• About
  • Contact
Friday, July 17, 2026
Friday, July 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସ୍ମୃତିରେ “ଆନ୍ନା”

ସ୍ମୃତିରେ “ଆନ୍ନା”
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ସେପ୍ଟେମ୍ବର ୨୦୨୩

ସୂର୍ଯ୍ୟ ନାରାୟଣ ପାତ୍ର ଥିଲେ ଓଡ଼ିଶା ରାଜନୀତିର ଜଣେ ଜଣାଶୁଣା ନେତା । ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ସୂର୍ଯ୍ୟ ପାତ୍ର ବା “ଆନ୍ନା” ବୋଲି ସମ୍ବୋଧନ କରୁଥିଲେ । ନିଜର ବିଚକ୍ଷଣ ସାଂଗଠନିକ ଦକ୍ଷତା ଯୋଗୁଁ ସେ ଲଗାତର ସାତ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଅନ୍ୟପକ୍ଷରେ ଅମାୟିକ ବ୍ୟବହାର ଓ ବନ୍ଧୁବତ୍ସଳ ଆଚରଣ ଲାଗି ସେ ଦଳ ମତ ଉର୍ଦ୍ଧ୍ୱରେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ସମ୍ଭବତଃ ସମସ୍ତ ପକ୍ଷଙ୍କ ଦ୍ୱାରା ଗ୍ରହଣୀୟ ହେବା ଯୋଗୁଁ ତାଙ୍କୁ ବିଧାନସଭାର ବାଚସ୍ପତି ଭଳି ମର୍ଯ୍ୟାଦାଜନକ ପଦବୀରେ ଅଧିଷ୍ଠିତ କରାଯାଇଥିଲା ।

ବ୍ରହ୍ମପୁର ମ୍ୟୁନିସପାଲଟିର କାଉନସିଲର ରୂପେ ସମାଜ ସେବା ଜୀବନ ଆରମ୍ଭ କରିଥିବା “ଆନ୍ନା” ତାଙ୍କର ଦୀର୍ଘ ରାଜନୈତିକ ଗତିପଥରେ ବିଧାୟକ, ମନ୍ତ୍ରୀ ଓ ବିଧାନସଭାର ବାଚସ୍ପତି ଭଳି ସମ୍ମାନଜନକ ପଦପଦବୀ ଅକ୍ତିଆର କରିଥଲେ । ଏତେ ସବୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ ସୁଦ୍ଧା ଅହଂକାର ତାଙ୍କୁ ଆଦୌ ସ୍ପର୍ଶ କରିନଥିଲା । ସେହି ନିରହଙ୍କାର ବା ଅହଂକାର ଶୂନ୍ୟ ଆଚରଣ ଲାଗି ସେ ସମାଜର ସବୁ ବର୍ଗର ଲୋକଙ୍କ ସହିତ ସହଜରେ ମିଶି ପାରୁଥିଲେ । ଅପରପକ୍ଷେ ଜନସାଧାରଣ ମଧ୍ୟ ତାଙ୍କୁ “ଆପଣାର ଲୋକ” ହିସାବରେ ଗ୍ରହଣ କରି ନେଇଥିଲେ । ସେଥିଯୋଗୁଁ “ଆନ୍ନା”ଙ୍କ ମୃତ୍ୟୁରେ ଭୁବନେଶ୍ୱର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଜନସାଧାରଣଙ୍କ ମନରେ ଗଭୀର ଶୋକଛ୍ୱାସ ପ୍ରକାଶ ପାଇଥିଲା ।

ତେବେ ସ୍ୱାସ୍ଥ୍ୟଗତ କାରଣରୁ “ଆନ୍ନା” ବାଚସ୍ପତି ପଦବୀରୁ ଅପସରି ଯାଇଥିଲେ । ଆଶା କରାଯାଉଥିଲା ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବା ପରେ ସେ ସ୍ୱାଭାବିକ ରାଜନୈତିକ ଜୀବନକୁ ଫେରି ଆସିବେ । କିନ୍ତୁ ବିଧିର ନିର୍ଦ୍ଦେଶ କିଛି ଭିନ୍ନ ଥିଲା । ହଠାତ୍ ସ୍ୱାସ୍ଥ୍ୟବସ୍ଥାରେ ଅଧୋଗତି ଘଟିବା ଯୋଗୁଁ ଗତ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିଲା ।

ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଶ୍ରାଦ୍ଧୋତ୍ସବରେ “ଆନ୍ନା”ଙ୍କ ସହିତ ମୋର ଶେଷ ଦେଖା ହୋଇଥିଲା । ସେଥିରେ “ଆନ୍ନା” ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ମୁଁ ଅନ୍ୟତମ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲି । ସେତେବେଳେ ସେ ବାଚସ୍ପତି ଥିଲେ, ଯଦିଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସେହି ସମୟରେ ବିଗିଡ଼ି ଯାଇଥିଲା । ସେହି ଶ୍ରାଦ୍ଧୋତ୍ସବଟି ପ୍ରତିବର୍ଷ ଭଳି ଯୁଧିଷ୍ଠିର ଦାସଙ୍କ ନୂଆପଲ୍ଲୀସ୍ଥିତ ବାସଭବନ ସମ୍ମୁଖସ୍ଥ ପାର୍କରେ ପରିବାରବର୍ଗଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା । ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ମୋ ବକ୍ତବରେ ମୁଁ ପ୍ରସ୍ତାବ ବାଢ଼ିଥିଲିଯେ, ଦିବଂଗତ ବାଚସ୍ପତିମାନଙ୍କ ସ୍ମୃତି ସଭା ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜନ କରାଯିବା ଉଚିତ । କାରଣ ସଂସ୍କୃତି ବିଭାଗ କିମ୍ବା ସୂଚନା ଲୋକ ସମ୍ପର୍କ ବିଭାଗ ସ୍ବର୍ଗତ ବାଚସ୍ପତି ମାନଙ୍କର ସ୍ମୃତିସଭା ଆୟୋଜନ କରୁନାହିଁ । ଓଡ଼ିଶା ବିଧାନସଭା ସେଦିଗରେ ପଦକ୍ଷେପ ଗ୍ରହଣ କଲେ ଦିବଂଗତ ବାଚସ୍ପତିମାନଙ୍କର ଉପଯୁକ୍ତ ସ୍ମୃତି ରକ୍ଷା ହୋଇ ପାରିବ ।

