• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଚଉଧୁରୀ ହେମକାନ୍ତ ମିଶ୍ର (ଭାଗ ୫୫)

ଚଉଧୁରୀ ହେମକାନ୍ତ ମିଶ୍ର (ଭାଗ ୫୫)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୩ ଡିସେମ୍ବର ୨୦୨୫

ଚଉଧୁରୀ ହେମକାନ୍ତ ମିଶ୍ର ଥିଲେ ମୋର ବଂଧୁ, ମାର୍ଗଦର୍ଶକ ଓ ଗୁରୁତୁଲ୍ୟ।

୧୯୭୯ ମସିହା। ଗଳ୍ପଝର ସେତେବେଳେ ଓଡ଼ିଶାର ପ୍ରମୁଖ ଗଳ୍ପ ପତ୍ରିକା। ମୋର ଗଳ୍ପଟିଏ ପୂଜା ସଂଖ୍ୟାରେ ପ୍ରକାଶିତ ହୁଏ। ସେଥର ପୂଜା ସଂଖ୍ୟାରେ ଥିଲେ ମନୋଜ ଦାସ, ଚଉଧୁରୀ ହେମକାନ୍ତ ମିଶ୍ର, ଶାନ୍ତନୁ କୁମାର ଆଚାର୍ଯ୍ୟ, ମହାପାତ୍ର ନୀଳମଣି ସାହୁଙ୍କ ସମେତ ପ୍ରାୟ ଚାଳିଶ ଜଣ ଗାଳ୍ପିକ। ସବୁଠୁ କନିଷ୍ଠ ଥିଲି ମୁଁ।

ଚଉଧୁରୀ ହେମକାନ୍ତଙ୍କ ‘ନବ୍ୟ ହଟ୍‌ ହଟ୍‌ ୟୋଗ୍ୟା’ ସେ ସଂଖ୍ୟାରେ ପ୍ରକାଶିତ ହୋଇଥାଏ। ମତେ ଗଜ୍ପଟି ମୁଗ୍‌ଧ କଲା। ଚିଠିଟିଏ ପୋଷ୍ଟକାର୍ଡରେ ଲେଖିଲି। ସେ ସେତେବେଳେ ଏନ୍‌.ସି.ଇ.ଆର୍‌.ଟି.ରେ ପ୍ରଫେସର ଥାଆନ୍ତି। ସପ୍ତାହକ ପରେ ଉତ୍ତର ପାଇଲି। ସେ ମୋ ଗଳ୍ପର ପ୍ରଶଂସା କରି ମୋତେ “ମାନନୀୟେଷୁ’ ଲେଖି ଚିଠିଟିଏ ଦେଇଥିଲେ। ସମ୍ଭବତଃ ସେତେବେଳେ ସେ ମୋ ବୟସ ଜାଣିନଥିଲେ। ତା’ ପରେ ଆମର ଥରେ ଦି ଥର ପତ୍ର ବିନିମୟ ହେଲା।

୧୯୮୫ ମସିହା, ମୁଁ ସେତେବେଳେ ଉମରକୋଟରେ ସ୍କୁଲ ଶିକ୍ଷକ। ଏନ୍‌.ସି.ଇ.ଆର୍‌.ଟି.ର ପ୍ରୋଜେକ୍ଟ ଗବେଷଣା ସହକାରୀ ପଦର ବିଜ୍ଞାପନ ବାହାରିଲା। ସେତେବେଳେ ଗବେଷଣା ସହକାରୀମାନଙ୍କୁ ସେଠି ଫିଲ୍‌ଡ଼ ଇନ୍‌ଭେଷ୍ଟିଗେଟର କୁହାଯାଉଥିଲା। ଭୁବନେଶ୍ଵରରେ ପୋଷ୍ଟିଂ ଥାଏ। ମୋର ଝିଅ ଜନ୍ମ ହୋଇନଥାଏ। ସ୍ତ୍ରୀ ଆସନ୍ନ ପ୍ରସବା। ଆବେଦନ କଲି। ଦିଲ୍ଲୀରେ ସାକ୍ଷାତକାର ହେଲା। ମୁଁ ସେ ପଦ ପାଇଗଲି। ରାଜ୍ୟ ସରକାରୀ ଗକିରୀରୁ ପ୍ରୋଜେକ୍ଟ ପଦରେ ଯାଇ ହେବ କି ନା, ମୁଁ ଜାଣିନଥାଏ । ବି.ଇଡ଼ି. କରିବା ବାଧ୍ୟତାମୂଳକ ଚାକିରିର ସାତବର୍ଷ ଭିତରେ। ବର୍ଷକ ପାଇଁ ଛୁଟି ନେଲି। ଦିଲ୍ଲୀରେ ଯାଇ ଯୋଗଦେବା କଥା। ହେଲେ, ମୁଁ ଭୁବନେଶ୍ଵରରେ ଏସ୍‌.ସି.ଇ.ଆର୍‌.ଟି.ର ଇଟି ସେଲ୍‌ରେ ଯୋଗ ଦେଇଦେଲି। ଜଗନ୍ନାଥ ମହାନ୍ତି ଥାଆନ୍ତି ଇଟି ସେଲ୍‌ର ମୁଖ୍ୟ। ସେ ମୋ ଜଏନିଂ ରିପୋର୍ଟଟି ଏନ୍‌.ସି.ଇ.ଆର୍‌.ଟି. ପଠାଇଦେଲେ। ସପ୍ତାହକ ପରେ ତାହା ଆସିଲା। ଲେଖିଥିଲେ ଜଗଦୀଶ ସିଂହ।

ନିୟମ ଅନୁସାରେ ଦିଲ୍ଲୀରେ ଯୋଗଦେବା କଥା। ସେମାନେ ତାକୁ ଭୁଲ୍‌ ବୋଲି ନକହି ଗ୍ରହଣ କଲେ ଓ ମତେ ଅଭିମୁଖୀକରଣ ପାଇଁ ଦିଲ୍ଲୀ ଡାକିଲେ। ମୋ ପ୍ରୋଜେକ୍ଟଟି ଥାଏ ଏନ୍‌.ସି.ଇ.ଆର୍‌.ଟି.ର ଶିକ୍ଷା, ଦୂରଦର୍ଶନ, ସହଭାଗ ସି.ଆଇ.ଇ.ଟି.ରେ। ତା ଅଧୀନରେ ଭାରତର ଛଅଟି ରାଜ୍ୟରେ ଗଢ଼ି ଉଠୁଥାଏ ଇଟିଭି ଷ୍ଟୁଡିଓ, ଓଡ଼ିଶା ତା ଭିତରୁ ଗୋଟିଏ।

ଚଉଧୁରୀ ହେମକାନ୍ତ ମିଶ୍ର ସେତେବେଳେ ଏନ୍‌.ସି.ଇ.ଆର୍‌.ଟି.ର ଅନ୍ୟ ଏକ ବିଭାଗର ପ୍ରଫେସର ଥାଆନ୍ତି। ମୁଁ ଦିଲ୍ଲୀ ଯାଇ ଜଗଦୀଶ ସିଂହଙ୍କୁ ଦେଖାକଲି। ସେ ମତେ ଚଉଧୁରୀ ହେମକାନ୍ତଙ୍କ ବିଭାଗ ଠିକଣା ଦେଲେ। ମୁଁ ଯାଇ ତାଙ୍କୁ ଦେଖାକଲି।

“ଓଃ, ତୁମେ ତାହାହେଲେ ମାନସ ରଞ୍ଜନ ମହାପାତ୍ର। ମୁଁ ତୁମକୁ ବୟସ୍କ ବୋଲି ଭାବିଥିଲି। ହେଲେ, ତୁମେ ତ ତରୁଣ” ଚଉଧୁରୀ ହେମକାନ୍ତ ମିଶ୍ର କହିଲେ। ତାଙ୍କ ପୂର୍ବପୁରୁଷ ଥିଲେ ଭେଡ଼ାର ଜମିଦାର। ଜମିଦାରୀ ଠାଣି ବି ତାଙ୍କ ପାଖେ କିଛି କିଛି ଥିଲା।

