକ୍ଷେ ଗାନ୍ଧିଜୀ ଏବଂ ଶସ୍ତ୍ରିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ତଥା ଧୂପ ଦୀପାର୍ଘ୍ୟ ସହିତ ଜାତିର ଜନକ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା ।

ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ ବରିଷ୍ଠ ପ୍ରଶାସକ ଶ୍ରୀ ଅଶୋକ କୁମାର ଦାଶ ଏବଂ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଲୋକାୟୁକ୍ତ କାର୍ଯ୍ୟାଳୟର ପ୍ରାକ୍ତନ ଅନୁସନ୍ଧାନ ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପ୍ରଧାନ ଯୋଗ ଦେଇ ଥିବାବେଳେ ଫାଉଣ୍ଡେସନ ପ୍ରତିଷ୍ଠାତା ଶ୍ରୀ ଶୋଭନ କର ଅଧ୍ୟକ୍ଷତା କରିଥିଲେ । ଗ୍ରାମ୍ୟାଭିମୁଖି ଗାନ୍ଧିଜୀଙ୍କ ବିଚାର ଧାରା ରେ ଅନୁପ୍ରାଣିତ ହୋଇ ବାସ୍ତବବାଦୀ ଯୋଜନା ସବୁର ସଫଳ ରୂପାୟନ ପାଇଁ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସଲିଡ଼ାରିଡ଼ାଡ୍” ସହିତ ମିଶି ଶରତ କର ଓ ଅନିମା କର ଫାଉଣ୍ଡେସନ ଉଦ୍ୟମରତ ଥିବା ଜାଣି ଅତିଥି ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ ।

ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସହଯୋଗ ରେ ଡାକ୍ତର ଚିନ୍ମୟ ରଞ୍ଜନ ସ୍ବାଇଁ ଙ୍କ ତତ୍ତ୍ଵାବଧାନରେ ଫାଉଣ୍ଡେସନ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ରକ୍ତଦାତା ରକ୍ତଦାନ କରିଥିଲେ । “ନିର୍ଭୀକ” ପତ୍ରିକା ସମ୍ପାଦକ ତଥା ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଅତିଥି ପରିଚୟ ତଥା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ସଂସ୍ଥା ର ପ୍ରକଳ୍ପ ପରିଚାଳକ ଶ୍ରୀ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ । ସଲିଡ଼ାରିଡ଼ାଡ୍ ତଥା ଶରତ କର ଓ ଅନିମା କରଫାଉଣ୍ଡେସନ ଙ୍କ ମିଳିତ ଉଦ୍ୟମରେ ହେଉଥିବା ବିଭିନ୍ନ ଜନ ସେବା କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ପୁସ୍ତିକା ସମେତ ମାହାଙ୍ଗା ଅଞ୍ଚଳର ତିନି ସାରସ୍ଵତ ସାହିତ୍ୟ ସ୍ରଷ୍ଟା ସର୍ବଶ୍ରୀ ରାମ ଚନ୍ଦ୍ର ଶତପଥୀ, ଅଶୋକ କୁମାର ଖଟୁଆ ଓ ଶ୍ରୀ ଧନେଶ୍ଵର ପ୍ରଧାନ ଙ୍କ ଲିଖିତ ନବ ପ୍ରକାଶିତ ପୁସ୍ତକ ତ୍ରୟ ଯଥାକ୍ରମେ “ଜୀବନ ଖୋଲା ପୃଷ୍ଠା”, “ସନ୍ଥ ଅବଧୂତ ଅରକ୍ଷିତ” ଏବଂ “ସଂଗ୍ରାମୀ ଗଣ ସାହିତ୍ୟିକ ରାମ ପ୍ରସାଦ ସିଂହ” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।
ପୁନଶ୍ଚ ସାମାଜିକ ସେବା ଓ ସମର୍ପଣ ଭାବରେ ପ୍ରତିବଦ୍ଧ ମାହାଙ୍ଗା ଅଞ୍ଚଳର ତିନିଜଣ ବିଶିଷ୍ଟ ପ୍ରତିଭା ସର୍ବଶ୍ରୀ ସଭାପତି ଖାଡେଙ୍ଗା, ଦାଶରଥୀ ସ୍ବାଇଁ ଓ ନଗେନ୍ଦ୍ର ନାଥଙ୍କୁ ସଂସ୍ଥା ପକ୍ଷରୁ ସଭା ମଞ୍ଚରେ ଆନୁଷ୍ଠାନିକ ଭାବେ ସମ୍ୱର୍ଦ୍ଧିତ କରାଯାଇଥିଲା । କୃଷି ଉତ୍କର୍ଷ କେନ୍ଦ୍ରର କର୍ମରତ ସ୍ବେଚ୍ଛାସେବୀ ବୃନ୍ଦ ଜୟନ୍ତୀ ଉତ୍ସବ ତଥା ରକ୍ତଦାନ ଶିବିର ସମେତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗିତା କରିଥିଲେ ।
ଶେଷରେ ଫାଉଣ୍ଡେସନ ର କୃଷି ସଂଯୋଜକ ଶ୍ରୀ ଶୁଭେନ୍ଦୁ କୁମାର ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ ଉତ୍ସବରେ ମାହାଙ୍ଗା ତଥା ନିଶ୍ଚିନ୍ତକୋଇଲି ଅଞ୍ଚଳର ଶତାଧିକ ଗାନ୍ଧିବାଦୀ, ଗ୍ରାମ୍ୟ ମୂରବୀ, କୃଷିଜୀବି, ସାହିତ୍ୟ – ସଂସ୍କୃତି ପ୍ରେମୀ ଜନସାଧାରଣ ଯୋଗ ଦେଇ ଥିଲେ ।






