• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କୃଷି ଭିତ୍ତିକ ପର୍ବ କରମା ଓ କିଶାନ ସମ୍ପ୍ରଦାୟ

କୃଷି ଭିତ୍ତିକ ପର୍ବ କରମା ଓ କିଶାନ ସମ୍ପ୍ରଦାୟ
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଅକ୍ଟୋବର ୨୦୨୨

ମହାଭାରତ ଯୁଦ୍ଧର ପୁରୋଧା ଭଗବାନ ଶ୍ରୀକୃଷ୍ଣ କହିଥିଲେ ପର୍ବତ ମାନଙ୍କ ମଧ୍ୟରେ ମୁଁ ହିମାଳୟ, ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ଵସ୍ଥତ, ନଦୀମାନଙ୍କ ମଧ୍ୟରେ ମୁଁ ଗଙ୍ଗା, ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଉକ୍ତିର ତାତ୍ପର୍ଯ୍ୟ ହେଲା ଏ ଧାରାର ପ୍ରତ୍ୟେକ ସତ୍ତା ମଧ୍ୟରେ ଭଗବତ ସତ୍ତା ବିଦ୍ୟମାନ । ପାହାଡ ଜଙ୍ଗଲ ଓ ନଦୀକୁ ନିଜର ଦେବତା ମନେକରି ପାହାଡ ଜଙ୍ଗଲ ଘେରା ମନୋରମ ପରିବେଶ ମଧ୍ୟରେ ଜୀବନ ବିଡାଉ ଥିବା ଓଡିଶାର ୬୨ଟି ପ୍ରକାରର ଅଦିବାସୀ ସମ୍ପ୍ରଦାୟ ମାନଙ୍କ ମଧ୍ୟରୁ କିଶାନ ଏକ ପ୍ରମୁଖ ସଂପ୍ରଦାୟ । କିଶାନମାନେ ମୁଖ୍ୟତଃ ସୁନ୍ଦରଗଡ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ବସବାସ କରନ୍ତି । କୃଷି ସେମାନଙ୍କର ମୁଖ୍ୟ ଜୀବିକା ହୋଇଥିବାରୁ ସେମାନଙ୍କୁ କିଶାନ ବୋଲି କୁହାଯାଏ ବୋଲି ଜିଛି ଗବେଷକ ମତ ଦିଅନ୍ତି । ଓଡିଶାରେ କିଶାନ ମାନେ ସେମାନଙ୍କ ନାମ ସହିତ ଟୋପୋ (ଏହାର ଅର୍ଥ ଏକ ପ୍ରକାର ଚଢ଼େଇ), କିଣ୍ଡୁ (ଏକ ପ୍ରକାର ମାଛ), ମାଝି (ନାଉରିଆ), ତିଗାର (ମାଙ୍କଡ), ପୂନର(ଲୌହ), ବାବଲା(ବଣ କୁକୁର), ମିଞ,ଓରାମ, ଭାକଡା, କୁଅଁର,ଖୁଜୁର ଲଗାଇଥାକ୍ତି । ଓଡିଶାରେ ଏମାନଙ୍କ ସଂଖ୍ୟା ମୋଟ ଆଦିବାସୀ ଜନ ସଂଖ୍ୟାର ୩.୯୪% ଅଟେ | ଜଙ୍ଗଲ ପାହାଡ଼ଘେରା ପରିବେଶ ମଧ୍ୟରେ ରହିବାକୁ ଅଧିକ ପସନ୍ଦ କରୁଥିବା ଏହି ସଂପ୍ରଦାୟର ଲୋକମାନେ ଜଙ୍ଗଲ ରୁ ଫଳ ମୂଳ ସଂଗ୍ରହ କରିବା ସହିତ କୃଷି କାର୍ଯ୍ୟକରି ଜୀବନ ଜୀବିକା ନିର୍ବାହ କରିଥାନ୍ତି । ସେମାନେ ପାଳନ କରୁଥିବା ବିଭିନ୍ନ କୃଷି ଭିତ୍ତିକ ପର୍ଵ ମାନଙ୍କ ମଧ୍ୟରୁ କର୍ମ ଅନ୍ୟତମ । କର୍ମ ଶବ୍ଦଟି ସଂସୃତ ଶବ୍ଦ କର୍ମରୁ ଅନିତ । କୃଷକଟିଏ ନିଜର କର୍ମ ଉପରେ ଭରସା