ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩ ଜୁନ୍ ୨୦୨୫
ତୁମେ ଏକ ସୁବିଶାଳ ସୀମାହୀନ ସିନ୍ଧୁ,
ନିଃସଙ୍ଗ ପଥିକ ମୁହିଁ ଏଠି ଖୋଜେ ବନ୍ଧୁ ।।୧।।
ତାରାଭରା ଆକାଶରେ ତୁମେ ପୂର୍ଣ୍ଣ ଇନ୍ଦୁ,
ଘାସ ଗାଲିଚାରେ ପରା ମୁଁ ଶିଶିର ବିନ୍ଦୁ ।।୨।।
ବନ୍ୟା, ବାତ୍ୟା, ଭୂମିକମ୍ପ ତୁମରି ବିସ୍ମୟ,
ଆଜିବି ଅଭେଦ୍ୟ ତା’ର ରହସ୍ୟ ବଳୟ ।।୩।।
ଅନ୍ୟାୟ, ଅନିତି ବନ୍ୟା ଯାଉଅଛି ବହି,
ତୁମେ କିଁଆ ନୀରବରେ ତାକୁ ଯାଅ ସହି ।।୪।।
ଧନ, ମାନ, କ୍ଷମତାରେ ଉନ୍ମତ୍ତ ମଣିଷ,
ଏସବୁ ମିଳଇ ଥିଲେ ତୁମରି ଆଶୀଷ ।।୫।।
ଅହମିକା ଲୁଟି ନେଇ କରିଦିଅ ନିଃସ୍ଵ,
ତୁମ ଆଶୀଷେ ଦେଖାଅ ଏ ସୁନ୍ଦର ବିଶ୍ଵ ।।୬।।
ଅତଳ ସାଗରେ ଭଙ୍ଗା ନାଆଟିକୁ ବାହି,
ଥଳକୂଳ ଖୋଜୁଛି ମୁଁ ଦିଗ ଦିଶୁ ନାହିଁ ।।୭।।
ସକଳ ଶକ୍ତିର ଉତ୍ସ ଆହେ ମହାବାହୁ,
ତୁମ ନାମ ଜପି ଏ ଜୀବନ ବିତିଯାଉ ।।୮।।