• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ-୪)

ଆମେ ପାଉଡି ଭୂୟା (ଭାଗ–୨)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଫେବୃଆରୀ ୨୦୨୩

ସେଦିନ କାହିଁକି ଚିନାମାଳୀର ମନ ଜମା ଭଲ ଲାଗୁନଥିଲା।ଘର କାମ କରୁଥିଲେ ମଧ୍ୟ ମନ୍ମଥ କଥା କାହିଁକି ତାର ବହୁତ ମନେ ପଡ଼ୁଥିଲା। ପାଖାପାଖି ଦୁଇମାସ ହେବ ତା ସହିତ ଭେଟ ହୋଇନାହିଁ। ମନେମନେ ତା ଉପରେ ବହୁତ ରାଗୁଥିଲା ସେ। ବାପାକୁ ପଖାଳ ଓ ଗିଲିରି ଶାଗର ଭଜା ଦେଇକରି ସେ ବାଡ଼ିପଟ ମହୁଲ ଗଛ ନିକଟକୁ ଚାଲିଲା ମହୁଲ ରୁଣ୍ଡେଇବା ପାଇଁ। ସେଇଠି ଭେଟ ହୋଇଗଲା ଚମ୍ପା ସହିତ। ଚମ୍ପା ମନ୍ମଥର ନାନୀର (ପିଉସୀ) ଝିଅ। ମହୁଲ ରୁଣ୍ଡେଇବା ସମୟରେ ଚମ୍ପା ପଚାରିଲା କ’ଣ ମନ ଭଲ ନାହିଁ କି । ମୁଁ ଜାଣିଛି ତୋ ମନ କଣ ପାଇଁ ଭଲ ନାହିଁ। ଜାଣିଛୁ ନା ଆଜି ପା ତୋ ମନର ଡାକତର ଆସୁଛି।ଚିନାମାଳୀ ତା ଆଡକୁ ଚାହିଁ ପଚାରିଲା ଯାହା କହୁଛୁ ସିଧା ସିଧା କହ। ଏମିତି ବୁଲେଇ ବଙ୍କାଇ କହୁଛୁ ମୁଁ କିଛି ବୁଝି ପାରୁନି।ତା ଗାଲକୁ ଚିମୁଟି ଦେଇ ଚମ୍ପା କହିଲା ନାଇଁ ତୁ ତ ଅଜଣା ଚାଉଳ ଭାତ ଖାଉଛୁ ନା।ତୁ କ’ଣ କିଛି ବୁଝି ପାରିବୁ। ଆରେ ଲୁଚିଛି ନା ଗୋଡ ଦୁଇଟା ଦିଶୁଛି।ତା ହାତକୁ ଧରି ଚିନାମାଳୀ କହିଲା କହନା ତୁ କ’ଣ କହିବା ପାଇଁ ଚାହୁଁଚୁ। ଅଳ୍ପ ହସିଦେଇ ଚମ୍ପା କହିଲା ନାଇଁ ମାଗଣାରେ କିଛି କହି ହେବନି। କୃତ୍ରିମ ଅଭିମାନ କରି ଚିନାମାଳୀ କହିଲା ହଉ କହିବୁନି ତ ମୁଁ ଘରକୁ ଚାଲିଲି।ତା ହାତକୁ ଧରି ପକେଇ ଚମ୍ପା କହିଲା ଆଗୋ ଆମ ଭାଉଜ ରାଣୀ ରାଗନି। କଥା କ’ଣ କି ଆଜି ମନ୍ମଥ ଭାଇ ଆମ ଘରକୁ ଆସୁଛି। ଲାଜେଇ ଯାଇ ଚିନାମାଳୀ ଘରକୁ ଦୋଉଡ଼ି କରି ଯିବା ସମୟରେ ଚମ୍ପାକୁ କହିଲା ତୁ ବହୁତ ଦୁଷ୍ଟ ହୋଇଗଲୁଣି।ତୋ ସଙ୍ଗେ କଟି।