ମୁଁ ସେଥର ସାତଦିନ ତାଲିମ ପାଇଁ ରହିଲି। ତାଲିମ କହିଲେ କିଛି ନାହିଁ। ଶିକ୍ଷା ଦୂରଦର୍ଶନ କାର୍ଯ୍ୟକ୍ରମ ଦେଖ ଓ ମତାମତ ଦିଅ। ଲାଇବ୍ରେରୀରେ ପଢ଼, କ୍ୟାଣ୍ଟିନରେ ଗପସପ କର, ନୂଆ ନୂଆ ବଂଧୁତା କର। ମୋ ତଳ ବ୍ୟାଚର କାର୍ତ୍ତିକ ଚନ୍ଦ୍ର ଦଳାଇ ବି ସେହି କାମରେ ସେଇଠି ଥିଲେ।

ଜଗଦୀଶ ସିଂହ ପ୍ରଥମେ କୃଷି ବିଭାଗରେ ଥିଲେ। ଦୂରଦର୍ଶନର କୃଷିଦର୍ଶନ କାର୍ଯ୍ୟକ୍ରମର ସେ ଥିଲେ ଜନ୍ମଦାତା। ଏନ୍‌.ସି.ଇ.ଆର୍‌.ଟି. ଆସିବା ପରେ ଚଉଧୁରୀ ହେମକାନ୍ତଙ୍କ ପରି ପ୍ରଫେସରମାନେ ତାଙ୍କୁ ପାସଙ୍ଗରେ ପକାଉନଥଲେ। ଚଉଧୁରୀ ହେମକାନ୍ତ ମିଶ୍ର କେବେ କେବେ ମଜାରେ କହୁଥିଲେ, “ସେ ପୟାଁଜୀ ତୁମକୁ ଦୂରଦର୍ଶନ ବୁଝାଉଛି ନା ଉନ୍ନତ କୃଷି ପ୍ରଣାଳୀ ଶିଖାଉଛି?” ଚଉଧୁରୀ ହେମକାନ୍ତ ମିଶ୍ର ଥିଲେ ସେତେବେଳର ଅନ୍ୟତମ ପ୍ରମୁଖ ବ୍ୟଙ୍ଗ ଲେଖକ!

ସପ୍ତାହକ ପରେ ମୁଁ ଭୁବନେଶ୍ଵର ଫେରିଆସିଲି। ଚଉଧୁରୀ ହେମକାନ୍ତ ମିଶ୍ରଙ୍କ ସହ ସେ ଥିଲା ସଂପର୍କର ଆରମ୍ଭ। ବର୍ଷେ ବିତିଗଲା। ପ୍ରୋଜେକ୍ଟ ସରିନଥାଏ। ନିୟମିତ ପଦ ପାଇଁ ବିଜ୍ଞାପନ ବାହାରିଲା। ମୁଁ ଆବେଦନ କଲି। ମାସକ ପରେ ସାକ୍ଷାତକାର ହେଲା। ସେ ସାକ୍ଷାତକାର ବୋର୍ଡ଼ରେ ଚଉଧୁରୀ ହେମକାନ୍ତ ଥିଲେ ଅନ୍ୟତମ ସଦସ୍ୟ। ବୋର୍ଡ଼ର ଅଧ୍ୟକ୍ଷ ଥିଲେ ମନମୋହନ ଚୌଧୁରୀ। କଥା ପ୍ରସଙ୍ଗରେ ସାକ୍ଷାତକାର ସମୟରେ ମୋର ଲେଖାଲେଖି କରିବା କଥା ଚଉଧୁରୀ ହେମକାନ୍ତ ମନମୋହନ ଚୌଧୁରୀଙ୍କୁ କହିଲେ।

ବି.ଏଡ଼୍‌. ପରୀକ୍ଷା ସରିବା ପରେ ମୁଁ ପ୍ରୋଜେକ୍ଟ ଚାକିରି ଛାଡ଼ି ମୋର ମୂଳ ଚାକିରିକୁ ଉମରକୋଟ ଫେରିଗଲି। ମାସକ ପରେ ସ୍ଥାନୀୟ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ବଦଳି ହେଲା। କୋରାପୁଟ ସେତେବେଳେ ବିଶାଳ ଜିଲ୍ଲା। ମୁଁ ଥିଲି ସେ ଜିଲ୍ଲାର ତରୁଣତମ ପ୍ରଧାନଶିକ୍ଷକ।

ଉମରକୋଟରେ ଏହି ନୂଆ ଦାୟିତ୍ଵ ମୋ ପାଇଁ ଥିଲା ଦୁଃସାହସିକ। ୨୦୦ରୁ ଅଧକ ଝିଅଙ୍କ ସ୍କୁଲ, ସାତଜଣ ଶିକ୍ଷକ ଶିକ୍ଷୟିତ୍ରୀ। ମୁଁ ସର୍ବକନିଷ୍ଠ ବୟସରେ, ହେଲେ ମୁଁ ତାଙ୍କର ପ୍ରଧାନଶିକ୍ଷକ।

ସାତ ଆଠମାସ ଏମିତି ବିତିଗଲା। ୧୯୮୬ର ଖରାଛୁଟିରେ ସ୍ତ୍ରୀ ଓ ଝିଅ ଉମରକୋଟ ଗଲେ। ଛୁଟି ପରେ ରଥଯାତ୍ରା ବେଳକୁ ମୁଁ ପୁରୀ ଆସିଥାଏ। ଏନ୍‌. ସି.ଇ.ଆର୍‌.ଟି. ଆଶା ମୁଁ ପ୍ରାୟ ଛାଡ଼ି ଦେଇଥାଏ। ମୁଁ ସାକ୍ଷାତକାରରେ ଦ୍ଵିତୀୟ ହୋଇଥିଲି ସତ, ପ୍ରଥମ ପଦ ସାଧାରଣ ବର୍ଗର ଲୋକ ପାଇବା ପରେ ପରଦୁଇଟି ପଦ ତଫସିଲଭୁକ୍ତ ଜାତି ଓ ଉପଜାତିକୁ ଚାଲିଯାଇଥାଏ। ହଠାତ୍‌ ଡାକବାଲା ରେଜିଷ୍ଟ୍ରି ଚିଠିଟିଏ ଦେଲେ। ଖୋଲି ଦେଖିଲା ବେକଳୁ ତହିଁରେ ମୋର ନିଯୁକ୍ତି ପତ୍ର ଏନ୍‌.ସି.ଇ.ଆର୍‌.ଟି.ରୁ ଲକ୍ଷ୍ନୌ ରାଜ୍ୟ ଶୈକ୍ଷିକ ତକନିକୀ ସଂସ୍ଥାନରେ ସି.ଆଇ.ଇ.ଟି.ର ଗବେଷଣା ସହକାରୀ ବା ଫିଲ୍ଡ଼ ଇନ୍‌ଭେଷ୍ଟିଗେଟର ପଦରେ।

୧୯୮୭ ସେପ୍ଟେମ୍ବର ଦଶ ତାରିଖରେ ମୁଁ ଗଲି ଲକ୍ଷ୍ମୌ ରାଜ୍ୟ ସରକାରରୁ ରିଲିଭ୍‌ ହୋଇ। ଲକ୍ଷ୍ମୌ ନବାବଙ୍କ ସହର। ମୋ ପହଞ୍ଚିବା ଦିନ ଟ୍ରେନ୍‌ ଦଶଘଣ୍ଟା ବିଳମ୍ବ ଥିଲା। ଷ୍ଟେସନରେ ଲେଖାଥିଲା – “ଆପ ଲକ୍ଷ୍ମୌ ମେ ହେଁ, ମୁସ୍କରାଇଏ।” ଲୋକେ ଭାରି ଭଦ୍ର। ଷ୍ଟେସନ ଡର୍ମିଟରୀରେ ରାତିକ ପାଇଁ ରହିବାକୁ ରୁମ୍‌ ମିଳିଗଲା।

ପରଦିନ ସକାଳୁ ମୁଁ ବସ୍‌ ଧରି ନିମାତ୍‌ଗଞ୍ଜରେ ପହଞ୍ଚିଲି। ସେଇଠି ଥାଏ ଇଟିଭି ଷ୍ଟୁଡ଼ିଓ। ବସ୍‌ ଟିକିଏ ଆଗକୁ ନେଇଯାଇଥିଲା ମହାନଗର ଷ୍ଟପେଜ୍‌କୁ। ସେଠୁ ପ୍ରାୟ ଗୋଟେ କିଲୋମିଟର ଦୂରରେ ଜଣେ ସ୍ଥାନୀୟ ମୁସଲମାନ ଭଦ୍ରଲୋକ ମତେ ଅଫିସ୍‌ ଦେଖାଇ ଦେବାକୁ ଆସିଲେ। ନବାବୀ ଅନ୍ଦାଜ୍‌!

