• About
  • Contact
Sunday, August 30, 2026
Sunday, August 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଓଡ଼ିଆଭାଷା ବଞ୍ଚାଇଥିବା ଅଲୋଡ଼ା ଛାପାଖାନା

ଓଡ଼ିଆଭାଷା ବଞ୍ଚାଇଥିବା ଅଲୋଡ଼ା ଛାପାଖାନା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୪ ଅପ୍ରେଲ ୨୦୨୩

“ଏଇ ବାଲେଶ୍ୱରରୁ ଦିନେ ଓଡିଆ ସାହିତ୍ୟକୁ ମୃତ୍ୟୁ ମୁଖରୁ ରକ୍ଷା କରିବାକୁ ସର୍ବପ୍ରଥମ ଉଦ୍ୟମ ଆରମ୍ଭ ହୋଇଥିଲା । ସାମନ୍ତ ରାଜନାରାୟଣ ଦାସ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ରାଜା ଶ୍ୟାମାନନ୍ଦ ଦେ (ରାଜା ବୈକୁଣ୍ଠନାଥଙ୍କ ପିତା) ପ୍ରଭୃତିଙ୍କ ପୃଷ୍ଠପୋଷକତାରେ ଏଇଠି ପ୍ରଥମେ “ସାମନ୍ତ ପ୍ରେସ” ସ୍ଥାପିତ ହୋଇଥିଲା ଏବଂ ଏଇ ପ୍ରେସରୁ ହିଁ “ସମ୍ବାଦ ବାହିକା” ପ୍ରକାଶିତ ହେଉଥିଲା । ପରେ ସେଇ ପ୍ରେସଟି ମୁଁଇ କିଣି ନେଇଥିଲି । ସେଇଟି ଏବେ ସୁଦ୍ଧା ଅଛି।”

ଏହା ହେଉଛି ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଆବେଗ ଭରା ଉକ୍ତି । ମୃତ୍ୟୁର ଠିକ୍ ଦୁଇ ବର୍ଷ ପୂର୍ବରୁ ୧୯୫୧ ଫେବୃୟାରୀ ୨୪ତାରିଖ ଦିନ ବାଲେଶ୍ୱରର “ଫକୀର ମୋହନ ସାହିତ୍ୟ ସଂସଦ” ପକ୍ଷରୁ କାନ୍ତକବିଙ୍କୁ ସମ୍ବର୍ଦ୍ଧନା ଜଣାଇବା ଲାଗି କଲେଜ ହଲରେ ଏକ ସଭାର ଆୟୋଜନ କରାଯାଇଥିଲା । ସେଥିରେ ବକ୍ତବ୍ୟ ପ୍ରଦାନ କରି କାନ୍ତକବି କହିଥିଲେ, “ଜୀବନରେ ଅନେକ ଅଭିନନ୍ଦନ ପାଇଛି । କିନ୍ତୁ ଆଜି ଭଳି ମୁଁ କେବେ ଏପରି ଅଭିଭୂତ ହୋଇନଥିଲି। ଆଜି ଏଠିକୁ ଆସି ମୋର ବହୁ ବର୍ଷ ତଳର, ମୋର ପିଲା ଦିନର ଅନେକ କଥା ମନେ ପଡୁଛି। ” ସଜଳ ଚକ୍ଷୁରୁ ଲୁହ ପୋଛି ସେ ମୁଦ୍ରଣାଳୟର ଐତିହ୍ୟ ସଂପର୍କରେ ଉପରୋକ୍ତ ସୂଚନା ଦେଇଥିଲେ ।

