ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅଗଷ୍ଟ ୨୦୨୬
ଏହା ଭିତରେ ମୋ ପୁଅ ସୁରଥ କେତେବେଳେ ଦୁଇବର୍ଷ ର ହୋଇଗଲାଣି ଜଣା ପଡ଼ିଲା ନାହିଁ। ଏବେ ସେ ବହୁତ ଦୁଷ୍ଟ ହୋଇଛି। ତାକୁ ଜଗିବା ପାଇଁ ନଣନ୍ଦ ଜୟନ୍ତୀ ଆଉ ଶାଶୁ ଥାନ୍ତି। ତେଣୁ ଘରକାମ ସହିତ ଜଙ୍ଗଲ ଯାଇ କାଠପତ୍ର ଆଉ ଶାଗ, ଛତୁ ଆଣିବା ଦାୟିତ୍ଵ ମୋ ଉପରେ ଆଉ ମନ୍ମଥ ଉପରେ। ସେଦିନ ସକାଳୁ ସକାଳୁ ଖରାବେଳ ପାଇଁ ରୋଷେଇ କରି ଆମେ ଦୁଇଜଣ ଜଙ୍ଗଲକୁ ବାହାରି ପଡ଼ିଲୁ।ଗଲାବେଳେ ନଣନ୍ଦ ଜୟନ୍ତୀକୁ କହି ଆସିଲି, “ପୁଅ ଖାଇବା ପାଇଁ କାନ୍ଦିଲେ ତାକୁ ଖୋଇଦେବ। ତୁମେ ଆଉ ବୋଉ ମଧ୍ୟ ଆମକୁ ଅପେକ୍ଷା କରିବ ନାହିଁ। ଆମେ ଖାଇବା ଜିନିଷ ସଙ୍ଗରେ ନେଇ ଯାଇଛୁ। ସେଠି ଖାଇନେବୁ। ଆମେ ଫେରୁଫେରୁ ସନ୍ଧ୍ୟା ହୋଇଯିବ।” ଏହା କହି ଆମେ ଦୁହେଁ ଜଙ୍ଗଲ ବାହାରି ଗଲୁ।
ଜଙ୍ଗଲରେ ପହଞ୍ଚି ମୁଁ ବିଚଭାନୁ ଛତୁ (ଏହା ଏକ ପ୍ରକାର ଛତୁ ର ନାମ) ତୋଳିବାରେ ଲାଗି ପଡ଼ିଲି ଆଉ ମନ୍ମଥ ଜଙ୍ଗଲରୁ ଶୁଖିଲା ଡାଳ ଆଉ ମହୁ ସଂଗ୍ରହ କରିବା ପାଇଁ ନିକଟରେ ଥିବା ଝରଣା ପାଖକୁ ଗଲା। ମୁଁ ଛତୁ ତୋଳିସାରି ଜଙ୍ଗଲରୁ କିଛି ବଇଙ୍ଗା ଆଉ ପିତାଆଳୁ ସଂଗ୍ରହ କରି ଝରଣା ପାଖରେ ପହଞ୍ଚି ଧୁଆଧୋଇ ହୋଇ ଖାଇବା ବାଢୁଛି, ମନ୍ମଥ ଆସି ପହଞ୍ଚିଲା। ଉଭୟ ଖାଇସାରି ଜଙ୍ଗଲ ମଧ୍ୟରେ ଥିବା ଆମ ଠାକୁରାଣୀ ମନ୍ଦିର ନିକଟକୁ ଯାଇ ଜୁହାର ହୋଇ ସେଠି ବସି କଥାବାର୍ତ୍ତା ହେଉଛୁ ଏହି ସମୟରେ ଆମ ଗାଁର ଦେହୁରୀ ଦାଦା ଆସି ପହଞ୍ଚିଲେ। ସମସ୍ତେ ବସି ଦୁଃଖସୁଖ ହେବା ସମୟରେ ମନ୍ମଥ କଥା ଆରମ୍ଭ କରି କହିଲା, “ବୁଝିଲ ଦାଦା, ଆମ ପୂର୍ବପୁରୁଷ ମାନେ କଣ ବର୍ତ୍ତମାନ ଭଳି ଜଙ୍ଗଲ ନଷ୍ଟ କରୁଥିଲେ?” ଦାଦା କହିଲେ, “ମୋଟେ ନୁହେଁ। ସେତେବେଳେ ଗୋରା ଶାସକଙ୍କ ପ୍ରାଦୁର୍ଭାବ ଥିଲା। ସେମାନେ ବରଂ ଜଙ୍ଗଲ ନଷ୍ଟ କରୁଥିଲେ। ରାଜାରାଜୁଡ଼ା ଅମଳରେ ଆମ ଲୋକମାନେ ଜଙ୍ଗଲର ଦେଖାଶୁଣା କରୁଥିଲେ। ସେତେବେଳେ ଗାଁ ମାନଙ୍କରେ ଠେଙ୍ଗା ପାଳିଥିଲା। ଗାଁ ର ସମସ୍ତ ପରିବାରକୁ ଦିନେ ଦିନେ ଜଙ୍ଗଲ ଜଗିବାକୁ ପଡ଼ୁଥିଲା। ସନ୍ଧ୍ୟା ସମୟରେ ଡାକୁଆ ଯାହା ଦୁଆର ମୁହଁରେ ଠେଙ୍ଗା ରଖି ଆସୁଥିଲା ସେହି ପରିବାରର ପୁରୁଷ ସଦସ୍ୟମାନେ ରାତିରେ ଜଙ୍ଗଲ ଜଗିବା ଦାୟିତ୍ଵ ନେଉଥିଲେ। ବିଧବା ମହିଳା ଏବଂ ପୁରୁଷ ନଥିବା ପରିବାରକୁ ଏହି ଠେଙ୍ଗାପାଳିରୁ ବାଦ୍ ଦିଆଯାଉଥିଲା। ଏହାଛଡା ଆମ ପାଉଡୀ ଭୂୟାଁମାନଙ୍କ କିଛି ପର୍ବପର୍ବାଣୀ ଯେପରି ଢିଅବନ୍ଦାଣ, ଓଢଣୀପକା ପରି ପର୍ବ ମାନଙ୍କ ରେ ଜଙ୍ଗଲ ଆଉ ତାର ସୁରକ୍ଷା ଓ ପରିଚାଳନା ବିଷୟରେ ଲୋକମାନେ ସଚେତନ ହେଉଥିଲେ।”
ମୁଁ ସେମାନଙ୍କ କଥା ଶୁଣୁଥିଲି। ମୋ ମନରେ ସେସବୁ କଥା ଶୁଣୁଥିବା ସମୟରେ ମୋ ପିଉସୀ ନାନୀ ଘର ଅର୍ଥାତ୍ ଇତି ଗାଁର ଗୋଟିଏ କଥା ମନକୁ ଆସିଲା। ମୁଁ ଦେହୁରୀ ଦାଦା ଙ୍କୁ ପଚାରିଲି, “ଦାଦା, ମୋ ପିଉସୀ ନାନୀ ଘର ଇତି ଗାଁ ରେ। ସେହି ଗାଁ ର ଜଙ୍ଗଲ ମଧ୍ୟ ରେ ଥିବା ପାହାଡ଼ ଉପରେ ଗୋଟିଏ ଗୁମ୍ଫା ଅଛି। ସେହି ଗୁମ୍ଫା ର ଦୁଆର ମୁହଁରେ ଗୋଟିଏ ପଥର କବାଟ ଲାଗିଛି। ତାହାକୁ ଧର୍ମଦୁଆର ବୋଲି କହିଥାନ୍ତି। ସେହି କବାଟକୁ ସମସ୍ତେ ଖୋଲି ପାରନ୍ତି ନାହିଁ। ଯେଉଁମାନେ ଜଙ୍ଗଲ କୁ ଭଲ ପାଆନ୍ତି, ପ୍ରାକୃତିକ ସମ୍ପଦ ର ସୁରକ୍ଷା କରନ୍ତି ସେମାନେ କେବଳ ଖୋଲି ପାରନ୍ତି।” ଦେହୁରୀ ଦାଦା ଏହା ଶୁଣି ହସିଲେ ଓ କହିଲେ, “ଏହା ଆମ ପୁର୍ବପୁରୁଷ ଙ୍କ ଦ୍ଵାରା କରାଯାଇଥିବା ଏକ ବିଶ୍ବାସ ଯାହା ଦ୍ୱାରା କି ଜଙ୍ଗଲ ର ସୁରକ୍ଷା ଆମମାନଙ୍କ ଦ୍ଵାରା ହୋଇପାରିବ। ତେବେ ଇତି ଗାଁ ରେ ପ୍ରଥମେ ବଣିଆଁ ଜାତିର ଲୋକମାନେ ରହୁଥିଲେ। ସେମାନେ ନିକଟରେ ଥିବା ଏକ ପାହାଡ଼ ଯାହାର ନାଁ ତମ୍ବା ପାହାଡ଼ (ତମ୍ବା ବାହାରୁ ଥିବାରୁ ସେମାନେ ପାହାଡ଼ ର ନାମ ଏପରି ରଖିଥିଲେ), ସେଥିରୁ ତମ୍ବା ସଂଗ୍ରହ କରି ତମ୍ବା ର ବାସନକୁସନ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ବିକ୍ରୀ କରୁଥିଲେ। ପରବର୍ତ୍ତୀ ସମୟରେ ସେହି ଗାଁ ରେ ପାଉଡି ଭୂୟାଁ ସମ୍ପ୍ରଦାୟର ଲୋକମାନେ ରହିଲେ। ସେମାନେ ବଣିଆଁ ଜାତିର ଲୋକଙ୍କ ଠାରୁ ଏହି ତମ୍ବା ସଂଗ୍ରହ କରିବା ପଦ୍ଧତିକୁ ଶିଖିବା ସହିତ ତମ୍ବା ଜିନିଷ ତିଆରି କରି ରାଜ୍ୟ ବାହାରକୁ ଏପରି କି ଜାଭା, ସୁମାତ୍ରା ଅଞ୍ଚଳ କୁ ନେଇ ବେପାର ବଣିଜ କରି ଏକ ସମୃଦ୍ଧ ଜାତି ଭାବେ ନିଜର ପରିଚୟ ସୃଷ୍ଟି କଲେ। ଏହି ସମୟ ମଧ୍ୟରେ ବଣିଆଁ ଜାତିର ଲୋକମାନେ ଇତି ଗାଁ ଛାଡ଼ି ଅନ୍ୟତ୍ର ଚାଲିଗଲେ। ସେତେବେଳର ପାଳ୍ଲହଡା ରାଜା ଙ୍କ ଶାସନାଧୀନ ଏହି ଗାଆଁଟି ରାଜ୍ୟ ର ସୀମା ରେ ଥିବାରୁ ଗାଁ ର ନାମ ରାଜା ଇତି ଦେଇଥିଲେ। ପାଳ୍ଲହଡା ରାଜା ତାଙ୍କ ରାଜ୍ୟ ର ସୀମାନ୍ତରେ ଥିବା ଏକ ଗାଆଁ ର ନାମ ନିଜ ଭଉଣୀ କାଦମ୍ବିନୀ ନାଁ ଅନୁସାରେ କାଦମ୍ବିନୀପୁର ରଖିଥିଲେ। ସେହି ଗାଁ ପରେ କେନ୍ଦୁଝର ରାଜାଙ୍କ ରାଜ୍ୟ ଆରମ୍ଭ ହେଉଥିଲା। ସୀମା ବିବାଦ ର ସମାଧାନ ପରେ ଉଭୟ ରାଜା ମିଳିତ ଭାବେ ଏକ ପ୍ରସ୍ତର ଖଣ୍ଡ ସ୍ଥାପନ କରିଥିଲେ। ଏବେ ମଧ୍ୟ ତାହା କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ୍ ଅନ୍ତର୍ଗତ କାଦଡିହା ଆଉ ଅନୁଗୋଳ ଜିଲ୍ଲାର ପାଳ୍ଲହଡା ଅନ୍ତର୍ଗତ କାଦମ୍ବିନୀପୁର ଗାଁ ର ସୀମା ରେ ଦେଖିବାକୁ ମିଳେ।”
ମନ୍ମଥ କଥା ଅଟକାଇ କହିଲା, “ଦାଦା, ଚାଲ ଘରକୁ ଯିବା। ବହୁତ ସମୟ କଥା ହେଲେ। ପୁଣି କେବେ ଆଲୋଚନା କରିବା।” ଏହାପରେ ଆମେ ସମସ୍ତେ ଗାଁ କୁ ଫେରିଲୁ।






