• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନିରୁତ୍ତର….

ନିରୁତ୍ତର….
Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ଵର, ୧ ଜୁନ୍ ୨୦୨୩

ରିତାଦେବୀ ସକାଳୁ ସକାଳୁ ଠାକୁର ପୂଜା ପାଇଁ ଫୁଲ ତୋଳୁ ତୋଳୁ ହଠାତ ନଜର ପଡ଼ିଗଲା ପୁଅ ପିକୁନ ଲଗାଇଥିବା ଗୋଲାପ ଗଛ ଉପରେ । ସୁନ୍ଦର ଗୋଲାପୀ ରଙ୍ଗର କଢ଼ ଟିଏ ଧରିଛି । ଏହା ଦେଖି ବହୁତ ଖୁସି ହୋଇଗଲେ । ଭାବିଲେ ଯାହା ହେଉ ମୋ ପିକୁନ ଶୁଣିଲେ ବହୁତ ଖୁସି ହୋଇଯିବ । ନିଜ ହାତରେ ଲଗାଇଥିବା ଗଛରେ ଫୁଲ କିମ୍ବା ଫଳ ଦେଖିଲେ ଆନନ୍ଦର ସୀମା ରୁହେନି । ସିଙ୍ଗାପୁର ଯିବା ବେଳକୁ କହିଯାଇଥିଲା ମା ମୋ ଗୋଲାପ ଗଛରେ ଟିକେ ଟିକେ ପାଣି ଦେଉଥିବ । ପୁଅ ର କଥା ସର୍ବଦା ମନେ ରଖିଥାନ୍ତି । ଆଜି ରିତାଦେବୀଙ୍କ କାନ ଟା ଫାଟି ପଡ଼ୁଥାଏ ପାଖ ଗଛ ଉପରେ ବସି ବୋବାଉଥିବା କଳା ଡାମରା କାଉର କା କା ଶବ୍ଦରେ ।ଭାବୁ ଥାନ୍ତି ଆଜି ବୋଧେ ତାଙ୍କୁ କିଛି ଶୁଭ ଖବର ମିଳିବ । ଏହି ସମୟରେ ଫୋନ ଟା ଜୋରେ ବାଜି ଉଠିଲା ।ତର ତର ହୋଇ ଆସି ଫୋନ ଟା ଧରି ହାଲୋ କହିବାରୁ ସେପଟୁ ମାଆ ତୁ କେମିତି ଅଛୁ । ପିକୁନ ର ସ୍ୱର ଶୁଣି ରିତା ଦେବୀ ଅତ୍ୟନ୍ତ ଖୁସି ହୋଇ ପଡ଼ିଲେ ଆଉ କହିଲେ ଆରେ ତୋ ଗୋଲାପ ଗଛରେ କଢ଼ ଟିଏ ଦେଖି ତୋରି କଥା ଭାବୁଥିଲି । “ହଁ ପୁଅ କହିଲୁ ତୁ କେମିତି ଅଛୁ ଆଉ ମୋ ବୋହୁ” ? ଏକା ନିଶ୍ୱାସରେ ସବୁ ଯାକ ପ୍ରଶ୍ନ । “ହଁ ଭଲ ରେ ଅଛି । ମା ଗୋଟେ ଶୁଭ ଖବର । ଆମ ଘରକୁ ଜଣେ ନୂଆ ଆଗନ୍ତୁକର ଆଗମନ ହେବାକୁ ଯାଉଛି । ବୁଝିଲୁ ମା ତୁ ଜେଜେମା ହେବାକୁ ଯାଉଛୁ” । ଖୁସିରେ ଆଖିରୁ ଲୁହ ଦୁଇଟୋପା କୁ ନିଜ ପଣତ କାନିରେ ପୋଛି ଦେଇ ପଚାରିଲେ, “ପୁଅ ଆଗେ କହିଲୁ ମୋ ବୋହୁ ଦେହ କେମିତି ଅଛି” ? “ମା ଲିସା ଦେହ ଏବେ ଟିକେ ଭଲ ରହୁନି । ମୁ କଣ କହୁଥିଲି କି ତୁ ଆଉ ବାପା ଏହି ସମୟରେ ଆସିଲେ ଟିକେ ଭଲ ହୁଅନ୍ତା” । “ଆରେ ପଚାରୁଛୁ କଣ, ତୋ ବାପାକୁ କହି ଆମେ ଯାଇ ନିଶ୍ଚୟ ତୋ ପାଖରେ ପଂହଁଚିବୁ” । “ମା ତୁ ତ ଜାଣିଛୁ ବାହାର କମ୍ପାନୀରେ କେତେ କାମ । ମୁ ଘରକୁ ଯାଇ ତମ ମାନଙ୍କୁ ଏଠାକୁ ସାଙ୍ଗରେ ଆଣିବା ସମ୍ଭବ ନୁହେଁ । ଟିକେଟ ପଠେଇ ଦେଉଛି ଆର ସପ୍ତାହ ପାଇଁ ।ତମେ ମାନେ ଏଠାରେ ରହିଲେ ଲିସା କୁ ଟିକେ ଭଲ ଲାଗିବ” ।

