ଆଲୋକ କୁମାର ପ୍ରଧାନ, ପୁରୀ, ୧୫ ସେପ୍ଟେମ୍ବର ୨୦୨୫
ବେଳ ଏବେ ରତରତ ଖରା ରଙ୍ଗ ଗେରୁଆ ହେଲାଣି
ଆଖିର ଖୁଆଡ ଡେଇଁ ଅନ୍ଧାର ତା ରଞ୍ଜା ପୋତିଲାଣି
କିଛି ସ୍ବପ୍ନ ରାତି ପରି ଫେରିଲାଣି ଫରୁଆ ଆଡ଼କୁ
ଯେଉଁଠି ସଞ୍ଜଟେ ଖାଲି ଆଉ କିଛି ନିଏନା ଦିହକୁ
ପାଛୁଡା ଅଗାଡ଼ି ସାଥେ ଖଇଚଡା ପାତିଲାଣି ପାଦ
ଭେଟିବାକୁ ଚଷୁ ଦେହେ ଭୋକ ସାଙ୍ଗେ ଭେକର ଗାରଦ
ତାରାଥାଉ ଜହ୍ନ ଥାଉ ମେଘ ଥାଉ କୁହୁଡ଼ି ବି ଥାଉ
ସଞ୍ଜଟେ ତା ସଞ୍ଜପଣେ ଏକା ଏକା ତା’ବାଟରେ ଯାଉ
ଏପାଖରେ ଦିନ ପରି ସେ ପାଖରେ ରାତିର ବାସ୍ନାରେ
ବିଭୋର ହୁଏ କି ସଞ୍ଜ ବାଟହୁଡି ଯାଇଛି କି ଥରେ ?
ସକାଳରୁ ସଞ୍ଜ ପୁଣି ସଞ୍ଜ ଠାରୁ ସକାଳ ଦୁରତା
କାହିଁକି ପୋଷାମନାଏ ତା ଭିତରେ ଦୀର୍ଘ ନୀରବତା?
ଚୁପ କିନା ଆସୁ ପଛେ ଚୁପ କିନା ଗଲେ ପଛେ ଯାଉ
ଦିନ ଆଉ ରାତି ପାଇଁ ସଞ୍ଜ ଯମା ଅଛୁଆଁ ନହେଉ।।