ଅମୃତେଶ ଖଟୁଆ, ଭୁବନେଶ୍ଵର ୨୫ ସେପ୍ଟେମ୍ବର ୨୦୨୬
ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ହେଉଛି ଅନନ୍ତ ଦେବଙ୍କ ବ୍ରତ ତିଥି । ସକୁଟୁମ୍ଵ ସୁଖ ସୌହାର୍ଦ୍ଦ୍ୟ କାମନାପୂର୍ବକ ଗୃହସ୍ଥ ସଧବା ମହିଳାମାନଙ୍କ ସହ ସବୁ ପ୍ରାପ୍ତବୟସ୍କ ପୁରୁଷମାନେ ଏହି ଅନନ୍ତବ୍ରତ ପାଳନ କରନ୍ତି । କିମ୍ବଦନ୍ତୀ ଅନୁଯାୟୀ ମହାମୁନି କଶ୍ୟପଙ୍କ ଔରସରୁ ଏବଂ ତାଙ୍କର ଅନ୍ୟତମ ପତ୍ନୀ କଦ୍ରୁଙ୍କ ଗର୍ଭରୁ ଅଷ୍ଟକୁଳ ନାଗ (ଅନନ୍ତ, ବାସୁକୀ, ତକ୍ଷକ, କର୍କୋଟକ, ପଦ୍ମ, ମହାପଦ୍ମ, ଗୁଲ୍ଲିକ ଓ ଶଙ୍ଖ) ଶେଷଦେବ ଅନନ୍ତ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମସ୍ତକରେ ଦିବ୍ୟ ସ୍ବସ୍ତିକ ଚିହ୍ନ ସର୍ବଦା ରହିଥାଏ ଓ ବେଦପତି ବ୍ରହ୍ମାଙ୍କୁ ତପସ୍ୟା କରି ସେ ଅମର ଆଶୀର୍ବାଦ ପ୍ରାପ୍ତ କରିଥିଲେ । ଅନନ୍ତ ହେଉଛନ୍ତି ସ୍ୱୟଂ ନାରାୟଣଙ୍କ ସ୍ୱରୂପ । ତେଣୁ କରି ଅନନ୍ତଙ୍କ ଏହି ବ୍ରତ ଜଣେ ପ୍ରଥମ କରି ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଓ ଅତି ନିଷ୍ଠାର ସହିତ ଏହି ପାଳନ କରିବେ ବୋଲି ବରିଷ୍ଠ ବ୍ରତାଚାରୀ ମତପ୍ରକାଶ କରନ୍ତି । ଏହିଦିନ ପ୍ରତ୍ୟୁଷରୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରିବା ସହ ଗୃହସ୍ଥ ବ୍ରତାଚାରୀ ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରନ୍ତି । ଅନନ୍ତ ଦେବଙ୍କ ପ୍ରତିମା ଚତୁର୍ଭୁଜ ବିଶିଷ୍ଟ, ଶୁକ୍ଳବର୍ଣ୍ଣ ବସ୍ତ୍ରପରିହିତ, ନାନା ରତ୍ନାଳଙ୍କାରମଣ୍ଡିତ ଓ ଚାରି ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପ୍ରଭୃତି ଆୟୁଧମାନ ସେ ଧାରଣ କରିଥାନ୍ତି ।
ଏହି ବ୍ରତ ପିଢ଼ି ପରେ ପିଢ଼ି ଏହା ବଂଶାନୁକ୍ରମେ ପାଳିତ ହୋଇଥାଏ । ଶାଶୁ କରିଥିଲେ ତାଙ୍କ ବୋହୂ କରନ୍ତି ଓ ତା ପରେ ପିଢ଼ିର ଅନ୍ୟ ନବବଧୂମାନେ କରିଥାନ୍ତି । କିଛି ସ୍ଥାନରେ ପୁରୁଷ ନାରୀ ଉଭୟେ ଏ ବ୍ରତ କରିଥାନ୍ତି । ଏହିଦିନ ପ୍ରତ୍ୟୁଷରୁ ନଦୀ କିମ୍ବା ତୀର୍ଥ ଜଳେ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରାଯାଏ । ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଯେଉଁ ମାନେ ପୂର୍ବରୁ ପାଳନ କରୁଥିବେ ସେମାନେ ପୁରୁଣା ବ୍ରତକୁ ଫିଟାଇ କଞ୍ଚା କ୍ଷୀରରେ ପକାଇ ବିସର୍ଜନ କରିବା ପରେ ନୂଆ ବ୍ରତକୁ ଧାରଣ କରିବେ । ପୁରୁଷମାନେ ଦକ୍ଷିଣ ହସ୍ତ ବାହୁମୂଳ ଓ ସ୍ତ୍ରୀ ଲୋକମାନେ ବାମହସ୍ତ ବାହୁମୂଳରେ ଏହି ବ୍ରତକୁ ଧାରଣ କରନ୍ତି । ବ୍ରତଧାରୀମାନେ କୁଶାଗ୍ରରେ ଚନ୍ଦନ ଦ୍ୱାରା ସର୍ପାକୃତି ଅନନ୍ତଙ୍କ ପ୍ରତିମା ନିର୍ମାଣ କରି ଏହା ଧୋଇ ସେହି ଶୁଦ୍ଧଜଳ ପାନ କରନ୍ତି । ଏହି ବ୍ରତ ଅତି