• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ -୧୨)

ଆମେ ପାଉଡି ଭୂୟାଁ (ଭାଗ-୫)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁନ୍ ୨୦୨୩

ସେଦିନ ରାତିରେ ଝିଅମାନେ ସବୁ କାମିନୀ ଆଈ ଘରେ ସନ୍ଧ୍ୟା ଗଡିଲା ପରେ ପହଞ୍ଚି ଯାଇଥିଲେ। ଚିନାମାଳୀ ପହଞ୍ଚିବାବେଳକୁ ବାରିକ ଦାଦା ଓ ମନ୍ମଥ ଭାଇ ଆସି ନ ଥିଲେ। ନାତୁଣୀ ମାନେ କାମିନୀ ଆଈ ସହିତ ଥଟ୍ଟା ପରିହାସ ହେଉଛନ୍ତି ଏହି ସମୟରେ ବାରିକ ଦାଦା ମନ୍ମଥ ସହ ସେଠି ପହଞ୍ଚିଲେ। ସମସ୍ତେ ଗୋଲ୍ ହୋଇ ବସି ପଡ଼ିଲେ। କାମିନୀ ଆଈ କଥା ଆରମ୍ଭ କରି କହିଲେ ଆରେ ବାରିକ ତୁ ଟିକିଏ ମୋ ନାତୁଣୀ ମାନଙ୍କୁ ତୁମ ସେପଟର ଭୂୟାଁ ଗାଁ ମାନଙ୍କ କଥା କହ। ଏହାପରେ ବାରିକ ଦାଦା ତାଙ୍କ ପାଳଲହଡା ଅଞ୍ଚଳର କଥା କହିବାକୁ ଯାଇ କହିଲେ ଆମେ ଆଜି ଦିନରେ କିଛି କଥା ହୋଇଥିଲୁ। ଏତିକି କହି ସେ ମନ୍ମଥ କୁ ଚାହିଁ କହିଲେ ଆରେ ମନ୍ମଥ ସେ ସବୁ କଥା ଟିକିଏ ତୁ କହିଦେ। ତାପରେ ମୁଁ ଆଉ କିଛି ନୁଆ କଥା କହିବି ଦିନରେ ଦାଦା ଯେଉଁ ସବୁ କଥା କହୁଥିଲେ ତାକୁ ମନ୍ମଥ କହିଲା ପରେ ବାରିକ ଦାଦା ଭୀମକାଣ୍ଡ ଓ ଜମରଡିହୀ ଗାଁ ର କଥା କହିବା ଆରମ୍ଭ କଲେ।

ଭୀମକାଣ୍ଡ ଗାଁ ର କଥା କହିବାକୁ ଯାଇ ବାରିକ୍ ଦାଦା କହିଲେ ଗାଁ ର ଏପରି ନାମକରଣ ରେ ତୁମେମାନେ ଆଶ୍ଚର୍ଯ୍ୟ ହେଉଥିବ। ଏହି ନାମକରଣ ପଛରେ ଏକ ଲୋକକଥା ଅଛି। ଅନୁଗୁଳ ଜିଲ୍ଲାର ପାଳଲହଡା ବ୍ଲକ ଅନ୍ତର୍ଗତ ବନ୍ଧାଭୂମି ପଞ୍ଚାୟତର ଭୀମକାଣ୍ଡ ଗ୍ରାମରେ ମୋଟ ୬୫ ଟି ଭୂୟାଁ ଘର ଅଛି । ଲୋକମାନଙ୍କ ସହ ଆଲୋଚନା ଅବସରରେ କୌତୁହଳବଶତଃ ଗ୍ରାମର ଏପରି ନାମକରଣ କାହିଁକି କରାଗଲା ବୋଲି ପଚାରିବାରୁ ଗାଁ ର ବୟସ୍କ ଭୂୟାଁ ଲୋକମାନେ କହିଥିଲେ ଯେ ପାଣ୍ଡବମାନେ ଅଜ୍ଞାତ ବନବାସରେ ମାଲ୍ୟଗିରି ପର୍ବତରେ ଥିବା ସମୟରେ (ମାଲ୍ୟଗିରି ପର୍ବତଟିର ଦୂରତା ଗାଁରୁ ପ୍ରାୟ ୧୦ କି.ମି ହେବ।) ଏକ ବିରାଟ ଅଜଗର ସର୍ପ ବହୁ ଲୋକଙ୍କୁ ମାରି ପକାଇବାରୁ ସେ ଅଞ୍ଚଳର ଲୋକମାନେ ଜଙ୍ଗଲ ମଧ୍ୟରେ ଥିବା ପାଣ୍ଡବମାନଙ୍କୁ ସାପ କବଳରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଆକୁଳ ନିବେଦନ କରିବାରୁ ଧର୍ମରାଜ ଯୁଧିଷ୍ଠିରଙ୍କ ନିର୍ଦେଶ ପାଇ ଦ୍ବିତୀୟ ପାଣ୍ଡବ ଭୀମ ସେହି ସାପଟିକୁ ତୀର ମାରି ବାନ୍ଧି ପକାଇଥିଲେ । ସାପଟି ଲୋକମାନଙ୍କ କ୍ଷତି କରିବ ନାହିଁ ଓ ସେ ଅଞ୍ଚଳ ପରିତ୍ୟାଗ କରିବ ବୋଲି କଥା ଦେବାରୁ ମଧ୍ୟମ ପାଣ୍ଡବ ଭୀମ ତାକୁ ବନ୍ଧନମୁକ୍ତ କରିଥିଲେ ଓ ତାକୁ ଗଣେଶ୍ବରପୁର ନିକଟବର୍ତ୍ତୀ ଜଙ୍ଗଲରେ ରହିବା ପାଇଁ କହିଥିଲେ । ସାପଟି ମଧ୍ୟ ସ୍ଥାନ ପରିତ୍ୟାଗ କରି ଅନ୍ୟ ଏକ ଜଙ୍ଗଲକୁ ଚାଲିଗଲା । ସେହିଠାରେ ଏବେ ମଧ୍ୟ ସାପର ପଥର ପ୍ରତିମୂର୍ତ୍ତୀ ଦେଖିବାକୁ ମିଳେ । ତେବେ ଭୀମ କାଣ୍ଡ ବା ତୀର ମାରି ସର୍ପ କୁ ବନ୍ଧନ କରିଥିବାରୁ ଗ୍ରାମର ନାମ ଭିମକାଣ୍ଡ ରହିଲା । କୋଡିଏ ବର୍ଷ ତଳେ ଏକ ହାତୀ ତୀରଟିକୁ ଉପାଡିବାକୁ ଚେଷ୍ଟାକରି ବିଫଳ ହୋଇଥିବାର କଥା ଗାଁ ଲୋକମାନେ କହନ୍ତି । କିନ୍ତୁ ଏହାଯୋଗୁ ତୀରର ଅଧା ଭାଙ୍ଗି ଯାଇଥିଲା । ଏହାପରେ ମୁଁ ତୁମମାନଙ୍କୁ ଆମ ଗାଁ ଜମରଡିହୀ କଥା କହୁଛି ଶୁଣ।

ବହୁଦିନ ତଳେ ଏଠାରେ ଅନେକ ଜମ୍ଭିରା ନାମକ ଏକ ଔଷଧୀୟ ବୃକ୍ଷ ଥିବାରୁ ଏହା ପ୍ରଥମେ ଜମ୍ଭିରାଡିହି ଓ ପରବର୍ତ୍ତୀ ସମୟରେ ଅପଭ୍ରଷ୍ଟ ହୋଇ ଜମରଡିହୀ ହୋଇଛି ବୋଲି ଗାଁ ର ବୟସ୍କ ଲୋକମାନେ କହନ୍ତି। ଆଉ କିଛି ଲୋକ କହନ୍ତି ପୀଢର ନାମ ଅନୁସାରେ ଗାଁ ର ଏହିପରି ନାମକରଣ ହୋଇଛି। ଏବେ ମଧ୍ୟ ଲୋକମାନଙ୍କ ମୁହଁରେ ଶୁଣାଯାଏ ଯେ ନଗିରା ଭାଡି ଓ ଜମରଡିହୀ ଗାଦି (ଏହା ଦୁଇଟି ପୀଢର ନାମ) । ପାହାଡ଼ ଉପରେ ଥିବା ଭୂୟାଁ ପୀଢକୁ ଉପର ପାଉଡି ଓ ପାହାଡ ତଳେ ଥିବା ପୀଢକୁ ତଳ ପାଉଡି କହନ୍ତି। ଆମ ଗାଁ ରେ ଅନ୍ୟ ପାଉଡି ଭୂୟାଁ ଗାଁ ଭଳି ଜଣେ ପ୍ରଧାନ, ତିନି ଜଣ ଦେହୁରୀ ଓ ଜଣେ ଡାକୁଆ ଅଛନ୍ତି।ଭୂୟାଁମାନଙ୍କ ଦେହୁରୀ ମନୋନୟନ କିପରି କରାଯାଏ ତାହାକୁ ଆମ ଗାଁ ର ଉଦାହରଣ ଦେଇ ତୁମମାନଙ୍କୁ କହୁଛି । ଗ୍ରାମରେ ପ୍ରଧାନଙ୍କ ସମେତ ପାଟ ଦେହୁରୀ ବା ଗ୍ରାମଶିରୀ ଦେହୁରୀ, ବଡାମ୍ ଦେହୁରୀ, ମା ବିଶ୍ରି ଦେହୁରୀ ଓ ଡାକୁଆ ଗ୍ରାମ ଲୋକମାନଙ୍କ ଦ୍ବାରା ମନୋନୀତ ହୋଇଥାନ୍ତି । ଗାଁରେ ଘଟୁଥିବା ଛୋଟ ବଡ କଳିକଜିଆ ଗାଁରେ ବସି ଲୋକମାନେ ସମାଧାନ କରନ୍ତି । ସ୍ବାମିସ୍ତ୍ରୀ ମଧ୍ୟରେ ହେଉଥିବା ମତାନ୍ତର ଓ ମନାନ୍ତର ସମାଧାନ ମଧ୍ୟ ଗାଁ ଲୋକମାନେ କରନ୍ତି। ମଦ୍ୟପାନ କରି ଗାଁରେ ଗଣ୍ଡଗୋଳ କରୁଥିବା ଲୋକମାନଙ୍କୁ ମଧ୍ୟ ଗ୍ରାମସଭାରେ ଆଲୋଚନା ପରେ ଦଣ୍ଡିତ କରାଯାଏ । ଦୋଷୀମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଏ । ତେବେ ଗ୍ରାମରେ ବିଶ୍ରୀ ଦେହୁରୀ ମନୋନୟନ ପ୍ରକ୍ରିୟା ସଂମ୍ପର୍କରେ ତୁମମାନଙ୍କୁ କହୁଛି ।