ରିତାଦେବୀ ମନେ ମନେ ଭାବିଲେ ଏହା ଭିତରେ ମୋ ବୋହୂର ନିଶ୍ଚିତ ବୋଧେ କିଛି ପରିବର୍ତ୍ତନ ହୋଇ ଯାଇଥିବ । କାରଣ ସେ ମା ହେବାକୁ ଯାଉଛି ଆଉ ମା ର ମନ କଥା ସବୁ ଠିକ ଏବେ ବୁଝି ପାରୁଥିବ । ରିତାଦେବୀ ଭାବୁଥିଲେ ପୁଅ ଝିଅ ମାନେ ବଡ଼ ହୋଇ ଗଲେ ଦୁରକୁ ଉଡ଼ି ଯାଆନ୍ତି ନିଜ ନିଜ ନିଡ଼ କୁ ଓ ବାପା ମାଙ୍କୁ ଭୁଲି ଯାଆନ୍ତି । କିନ୍ତୁ ମୋ ପୁଅ ସେଥିରୁ ବ୍ୟତିକ୍ରମ ମୋତେ ସବୁବେଳେ ଲାଗେ । ଭାରି ବ୍ୟସ୍ତ ହୋଇ ଗେଟ ପାଖରୁ ଘର, ଘରୁ ଗେଟ ଅପେକ୍ଷା କରିଥାନ୍ତି, ଅଭୟ ବାବୁ ଙ୍କୁ। ଗୁଣୁ ଗୁଣୁ ହୋଇ କହୁଥାନ୍ତି କେତେ ବେଳେ ଆସିବେ କ୍ଷୀର ପାଇଁ ଯାଇଛନ୍ତି ଯେ ଏତେ ସମୟ ହେଲାଣି । ହଁ ତାଙ୍କର କଣ ଅଛି କିଏ ଯଦି କୋଉଠି ବାଟରେ ଭେଟିଥିବେ ଗପୁଥିବେ ଯେ ସବୁ ଘରକଥା ଭୁଲି ଯିବେ । ଏମିତି ଗର ଗର ହେବା ସମୟରେ ଅଭୟ ବାବୁ ଆସି ଘରେ ପହଞ୍ଚିଲେ । ଅଭୟ ବାବୁ ରିତାଦେବୀ ଙ୍କର ଏପରି ଅଥୟ କାର୍ଯ୍ୟ କଳାପରୁ କିଛି ସମୟ ବୁଝି ପାରୁ ନଥିଲେ । ଚା କପ ଟା ଧରି ଆସି ପାଖରେ ବସି ପଡ଼ି କହିଲେ, “ହଇଓ ଶୁଭୁଛି ନା ନାହିଁ” ? “ଆରେ ହଁ, କଣ କୁହ ମୋତେ ଠିକ ଶୁଭୁଛି । ପିକୁନ ଫୋନ କରିଥିଲା” । “ହଁ କଣ ସେଉଠୁ ହୋଇଗଲା”? “ଗୋଟେ ଖବର, ତମେ ଜେଜେ ବାପା ହେବାକୁ ଯାଉଛ” !