ତା ପରଦିନ ବୋଉ ସହିତ ଜଙ୍ଗଲ କୁ ଯିବା ବାଟରେ ଚମ୍ପା ଦେଖା ହୋଇଗଲା।ଚିନାମାଳୀକୁ ଦେଖୁଦେଖୁ ଚମ୍ପା ତା ନିକଟକୁ ଆସି ତା କାନରେ କହିଲା ଯାଆ ଭାଇ ଆଗରୁ ଜଙ୍ଗଲ ଯାଇଛି। ତୋତେ ଝରଣା ପାଖ ଆମ୍ବଗଛ ନିକଟରେ ଅପେକ୍ଷା କରିଥିବ। ଏତିକି କହି ଚମ୍ପା ଗାଁ ଆଡ଼କୁ ମୁହାଁଇଲା। ଖୁସିରେ ଆତ୍ମହରା ହୋଇଗଲା ଚିନାମାଳୀ। ଜଙ୍ଗଲରେ ପହଞ୍ଚି ଜାଳ ରୁଣ୍ଡେଇ ସାରି ଗୋଛା ବାନ୍ଧି ବୋଉ ମୁଣ୍ଡକୁ ଗୋଛାଟା ଟେକିଦେଇ ବୋଉକୁ କହିଲା ବୋଉ ତୁ ଘରକୁ ଯା ମୁଁ ଜଙ୍ଗଲରୁ ବଇଙ୍ଗା, ପିତା ଆଳୁ ନେଇ କରି ତୋ ପଛେ ପଛେ ଯାଉଛି। ବୋଉ ଚାଲିଗଲା ପରେ ଚିନାମାଳୀ ଚାଲିଲା ଝରଣା ଆଡ଼େ ଯେଉଁଠି ମନ୍ମଥ ତାକୁ ଅପେକ୍ଷା କରିଥିଲା। ସେଠାରେ ପହଞ୍ଚିଲା ବେଳକୁ ମନ୍ମଥ ଝରଣା କୂଳରେ ଥିବା ଗଛମୂଳରେ ଶୋଇପଡିଥିଲା।ତା ପାଖରେ ବସି ହାତରେ ଧରିଥିବା ପତ୍ରକୁ ତା କାନରେ ସଲସଲ କରିବାପରେ ଧଡ଼ପଡ଼ ହୋଇ ଉଠି ଆଖି ମଳି ମଳି ପଚାରିଲା ମନ୍ମଥ କିରା ପାଇଁ ଏତେ ଡେରି ହେଲା କିଲୋ? ଚମ୍ପା ତୋତେ ଖବର ଦେଇନିକି? ସାମାନ୍ୟ ହସିଦେଇ ଚିନାମାଳୀ କହିଲା ନାହିଁ ତାର କିଛି ଦୋଷ ନାହିଁ। ସେ ମୋତେ କହିଛି। ମୋର ବୋଉ ଜଙ୍ଗଲ ଆସିଥିଲା ତ। ତାକୁ ଜଙ୍ଗଲରୁ ଜାଳ ରୁଣ୍ଡେଇ ତା ମୁଣ୍ଡକୁ ଦେଇ ବିଦା କରିବା ପରେ ମୁଁ ଆସିଲି। ଏତିକି କହି କୃତ୍ରିମ ଅଭିମାନ କରି ମନ୍ମଥ ନିକଟରୁ ସାମାନ୍ୟ ଦୁରେଇ ଯାଇ ଚିନାମାଳୀ ପଚାରିଲା ତୁମେ ଏତେ ଦିନ ହେଲା କେଉଁଠି ହଜିଯାଇଥିଲ ମୋତେ ଆଗେ କୁହ।