ଆଲୋକ କୁମାର ପ୍ରଧାନ, ପୁରୀ, ୫ ମଇ ୨୦୨୫
ମାଣେ ବିହନକୁ ଭରଣେ ଭରଷା ଆଗତକୁ ଭୋତୁଆଣି
ଅଖିମୁଠି ଧରି ଅନୁକୂଳ କଲେ ବିରାଜିବେ ସାଆନ୍ତାଣୀ
ନିଅଣ୍ଟ ପେଟରୁ କଟା ବିହନରେ ହସିବ ବାସିବ ଖେତ
ସେ ଖେତ ପିନ୍ଧିବ ସୁନାରଙ୍ଗ ଶାଢ଼ୀ ଶୀତରେ ଗାଇବ ଗୀତ
ଅଛିଆଁ ଚାଳଟା ଛପର ହୋଇବ ଖଳାରେ ପଡ଼ିବ ଚିତା
ଅମାରରେ ଧାନ ଓଳିଆରେ ବିରି ବାଆକୁ ହୋଇବେ ବତା
ମୂଳ ପଛେ ଥାଉ ସୁଧ ସୁଜିହେବ ଫସଲ ହେଲେ ଉଠିଆ
ଆର ବରଷକୁ ଆଉ ଚାରିଗୁଣ୍ଠେ ହିଡ଼ରେ ଲଦି ବାଟିଆ
ସୁଖ ସବାରୀରେ ସପନ ଆସେକି ଉଜୁଡ଼ା ଖେତର ଦେହେ
ଯେଉଁ କିଆରୀର ଫଟା କରମରେ କନିଶିରି ନ ଉଧାଏ
ଗଜାରୁ ବତୁରା ମରୁଡ଼ିରେ ଘେରା ଗର୍ଭରୁ ଫଟାଏ ବାଆ
ଚଷା ତ ନିଲଠା କରମ ନିଲଠା ଭାଗ୍ୟ କି କରଇ ଆହା
ଉଜୁଡ଼ା ଖେତରେ ନଟିଛଡା ଗୁଡ଼ି ଏକା ଭାଗ୍ୟ ନେଇ ଉଡ଼େ
ଖେତ ପୁରେନି କି ଆକାଶ ମିଳେନି କରମ ଯେଉଁଠି ପୋଡ଼େ।।