ନିର୍ଦିଷ୍ଟ ଦିନ ଗାଁର ଜଣେ ଲୋକ ଉପବାସରେ ରହିଲେ । ତାଙ୍କୁ କାଳିସୀ ଲାଗିଲା । ସେ ଏକ ପାଣିଢାଳକୁ ଧରି ଗାଁ ଲୋକମାନଙ୍କ ସହ ଗ୍ରାମ ପରିକ୍ରମା କଲେ । ଏହି ବୁଲିବା ସମୟରେ କାଳସୀ ମୋ ଘରକୁ ଯାଇ ପାଣିଢାଳି ମୋତେ ଦେହୁରୀ ଦାୟିତ୍ବ ପ୍ରଦାନ କଲେ । ସେହିଦିନ ଗ୍ରାମସଭା ବସି ଛଅ ବର୍ଷପାଇଁ ମୋତେ ବିଶ୍ରୀ ଦେହୁରୀ ଦାୟିତ୍ବ ପ୍ରଦାନ କରାଗଲା । ଏହାର କିଛିଦିନପରେ ଗାଁରେ ବିଶ୍ରୀ ଓଷାକାର୍ଯ୍ୟ ରେ ମୁଁ ବିଶ୍ରୀ ଦେହୁରୀଙ୍କ କାର୍ଯ୍ୟ ନିର୍ବାହ କଲି । ବିଶ୍ରୀ ଓଷାର ବହୁ ପୂର୍ବରୁ ପୂଜା ପାଇଁ ଦରବାର ଘରେ ଏକ ବୈଠକ ମୋ ଅଧ୍ୟକ୍ଷତାରେ ବସିଲା। ବୈଠକ ସମ୍ପର୍କରରେ ଗାଁ ର ଡାକୁଆ ଶୀର ବେହେରା ପୁର୍ବରୁ ବଡ଼ ପାଟିରେ ଡ଼ାକ ପକାଇ ସୂଚନା ଦେଇଥିଲେ। ବୈଠକ ଦିନ ମଧ୍ୟ ସେ ଦରବାର ଘର ବାହାରୁ ବଡ ପାଟିରେ ଡାକ ପକାଇ ସମସ୍ତଙ୍କୁ ବୈଠକ ସ୍ଥଳରେ ପହଞ୍ଚିବା ପାଇଁ କହିଲେ। ଗାଁ ଲୋକେ ପହଞ୍ଚିବା ପରେ ବୈଠକ ଆରମ୍ଭ ହେଲା। ଏହି ବୈଠକରେ ଗାଁ ର ପ୍ରଧାନ ଲକ୍ଷ୍ମଣ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ସହିତ ଆଲୋଚନା ଓ ସହମତି ରେ ବିଶ୍ରୀ ଓଷା କେବେ ଧରାଯିବ ଓ ଘରପିଛା କେତେ ଚାନ୍ଦା ରହିବ ତାହା ସ୍ଥିର କରାଗଲା। ପୂଜା ସାତଦିନ କିଏ କେଉଁ ଦାୟିତ୍ଵ ରେ ରହିବ ତାହା ଗାଁ ର ସମସ୍ତେ ସ୍ଥିର କରନ୍ତି। ଭୂୟାଁ ସମାଜ ରେ ମହିଳାମାନେ ଦେହୁରୀ ରହିବାକୁ ବାରଣ କରାଯାଏ । ଆମ ଗାଁ ର ମହିଳାମାନେ ସପ୍ତାହରେ ପ୍ରତି ବାରରେ ଏକ ଲୋକ ସଙ୍ଗୀତ ବୋଲନ୍ତି।

