ଆଲୋକ କୁମାର ପ୍ରଧାନ, ପୁରୀ, ୩ ଜୁନ୍ ୨୦୨୫
ଖନ୍ଦରୁ ଖାଉନ୍ଦ ମନ୍ଦୁ ମକରନ୍ଦ ଏକୁ ଏକାକାର କରି
ଏକାକ୍ଷରି ମନ୍ତ୍ରେ ଶୁଆଏ ସଭିଙ୍କୁ ଏକାଢୋକକରେ ଧରି
ଆଖି ଉପକୂଳ ଛୁଇଁଦେଲେ ଥରେ କେଉଁ ଅଣଚାଶ ରୋକେ
ଏମୁଣ୍ଡ ଛୁଆଁରେ ସେ ମୁଣ୍ଡ ଚିହିଁକେ ନିଦ ଭାଙ୍ଗେ ଗୋଟେ ଡାକେ
ଯେତିକି ବୁଝେ ସେ ସେତିକି ବୁଝେନି ହସ ତାର ଅମାନିଆ
ବିରହ ବୁଝେନା ବ୍ୟଥା ବି ବୁଝେନା ସଭିଙ୍କୁ ଡାକେ ସେ ଆ
ଆ ବୋଲି କହି ଆଁ ମେଲି ଦେଇ ସାଉଁଳେଇ ଦେଇ ଗିଳେ
ଫରକ୍ ରେ ତା’ର କିବା ଆସେ ଯାଏ ଯେଉଁଠି ଯେମିତି ଚଳେ
କା’ରେ ଫେରାଏନି ଯାହାଠୁ ନିଏ ସେ ପାଉଁଶ ତଳେ ବି ଥାଏ
ତାହାଠୁ ଆରମ୍ଭ ତା’ଠାରେ ଶେଷର ସୀମା ଟାଣି ଜଗିଥାଏ
ତା ଅବସୋସ ର ଖରାବେଳେ କିଏ ଉଇଁଛି କି ମେଘ ହୋଇ
ନିଆଁ ନଥାଇ କି ଧୂଆଁ ଟିଏ ହୋଇ ଅଛି ଧୂଆଁଳିଆ ହୋଇ
କାୟା ମେଲେଇଲେ ଆୟତ୍ତ ହୁଏନି ସବୁ ସରିବାର ରାହା
ଯେତେ ଲିଭେଇଲେ ସହଜେ ଲିଭେ କି ପାଉଁଶ ତଳର ନିଆଁ।।