ସେହିପରି କାନ୍ତକବିଙ୍କ ଜୀବନୀକାରମାନେ ଲେଖିଛନ୍ତି, ୧୯୨୯ ମସିହାରେ ଭଦ୍ରକ ସହରସ୍ଥିତ ‘ଭାଗବତ ଭବନ’ ଠାରେ ଏହି ଛାପାଖାନା ବା ହ୍ୟାଣ୍ଡ ପ୍ରେସଟି ସ୍ଥାପନ କରାଯାଇଥିଲା । କବିଙ୍କ କୁଳଦେବତାଙ୍କ ନାମାନୁସାରେ ମୁଦ୍ରଣାଳୟର ନାମ ରଖାଯାଇଥିଲା ଗୋପୀନାଥ ପ୍ରେସ । ବିଚିତ୍ର ସଂଯୋଗ ଏହିଯେ, ଯେଉଁ ହାତ ଛାପାଖାନାଟି କଟକରୁ କିଣା ହୋଇ ଆସିଥିଲା ତାହା ଏକଦା ଫକୀର ମୋହନ, ସାମନ୍ତ ରାଜନାରାୟଣ ଦାସ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ରାଜା ବୈକୁଣ୍ଠନାଥ ଦେଙ୍କ ପିତା ରାଜା ଶ୍ୟାମାନନ୍ଦ ଦେ ଆଦିଙ୍କ ପୃଷ୍ଠ ପୋଷକତାରେ ବାଲେଶ୍ୱରକୁ ଅସିଥିବା ପ୍ରଥମ ମୁଦ୍ରଣ ଯନ୍ତ୍ର । ସେହି ଯନ୍ତ୍ରର ନିର୍ମାଣ କାଳ ୧୮୩୫ ମସିହା । ଜ୍ୟେଷ୍ଠ ପୁତ୍ର ଲକ୍ଷ୍ମୀକାନ୍ତଙ୍କ ଶାରୀରିକ ଅସୁସ୍ଥତାକୁ ଦୃଷ୍ଟିରେ ରଖି ତାଙ୍କ ସାରସ୍ୱତ ପ୍ରତିଭାର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ୧୯୨୯ ମସିହାରେ ସେହି ଛାପାଖାନାଟିକୁ ଭଦ୍ରକ ଠାରେ ବସାଇଥିଲେ । ଭାଗବତ ବାବୁ ଥିଲେ ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି ଏବଂ ଆଧୁନିକ ଭଦ୍ରକ ସହରର ଅନ୍ୟତମ ବିନ୍ଧାଣୀ । ଭଦ୍ରକର ପ୍ରତ୍ୟେକ ଜନମଙ୍ଗଳ କାର୍ଯ୍ୟ ସହିତ ତାଙ୍କର ପ୍ରାୟ ସଂପୃକ୍ତି ରହିଥିଲା । ଭଦ୍ରକରେ ମୁନସଫ୍ କୋର୍ଟ ପ୍ରତିଷ୍ଠା, ବାର ଆସୋସିଏସନ ସ୍ଥାପନ, ଭଦ୍ରକ କୋ- ଅପରେଟିଭ ବ୍ୟାଙ୍କ ପ୍ରତିଷ୍ଠା, ଉତ୍କଳ ସମ୍ମିଳନୀର ବିଶିଷ୍ଟ ସଭ୍ୟ ଭାବରେ ସମ୍ମିଳନୀର ପ୍ରସ୍ତାବକ୍ରମେ ସର୍ବପ୍ରଥମ ହସ୍ତଶିଳ୍ପ କାରଖାନା ସ୍ଥାପନ ଆଦି କ୍ଷେତ୍ରରେ ସେ ଥିଲେ ଅଗ୍ରଣୀ । ଏତଦ୍‌ଭିନ୍ନ ଭାଗବତ ବାବୁ ବାଲେଶ୍ୱର ଜିଲ୍ଲା ବୋର୍ଡର ପ୍ରଥମ ଭାଇସ- ଚେୟାରମ୍ୟାନ (ସେତେବେଳେ ଗୋରା ସାହେବ ମାନେ ଜିଲ୍ଲା ମାଜିଷ୍ଟ୍ରେଟ ହେବା ସହ ଚେୟାରମ୍ୟାନ ପଦବୀରେ ଅଧିଷ୍ଠିତ ହେଉଥିଲେ), ଭଦ୍ରକ ୟୁନିୟନ ବୋର୍ଡର ପ୍ରଥମ ସଭାପତି, ଏପରିକି କଲିକତା ମେଡ଼ିକାଲ କଲେଜ ମ୍ୟାନେଜିଂ କମିଟି ସଭ୍ୟ ରୂପେ ବଙ୍ଗ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ । କେବଳ ସେତିକି ନୁହେଁ, ବିହାର-ଓଡିଶା ଲେଜିସଲେଟିଭ କାଉନସିଲକୁ ଚାରି ଥର ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ଭାଗବତବାବୁ ସେଥିମଧ୍ୟରୁ ଦୁଇ ଥର କାଉନସିଲର ଡ଼େପୁଟି-ସ୍ପିକର ମଧ୍ୟ ହୋଇଥିଲେ । ସେତେବେଳେ ସ୍ପିକର ପଦବୀ ଗୋରା ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ମାତ୍ର ସ୍ପିକର ଗୃହ ପରିଚାଳନା କରୁନଥିଲେ। ଭାଗବତ ବାବୁଙ୍କ ପୂର୍ବରୁ କୌଣସି ଓଡ଼ିଆ ଡେପୁଟି ସ୍ପିକର ଭଳି ସମ୍ମାନ ଜନକ ପଦବୀର ଅଧିକାରୀ ହୋଇନଥିଲେ ।

ଗୋପୀନାଥ ପ୍ରେସ ନାମରେ ଉକ୍ତ ମୁଦ୍ରଣାଳୟଟି ଭଦ୍ରକରେ ପ୍ରତିଷ୍ଠିତ ହେବା ମାତ୍ରେ ପରିବାରବର୍ଗଙ୍କ ପକ୍ଷରୁ ଗୋଟିଏ ପତ୍ରିକା ପ୍ରକାଶନର ଉତ୍ସୁକତା ପ୍ରକାଶ ପାଇଥିଲା । ସେତେବେଳେ ଭଦ୍ରକ ଗୋଟିଏ ଛୋଟିଆ ସହର ଥିଲା ଏବଂ ଲୋକମାନେ ଛପା ବହି ମୁଦ୍ରଣ ପାଇଁ ଆଗ୍ରହ ପ୍ରକାଶ କରୁନଥିଲେ। ତେଣୁ ଗୋପୀନାଥ ପ୍ରେସ୍ ପାଇଁ କାମ ଯୋଗାଡ କରିବା କଷ୍ଟସାଧ୍ୟ ବ୍ୟାପାର ହୋଇପଡିଥିଲା । ତଥାପି ଆନନ୍ଦ, ଆଲୋକ ଓ ଅଗ୍ରଗତିର ପ୍ରତୀକ ରୂପେ ‘ଡଗର’ ପାକ୍ଷିକ ପତ୍ରିକାର ପ୍ରଥମ ସଂଖ୍ୟା ୧୯୩୭ ମସିହାର ଉତ୍ତପ୍ତ ଗ୍ରୀଷ୍ମାବକାଶରେ ପ୍ରକାଶ ପାଇଥିଲା । କାନ୍ତକବି ଗୋପୀନାଥ ପ୍ରେସର ସତ୍ତ୍ଵାଧିକାରୀ ହୋଇଥିଲେ ସୁଦ୍ଧା ତାଙ୍କ ନିର୍ଦ୍ଦେଶକ୍ରମେ ଜ୍ୟେଷ୍ଠ ପୁତ୍ର ନିତ୍ୟାନନ୍ଦ ‘ଡଗର’ର ପ୍ରଥମ ସଂପାଦକ ହେଲେ । ଅବଶ୍ୟ ଏହି ପତ୍ରିକାର ‘ଡଗର’ ନାମକରଣ କରିଥିଲେ ସ୍ୱୟଂ କାନ୍ତକବି । ତେବେ ଗୋପୀନାଥ ପ୍ରେସର ଆୟ ‘ଡଗର’ର କ୍ରମାଗତ କ୍ଷତି ପୂରଣ ଲାଗି ଅସମର୍ଥ ହେବାରୁ ୧୯୫୦ ମସିହାରେ ନିତ୍ୟାନନ୍ଦ ‘ଡଗର’ ର ପ୍ରକାଶନ କଟକକୁ ସ୍ଥାନାନ୍ତରିତ କରିଥିଲେ । ‘ଡଗର’ ର ପ୍ରକାଶନ କଟକକୁ ସ୍ଥାନାନ୍ତରିତ ହୋଇଥିଲେ ସୁଦ୍ଧା ସେହି ହ୍ୟାଣ୍ଡ ପ୍ରେସଟି ଭଦ୍ରକର ଗୋପୀନାଥ ପ୍ରେସରେ ବହୁ ବର୍ଷଧରି କାର୍ଯ୍ୟକ୍ଷମ ଥିଲା ।