ଅଭୟ ବାବୁ କହିଲେ,‌ “ହଉ ବହୁତ ଖୁସିର ଖବର” । “ପିକୁନ କହିଲା ଆମେ ଆର ସପ୍ତାହ କୁ ତା ପାଖକୁ ଚାଲିଯିବା, ଆଜି ବହୁତ ବାଧ୍ୟକରି କହିଛି । ଏଥର ତମେ ଆଉ କିଛି ବାହାନା ଦେଖେଇବନି । ସେଠି ତାର ଆଉ କିଏ ନିଜର ଅଛି କହିଲ ? ବୋହୁ ଟା ଆମର କାହାକୁ ମନ କଥା ଖୋଲି କଥା ପଦେ କହି ପାରୁ ନଥିବ” । କିନ୍ତୁ ଅଭୟ ବାବୁ ବହୁତ ବାସ୍ତବ ବାଦୀ ଲୋକ। ଗମ୍ଭୀର ହୋଇ କିଛି ସମୟ ବସି ଭାବୁଥାନ୍ତି ପିକୁନ ଯେତେବେଳେ ସେଠାରେ ନିଜେ ବାହା ହେବା ପାଇଁ କହିଲା ମୁଁ ତାକୁ କହିଲି ପୁଅ ନିଜ ସମାସ୍କନ୍ଦ ଘରର ଝିଅ ହେଲେ ସବୁ ପ୍ରକାର ଖାପ ଖୁଆଇ ଚଳି ପାରିବ । ହେଲେ ସିଏ ତ ବଡ଼ ଘର ଝିଅ ଆମ ଘରେ କଣ ଚଳି ପାରିବ । “ହଁ ବାପା ସିଏ ଭାରି ସଂସ୍କାରି” ପିକୁନ ସେତେବେଳେ କହିଥିଲା । କିନ୍ତୁ ଖୁବ କମ ଦିନରେ ସବୁ ଓଲଟା ଫଳ ଫଳିଲା । ଆମ ମାନଙ୍କ ସହ ମିଶି ଚଳିବା ତା ଦ୍ୱାରା ହେଲା ନାହିଁ । ବାହାଘର ର ମାତ୍ର ଆଠ ଦିନ ପରେ ପୁଅ ସାଥିରେ ଚାଲିଗଲା । ଆମେ ସେଠାରେ ଯାଇ ଏତେ ଦିନ କେମିତି ରହିବୁ । ତଥାପି ନିଜର ଇଛା ନ ଥିଲେ ବି ସ୍ତ୍ରୀ ଙ୍କ ମନ ଯେପରି ଦୁଃଖ ନ ହେବ ସେଥି ପାଇଁ ନିଜକୁ ପ୍ରସ୍ତୁତ କଲେ ଯିବା ପାଇଁ, ସେଠାରେ ଆମ ସଂସ୍କାର, ଆମ ପର୍ବ ପର୍ବାଣୀ ସବୁ କିଛି ଅଲଗା । ପୁଅ ବୋହୂ ଙ୍କୁ ଛାଡ଼ିଦେଲେ ସମସ୍ତେ ସେଠି ସବୁ ଅଚିହ୍ନା । ପାଖ ପଡିଶା କେହି ନ ଥିବେ ।

