ଆଲୋକ କୁମାର ପ୍ରଧାନ, ପୁରୀ, ୨୭ ଅକ୍ଟୋବର ୨୦୨୫
ପ୍ରିୟତମ ପ୍ରାପ୍ତି ବୋଲି କହିବିନି ଅପ୍ରାପ୍ତିର ସୀମାରେ ମୁଁ ଧାଏଁ
ପ୍ରିୟତମ ତୃପ୍ତି ବୋଲି ଭାବିବିନି ଅତୃପ୍ତି ମୋ ଭାଗ୍ୟରୁ ସୋରାଏ
ପ୍ରିୟତମ ନିଦକୋଳେ ନିଦ କାହିଁ ଅନିଦ୍ରା ମୋ କପାଳରେ ଲେଖା
ପ୍ରିୟତମ ବେଗ ନେଇ ଧାଇଁବି କି ଆବେଗକୁ କରି ଅଣଦେଖା!
ପ୍ରିୟତମ ବାଟ ବୋଲି ବରିବିକି ସେଦିନର ପାଦଚଲା ବାଟ
ପ୍ରିୟତମ କଣ୍ଟା ପାଇଁ କରିବି କି ଅକାରଣେ ପାଦକୁ ଆକଟ
ପ୍ରିୟତମ ଶୂନ ପାଇଁ ପାଦ କାଢ଼ି ଏକା ଏକା ନିଶୂନ ରାତିରେ
ପ୍ରିୟତମ ଦହନରେ ଜଳିବିକି ଖୁବ୍ ଗୋଟେ ଜଳିବା ନିଶାରେ
ପ୍ରିୟତମ ଢଙ୍ଗରେ କି ଢାଙ୍କିଦେଇ ଇଡିଦେବି ଢ଼ିଲା ସମୟକୁ
ପ୍ରିୟତମ ବାଛନ୍ଦରେ ବାନ୍ଧିଦେଇ ଭୁଲି ଯିବି ଛେଉଣ୍ଡ ଇଛାଙ୍କୁ
ପ୍ରିୟତମ ଲୁହବୁନ୍ଦେ ଢାଳି ଦେଇ ପ୍ରେମ ଆଉ ପାଣିପାଗ ପରି
ପ୍ରିୟତମ ନିଃଶ୍ବାସକୁ ବିଶ୍ବାସ ପିନ୍ଧେଇଦେବି ମନ ଆଣ୍ଟ କରି
ପ୍ରିୟତମ ସମୟଟା ଫେରନ୍ତା କି ସବୁତକ ପ୍ରିୟ ରଙ୍ଗ ନେଇ
ପ୍ରିୟତମ ଇଛାମାନେ ନ ଫେରନ୍ତେ ଖାଲିଟାରେ ମୁହଁକୁ ଶୁଖେଇ।।






