ଆଲୋକ କୁମାର ପ୍ରଧାନ, ପୁରୀ, ୨ ଫେବୃଆରୀ ୨୦୨୬
ଜୀବନ ବର୍ଣ୍ଣବୋଧରୁ କେଉଁ ମାତ୍ରା ହଟେଇବି କୁହ
ସୁଖ ତ ବେତେରା କଣି ଦୁଃଖମାନେ ଗୋଟେ ଗୋଟେ ରୁଅ
ଲୁହ ମାନେ କତାଗଣ୍ଠି ଯନ୍ତ୍ରଣା ମୋ ସୁଆଁସ ବାଉଁଶ
ମନ ମୋ କୁହୁଳା ନିଆଁ ଜଳିଗଲେ ମୁଠାଏ ପାଉଁଶ
ପ୍ରଶଂସା ତତଲା ପାଣି ତତାଏ ସେ, ଜଳାଏ କି କେବେ?
ନିନ୍ଦା ନଳିଗୋଡ ଘାଆ ଗିଳୁଥାଏ ଗମ୍ଭୀର ନୀରବେ
ଇର୍ଷା ଛୁଇଁ ଦେଲେ ଲାଗେ ବେକରେ ମୋ ଦି ଧାରିଆ ଖୁର
ପାଇବା ହରେଇବାର ମଝାମଝି ମଞ୍ଜଥରା ଡର
ମୁଠାଏ ଆୟୁଷ ପାଇଁ ଆଖିରେ ମୋ ଆଖିଏ ଆକାଶ
ପୋଷେ ଶୂନ୍ୟତା ପୋଷି ମୁଁ ପେଷା ହୁଏ ଏକା ଅହର୍ନିଶ
ସରଗ ମୋ ଦି’ଆଙ୍ଗୁଳ ଚକେ ଗଲେ ବାରହାତ ଯାଏ
ଯେତେବେଳେ ନିଜକୁ ମୁଁ ନିଜ ପାଇଁ ସଜ କରୁଥାଏ
ଏମିତି ହୁଅନ୍ତା ସତେ ଜୀବନଟା ବର୍ଣବୋଧ ହୋଇ
ବୋଧ ଦେଇ ସବୁମାତ୍ରା ଏକା ସଙ୍ଗେ ନିଅନ୍ତା ଅଢ଼େଇ।।






