• About
  • Contact
Wednesday, November 11, 2026
Wednesday, November 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପୁଣ୍ୟ କାର୍ତ୍ତିକ : ହଜିଯାଉଥିବା ପରମ୍ପରା

ପୁଣ୍ୟ କାର୍ତ୍ତିକ : ହଜିଯାଉଥିବା ପରମ୍ପରା
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୧ ନଭେମ୍ବର, ୨୦୨୬

ଆମ ଓଡ଼ିଆ ପାଞ୍ଜି ଅନୁସାରେ ବାର ମାସ ମଧ୍ୟରେ କାର୍ତ୍ତିକ ମାସର ମାହାତ୍ମ୍ୟ ସ୍ୱତନ୍ତ୍ର। ଏହାକୁ ଆମେ ଧର୍ମ ମାସ ବୋଲି କହୁ। ପୁରାଣ କହେ – “ନ କାର୍ତ୍ତିକ ସମ ମାସ, ନ କୃତେନ ସମ ଯୁଗ…”। ଅର୍ଥାତ ମାସ ମଧ୍ୟରେ କାର୍ତ୍ତିକ ପରି ମାସ ନାହିଁ। କିନ୍ତୁ ଆଜିର ଏ ଧର୍ମ ମାସରେ ଧର୍ମ କେଉଁଠି ନା, ପୁଣ୍ୟ କେଉଁଠି ?

ପୂର୍ବରୁ କାର୍ତ୍ତିକ ଆସିଲେ ଗାଁ ଗହଳିର ଚିତ୍ର ବଦଳି ଯାଉଥିଲା। ଆମିଷ ବର୍ଜନ, ପ୍ରାତଃ ସ୍ନାନ, ତୁଳସୀ ମୂଳେ ଦୀପ ଦାନ, ଶିବ ମନ୍ଦିରରେ ସୋମବାର ବ୍ରତ, ଘରେ ଘରେ ବଡ ଓଷା, ଅଷ୍ଟପ୍ରହରୀ ନାମ ଯଜ୍ଞର ମୃଦଙ୍ଗ- କରତାଳ ଧ୍ୱନି, ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ, ପୁଣି ଆକାଶ ଦୀପ । ଏ ସବୁ ଭିତରେ ଥିଲା ଏକ ସ୍ବତନ୍ତ୍ର ସାତ୍ତ୍ୱିକ ଜୀବନ ଶୈଳୀ। ମଣିଷର ଶରୀର ଓ ମନକୁ ପବିତ୍ର ରଖିବାର ବିଜ୍ଞାନ ସମ୍ମତ ପ୍ରୟାସ।

ସେହି ପବିତ୍ରତାର ପ୍ରତୀକ ଥିଲେ ଚକୁଳିଆ ପଣ୍ଡା। ହାତରେ ଚାମର ଧରି ଗାଁ ଗାଁ ବୁଲି ସେ ଗାଉଥିଲେ – “ଧର୍ମ କର, ଧର୍ମ କର…” ତାଙ୍କ ମଧୁର ଉପଦେଶାତ୍ମକ ସଙ୍ଗୀତ ଲୋକଙ୍କୁ ଦାନ, ଧର୍ମ, ପୁଣ୍ୟ ପ୍ରତି ପ୍ରବର୍ତ୍ତାଉଥିଲା। ଲୋକେ ମୁଠାଏ ଚାଉଳ, ପରିବା ଆଉକିଛି ଦକ୍ଷିଣା ଦେଇ ପୁଣ୍ୟ ଅର୍ଜନର ଆନନ୍ଦ ପାଉଥିଲେ।