କାନ୍ତକବିଙ୍କ ପରିବାରର ବୈଶିଷ୍ଟ୍ୟ ବା ସ୍ୱାତନ୍ତ୍ର୍ୟ ଏହିଯେ, ସ୍ୱାଧୀନତା ସଂଗ୍ରାମ କାଳରେ ୧୯୩୦ ମସିହାରେ ତାଙ୍କର ସମଗ୍ର ପରିବାର ଜାତୀୟ ଆନ୍ଦୋଳନରେ ଝାସ ଦେଇଥିଲେ । ଦୁଇପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର, ଅନୁଜା କୋକିଳା ଓ ଜାହ୍ନବୀ (ଓଡିଶା ବିଧାନଭାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ପତ୍ନୀ) ଅନୁଜ କମଳାକାନ୍ତ (ତଦାନୀନ୍ତନ ‘ପ୍ରଜାତନ୍ତ୍ର’ ର ସଂପାଦକ) ଏକାଧିକବାର କାରାବରଣ କରିଥିଲେ । ପିତା ଭାଗବତ ପ୍ରସାଦ ମଧ୍ୟ ଇଂରେଜସରକାରଙ୍କ ଅନ୍ୟାୟର ପ୍ରତିବାଦ କରି ବିହାର – ଓଡ଼ିଶା ଲେଜିସଲେଟିଭ କାଉନସିଲ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ଏଭଳି ପ୍ରତିକୂଳ ପରିସ୍ଥିିିିିତି ଭିତରେ ଭଦ୍ରକରେ ଗୋପୀନାଥ ପ୍ରେସ୍ ଚଳାଇ ରଖିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା । ପ୍ରେସରେ ଥିବା ସେହି ମୁଦ୍ରଣଯନ୍ତ୍ରଟିର ଆକାର ଏତେ ବିଶାଳ ଥିଲା ଯେ , ତାକୁ ଚଲାଇବା ପାଇଁ ଅନ୍ୟୁନ ୧୦ଜଣ ଲୋକ (ପାଞ୍ଚ ଜଣ ଲୋକ ଫର୍ମା ଟେକିବା ପାଇଁ ଓ ଅବଶିଷ୍ଟ ପାଞ୍ଚ ଜଣ ଫର୍ମା ପକାଇବା ଲାଗି) ନିୟୋଜିତ ହେଉଥିଲେ । ଧୀରେ ଧୀରେ ଟେକ୍ନୋଲୋଜିର ଉନ୍ନତି ଘଟିବାରୁ ବା ପରିବର୍ତ୍ତିତ ପରିସ୍ଥିତିରେ ସେହି ପୁରୁଣା ଛାପାଖାନା ବା ମୁଦ୍ରଣ ଯନ୍ତ୍ର ସାହାଯ୍ୟରେ ପୁସ୍ତକ ଓ ପତ୍ରପତ୍ରିକା ଛପାଇବା କାର୍ଯ୍ୟ କଷ୍ଟକର ହୋଇ ପଡ଼ିଲା । ତେଣୁ ବହୁ ବର୍ଷ ଧରି ସେହି ଅଚଳ ମୁଦ୍ରଣ ଯନ୍ତ୍ରଟି ଗୋପୀନାଥ ପ୍ରେସର ପ୍ରବେଶ ଦ୍ୱାରା ନିକଟରେ ପଡ଼ି ରହିଥିବାର ଦେଖାଯାଇଥିଲା ।

ସେହି ହ୍ୟାଣ୍ଡପ୍ରେସର ବିଶାଳତା, ସମୟ ସହିତ ତାଳ ମିଳାଇ ଚାଲିବାରେ ଅସାମର୍ଥ୍ୟତା ଆଦି ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ ସେହି ପ୍ରାଚୀନ ମୁଦ୍ରଣ ଯନ୍ତ୍ରଟିକୁ କୀର୍ତ୍ତିରାଜି ହିସାବରେ ସଂରକ୍ଷିତ ରଖ୍‌ବାକୁ କାନ୍ତକବିଙ୍କର ଦୁଇ ପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର ସେମାନଙ୍କ ଜୀବଦ୍ଦଶାରେ ରାଜ୍ୟସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । ସେମାନେ ରାଜ୍ୟ ସରକାରଙ୍କ ନିକଟକୁ ଲେଖିଥିବା ଚିଠିରେ ଓଡ଼ିଆ ଭାଷାର ଗୌରବଜ୍ଜ୍ଵଳ ଐତିହ୍ୟ ସହିତ ଅଙ୍ଗାଙ୍ଗୀଭାବେ ଜଡିତ ଏହି ମୁଦ୍ରଣାଳୟଟିକୁ ପୁରାତନ କୀର୍ତ୍ତିରାଜି ହିସାବରେ ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ରଖିବା ଲାଗି ପ୍ରସ୍ତାବ ବାଢିଥିଲେ । କାନ୍ତକବିଙ୍କ ଜ୍ୟେଷ୍ଠ ପୁତ୍ର ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ର ଏହି ମୁଦ୍ରଣାଳୟଟିକୁ ରାଜ୍ୟ ସଂଗ୍ରହାଳୟକୁ ସ୍ଥାନାନ୍ତରିତ କରିବା ଲାଗି ତଦାନୀନ୍ତନ ମନ୍ତ୍ରୀ ତଥା ଭଦ୍ରକର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଜରିଆରେ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ବେଳେ କାନ୍ତକବିଙ୍କ କନିଷ୍ଠ ପୁତ୍ର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ସାହିତ୍ୟିକ ଗୌରଚନ୍ଦ୍ର ମହାପାତ୍ର ତାଙ୍କର ସହପାଠୀ ନୀଳମଣି ରାଉତରାୟଙ୍କ ପୁତ୍ର ତଥା ସେତେବେଳର ସଂସ୍କୃତି ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ମାଧ୍ୟମରେ ସରକାରଙ୍କ ନିକଟରେ ସେହି ପ୍ରସ୍ତାବ ରଖିଥିଲେ । “ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନଏଁ” ଆବାଜରେ ଓଡିଆ ଭାଷାର ଅସ୍ତିତ୍ୱ ଯେତେବେଳେ ବିପଦାପନ୍ନ ହୋଇପଡ଼ିଥିଲା, ସେତେବେଳେ ମୃତ୍ୟୁ ମୁଖରୁ ଆମର ଭାଷା ସାହିତ୍ୟକୁ ବଞ୍ଚାଇବା ଲାଗି ଏହି ହ୍ୟାଣ୍ଡ ପ୍ରେସ ବା ଛାପାଖାନାର ଅବଦାନ ଅବିସ୍ମରଣୀୟ ଥିଲା ବୋଲି ଗୌରଚନ୍ଦ୍ର ରାଜ୍ୟ ସରକାରଙ୍କ ନିକଟକୁ ଲେଖିଥିବା ଚିଠିରେ ଦର୍ଶାଇଥିଲେ । ଏହା ସତ୍ତ୍ୱେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଭାବ ଗମ୍ଭୀର ବା ସ୍ପର୍ଶକାତର