“ତମେ ଖୁସି ରେ ରହି ପାରିବ ତ” ? ରିତାଦେବୀ ଙ୍କୁ ବାରମ୍ବାର ଅଭୟ ବାବୁ ପ୍ରଶ୍ନ ପଚାରୁଥାନ୍ତି । କିନ୍ତୁ ରିତାଦେବୀ ଙ୍କ ଏକା ଜିଦି ଯାହା ବି ହେଉ ଆମେ ଏଥର ଯିବା । ଛୁଆଟା ମୋର ସବୁ ବେଳେ କହୁଛି ଏହି ସମୟରେ ନ ଗଲେ ପୁଅ ଟା ଆମର କଣ ଭାବିବ କହିଲ ନଅ ଟା ନାହିଁ ନା ଛଅ ଟା ନାହିଁ ଗୋଟେ ବୋଲି ପୁଅ ସେହି ତ ଆମର ସର୍ବସ୍ବ । ତା ପରେ ଠିକ ସମୟରେ ଯାଇ ସିଙ୍ଗାପୁର ବିମାନବନ୍ଦର ରେ ପହଞ୍ଚି ଗଲେ । ବାପା ମା ପ୍ରଥମ ଥର ଆସୁଛନ୍ତି ବୋଲି ପୁଅ ବହୁତ ଖୁସି ଥାଏ । ବାପା ମାଙ୍କୁ ଆସି ପାଛୋଟି ନେଲା ଅତି ଆନନ୍ଦର ସହ ପୁଅ । ସେଠାର ଘର ଦ୍ୱାର ଦେଖି ପୁଅ ଆମର ବହୁତ ଆରାମ ରେ ଅଛି ଭାବି ଖୁସି ହୋଇଗଲେ ବାପା ମା ଦୁଇଜଣ।ହେଲେ ଲିସା ର ସେତିକି ଆଦର ନ ଥାଏ ଏମାନଙ୍କୁ ଦେଖି । ଯାହା ହେଉ ଯେମିତି କିଛି ଦିନ କଟିଗଲା । ଡ଼ାକ୍ତର ଙ୍କ କହିବା ତାରିଖ ଅନୁସାରେ ନାତି ଟିଏ ଜନ୍ମ ହେଲା । ଘରର ଖୁସି କହିଲେ ନ ସରେ । ଆମ ଘର ଉଜ୍ବଳ ତାରା ବୋଲି ଉଭୟ ରିତାଦେବୀ ଆଉ ଅଭୟ ବାବୁ କହୁଥାନ୍ତି ।

ଦିନେ ବହୁତ ଖୁସିରେ ନାତି କୁ ଧରି ବାକୁ ରିତାଦେବୀ ଯାଉ ଯାଉ ବୋହୁ ଲିସା ବହୁତ ରୁକ୍ଷ କଣ୍ଠରେ କହିଲା, “ମା ଆପଣ ଙ୍କ ହାତ ସଫା ନାହିଁ, ଛୋଟ ଛୁଆ ସଂକ୍ରମଣ ହେବ” । ଧୀର ଆଉ ନମ୍ର କଣ୍ଠରେ ରିତାଦେବୀ କହିଲେ, “ହଁ ବୋହୁ ତୁ ଠିକ କହିଲୁ” । ହୃଦୟର କୋହ କୁ ଚାପି ରଖି ଭାବୁ ଥାନ୍ତି ଯୋଉ ହାତରେ ମୋ ପୁଅ କୁ ମୁଁ ଛୋଟରୁ ବଡ଼ କରି ପାରିଲି ଆଜି…..। ପିକୁନ ଅଫିସ ରୁ ଆସି ସବୁ ଦିନେ ବାପା ମା ଙ୍କୁ ଖୋଜେ । ସେ ଦିନ ନ ଦେଖିବାରୁ ପଚାରିଲା, “ଲିସା, ବାବା ଆଉ ମା” ? ବଡ଼ ପାଟିରେ ଚିତ୍କାର କରି କହି ଉଠିଲା ଲିସା, “ମୁ ମନା କରୁଛି ତମେ ମୋ ବାବା ମା ଙ୍କୁ ଏଠାକୁ ଡାକ। ତମ ବାପା ମା ଗାଁ ରୁ ଆସି ଏଠାରେ ଚଳି ପାରିବେନି” । “ଆରେ ତମେ ଏମତି କଣ କଥା କହୁଛ ଲିସା ? ମୋର ବାପା ମା ହେଲେ ତମର ମଧ୍ୟ ସେମାନେ ଶାଶୁ ଶଶୁର” ।ଲିସା ପୁଣି ଗର୍ଜନ କରି କହି ଉଠିଲା, “ଛୋଟ ଛୁଆ ଘରେ ଜଣେ ସେପଟେ କାସୁଛନ୍ତି ତ ଆଉ ଜଣେ ହାତ ନ ଧୋଇ ଛୁଆ କୁ ଧରିବାକୁ ଆସୁଛନ୍ତି । ଏଥିରେ ଛୁଆକୁ ମୋର ଇନଫେକସନ ହେବ ନା ନାହିଁ ? ହଁ ଶୁଣ ତମ ବାପା ମା ଆଉ କେତେ ଦିନ ଏଠାରେ ରହିବେ” ? “ଆରେ ଧୀରେ କୁହ, ବାପା ସେପଟ ବାଲକୋନିରେ ବସିଛନ୍ତି ବୋଧେ ।ଶୁଣିବେ ସବୁ”। ସ୍ତ୍ରୀର ପାଟିରେ ହାତ ଦେଇ କହିଲେ, “କଥାଟା ଛୋଟ ହେଲେ ବି କୁଠାର ଘାତ କରିବ ତାଙ୍କ ମନକୁ”। “ଶୁଣନ୍ତୁ କଣ ଅସୁବିଧା ହେଲା” ? ପିକୁନ ର ପ୍ରତିଟି ତନ୍ତୁ ଯେପରି ଥରି ଉଠୁଥାଏ । ଏ ଜଟିଳ ମୁହୂର୍ତର ସମାଧାନ ସେ କିପରି କରିବ । ବାପା ମା ସବୁ କଥା ଲିସା ର ଶୁଣି ସାରିଛନ୍ତି ବୋଧେ । ରାତିରେ ଖାଇବା ବେଳେ ଅନୁଭବ କରିଥାଏ ବାପା ମା ଙ୍କ ମନର କଷ୍ଟ କୁ । ଆଉ ବାପା ମଧ୍ୟ ଅନ୍ୟ ମନସ୍କ ଲାଗୁଥାନ୍ତି । ମା ମୋର ସବୁ ଜାଣୁଥିଲେ ବି ଚୁପ ରହୁଥାଏ ।