କିନ୍ତୁ ଆଜି ? ଚକୁଳିଆ ପଣ୍ଡାଙ୍କ ସେ ସବୁ ଶବ୍ଦ କୁଆଡେ ହଜିଗଲାଣି। ସେଇ ସ୍ଥାନ ନେଇଛି ଉଚ୍ଚ ଡେସିବେଲର ଡିଜେ ଡ଼ାକବାଜି ଯନ୍ତ୍ର। ଅଷ୍ଟପ୍ରହରୀରେ ଝାଞ୍ଜ, ଗିନି ଓ ମୃଦଙ୍ଗ ଧ୍ୱନି ସବୁ ଶ୍ରୁତିକଟୁ ଡିଜେ ଯନ୍ତ୍ରର ବିକଟାଳ ନାଦରେ ଯେମିତି ହଜିଯାଇଛି। ନାମ ଯଜ୍ଞ ପରିବର୍ତ୍ତେ ଅଶ୍ଳୀଳ ନୃତ୍ୟ-ଗୀତର ପ୍ରତିଯୋଗିତା। ଭକ୍ତି ପରିବର୍ତ୍ତେ ପ୍ରଦର୍ଶନ, ଶ୍ରଦ୍ଧା ପରିବର୍ତ୍ତେ ଆଡମ୍ବର ଓ ଯାକ ଯମକ ଆଦିର ମାହୋଲ୍ ଦେଖିବାକୁ ମିଳୁଛି । ଇଏ କଣ ଆମ ସଂସ୍କୃତି – ପରମ୍ପରା ?

ଏହା କେବଳ ଏକ ମାସର ପରିବର୍ତ୍ତନ ନୁହେଁ, ଏହା ଆମ ସଂସ୍କୃତିର ଅବକ୍ଷୟ। ଏଥିପାଇଁ ଆମେ ସିନା ଯୁବ ପୀଢିକୁ ଦୋଷ ଦେଉଛୁ, କିନ୍ତୁ ଆବାଳ ବୃଦ୍ଧ ବନିତା ସମସ୍ତେ ଏହି ଅପସଂସ୍କୃତି ସ୍ରୋତରେ ଭାସି ଯାଉଛୁ। ଯେଉଁ ମାସ ସଂଯମ ଶିଖାଉଥିଲା, ସେହି ମାସରେ ଆମେ ଅସଂଯତ ଉତ୍ସବର ଆୟୋଜନ କରୁଛୁ। ଦାନ, ଧର୍ମ ପରି ସହଜ ଜୀବନବୋଧ ଆଜି ପୁରୁଣା, ଅପ୍ରାସଙ୍ଗିକ ମନେ ହେଉଛି।

ଏହାର ପ୍ରତିକାର କ’ଣ ? ଟିକିଏ ଚିନ୍ତା କଲେ ଆମେ ନିଶ୍ଚୟ ଜାଣି ପାରିବା । ବାସ୍ତବରେ ଏହି ପରମ୍ପରା ପ୍ରତ୍ୟେକ ପରିବାରରୁ ଆରମ୍ଭ ହେଉ । କାର୍ତ୍ତିକ ମାସର କାହାଣୀ ଓ ବ୍ରତର ବୈଜ୍ଞାନିକ କାରଣ ପିଲାଙ୍କୁ ବୁଝାଇବା ଦରକାର । ଏଥି ସହ ମନ୍ଦିର ଓ ମଠର ଭୂମିକା ମଧ୍ୟ ଗୁରୁତ୍ଵପୂର୍ଣ୍ଣ । କେବଳ ପୂଜା ନୁହେଁ, ଧର୍ମ ମାସର ମହତ୍ତ୍ୱ ଉପରେ ବିଶେଷ ଚର୍ଚ୍ଚା ଅଥବା ପ୍ରବଚନ ସହିତ ପୁରାଣ ପାଠର ଆୟୋଜନ ହେଉ । ତାହାର ପ୍ରଭାବ ସମାଜକୁ ସୁଧାରିବାରେ ସହାୟକ ହେବ । ଆଉ ଏକ ବିଶେଷ ସମସ୍ୟା ମୁଣ୍ଡ ଟେକୁଛି ଯାହାକି, ପ୍ରକାରାନ୍ତରେ ସମାଜରେ କ୍ଷତି ପହଞ୍ଚାଉଛି । ତାହା ହେଲା “ଶବ୍ଦ ପ୍ରଦୂଷଣ” । ତେଣୁ, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ଅନ୍ତତଃ ଧାର୍ମିକ କାର୍ଯ୍ୟକ୍ରମରେ ଉଚ୍ଚ ଡିଜେ ବାଦ୍ୟ ଉପରେ ସାମାଜିକ କଟକଣା ଜାରି ହେବା ଉଚିତ୍ । ସର୍ବୋପରି ଏହି
କାର୍ତ୍ତିକ ମାସରେ ଚକୁଳିଆ ପଣ୍ଡା ପରମ୍ପରାକୁ ସମ୍ମାନର ସହ ସ୍ବାଗତ କରାଯିବା ବାଞ୍ଛନୀୟ । କାରଣ: ସେମାନେ ଭିକ୍ଷୁକ ନୁହଁନ୍ତି, ସେମାନେ ଆମ ଧର୍ମ ଶାସ୍ତ୍ର, ପୁରାଣ, ସଂସ୍କୃତି ଓ ପରମ୍ପରା ର ଚଳନ୍ତି ପ୍ରଚାରକ ଓ ପ୍ରକୃତ ରକ୍ଷକ।