ନା ଆଉ କେଉଁ ଧାଙ୍ଗଡ଼ୀ(ଅବିବାହିତା ଝିଅଙ୍କୁ ଭୂୟାଁ ମାନେ ଧାଙ୍ଗଡୀ କହନ୍ତି କେହି କେହି ଯୁବକ ଟୋକଳି ଓ କନ୍ୟାତୂଲ୍ୟା ଝିଅମାନଙ୍କୁ ନିନି ବୋଲି ସମ୍ବୋଧନ କରନ୍ତି) ସଙ୍ଗେ ଭାବ ଯୋଡ଼ିଲଣି ମତେ ସଫାସଫା କୁହ। ତୁମ ପୁରୁଷ ଜାତିକୁ କି ବିଶ୍ୱାସ।ଚିନାମାଳୀ ଆଉ କିଛି କହିବାକୁ ଯାଉଥିଲା ତା ପାଟିରେ ହାତଦେଇ ମନ୍ମଥ କହିଲା ଆଲୋ ବାଆ ସଙ୍ଗେ କମାଣ କାଟି ବିହନ ବୁଣି କରି ଆସିଲି।ଯା ତୋ ଭଳି ମିଛୁଆ ମୁଁ ଜଗତରେ ଦେଖିନି।ହଉ ଯଦି ତୁ କମାଣ କାଟିକରି ଆସିଛୁ ତେବେ କହତ କିପରି ବୁଣିଲୁ ବାଆ ସଙ୍ଗେ। ଆରେ ତୋର ମୋ ଉପରେ ଏତେ ସନ୍ଦେହ।ଶୁଣ ତେବେ ଆମ ତଳବରଡା ଗାଁ ର ଡାକୁଆ ନିର ଭାଇ ଗାଁ ପ୍ରଧାନ ଙ୍କ କଥା ଅନୁସାରେ ଦରବାର ଘରେ ମିଟିଂ ହେବବୋଲି ଡାକ ପକାଇ ସୂଚନା ଦେବାପରେ ଗାଁ ର ସମସ୍ତେ ଦରବାର ଘରେ ଏକାଠି ହୋଇଥିଲେ। ସେଠି ଗାଁ ପାଖ ପାହାଡ଼ ରେ ତଇଳା କାଟି କିଏ କେତେ ଜାଗାରେ ଚାଷ କରିବ ଏବଂ ବିଧବା ମହିଳା ମୂଖ୍ୟ ପରିବାର କୁ ମଝିରେ ଜମି ଦେବା ପାଇଁ ସ୍ଥିର କରାଗଲା। ସମସ୍ତଙ୍କୁ ଜମି ଚିହ୍ନଟ ଦେବା ପରେ ସମସ୍ତେ ନିଜ ନିଜ ଜମିରେ ଗଛର ଛୋଟ ଛୋଟ ଡାଳକୁ କାଟି ପକାଇଲୁ। ଗୋଟିଏ ଗୋଟିଏ ଜମି କୁ ଚାରିଭାଗରେ ବିଭକ୍ତ କରି ଯଥାକ୍ରମେ ଦେଶିଧାନ, ମାଣ୍ଡିଆ, ଗଙ୍ଗେଇ, ମକା ବିହନ ବୁଣି ହିଡ଼ରେ ରୁମା ଡାଲିର ବିହନ ବୁଣିଲୁ।ବାଆ କହୁଥିଲା ଏ ପ୍ରକାର ଚାଷକୁ ମିଶ୍ରିତ ଚାଷ କୁହାଯାଏ।ଏକ ସଙ୍ଗେ ଆମେ ପାଞ୍ଚଟି ଫସଲ ଅମଳ କରିବୁ ବୋଲି। ଏ ସବୁ ମନଯୋଗ ଦେଇ ଶୁଣୁଥିବା ଚିନାମାଳୀ ମନ୍ମଥ ନିକଟକୁ ଘୁଞ୍ଚି ଆସି କହିଲା ବହୁତ ସୁନ୍ଦର କଥା ଶୁଣାଇଲୁ ।ଆମ ଗାଁ ରେ ମଧ୍ୟ ଏହି ଭଳି ପାହାଡ଼ ଚାଷ କରନ୍ତି।ଆଉ ତୁମ ଗାଁ ଖବର କଣ। ଆଜି ମୋତେ ଭୂୟାଁ ମାନଙ୍କ କଥା କିଛି ଶୁଣାଇବୁ ନା ନାହିଁ। ଅଳ୍ପ ହସିଦେଇ ମନ୍ମଥ କହିଲା ହଁ ଆମ ଗାଁ ପ୍ରଧାନ ଙ୍କ ପାଖରୁ କିଛି ଶୁଣିକରି ଆସିଛି ତାକୁ ନିଶ୍ଚୟ ତୋତେ କହିବି।

