• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିକଶିତ ଭାରତ ଗଠନରେ ପ୍ରବାସୀ

ବିକଶିତ ଭାରତ ଗଠନରେ ପ୍ରବାସୀ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଜାନୁଆରୀ ୨୦୨୫

ଅଷ୍ଟାଦଶ ବା ଅଠର ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗରୀରେ ଅନୁଷ୍ଠିତ ହେଉଛି। ଓଡ଼ିଶାରେ ପ୍ରଥମ ଥର ଲାଗି ଏହି ସମ୍ମିଳନୀ ଆୟୋଜିତ ହେଉଥିବାରୁ ସ୍ୱାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ଗଭୀର ଉତ୍ସାହ ପ୍ରକାଶ ପାଇଛି।

ପ୍ରତ୍ୟେକ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଚର୍ଚ୍ଚା ପାଇଁ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ସ୍ଥିରୀକୃତ ହୋଇଥାଏ। ତଦନୁସାରେ ଏଥରର ସମ୍ମିଳନୀ ପାଇଁ ମଧ୍ୟ ବିଷୟବସ୍ତୁ ନିରୂପଣ କରାଯାଇଛି। “ବିକଶିତ ଭାରତ ଗଠନ ସଂକଳ୍ପରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ” ହେଉଛି ଅଷ୍ଟଦଶ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଆଲୋଚନା ଲାଗି ଧାର୍ଯ୍ୟ ହୋଇଥିବା ବିଷୟବସ୍ତୁ। ବିଷୟବସ୍ତୁର ନାମକରଣରୁ ହିଁ ଜଣାପଡ଼େଯେ, ବିକଶିତ ଭାରତବର୍ଷ ଗଠନ ଲାଗି ଦରିଆପାରି ଭାରତୀୟଙ୍କ ଭାଗିଦାରିତା ଉପରେ କେନ୍ଦ୍ର ସରକାର କେତେ ଅଧିକ ପରିମାଣରେ ଗୁରୁତ୍ୱ ଦେଉଛନ୍ତି।

ପ୍ରବାସୀ ଭାରତୀୟ ସଂପ୍ରଦାୟ ସହିତ କେନ୍ଦ୍ର ସରକାରଙ୍କ ସଂପର୍କ ସୁଦୃଢ଼ କରିବା, ସେମାନଙ୍କୁ ତାଙ୍କର ସାଂସ୍କୃତିକ ମୂଳ ଭିତ୍ତି ସାଂଗରେ ପୁନଃସଂଯୁକ୍ତ କରିବା ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ। ଅପରପକ୍ଷେ ଦରିଆପାରି ଭାରତୀୟଙ୍କ ମାଧ୍ୟମରେ ବିଶ୍ଵ ଦରବାରରେ ଆମ ଦେଶର ଛବି ବା ଭାବମୂର୍ତ୍ତି ପରିବର୍ଦ୍ଧିତ କରିବା ଏବଂ ବିକଶିତ ଭାରତ ଗଠନରେ ସେମାନଙ୍କ ସହଭାଗିତାକୁ ସୁନିଶ୍ଚିତ କରିବା ମଧ୍ୟ ଏହି ସମ୍ମିଳନୀର ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ।

୨୦୦୩ ମସିହା ଠାରୁ ଜାନୁଆରୀ ୯ ତାରିଖକୁ “ପ୍ରବାସୀ ଭାରତୀୟ ଦିବସ” ରୂପେ ପାଳନ କରାଯାଉଛି। ତେବେ କୋଭିଡ ମହାମାରୀରେ ସମଗ୍ର ପୃଥିବୀ ପ୍ରଭାବିତ ହୋଇଥିବା ଯୋଗୁଁ ସେତେବେଳେ ଏହି କାର୍ଯ୍ୟକ୍ରମ ସ୍ଥଗିତ ରଖା ଯାଇଥିଲା। ୨୦୨୧ ମସିହା ଜାନୁଆରୀ ୯ ତାରିଖରେ “ଭରଚୁଆଲ” ମାଧ୍ୟମରେ ପ୍ରବାସୀ ଭାରତୀୟ ଦିବସ ପ୍ରତୀକାତ୍ମକ ଭାବେ ପାଳନ କରାଯାଇଥିବାବେଳେ ଗତ ବର୍ଷ ଅର୍ଥାତ୍ ୨୦୨୩ ମସିହା ଜାନୁଆରୀ ୯ ତାରିଖ ଦିନ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିବା ଇନ୍ଦୋର ପ୍ରବାସୀ ଭାରତୀୟ ଦିବସରେ ଚର୍ଚ୍ଚାର ବିଷୟବସ୍ତୁ ଥିଲା – “ପ୍ରବାସୀ : ଅମୃତ କାଳରେ ଭାରତର ପ୍ରଗତି ପାଇଁ ନିର୍ଭରଯୋଗ୍ୟ ସହଭାଗୀ ବା ଅଂଶୀଦାର।”

