ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୩ ଜୁନ୍ ୨୦୨୫
ଭୁବନେଶ୍ୱର ଯିବା ଆସିବା କରିବାର ଅର୍ଦ୍ଧଶତାବ୍ଦୀ ହୋଇଗଲାଣି। ୧୯୭୨ରେ ମୁଁ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଥିଲି। ସେତେବେଳେ ମୁଁ ସପ୍ତମ ଶ୍ରେଣୀ ସାରିଥାଏ। ସେତେବେଳର ଭୁବନେଶ୍ଵର ଥିଲା ଗୋଟିଏ ସବୁଜ ଅରଣ୍ୟ, ସେଠି ଥାଏ ଅନେକ ଛୋଟବଡ଼ ମନ୍ଦିର। କକେଇଙ୍କ ଦ୍ଵିତୀୟ ପୁଅ କୁନମୁନ ଜନ୍ମ ହୋଇଥାଏ। ଖୁଡ଼ୀ ଥାଆନ୍ତି ଅଜାଙ୍କ ଭୁବନେଶ୍ଵର କ୍ୱାର୍ଟସରେ। ମୋ ବଡ଼ଭଉଣୀ, ମାଆ, ବଡ଼କକେଇ ଓ ମୁଁ ପ୍ରଥମ ଥର ଲାଗି ଭୁବନେଶ୍ୱର ଆସିଥିଲୁ। ତା ଆଗରୁ ଭୁବନେଶ୍ୱର ଦେଇ କେତେଥର ରାଉରକେଲା ଯାଇଥିଲି, ତେବେ, ଭୁବନେଶ୍ୱର ଆସିବା ମୋ ଲାଗି ସେଇ ଥିଲା ପ୍ରଥମ।
ନବମ କି ଦଶମ ଶ୍ରେଣୀରେ ମୋର ସୁମନ୍ତ ମିଶ୍ର ସହ ବନ୍ଧୁତା ହେଲା। ସୁମନ୍ତ ପଢୁଥିଲା ବିଶ୍ୱମ୍ବର ବିଦ୍ୟାପୀଠରେ। ସେ ଥିଲା ପ୍ରଖ୍ୟାତ ପ୍ରକାଶକ ମହେନ୍ଦ୍ର ମିଶ୍ରଙ୍କ ପୁଅ। ଆମ ଦୁହିଙ୍କ ଜଣେ ଅନ୍ତରଙ୍ଗ ସାଙ୍ଗ ଥିଲା ପୂର୍ଶଚନ୍ଦ୍ର ପଣ୍ଡା। ସଂସ୍କୃତରେ ତାର ଦଖଲ ଥିଲା ଆମଠୁଁ ଅଧିକ। ଆମେ ଦୁହେଁ ତା ପାଖକୁ ସଂସ୍କୃତ ଅଧିକ ପଢ଼ିବାକୁ ଆସୁଥିଲୁ।
ସୁମନ୍ତ ପାଖକୁ ମୁଁ ଦଶମ ଶ୍ରେଣୀ ପରୀକ୍ଷା ପରେ ପ୍ରଥମେ ଭୁବନେଶ୍ଵର ଖରାଛୁଟିରେ ଗଲି। ଏକାଦଶ ପରୀକ୍ଷା ପରେ ସୁମନ୍ତ ଭୁବନେଶ୍ଵର ଫେରିଗଲା। ପୁରୀରେ ତାର ରହଣି ଥିଲା ଭଲ ପାଠ ପଡ଼ିବା ପାଇଁ। ବିଜେବି ହାଇସ୍କୁଲରେ ପଢିବାକୁ ସେ ଭୁବନେଶ୍ଵର ଫେରିଆସିଲା।
ଏକାଦଶ ପରୀକ୍ଷା ପର ଖରାଛୁଟିରେ ମୁଁ ସୁମନ୍ତ ପାଖକୁ ଭୁବନେଶ୍ଵର ଗଲି। ତାକୁ ମଉସା ଦେଇଥାନ୍ତି ଗୋଟେ ଲୁନା ମୋପେଡ଼। ସେଇ ଲୁନାରେ ଆମେ ପୂରା ଭୁବନେଶ୍ଵର ଘୂରି ବୁଲିଲୁ। ସ୍ଵରାଜ୍ୟ ଖବରକାଗଜର ଅଫିସ୍ ସେତେବେଳେ ଥାଏ କେଦାର ଗୌରୀ ପାଖରେ। ମୋ କବିତା, ଗପ, ପ୍ରବନ୍ଧ ସେତେବେଳେ ସ୍ଵରାଜ୍ୟରେ ଛପିଲାଣି।