ସାଙ୍ଗରେ ଆଣିଥିବା ଶିଆଳି ଫଳକୁ ବାହାର କରି ମନ୍ମଥକୁ ଖାଇବାକୁ କହି ନିଜେ ମଧ୍ୟ ଖାଇବା ସହ ମନ୍ମଥ ଠାରୁ ପାଉଡି ଭୂୟାଁ ଜନଜାତିର କଥା ଶୁଣିବା ପାଇଁ ଅପେକ୍ଷା କଲା। ମନ୍ମଥ କଥା ଆରମ୍ଭ କରି କହିଲା ଆଲୋ ସେ ଦିନ ଆମ ଗାଁ ପ୍ରଧାନଙ୍କୁ ଆମ ଜାତିର ଲୋକମାନେ ସବୁ କେଉଁଠି ରହନ୍ତି ଓ ଆମ ଜାତି ବିଷୟରେ କହିବାକୁ କହିଲାରୁ। ସେ ମୋତେ ବୁଝାଇ କରି ଏହିପରି କହିଥିଲେ। ଭୂୟାଁ ମାନେ ସାଧାରଣତଃ ଆସାମ , ବିହାର ଓ ଓଡ଼ିଶା ରେ ବସବାସ କରନ୍ତି। ଭୂୟାଁ ମାନେ ନିଜକୁ ପବନ ପୁତ୍ର ହନୁମାନଙ୍କ ବଂଶଧର ବୋଲି ଦାବି କରନ୍ତି। ଓଡ଼ିଶାର ଗଙ୍ଗବଂଶୀୟ ରାଜପରିବାର ସହ ମଧ୍ୟ ଭୂୟାଁମାନଙ୍କ ସମ୍ପର୍କ ରହିଥିବାର କିଛି ପୁରୁଖା ଲୋକ କହନ୍ତି। ଓଡ଼ିଶାରେ ମୁଖ୍ୟତଃ କେନ୍ଦୁଝର, ଅନୁଗୋଳ, ସୁନ୍ଦରଗଡ଼, ଦେବଗଡ଼ ଓ ମୟୁରଭଞ୍ଜ ଜିଲ୍ଲାରେ ଏହି ଜାତିର ଲୋକମାନେ ବସବାସ କରନ୍ତି। ସେମାନଙ୍କ ବସତିକୁ ନେଇ ସେମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଏ।ସମତଳି ଭୂୟାଁ ଓ ମାଳ(ପାହୁଡି ବା ପାଉଡି ଭୂୟାଁ). ସେମାନେ ବିଭିନ୍ନ ଜାତିର ଯଥା ଦେଶୀ ଭୂୟାଁ ବା ମାଳ ଭୂୟାଁ,ପରଜା ବା ରଇତାଳି ଭୂୟାଁ, ସାନ୍ତାଳୀ ଭୂୟାଁ, ଦଣ୍ଡସେନା ଭୂୟାଁ,ରାଜକୁଳି ବା ବଡ଼ ଭୂୟାଁ ,ସାମନ୍ତିଆ ଭୂୟାଁ, ଖଣ୍ଡାୟତ ବା ପାବନ ଭୂୟାଁ,କଟି ଭୂୟାଁ,ନକସିଆ ଭୂୟାଁ,ଆକେ ଭୂୟାଁ,ଡାକେ ଭୂୟାଁ,ରାଇଟସେଣା ଭୂୟାଁ ମୂଷର ଭୂୟାଁ ଓ ଘଟୱର ଭୂୟାଁ।