ରବିବାର
ରବିବାର ଦିନ ହାଟ
ଗୁଆପାନଧରି ସଙ୍ଗାତ ଜଗିଲି ବାଟ।
କେବେ ନପାଇଲି ଭେଟ
ଗୁଆପାନ ଧରି ସଙ୍ଗାତ ଜଗିଲି ବାଟ (ଘୋସା) ।

ସୋମବାର
ସୋମବାର ଦିନ ସଖା ଦେଇ ପଠାଇଲିରେ ସଙ୍ଗାତ କାଗଜଲେଖା ।
ଜଳଦି ଆସିବ ଏକା ଦେଇ ପଠାଇଲିରେ ସଙ୍ଗାତ କାଗଜଲେଖା ।

ମଙ୍ଗଳବାର
ଆଜିର ବାରରେ ଭୂୟାଁ ନାରୀମାନେ ଏହି ଗୀତଟିକୁୁ ବୋଲିଥାନ୍ତି
ମଙ୍ଗଳବାରର ମଣ୍ଡାପାନ ଭାଙ୍ଗିଥିବରେ ସଙ୍ଗାତ ଗଣ୍ଡେକି ଛଅଗଣ୍ଡା ।
ଖଣ୍ଡେ ଖାଇ ମନ ଥଣ୍ଡା ,ପାନ ଭାଙ୍ଗିଥିବରେ ସଙ୍ଗାତ ଗଣ୍ଡେ କି ଛଅଗଣ୍ଡା ।

ବୁଧବାର
ଆଜିର ବାରରେ ଭୂୟାଁ ନାରୀମାନେ ଏବି ଗୀତଟିକୁ ଗାଇଥାନ୍ତି ।
ବୁଧବାର ଦିନ ଖୁଦ ଦୁଇପରାଣୀଙ୍କୁ ସଙ୍ଗାତ ମାଡୁଛି ନିଦ ।
ଟୁକୁରୁୁ ମାଗୁଥାଇ ଦୁଧ ଦୁଇପରାଣୀଙ୍କୁ ସଙ୍ଗାତ ମାଡୁଛି ନିଦ ।

ଗୁରୁବାର
ଆଜିର ବାରରେ ଭୂୟାଁ ନାରୀମାନେ ଏହି ଗୀତଟିକୁ ଗାଇଥାନ୍ତି
ଗୁରୁବାର ଦିନ ହାଟ ଗୁଆପାନ ଧରି ଜଗିଲି ବାଟ
କେବେ ନପାଇଲି ଭେଟ ଗୁଆପାନଧରି ଜଗିଲି ବାଟ
ସଙ୍ଗାତରେ …………

ଶୁକ୍ରବାର
ଆଜିର ବାରରେ ଭୂୟାଁ ନାରୀମାନେ ଏହି ଗୀତଟିକୁ ଗାଇଥାନ୍ତି
ଶୁକ୍ରବାରର ସୁଖ ଦିନେ ହସିଦେଲେ ଯିବକି ଦୁଃଖ ସଂଗାତରେ
ଯେତେହେଲେ ପରଲୋକ ଦିନେ ହସିଦେଲେ ଯିବକି ଦୁଃଖ ସଙ୍ଗାତରେ ।

ଶନିବାର
ଆଜିର ଦିନରେ ଭୂୟାଁ ସ୍ତ୍ରୀଲୋକମାନେ ଏହି ଗୀତଟିକୁ ବୋଲିଥାନ୍ତି ।
ଶନିବାରଦିନ ଶନି ତୋତେ ଗଢିଥିଲାରେ ସଙ୍ଗାତ କାଳ ଶକୁନୀ ।
ମଣିଷ ନପାରୁ ଚିହ୍ନି ତତେ ଗଢିଥିଲାରେ ସଙ୍ଗାତ କାଳ ଶକୁନୀ ।

ଏହାପରେ ବାରିକ ଦାଦା କହିଲେ ପିଲାମାନେ ଆଜି ପାଇଁ କଥା ଏହିଠାରେ ରଖିବା। କାଲି ରାତିରେ ପୁଣି କଥା ହେବା। ଏହାପରେ ଝିଅମାନେ ଆଈ ବୁଢୀ ସହିତ ଶୋଇବା ଘରକୁ ବାହାରି ଗଲେ ଓ ଅନ୍ୟମାନେ ନିଜନିଜର ଘରକୁ ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.