ଆଲୋକ କୁମାର ପ୍ରଧାନ, ପୁରୀ, ୫ ଜାନୁୟାରୀ ୨୦୨୬
ଲହଡ଼ି ଲହର ତୋଳି ଭାଙ୍ଗୁଥାଏ ସୀମା ଆରପଟୁ
ଲେଉଟାଣି ବାଟ ଚାହିଁ ଅଟକଇ ଲେଉଟୁ ଲେଉଟୁ
ସ୍ବପ୍ନ ଦେଖା ଆଖି ପିନ୍ଧେ ଘଷାମଜା ଆଖିଏ ପରଳ
ସୁଖ ଭାବି ପିଉଥାଏ ବାସୁଥାଏ ଗରଳ ଗରଳ
ଢୋକ ଢୋକ କରି ଢୋକେ ଢାଲ କୁହେ ଢୋଲ କୁହେ ନାହିଁ
ଠିକ ଠିକ କରି ଶୁଣେ ଠିକି ଯାଏ ଠକି ପାରେନାହିଁ
ଧାରେ ଧାରେ ଧିର କରି ଚାଲୁ ଚାଲୁ ସଳଖିଲେ ଅଣ୍ଟା
କା’ଆଖି ତରାଟି ହୁଏ କା ତଣ୍ଟିରେ ଲାଗେ ମାଛ କଣ୍ଟା
ଏ ଆଖିରୁ ସେ ଆଖିକୁ ଡିଆଁଇ କେ ଦୁଃଖକୁ ଭୁଲିଛି
ହସର ପୁଟ ଚଢେଇ ଲୁହ ପାଇଁ କବର ଖୋଳିଛି
ଲୁଚେଇ ଲୁଚେଇ ଚାଲି ଚଲେଇଛି ଗ୍ଲାନିକୁ ଆଦରେ
ଅବସୋସ ଅଧା କାନ୍ଥ ଡେଇଁଛି କେ ହସ ସନ୍ଧାନରେ
ଅନୁକ୍ତ ଅନୁକ୍ତ ହୋଇ ଉନ୍ମୁକ୍ତର ମୁକୁଟ ଟେ ପିନ୍ଧି
ଚାଲୁଚାଲୁ ଚାଲିଯିବି ହେବି କାଇଁ ମୁଁ ନଜର ବନ୍ଦୀ।।