୧୯୯୦ ରେ ମୁଁ ଏନ୍.ବି.ଟି.ରେ ଯୋଗଦେଲା ପରେ ଭୁବନେଶ୍ଵର ଆସି ସୁମନ୍ତ ଓ ମଉସାଙ୍କ ସହ ଦେଖା ହେଲି। ସୁମନ୍ତ ସେତେବେଳକୁ ଅର୍ଦ୍ଧପାଗଳ। ସେ ହିଁ ଦିନେ ମୋତେ ଦେଖାଇଥିଲା ଭୁବନେଶ୍ୱର ଓ ତାର ରାସ୍ତାଘାଟ। ଧୀରେ ଧୀରେ ସୁମନ୍ତର ପାଗଳାମୀ ବଢିଚାଲିଲା। ବାଙ୍ଗାଲୋର୍ର ଏକ ପାଗଳଖାନାକୁ ତାକୁ ନିଆହେଲା। ସେଠି ରହି ସିଏ ପ୍ରାୟ ଭଲ ହେଇଯାଇଥିଲା। ଭୁବନେଶ୍ୱର ଫେରିବା ପରେ ସେ ଦିଲ୍ଲୀରେ ମୋ ପାଖେ ରହିବ ବୋଲି ମଉସା ମୋ ସହ କଥା ହୋଇଥିଲେ, ମୁଁ ବି ରାଜି ହୋଇଥିଲି। ମଉସାଙ୍କ ସାନଭାଇ ସୁରେନ୍ଦ୍ର ମିଶ୍ର ସେତେବେଳେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଦିଲ୍ଲୀରେ। ଥରେ ସେ ସୁମନ୍ତକୁ ଦିଲ୍ଲୀ ନେଲଆସିଲେ। ତାଙ୍କ ସରକାରୀ କ୍ୱାର୍ଟଏରୁ ସୁମନ୍ତ ଦିନେ ବାହାରିଗଲା ଯେ ଆଉ ଫେରିଲାନି।
ଅନୁଭୂତିର ଆକାଶ ସାରା
ଅନନୁଭୂତ ସମାନ୍ତର ଛାଇ
ନିଃଶବ୍ଦ ଶବ୍ଦ ଆତ୍ମାର ସହର ସାରା
ଫାଙ୍କା ଡାକବାକ୍ସ ଓ ବିଷର୍ଣ୍ଣ ଗଛମାନଙ୍କରେ
ଫୁଲର ଦୁର୍ଭିକ୍ଷ
ଅଜସ୍ର ନୀଳ ନିର୍ଜନ ନିରବତାର ନଈରେ
ସ୍ରୋତଟିଏ, ସୁମନ୍ତ ନାଆଁର
ସୁମନ୍ତର ଦିନରାତି, ସୁମନ୍ତର ସ୍ମୃତିରେ ସକାଳ
ପବନର ସଂଗୀତରେ ସୁମନ୍ତ ସ୍ମୃତିର
ଲୁଚକାଳି ଖେଳ
ସୁମନ୍ତର ହସଟିଏ ଅପେକ୍ଷାରେ
ପ୍ରତ୍ୟୟ ମହାସମୁଦ୍ର ପ୍ରତି ମୁହୂର୍ତ୍ତରେ ଏବେ
ଲଂଘିଯାଏ କୂଳ
କ୍ୟାନ୍ସର ରୋଗାକ୍ରାନ୍ତ ସଂପ୍ରିତି
ଉଦାସ ଆଜିକାଲି ସୁମନ୍ତ ସ୍ମୃତିରେ
ଅଥଚ ସୁମନ୍ତ ଗୋଟେ ବାସ୍ନାମୟ ଫୁଲ
ଶୂନ୍ୟରୁ ଖସିଆସେ
ହୋଇଯାଏ ଅଦୃଶ୍ୟ ଶୂନ୍ୟରେ!!