କାର୍ତ୍ତିକ ମାସ ପୁଣ୍ୟ ଅର୍ଜନର ମାସ। ପୁଣ୍ୟ ଅର୍ଥ କେବଳ ସ୍ୱର୍ଗ ପ୍ରାପ୍ତି ନୁହେଁ, ମନକୁ ସାତ୍ତ୍ୱିକ କରିବା, ସମାଜକୁ ସୁସ୍ଥ ରଖିବା। ଯଦି ଏହି ସାତ୍ତ୍ୱିକ ପରମ୍ପରା ହଜିଯିବ, ତେବେ ମଣିଷ ହିସାବରେ ଆମେ ସ୍ୱଚ୍ଛନ୍ଦରେ ବଞ୍ଚିବା କଷ୍ଟକର ହୋଇଯିବ । ସଂପ୍ରତି ସମାଜର ଶୁଭ ଚିନ୍ତକମାନେ ନିରବ ଦ୍ରଷ୍ଟା ହୋଇ ବସିବାର ସମୟ ନୁହେଁ, ବରଂ ସେମାନଙ୍କ ପାଇଁ ଯଥାର୍ଥ ମାର୍ଗ ଦର୍ଶନ ଦେବାର ସମୟ ଇଏ । ଆମ ସଂସ୍କୃତିକୁ ସୁରକ୍ଷା ଦେବାକୁ ଆଉ ପୁଣ୍ୟ କାର୍ତ୍ତିକର ହଜି ଯାଉଥିବା ପରମ୍ପରାକୁ ଉଜ୍ଜୀବିତ କରି ରଖିବାକୁ ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ଛତା
Literature

ଛତା

by ପ୍ରଭୁକଲ୍ୟାଣ ମହାପାତ୍ର
November 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ନଭେମ୍ବର ୨୦୨୬ ଯାହାର ହାତରେ ଥିବ ଛତା ଖରା ବର୍ଷାକୁ ନଥିବ ଚିନ୍ତା ଖରା ନଇଁଗଲେ ବର୍ଷା ଛାଡ଼ିଗଲେ ବଢ଼ିଯାଏ ଛତାର...

Read more
ଆସିଛି ମରତେ ଦୀପାବଳି

ଆସିଛି ମରତେ ଦୀପାବଳି

November 8, 2026
Birthday

Birthday

November 7, 2026
Economic Growth in India, 2014–2026: The Story of Adani and the Aam Aadmi

ଚକାଆଖି

November 3, 2026
The Card Holding All the Aces: The R-ACE to the Top!

The Card Holding All the Aces: The R-ACE to the Top!

October 31, 2026
ସ୍ୱପ୍ନ ହେଉନି ଚରିତାର୍ଥ

ସ୍ୱପ୍ନ ହେଉନି ଚରିତାର୍ଥ

October 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.