କଣ ଶୁଣୁଛୁ ନା ଶୋଇପଡ଼ିଲୁଣି ବୋଲି କହି ଚିନାମାଳୀର ବାହୁ ଦୁଇଟିକୁ ହଲାଇ ଦେଲା ମନ୍ମଥ। ତୁମେ କୁହ ମୁଁ ତୁମ କଥା ଶୁଣୁଛି ବୋଲି କହିବା ପରେ ମନ୍ମଥ ପୁଣି କଥା ଆରମ୍ଭ କଲା ଆଲୋ ଆମେ ସବୁ ଦେଶୀ ଭୂୟାଁ ବା ମାଳ ବା ପାଉଡି ଭୂୟାଁ। କେହି କେହି ଆମେ ପାହାଡ଼ ପର୍ବତ ରେ ରହୁଥିବା ରୁ ଆମକୁ ପାହୁଡି ଭୂୟାଁ ବୋଲି ମଧ୍ୟ କହିଥାନ୍ତି।ଆମ ଜାତିର ଲୋକମାନେ ଏକ ନିର୍ଦ୍ଦିଷ୍ଟ ପର୍ବତ ଅଞ୍ଚଳରେ ରହିବା ପାଇଁ ପସନ୍ଦ କରନ୍ତି। କେନ୍ଦୁଝର ଜିଲ୍ଲାର ବାଂଶପାଳ, ଅନୁଗୋଳ ଜିଲ୍ଲାର ପାଳଲହଡା, ସୁନ୍ଦରଗଡ଼ ଜିଲ୍ଲାର ବଣେଇଁ ଓ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ରେ ଆମ ପାଉଡି ଭୂୟାଁ ଜନଜାତିର ଲୋକେ ରହନ୍ତି। ଏହି ସବୁ ବ୍ଲକ ପରସ୍ପରକୁ ଲାଗି ଥିବା ବ୍ଲକ। ଆଉ ମଧ୍ୟ ପ୍ରଧାନେ ଆମ ଗାଁ ରେ ଥିବା ଦରବାର ଘର, ଭୂୟାଁ ପୀଢ ଓ ମହାପୀଢର କଥା କହୁଥିଲେ। କାଲି କହିବି। ଦେଖୁନୁ ସୂର୍ଯ୍ୟ ଦେବତା ଅସ୍ତ ହେବାକୁ ବସିଲେଣି। ତରବରରେ ଉଠିଲା ବେଳକୁ ଚିନାମାଳୀ କହିଲା ମୁଁ ଆଜି ମୋ ବୋଉ ଠାରୁ ଗାଳି ଶୁଣିବି। ମନ୍ମଥ ଆଶ୍ଚର୍ଯ୍ୟ ହୋଇ ପଚାରିଲା କିରା (କଣ) ପାଇଁ। ନାହିଁ ମ ବୋଉ କୁ ବଇଙ୍ଗା ଆଉ ପିତା ଆଳୁ ଖୋଳି କରି ନେବା ପାଇଁ କହିଥିଲି ତ।ଆଉ ବେଳ କାହିଁ ଯେ ଖୋଳିକରି ନେବି। ତା କଥା ଶୁଣି ମନ୍ମଥ କାନ୍ଧରେ ପକାଇଥିବା ଗାମୁଛା ରୁ ବଇଙ୍ଗା ଓ ପିତା ଆଳୁ ବାହାର କରି ତା ଆଡକୁ ବଢାଇ ଦେଇ କହିଲା ତୁ କିସ ପାଇଁ ଟେନସନ୍ ନେଉଛୁ।ଏଗୁଡାକ ନେ ମୁଁ କାଲି ଜଙ୍ଗଲରୁ ଖୋଳି କରି ନେବି। କୃତ୍ୟକୃତ୍ୟ ହୋଇ ଚିନାମାଳୀ ସେସବୁକୁ କାନିରେ ବାନ୍ଧି କରି ମନ୍ମଥ ସହ ଗାଁ ମୁହାଁ ହେଲା।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.