ଭୁବନେଶ୍ୱରର ତିନି ଦିନ ବ୍ୟାପୀ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ଏହି ସମ୍ମିଳନୀର ପ୍ରଥମ ଦିବସ ଅର୍ଥାତ୍ ଜାନୁଆରୀ ଆଠ ତାରିଖକୁ “ଯୁବ ପ୍ରବାସୀ ଭାରତୀୟ ଦିବସ” ଭାବରେ ପାଳନ ନିମନ୍ତେ ସ୍ଥିରୀକୃତ ହୋଇଛି। ଅବଶିଷ୍ଟ ଦୁଇ ଦିନରେ ପାଞ୍ଚୋଟି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ପ୍ଲେନାରି-ସେସନ ବା ସଂପୂର୍ଣ୍ଣ ଅଧିବେଶନରେ ସବିଶେଷ ଆଲୋଚନା ହେବ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ବ୍ୟକ୍ତିବେଶେଷ ଓ ଅନୁଷ୍ଠାନମାନଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯିବ।

“ପ୍ଲେନାରି ସେସନ”ରେ ଆଲୋଚିତ ହେବାକୁ ଥିବା ପାଞ୍ଚୋଟି ମହତ୍ୱପୂର୍ଣ୍ଣ ବିଷୟବସ୍ତୁ ଗୁଡ଼ିକ ହେଉଛି – (୧) ସୀମା ପାର : ଜଗତୀକରଣ ପୃଥିବୀରେ ପ୍ରବାସୀ ଯୁବ ନେତୃତ୍ୱ, (୨) ସେତୁ ନିର୍ମାଣ, ପ୍ରତିବନ୍ଧକ ଭଂଗ : ପ୍ରବାସୀ ଦକ୍ଷ ଲୋକଙ୍କ କାହାଣୀ, (୩) ସବୁଜ ସଂଯୋଗ : ସମର୍ଥନୀୟ ବିକାଶ ପାଇଁ ପ୍ରବାସୀଙ୍କ ଅବଦାନ, (୪) ପ୍ରବାସୀ ଦିବସ : ମହିଳାମାନଙ୍କ ନେତୃତ୍ୱ ଓ ପ୍ରଭାବ – ନାରୀଶକ୍ତି ପାଳନ, (୫) ପ୍ରବାସୀଙ୍କ ମତ ବିନିମୟ : ସଂସ୍କୃତି, ସଂଯୋଗ, ଆନନ୍ଦ ଅନୁଭବପ୍ରଦ ସୁରକ୍ଷିତ ସଂପର୍କ ସମ୍ବନ୍ଧୀୟ କାହାଣୀ।

ସେହିପରି ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୩୦ ଜଣ ଦରିଆପାରି ବ୍ୟକ୍ତିବିଶେଷଙ୍କୁ “ପ୍ରବାସୀ ଭାରତୀୟ ସମ୍ମାନ” ପୁରସ୍କାର ପ୍ରଦାନ କରାଯିବ। “ପ୍ରବାସୀ ଭାରତୀୟ ସମ୍ମାନ” ପୁରସ୍କାର ହେଉଛି ଭାରତୀୟ ବଂଶୋଦ୍ଭବ ପ୍ରବାସୀମାନଙ୍କ ଲାଗି ଦେଶର ସର୍ବୋଚ୍ଚ ସମ୍ମାନ। ଭାରତର ବିକାଶ ଧାରାକୁ କ୍ଷିପ୍ରତର କରିବାରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଦେଶର ରାଷ୍ଟ୍ରପତି ହିଁ ଏହି ସମ୍ମାନ ପ୍ରଦାନ କରିବେ।

