ଆଲୋକ କୁମାର ପ୍ରଧାନ, ପୁରୀ, ୨୬ ମଇ ୨୦୨୫
ଦି’ଆଙ୍ଗୁଳ ମାୟା ସରଗ ଯାଚଇ ହାତେଇ ପାରିଲେ ହେଲା
ଦି’ପରସ୍ତ ସର ପାଣିରେ ପଡ଼ଇ ପକେଇ ଜାଣିଲେ ଗଲା
ଦି’ପାହୁଣ୍ଡ ବାଟେ ଯୋଜନେ ଦୂରତା ଦେଖେଇବ ଯଦି ଦେଖ
ସଜମାଛେ ପୋକ ଲୁଣପାଖେ ଯୋକ ସଜେଇବା ଯଦି ଶିଖ
ପ୍ରଣୟ ଦେହରେ ପ୍ରତାରଣା ରଙ୍ଗ ମେଲେଇ ବସିଲେ କାୟା
କିଏ ତାକୁ କୁହେ ଆକସ୍ମିକ ବୋଲି କିଏ ତାକୁ କୁହେ ମାୟା
ଚମକି ଚାହିଁଲେ ଚାରିଭାଙ୍ଗ ହୁଏ ନ ଚାହିଁଲେ ପଡ଼େ ଡେଇଁ
ଦରପଣ ଦେହେ ସତ ଲେଖୁଥାଅ କର ଆଡେଇଲେ ନାଇଁ
ଆଖି ଉଠେଇଲେ ପାଖରେ ଥାଏ ସେ ଆଖି ପକେଇଲେ ଯାଏ
ସବୁ ଆଗତକୁ ନସର ପସର ଛୁଇଁବାକୁ ଉଣ୍ଡୁଥାଏ
ଠକିବା ଠିକିବା ଠାରିଦେଇ ଯିବା ଟୋକ ପରି ଟାକିଥାଏ
ସହଜେ ଛାଡେକି ଯେତେ ଛଡେଇଲେ ଛୁଇଁଦେଲେ ମନ ମୋହେ
ମାୟାର କବରୀ ଖାଲି ମନୋହରୀ ବାଛୁଥିଲେ ବାଛୁଥିବ
ମାୟା ପ୍ରେମେ ବାୟା ଫେରିବା ବାଟକୁ ଫେରି କରି ଫେରୁଥିବ।।