ରଖିଥାଏ । କର୍ମକୁ ହିଁ ନିଜର ଧର୍ମ ଭାବେ ଗ୍ରହଣ କରିଥାଏ । କର୍ମର ଦେବତା କରମ ରାଜା ଏହି ପର୍ବର ମୁଖ୍ୟ ଦେବତା । କରମା ଦେବତାଙ୍କୁ ନେଇ କିଶାନ ମାନଙ୍କ ମଧ୍ୟରେ ଏକ ଲୋକ କଥା ପ୍ରଚଳିତ ଯାହାକୁ କି ସେମାନେ କଥା (କଥାଣି) ବୋଲି କହନ୍ତି । ଲୋକ କଥାଟି ହେଉଛି ଏହି ପରି ପୁରା କାଳରେ ଜଣେ ସାଧବ ଥିଲେ । ତାଙ୍କର ସାତ ପୁଅ ଥିଲେ । ସାଧବଙ୍କର ସାତ ପୁଅ ଏକଦା ବେପାର ବଣିଜ କରିବାପାଇଁ ବୋଇତରେ ସମୁଦ୍ର ପାରି ଦେଶକୁ ଗଲେ । ଘରେ ସାଧବ ବୁଢ଼ା, ଓ ବୁଢ଼ୀ ସାଧବାଣୀ ଓ ସାତ ବୋହୁ ଥା’ନ୍ତି । ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ତିଥି ଉପଗତ ହୁଅନ୍ତେ ସାଧବ ବୁଢ଼ା ଜଙ୍ଗଲରୁ କରମା ଡାଳ କାଟିକରି ପୋତି ତାର ସ୍ତ୍ରୀ ଓ ବୋହୁ ମାନଙ୍କ ସହ କରମା ରାଜାଙ୍କ ପୂଜା କରି ସାରିବା ପରେ ସ୍ତ୍ରୀ ଓ ବୋହୁ ମାନଙ୍କ ସହ ହାଣ୍ଡିଆ ପିଇ କରମା ଗୀତ ବୋଲି ନାଚରେ ମଜ୍ଜି ଗଲେ । ଏହି ସମୟରେ ସାଧବଙ୍କ ସାତ ପୁଅ ବାଣିଜ୍ୟ ସାରି ବୋଇତରେ ଫେରି ସମୁଦ୍ର ତଟରେ ଥାଇ ସେମାଙ୍କ ଆସିବାର ଖବର ଘରକୁ ପଠାଇଲେ । କିନ୍ତୁ ନାଚ ଗୀତରେ ମଗ୍ନ ଥିବାରୁ ବୋହୂମାନେ ସେମାନଙ୍କୁ ବନ୍ଦାଣ କରି ଆଣିବାକୁ ଗଲେ ନାହିଁ । ଡେରି ହେବାରୁ ସାଧବ ସାତ ପୁଅ ଘରକୁ ଫେରି ତାଙ୍କ ବାପା ମା ବୋହୁ ମାନଙ୍କ ସହ ହାଣ୍ଡିଆ ପିଇ ନାଚୁଥିବାର ଦେଖି ରାଗରେ କରମା ଡାଳ ଉପାଡି ଫୋପାଡ଼ି ଦେଲେ । ଏଥିରେ କରମା ରାଜା ରୋଷ କଲେ । ସାଧବ ମାନେ ଆଣିଥିବା ଧନରତ୍ନ କେଉଁଆଡେ ଉଭାନ୍ ହୋଇଗଲା । ସାଧବ ପୁଅ ମାନେ ଧନ ଶୂନ୍ୟ ହୋଇଗଲେ । ବୁଢ଼ା ସାଧବ ପୁଅ ମାନଙ୍କୁ ଡାକି ଏହା କରମା ରାଜା ରୋଷ କରିଥିବାରୁ ହେଲା ବୋଲି କହିଲେ । ସାଧବ ପୁଅମାନେ ଅନୁତାପ କଲେ ଓ ପୁଣି ତା ପର ବର୍ଷ କରମା ଡାଳ କାଟି କରି ଆଣି କରମା ରାଜାଙ୍କୁ ପୂଜା କରିବା ପରେ ସେମାନଙ୍କର ହୃତ ସମ୍ପଦ ପୁଣି ଫେରି ଆସିଲା ।

ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ କିଶାନ ମାନେ କରମା ପୂଜା କରିଥାନ୍ତି । ବଣେଇ ଅନ୍ତର୍ଗତ ବୁଢାଖମଣ ଗାଁ କୁ ପରିଦର୍ଶନ ମୂଳକ ଗସ୍ତରେ ଯାଇଥିବା ବେଳେ ସେଠାରେ ରହୁଥିବା କିଶାନ ମାନଙ୍କ ସହ କରମା ପୂଜା ସମ୍ପର୍କରେ ସେମାନଙ୍କ ଠାରୁ ଶୁଣିଥିବା କଥାକୁ ଏଠାରେ ଉଲ୍ଲେଖ କରୁଛି । ଏହି ପୂଜା ତିନିଦିନ ଧରି ପାଳନ କରାଯାଇଥାଏ । ପୂଜାର ପୂର୍ବଦିନ (ଓଷାର ପ୍ରଥମ ଦିନ) ଝଣ୍ଡି ବା ଏକବାର ସମସ୍ତେ କରିଥା’ନ୍ତି । ସେହିଦିନ ଘରେ ସମସ୍ତେ ଓଷା ରଖନ୍ତି । ସନ୍ଧ୍ୟା ବେଳେ ଗାଧୋଇ ସାରି ଗୁଡ, ନଡ଼ିଆ, ମୁଆଁ, ଧୂପକାଠି ଓ ସିନ୍ଦୁର ଧରି ଜଙ୍ଗଲରେ ଥିବା କରମା ରାଣୀଙ୍କ ପାଖରେ ପହଂଚି ଥା’ନ୍ତି । ସେଠାରେ କଲମ ଗଛକୁ ପୂଜା କରିବା ପରେ ହନୁ ( କିଶାନ ସମ୍ପ୍ରଦାୟର ଜଣେ ଲୋକ ଯାହାକୁ କି ସେମାନେ ହନୁ ପଦରେ ମନୋନୀତ କରିଥାନ୍ତି ) କରମା ଡାଳ ଭାଙ୍ଗନ୍ତି । ଗାଁ ରେ ଦେହୁରୀ ଭଙ୍ଗା ଯାଇଥିବା ଡାଳରେ ଧଳା ସୁତା ଓ ହଳଦୀ ଲଗାଇ ବାନ୍ଧନ୍ତି ଓ ଡାଳ ରେ ପଣା ଦିଅନ୍ତି । ତାପରେ ମର୍ଦଳ ବଜାଇ ଓ ହୁଳୁହୁଳୀ ପକାଇ ସମସ୍ତେ ଗାଁକୁ ଫେରନ୍ତି । ଗାଁର ଆଖଡ଼ାରେ ପୁଣି କରମା ରାଜା ରାଣୀ ଙ୍କୁ ପୂଜା କରନ୍ତି । ପୂଜା ପରେ ସମସ୍ତେ “ଜୁହାର ମାଗୋ କରମାସାନି, ପହିଲା ବନ୍ଦାଣ ଗୀତ ତୁମର, ବନ୍ଦେ ମାଗୋ ପରମେଶ୍ୱରୀ” ଗୀତ ବୋଲି ମର୍ଦ୍ଦଳ ବଜାଇ ନାଚନ୍ତି । ଏହାପରେ ସମସ୍ତେ ସାମୂହିକ ଭୋଜନ କରନ୍ତି ।

ଓଷାର ଦ୍ଵିତୀୟ ଦିନ ଗାଁର ସମସ୍ତ ଲୋକ (ଦେହୁରୀ ମଧ୍ୟ) ଓଷା ରଖନ୍ତି । ଗାଧୋଇ ସାରି ପୂଜା ଭୋଗ ତିଆରି କରିବା ପରେ ଅରୁଆ ଅନ୍ନ ଖାଇଥାନ୍ତି । ସନ୍ଧ୍ୟାବେଳେ ପ୍ରଥମ ଦିନ ଭଳି ଗାଁ ର ଝିଅ ବୋହୁ ମାନେ ଜଙ୍ଗଲରେ ଥିବା କରମା ରାଣୀଙ୍କ ପାଖରେ ପୂଜା କରନ୍ତି ଓ ପ୍ରଥମ ଦିନ ବାନ୍ଧିଥିବା ସୁତା ଓ ଡାଳକୁ ଧରି ଗାଁର ଆଖଡାକୁ ଆଣନ୍ତି ଆଖଡାରେ ପହଂଚିବା ପରେ ଜଙ୍ଗଲରୁ ଆଣିଥିବା କରମା ଡାଳକୁ ପୂର୍ବରୁ ତିଆରି କରାଯାଇଥିବା ବାଲି ବେଦିରେ ଦୁଇଟି ଜାଗାରେ ପୋତିଥାନ୍ତି । ପ୍ରଥମେ ଦେହୁରୀଙ୍କ ଘରେ ପିତୃପୁରୁଷ ଓ ଅନ୍ୟ ଅଦୃଶ୍ୟ ଶକ୍ତି ମାନଙ୍କ ଉଦ୍ଦେଶ୍ୟରେ ଏକ ପୂଜା ଅନୁଷ୍ଠିତ ହୁଏ ଓ ତାହାପରେ ଆଖଡାରେ ପୂଜା ଆରମ୍ଭ ହୁଏ । ସମସ୍ତ ଘରକୁ ଅଣାଯାଇଥିବା ଭୋଗ ଯଥା ମୁଆଁ, ନଡ଼ିଆ, କଦଳୀକୁ ଏକାଠି ରଖାଯିବ ପରେ ଗାଁ ର ଜଣେ ବୟସ୍କ ଲୋକ ଉପର ବର୍ଣ୍ଣିତ ଲୋକ କଥାକୁ (ଯାହାକୁ ସେମାନେ କଥାଣି ବୋଲି କହନ୍ତି) ସମସ୍ତଙ୍କୁ ଶୁଣାନ୍ତି । ବାଲି ବେଦିରେ ଦୁଇଟି ସତ୍ୟବନ୍ଧ କରାଯାଇଥାଏ । ଦେହୁରୀ କିମ୍ବା କଥାଣି ପଢ଼ୁଥିବା ବୟସ୍କ ଲୋକ ଡାଳକୁ ପଛପଟ କରି ବନ୍ଧକୁ ବାନ୍ଧନ୍ତି ଓ ସୂତାକୁ କାଟନ୍ତି । ଏହାପରେ ମାର୍ଦଳ ବାଜେ ଓ କରମା ରାଜା ଓ ରାଣୀଙ୍କ ପୂଜା କରାଯାଏ । ଏହାପରେ ସମସ୍ତେ ପ୍ରଥମ ଦିନ ଭଳି ହାଣ୍ଡିଆ ପିଇ କରମା ଗୀତ ବୋଲି ମାର୍ଦଳ ବଜାଇ ରାତିସାରା ନାଚନ୍ତି ।

ତୃତୀୟ ଦିନ ପୂର୍ବଦିନ ମାନଙ୍କ ଭଳି ପୂଜା ଭୋଗ ପ୍ରସ୍ତୁତ ହେବାପରେ ସକାଳ ୯ଟା ରୁ ୧୨ ମଧ୍ୟରେ ଲେଉଟ ପୂଜା ଆରମ୍ଭ ହୁଏ । ଏହିଦିନ ବୋଦା ବା କୁକୁଡ଼ା ବଳି ଦିଆଯାଏ । ସମସ୍ତେ ନିଜର ମନସ୍କାମନା (କୃଷି ଉତ୍ପାଦନ ବୃଦ୍ଧି ପାଇଁ) ପୂରଣ ପାଇଁ ଆରାଧନା କରନ୍ତି । ସ୍ଥାପନ କରାଯାଇଥିବା କରମା ଡାଳ (ମହାପ୍ରଭୁ) କୁ ଧରି କାଳସି ବା ହନୁ ଗାଁ ଲୋକ ମାନଙ୍କ ସହ ଦେହୁରୀଙ୍କ ଘରକୁ ଯାଆନ୍ତି । ସେଠାରେ କରମା ରାଜା ଓ କରମା ରାଣୀଙ୍କୁ ପୂଜା ପଣା ଦିଆଯାଏ । କରମା ରାଜା ରାଣୀଙ୍କୁ ଘରେ ରଖିବା ପାଇଁ ଲୋକମାନେ କରମା ଡାଳର ପତ୍ର ଛିଣ୍ଡାଇ ରଖନ୍ତି । ଏହାପରେ ସମସ୍ତେ ଗାଁ ପରିକ୍ରମା କରନ୍ତି ଗାଁ ପରିକ୍ରମା ସାରିବା ପରେ ବିସର୍ଜନ ପର୍ବ ଆରମ୍ଭ ହୁଏ । କରମା ଡାଳକୁ ନଦୀ କିମ୍ବା ପୋଖରୀରେ ଦେହୁରୀଙ୍କ ପୂଜାପାଠ ପରେ ବିସର୍ଜନ କରାଯାଏ । ଗାଁର ସମସ୍ତେ ବିଷର୍ଣ୍ଣ ମନରେ ଘରକୁ ଫେରନ୍ତି । ହନୁ ଏହି ତିନି ଦିନ ମଧ୍ୟରେ ପ୍ରତ୍ୟେକଲୋକଙ୍କ ବାଡ଼ିରୁ ପନିପରିବା ସଂଗ୍ରହ କରିଥାନ୍ତି । ଏହାର ୯ ଦିନ ପରେ ଆଖଣ ପୂଜା କରାଯାଏ । ଗାଁର ସମସ୍ତେ କରମା ରାଜାଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ ପୂର୍ବକ କହନ୍ତି । ମହାପ୍ରଭୁ ତୁମକୁ ଅଣିଥିଲୁ ତୁମର ରହିବା ଭିତରେ ତୁମକୁ ବାଟରେ କରିଛୁ, ଗାଳି ଦେଇଛୁ ଆମ୍ଭର ଦୋଷ ମାର୍ଜନା କର ।

ଭବେଶ ଚନ୍ଦ୍ର କର, ସାମାଜିକ କର୍ମୀ ଜଗନ୍ନାଥପୁର, କେନ୍ଦୁଝରଗଡ, ମୋ ନଂ – ୯୪୩୭୭୫୨୨୬୦, ଇ-ମେଲ- bhabeshkar23@gmail.com
ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.