୧୯୧୫ ମସିହା ଜାନୁଆରୀ ୯ ତାରିଖ ଦିନ ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ। ତେଣୁ ସେହି ଦିବସକୁ ମନେ ରଖିବା ପାଇଁ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୦୩ ମସିହା ଜାନୁଆରୀ ୯ ତାରିଖକୁ ପ୍ରଥମେ “ପ୍ରବାସୀ ଭାରତୀୟ ଦିବସ” ରୂପେ ପାଳନ କରାଯାଇଥିଲା। ୨୦୦୩ ଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ “ପ୍ରବାସୀ ଭାରତୀୟ ଦିବସ” ବାର୍ଷିକ କାର୍ଯ୍ୟକ୍ରମ ହିସାବରେ ପରିପାଳନ କରାଯାଇଥିଲା। ତା’ ପରେ ଏହା ଦ୍ବି-ବାର୍ଷିକ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରାଯାଇଛି।

ଭାରତ ଓ ପ୍ରବାସୀ ବା ଦରିଆପାରି ଭାରତୀୟ ମାନଙ୍କ ସଂଯୋଗକୁ ଦୃଢ଼ୀଭୁତ କରିବା ଏବଂ ବାଣିଜ୍ୟ, ସଂସ୍କୃତି, ପ୍ରଯୁକ୍ତିବିଦ୍ୟା, ନବସୃଜନ ଆଦି କ୍ଷେତ୍ରରେ ଦରିଆପାରି ଭାରତୀୟ ମାନଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକାର କରିବା ଲକ୍ଷ୍ୟରେ ଏହି ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ସମୟକ୍ରମେ ଏହା ଏକ ବିଶାଳ ମଞ୍ଚରେ ପରିଣତ ହୋଇଛି, ଯେଉଁଠି ଭାରତର ଅଭିବୃଦ୍ଧି ଯାତ୍ରାରେ ପ୍ରବାସୀମାନଙ୍କୁ ସାମିଲ କରିବା ସଂପର୍କିତ ଚର୍ଚ୍ଚା, ସହାୟତା ଓ ନୀତି ସୁପାରିଶ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମମାନ ସଂପାଦିତ ହେଉଛି।

ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ “ପ୍ରବାସୀ ଭାରତୀୟ ଦିବସ” ପାଳନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ସହାୟତା କରୁଛନ୍ତି। ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପୃଥିବୀର ବିଭିନ୍ନ ଦେଶରେ ବସବାସ କରୁଥିବା ଅନେକ ପ୍ରବାସୀ ଭାରତୀୟ ଭୁବନେଶ୍ୱର ଆସୁଛନ୍ତି। ଭାରତର ବିକାଶର ଗତିକୁ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ସହିତ ଓଡ଼ିଶାର ଅଭିବୃଦ୍ଧି ହାର ପରିବର୍ଦ୍ଧନରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।

ଭାରତ ହେଉଛି ପୃଥିବୀର ଏପରି ଏକ ଦେଶ ଯେଉଁଠାରୁ ପ୍ରତିବର୍ଷ ସର୍ବାଧିକ ସଂଖ୍ୟକ ଲୋକ ଅନ୍ୟ ଦେଶକୁ ଚାଲି ଯାଉଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼େ ପ୍ରତ୍ୟେକ ବର୍ଷ ୨ ଦଶମିକ ୫ ନିୟୁତ ବା ୨୫ ଲକ୍ଷ ଭାରତୀୟ ଦେଶ ଛାଡ଼ି ବିଦେଶ ଗମନ କରୁଛନ୍ତି। ଗତ ନଭେମ୍ବର ମାସ ସୁଦ୍ଧା ପୃଥିବୀର ବିଭିନ୍ନ ଦେଶରେ ୩୫ ଦଶମିକ ୪୨ ନିୟୁତ ପ୍ରବାସୀ ବସବାସ କରୁଛନ୍ତି। ପ୍ରବାସୀ ଭାରତୀୟମାନେ ଏତେ ଅଧିକ ସଂଖ୍ୟାରେ ଅଛନ୍ତି ଯେ, ଏପରିକି ସେମାନେ ବସବାସ କରୁଥିବା ଦେଶର ଅର୍ଥନୀତି, ସାମାଜିକ ନୀତି ଓ ରାଜନୀତିକୁ ମଧ୍ୟ ବହୁଳ ଭାବରେ ପ୍ରଭାବିତ କରୁଛନ୍ତି। ସେମାନଙ୍କ ମଧ୍ୟରେ ଗୁଗୁଲ କମ୍ପାନୀର ନେତୃତ୍ୱ ନେଉଥିବା ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ କମ୍ପାନୀକୁ ଦିଗ୍ ଦର୍ଶନ ଦେଉଥିବା ସତ୍ୟ ନାଦେଲାଙ୍କ ଭଳି କ୍ଷମତାଶାଳୀ ବ୍ୟକ୍ତି ବ୍ୟବସାୟର ନେତୃତ୍ୱ ନେଉଛନ୍ତି।