ପୁଣ୍ୟଦାୟକ ଅଟେ । ପାପାଚର ନକରି ଧାର୍ମିକ ଜୀବନଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ । ବ୍ରତ ପାଳନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ସ୍ନାନ ଓ ଧୌତବସ୍ତ୍ର ପିନ୍ଧିସାରି ଗୋଟିଏ ପଦ୍ମ ମଣ୍ଡଳ ବା ଭଦ୍ର ମଣ୍ଡଳରେ ଶାଳଗ୍ରାମ ବା ଧାତୁ ପ୍ରତିମାଙ୍କୁ ରଖି ବିବିଧ ଉପଚାରରେ ପୂଜା କରାଯାଏ । ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରିବେ । ଭବିଷ୍ୟ ପୁରାଣରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ସମ୍ବାଦରେ ଏହି ବ୍ରତର ମାହାତ୍ମ୍ୟ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି । ଚତୁବର୍ଗ ଫଳ ଲାଭ ପାଇଁ କି କି ବ୍ରତ ପାଳନୀୟ ବୋଲି ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ଏହି ଅନନ୍ତବ୍ରତ ପାଳିବାକୁ ତାଙ୍କୁ ଉପଦେଶ ଦେଇଥିଲେ ।
ଏକାମ୍ରକ୍ଷେତ୍ର ଭୁବନେଶ୍ଵରରେ ଅନନ୍ତ ବାସୁଦେବଙ୍କ ଉପାସନା :-
ସମଗ୍ର ଭାରତର ଇତିହାସରେ ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଅନନ୍ତଙ୍କ ପୂଜା କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ପରିଲକ୍ଷିତ ହୋଇଛି ଓ ତନ୍ମଧ୍ୟରେ ଓଡ଼ିଶାର ଆଧୁନିକ ରାଜଧାନୀ ଏବଂ ସର୍ବପୁରାତନ ଏକାମ୍ରକ୍ଷେତ୍ର ଭୁବନେଶ୍ୱରର ବିନ୍ଦୁସାଗର ତୀର୍ଥ କୂଳରେ ଅନନ୍ତ ବାସୁଦେବଙ୍କ ମନ୍ଦିର ରହିଛି । ଗୌରବମଣ୍ଡିତ ଏକାମ୍ରକ୍ଷେତ୍ରର ପୌରାଣିକ ଆଖ୍ୟାନ ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦେଉଳର ଉତ୍ତର ଦିଗରେ ଅନନ୍ତ ବାସୁଦେବ ଏକାମ୍ରକ୍ଷେତ୍ରର ତୀର୍ଥରକ୍ଷକ ବା କ୍ଷେତ୍ରପାଳକ ରୂପେ ଅଧିଷ୍ଠିତ ହୋଇଛନ୍ତି । ଏହାଙ୍କ ଉପାସନାର ପରମ୍ପରା ପ୍ରାୟ ଅଷ୍ଟମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ନିରୂପିତ ବୋଲି ବିନ୍ଦୁସାଗର ବ୍ରହ୍ମା ଘାଟରେ ଥିବା ମୂଳ ତିନି ସର୍ବପ୍ରାଚୀନ ବିଗ୍ରହଙ୍କ ଦ୍ବାରା ନିରୂପିତ ହୁଏ । ଏହି ଅନନ୍ତ ଚତୁର୍ଦ୍ଦଶୀରେ ବର୍ତ୍ତମାନର ଅନନ୍ତ ବାସୁଦେବଙ୍କ ଦେଉଳରେ ଉକ୍ତ ଦିନ ପ୍ରାୟ ପ୍ରତ୍ୟୁଷ ୩ଟାରୁ ଦେଉଳ ଫିଟି ମଙ୍ଗଳ ଆଳତି ଆଦି ନୀତି ସରିବା ପରେ ସାହାଣ ମେଲା ହୋଇ ବ୍ରତାଚାରୀମାନେ ଓଷା ପାଇଁ ବେଢ଼ାରେ ଭୋଗ ଓ ପୂଜକଙ୍କ ଦ୍ବାରା ବନ୍ଦାପନା କରାଯାଏ । ଏଥି ସହ ଅନନ୍ତ ବାସୁଦେବଙ୍କ ଦେଉଳରେ ସମ୍ପୂର୍ଣ୍ଣ ଦିବସ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇ ପରିଶେଷରେ ସନ୍ଧ୍ୟା ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି ସମ୍ପାଦନ କରି ଅନନ୍ତବ୍ରତର ଦର୍ଶନ ଓ ବିଧି ଶେଷ ହୁଏ ।