ଅଭୟବାବୁ ଲକ୍ଷ କରୁଥାନ୍ତି ପୁଅଟା ସତେ ଯେପରି ଅସହାୟତା ମନେ କରୁଛି ।‌ ନା ବୋହୁ କୁ କିଛି କହି ପାରୁଛି ନା ଆମକୁ । ସେ ନିରୁତ୍ତର । ଆମ ର ଉପସ୍ଥିତି ଲିସା ଚାଂହୁନି ବୋଲି କେମିତି ବା ପ୍ରକାଶ କରିବ ଆମ ଆଗରେ । ଅଭୟ ବାବୁ କଥାଟାକୁ ବୁଲେଇକି କହିଲେ, “ଆରେ ପିକୁନ ଗାଁ ରେ ତ ଆମର ବହୁତ କାମ ।‌ ଆମେ ତ ଏତେ ଦିନ ରହିଲୁ ତୁ ଟିକେ ତୋ ଶାଶୁ ଶଶୁରଙ୍କୁ ଡକେଇଦେ ସେମାନେ ଆସି କିଛି ଦିନ ରହିଯିବେ । ଆଉ ନାତି ଟୋକା ବଡ଼ ହୋଇଯିବ । ତୋର କିଛି ଚିନ୍ତା ରହିବନି । ତୁ ଆମକୁ ଟିକେଟ କରି ଦେ ଆମେ ଚାଲିଯିବୁ । ହଁ ଶୁଣୁ, ନାତି ର ବୋହୁ ର ଯେମିତି କିଛି ଅବହେଳା ନ ହୁଏ । ଆମର ତ ଗାଁ ରେ ପାଖ ପଡିଶା ସମସ୍ତେ ଅଛନ୍ତି” । ପୁଅ ଚୁପ ରହିଥାଏ, ବାପା ଙ୍କ ଉଦାରତା ପାଖରେ ନିଜକୁ ଛୋଟ ମନେ କରୁଥାଏ । କିନ୍ତୁ ଲୁହରେ ତାର ଛଳ ଛଳ ଆଖି ଦୁଇଟା ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ ।

ପୁଅ ଟା ଅସହାୟତର ବଳୟ ଭିତରେ ସତେ ଯେପରି ରହିଛି । ଅଭୟ ବାବୁ ଭାବୁଥାନ୍ତି ଖରାପ କୁ ଭଲ କରିବାର ଶକ୍ତି ଯଦି ମୋ ହାତରେ ଥାନ୍ତା ତେବେ ନିଶ୍ଚିତ ମୋ ପୁଅ ର ଅସହାୟତାର ସମାଧାନ କରିପାରନ୍ତି ।