ଲକ୍ଷ୍ମୌରେ ମୁଁ ଦୁଇବର୍ଷ ଥିଲି। ଝିଅ ସୀମା ପୁରୀରେ ଥାଏ – ତାକୁ ମୁଁ ବହୁତ ମନେ ପକାଉଥାଏ। ସେଇଠି ଏଆଇବିଡ଼ି ଟ୍ରେନିଂ ହେଲା। ଶିକ୍ଷା ଦୂରଦର୍ଶନରେ କାମ କରୁଥିବା ଲୋକଙ୍କ ପାଇଁ ଏ ଥିଲା କୁଆଲାଲାଂପୁରର ଏକ ସଂସ୍ଥାର ଦେଢ଼ ମାସିଆ ତାଲିମ କାର୍ଯ୍ୟକ୍ରମ। ଆରମ୍ଭରେ ଉଦ୍‌ଘାଟନ କରିବାକୁ ଶିକ୍ଷାମନ୍ତ୍ରୀ ଆସିଥାନ୍ତି। ଚଉଧୁରୀ ହେମକାନ୍ତ ମିଶ୍ର ସେତେବେଳକୁ ଆମ ବିଭାଗୀୟ ମୁଖ୍ୟ ହେଇ ସିଆଇଇଟି ଆସିଗଲେଣି। ଜଏଣ୍ଟ ଡାଇରେକ୍ଟର ମନମୋହନ ଚୌଧୁରୀ ଓ ସେ ଉଦ୍‌ଘାଟନ ଉତ୍ସବ ପାଇଁ ଆସିଥାନ୍ତି। ଉଦ୍‌ଘାଟନ ପରେ ଖାଇବା ସମୟରେ ମୋର ମନମୋହନ ଚୌଧୁରୀଙ୍କ ସହ ଦେଖାହେଲା। ମତେ ଦୁଃଖି ଦେଖି ସେ ତାହାର କାରଣ ପଚରିଲେ। ମୁଁ ମୋର ସ୍ତ୍ରୀ ଓ ଝିଅ ପୁରୀରେ ଥିବା କଥା କହି ତାଙ୍କୁ ଅନ୍ତତଃ ବର୍ଷେ ମତେ ଭୁବନେଶ୍ଵର ବଦଳି କରିବାକୁ ନିବେଦନ କଲି। ମନମୋହନ ଚୌଧୁରୀ ମୋ କଥା ଚଉଧୁରୀ ହେମକାନ୍ତ ମିଶ୍ରଙ୍କୁ କହି ମୋ ବଦଳି ରେକମେଣ୍ଡ କଲେ ସେ କରିଦେବେ ବୋଲି କହିଲେ।

“ତା ହେଲେ ଏଠି ବି ମାନସକୁ ସ୍ତ୍ରୀ ମିଳିଲାନି। ଆମେ ତ ତାଙ୍କୁ ମନା କରିନଥିଲୁ”, ଚଉଧୁରୀ ହେମକାନ୍ତ ମଜାକରି କହିଲେ। ଦିଲ୍ଲୀ ଫେରି ମୋ ବଦଳି ଭୁବନେଶ୍ଵରକୁ ହେବାକୁ ସୁପାରିଶ କରିଦେଲେ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)
Literature

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

by Manas Ranjan Mahapatra
February 24, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ଫେବୃଆରୀ ୨୦୨୬ କୈଳାଶ ଭାଇ ଚାଲିଗଲେ। ମୋଠୁ ଆଠବର୍ଷ ବଡ଼ ହେବେ। ଦେହ ଦୁଇବର୍ଷ ହେଲା ଭଲ ନ ଥିଲା।...

Read more
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
ଅନୁଭୂତି ପାଠ

ଅନୁଭୂତି ପାଠ

February 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.