ପ୍ରସଂଗରେ କୌଣସି ତତ୍ପରତା ପ୍ରକାଶ ନପାଇବା ଯୋଗୁଁ କାନ୍ତକବିଙ୍କ ପରିବାରର ସଭ୍ୟମାନେ ଅନୋନ୍ୟପାୟ ହୋଇ ସେହି ବିଶାଳକାୟ ଛାପଖାନାଟିକୁ ବହୁ କଷ୍ଟରେ ଖୋଲି ପରସ୍ତ ପରସ୍ତ କରି ଲୌହ ପ୍ଲେଟ ଗୁଡ଼ିକୁ ଗଚ୍ଛିତ ରଖିଛନ୍ତି । ତେବେ ସେହି ମୁଦ୍ରଣ ଯନ୍ତ୍ରର ସମସ୍ତ ଅଂଶ ସଜାଡି ରଖିବା ସମ୍ଭବ ହେଉନଥିବାରୁ କେତେକ ବିରାଟ ଲୌହଖଣ୍ଡ ଆବଶ୍ୟକ ସ୍ଥାନାଭାବରୁ ମୁକ୍ତାକାଶ ତଳେ ଇତଃସ୍ତତ ହୋଇ ଏବେବି ପଡ଼ି ରହିଛି ।

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ ଅବସରରେ ମନରେ ସ୍ୱତଃ ପ୍ରଶ୍ନ ଜାଗି ଉଠେ “ଏକଦା ଓଡ଼ିଆ ଭାଷାକୁ ବିଲୁପ୍ତି ମୁଖରୁ ରକ୍ଷା କରିଥିବା ଏହି ଛାପାଖାନାର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱ କ’ଣ ଆମ ଓଡ଼ିଆ ମାନଙ୍କର ନାଁ ଅଣ-ଓଡ଼ିଆମାନଙ୍କର ? ଏଥିପ୍ରତି ଓଡ଼ିଆ ଜାତିର କିଛି କର୍ତ୍ତବ୍ୟ ଅଛି ନାଁ ନାହିଁ ? ଯଦି ଅଛି, ତାହା କିଭଳି ଭାବରେ ପ୍ରକଟିତ ହେବା ଦରକାର ?”

ଉଲ୍ଲେଖଯୋଗ୍ୟ ଯେ, ସମଗ୍ର ଉନବିଂଶ ଶତାଦ୍ଦୀରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଉତ୍କଳର ସମୂହ ସ୍ୱାର୍ଥ ରକ୍ଷା ଲାଗି ଯେଉଁ ସଂଗ୍ରାମ କରିଥିଲା, ସେଥିରେ ଏହାର କୃତୀ ସନ୍ତାନସନ୍ତତି ମାନେ ହିଁ ସାଜି ଥିଲେ ପ୍ରଧାନ ରଥୀ । ସେମାନଙ୍କ ପ୍ରଚେଷ୍ଟାରେ ବାଲେଶ୍ୱର ଜିଲ୍ଲାରୁ ଉନବିଂଶ ଶତାବ୍ଦୀର ବିଭିନ୍ନ ସମୟରେ ପ୍ରକାଶିତ ‘ବୋଧଦାୟିନୀ’, ‘ବାଲେଶ୍ୱର ସମ୍ବାଦ ବାହିକା’, ‘ଉତ୍କଳ ଦର୍ପଣ’ ପ୍ରଭୃତି ପ୍ରକାଶିତ ହୋଇ କେବଳ ଏହି ଜିଲ୍ଲାକୁ ଉଦ୍‌ବୁଦ୍ଧ କରିନଥିଲା, ପରନ୍ତୁ କଟକ, ବ୍ରହ୍ମପୁର, ସମ୍ବଲପୁର, ବାରିପଦା, ବାମଣ୍ଡା ପ୍ରଭୃତି ଅଞ୍ଚଳରୁ ପ୍ରକାଶିତ ଅନ୍ୟାନ୍ୟ ପତ୍ରିକା ସହ ପରିପୂରକ ସ୍ୱର ମିଳାଇ ସମଗ୍ର ଓଡ଼ିଶାରେ ଉଗ୍ର ଉତ୍କଳୀୟ ଚେତନା ଜାଗ୍ରତ କରିଥିଲା।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.