ବାପା ମା ଙ୍କ ସ୍ନେହ ଶ୍ରଦ୍ଧା ପାଖରେ ମଥା ନଇଁ ଗଲା ତାର । ପ୍ରତ୍ୟେକ ବାପା ମାଆଙ୍କର ସ୍ନେହ ଅନ୍ତର୍ନିହିତ, ଅବ୍ୟକ୍ତ, ଅଗାଧ, ଅସୀମ, ଯାହା ସନ୍ତାନ ମାନଙ୍କ ପକ୍ଷେ ଆକଳନ କରିବା ଦୁଃସାଧ୍ୟ । ମାଆ ବି ଆଖିରେ ଆଖିଏ ଲୁହ ଭରି କହୁଥାନ୍ତି, “ନା ପୁଅ ତୋ ଗୋଲାପ ଗଛଟା ସେପଟେ ଝାଉଁଳି ଯିବରେ । ମୁଁ ଗଲେ ସେଥିରେ ପାଣି ଟୋପେ ଟୋପେ ଦେବୀ” । ପିକୁନ ର ପିଠିକୁ ଆଉଁସି କହୁଥାନ୍ତି, “ତୁ ଆମ କଥା କିଛି ଭାବିବୁନି। ପୁଣି ତୋ ଦରକାର ସମୟରେ ଆମେ ଆସିଯିବୁ”।

ଅଭୟବାବୁ ଗୋଟେ ମୁହୂର୍ତ ପାଇଁ ରିତାଦେବୀ ଙ୍କ ମୁଂହକୁ ଚାହିଁ ତାପରେ କେମିତି ଗୋଟେ ଉଦାସିଆ ହସ ଖେଳେଇ ମୁହଁରେ ପୁଅ ଠାରୁ ବିଦାୟ ନେଇ ଆସିଲେ । ମା ମା କହି ପାଦ ଛୁଇଁ ବାକୁ ଗଲା ବେଳକୁ ପିକୁନକୁ କୁଣ୍ଢେଇ ପକେଇ ଜାବୁଡ଼ି କାନ୍ଦୁଥାନ୍ତି । ପିକୁନର ଅନ୍ତରାତ୍ମା ଦୁଃଖରେ କଣ୍ଟାଭଳି ଫୁଟି ଯାଉଥାଏ । ସତରେ ବାପା ମା ମୋର କେତେ ମହାନ ! ସବୁ ମନ କଥାକୁ ସେମାନେ ଜାଣିପାରୁଛନ୍ତି । ପିକୁନ ଭାବୁଥାଏ ଏହି ଜଟିଳ ସମାଧାନର ଶେଷ କେବେ ହେବ ? ବାପା ମା ଙ୍କ ଇଚ୍ଛା ବିରୁଦ୍ଧରେ ମୁ ଲିସା କୁ ବାହା ହୋଇଥିଲି । ତାର ରୁକ୍ଷ ବ୍ୟବହାର ମୁଁ ବଦଳେଇ ପାରିଲିନି ।

ବାପା ମା ସ୍ବେଦେଶ ପ୍ରତ୍ୟାବର୍ତନ କଲେ । ପ୍ଲେନ୍ ରେ ବସିବାର ତିନି ଚାରି ଘଣ୍ଟା ଭିତରେ ବସି ଭାବୁଥାନ୍ତି ଅଭୟ ବାବୁ । ଜୀବନରେ ବାପା ହେବାର ଆନନ୍ଦ କଣ ଏହି କଥା ଶୁଣିବା ପାଇଁ ଥିଲା ? ଏହି ପ୍ରଶ୍ନ ବାରମ୍ବାର ମନକୁ ଆନ୍ଦୋଳିତ କରୁଥାଏ । କୋଉଠି ସ୍ନେହ ଶ୍ରଦ୍ଧାରେ ମୋର ତ୍ରୁଟି ରହି ଗଲା କି ? ଏହି ସମୟରେ ରିତା ଦେବୀ କହିଲେ, “ଆମ ଭୁବନେଶ୍ୱର ହୋଇଗଲା” ।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.