ପ୍ରବାସୀ ଭାରତୀୟମାନେ ଅଧିକ ସଂଖ୍ୟାରେ ବସବାସ କରୁଥିବା ପୃଥିବୀର ୧୨ ଦେଶ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଇଉନାଇଟେଡ଼ ଆରବ ଏମିରେଟସ, ମାଲେସିଆ, କାନାଡ଼ା, ସାଉଦି ଆରବିଆ, ମ୍ୟାମାର, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, କୁଏତ୍, ଅଷ୍ଟ୍ରେଲିଆ, ମରିଶସ ରହିଛି।

ଯୁକ୍ତରାଷ୍ଟ୍ର ଆମେରିକାରେ ୫ ଦଶମିକ ୪ ନିୟୁତ ପ୍ରବାସୀ ଭାରତୀୟ ଅବସ୍ଥାନ କରୁଥିବା ବେଳେ ଇଉନାଇଟେଡ଼ ଏମିରେଟସରେ ୩.୯, ମାଲେସିଆରେ ୨.୯, କାନାଡ଼ାରେ ୨.୯, ସାଉଦି ଆରବିଆରେ ୨.୫, ମ୍ୟାମାରରେ ୨.୦, ଇଂଲଣ୍ଡ ୧.୯, ଦକ୍ଷିଣ ଆଫ୍ରିକାରେ ୧.୭, ଶ୍ରୀଲଙ୍କାରେ ୧.୬ ନିୟୁତ ଦେଶାନ୍ତରୀ ଭାରତୀୟ ବସବାସ କରୁଛନ୍ତି।

ମଧ୍ୟ ପ୍ରାଚ୍ୟର ଇଉନାଇଟେଡ଼ ଏମିରେଟସ, ସାଉଦି ଅରବିଆ ଓ କୁଏତ ଭଳି ଦେଶକୁ ବିପୁଳ ସଂଖ୍ୟକ ଭାରତୀୟ ଶ୍ରମିକ ଦେଶାନ୍ତର ହେଉଛନ୍ତି। ପ୍ରବାସୀ ଭାରତୀୟମାନେ ଆମ ଦେଶରେ ଅବସ୍ଥାନ କରୁଥିବା ସେମାନଙ୍କ ଆତ୍ମୀୟସ୍ୱଜନ ଓ ବନ୍ଧୁବାନ୍ଧବଙ୍କ ନିକଟକୁ ଅର୍ଥରାଶି ପଠାଉଥିବାରୁ ଭାରତୀୟ ଅର୍ଥନୀତି ଯଥେଷ୍ଟ ପରିମାଣରେ ସମୃଦ୍ଧ ହେଉଛି। ଗତ ୨୦୨୩ ମସିହାରେ ପ୍ରବାସୀ ଭାରତୀୟମାନେ ଆମ ଦେଶରେ ବସବାସ କରୁଥିବା ସେମାନଙ୍କ ଜ୍ଞାତିକୁଟୁମ୍ବଙ୍କ ନିକଟକୁ ରେକର୍ଡ ପରିମାଣ ୧୦୦ ବିଲିୟନ ଆମେରିକୀୟ ଡ଼ଲାର ମୂଲ୍ୟର ଅର୍ଥରାଶି ପ୍ରେରଣ କରିଥିବା ଜଣାପଡ଼ିଛି।

ଏଭଳି ପୃଷ୍ଠଭୂମିରେ ଭୁବନେଶ୍ୱରରେ ଆୟୋଜିତ ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ରାଜନୈତିକ, ଅର୍ଥନୈତିକ, ସାମାଜିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱ ବହନ କରେ ବୋଲି ବିଚାର କରାଯାଉଛି।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.