“ଆନ୍ନା” ମୁଖ୍ୟ ଅତିଥି ଭାବରେ ତାଙ୍କର ଅଭିଭାଷଣରେ ଯୁଧିଷ୍ଠିର ବାବୁଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ । ସଭା କାର୍ଯ୍ୟ ସମାପନ ପରେ “ଆନ୍ନା” ମୋତେ କହିଲେ “ମହାପାତ୍ରେ, ତୁମେ ଗୋଟିଏ ଉତ୍ତମ ପ୍ରସ୍ତାବ ଦେଲହେ ।” ମୁ ଜଣାଇଥିଲି, ଆପଣ ଯଦି ବିଧାନସଭା ପକ୍ଷରୁ ଦିବଂଗତ ବାଚସ୍ପତି ଓ ଉପ-ବାଚସ୍ପତିମାନଙ୍କ ଜୟନ୍ତୀ କିମ୍ବା ଶ୍ରାଦ୍ଧୋତ୍ସବ ପାଳନ ନକରିବେ, ତେବେ ସେମାନଙ୍କର ସ୍ମୃତିରକ୍ଷା କଷ୍ଟସାଧ୍ୟ ହୋଇପଡ଼ିବ । ଦୃଷ୍ଟାନ୍ତ ଛଳରେ ଦର୍ଶାଇଥିଲି ଯେ, “ମୁକୁନ୍ଦ ପ୍ରସାଦ ଦାସ ହେଉଛନ୍ତି ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଏବଂ ଦେଶ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବିଶେଷ ଅବଦାନ ଥିଲା । କିନ୍ତୁ ତାଙ୍କ ବିଷୟରେ ବର୍ତ୍ତମାନର ରାଜନେତା କିମ୍ବା ଜନସାଧାରଣ ଖୁବ୍ କମ୍ ଜାଣିଛନ୍ତି ।” ପ୍ରତ୍ୟୁତ୍ତରରେ “ଆନ୍ନା” ମୋ ମନ୍ତବ୍ୟରେ ସହମତ ହୋଇଥିଲେ ଏବଂ ସେ ଦିଗରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଆଉ ଗୋଟିଏ ଘଟଣା । ତାହା ହେଉଛି ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବର କଥା । “ଆନ୍ନା” ସେତେବେଳେ ପ୍ରାତଃ ଭ୍ରମଣରେ ନିୟମିତ ରାଜଧାନୀର ଇନ୍ଦିରା ଗାନ୍ଧୀ ପାର୍କକୁ ଆସୁ ଥାଆନ୍ତି । କିଛି ସମୟ ଚାଲିବା ପରେ ଯୋଗ ଓ ବ୍ୟାୟାମ ପ୍ରଭୃତି କରନ୍ତି । ମୁଁ ମଧ୍ୟ ଚାଲିବା ପାଇଁ ସେହି ପାର୍କକୁ ପ୍ରତିଦିନ ସକାଳେ ଯାଇଥାଏ । ତେଣୁ “ଆନ୍ନା”ଙ୍କ ସହିତ ମଝିରେ ମଝିରେ ମୋର ଭେଟଘାଟ ହୋଇଯାଏ । ମୁହାଁମୁହିଁ ହୋଇଗଲେ ମୁଁ “ଆନ୍ନା”ଙ୍କୁ ନମସ୍କାର ଜଣାଇ ବାଟକାଟି ଚାଲିଯାଏ । ଅନ୍ୟପକ୍ଷରେ “ଆନ୍ନା” ମଧ୍ୟ “କ’ଣ ମହାପାତ୍ରେ କିମ୍ବା କ’ଣ ସାମ୍ବାଦିକ ମହାଶୟ ଭଲ ?” ବୋଲି ପଚାରି ଥାଆନ୍ତି । ବେଳେ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ମୋର ମତାମତ ଜାଣିବାକୁ ଚାହିଁ ଥାଆନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଚାରିଆଡ଼େ ରାଜନୈତିକ ତାତି ପରିଲିକ୍ଷିତ ହେଉଥାଏ । ଏହି ସମୟରେ “ଆନ୍ନା” ତାଙ୍କ ଦଳ ଓ ସରକାର ପ୍ରତି ଲୋକମାନଙ୍କର କିଭଳି ଧାରଣା ରହିଛି, ତାହା ମୋ ଠାରୁ ଜାଣିବାକୁ ଚାହିଁଥିଲେ । ନିର୍ବାଚନର ଫଳାଫଳ କ’ଣ ହେବ ? ତାଙ୍କ ଦଳର ପ୍ରାର୍ଥୀ ମାନେ କେତେ ସଂଖ୍ୟାରେ ଜିତିବେ ? ଇତ୍ୟାଦି ପ୍ରଶ୍ନ ମୋ ସାମ୍ନାରେ ଥୋଇଲେ ଏବଂ ସେହି ସବୁ ପ୍ରସଙ୍ଗ ଉପରେ ମୋର ନିର୍ଦ୍ଧିଷ୍ଟ ମତ ଜିଜ୍ଞାସା କଲେ । ଏଭଳି ପ୍ରଶ୍ନ ଗୁଡ଼ିକର ସିଧାସଳଖ ଉତ୍ତର ଦେବାପାଇଁ ଚାହୁଁ ନଥିବାରୁ ମୁଁ ପ୍ରସଙ୍ଗ ଗୁଡ଼ିକୁ ଏଡ଼ାଇ ଯିବା ପାଇଁ ଉଦ୍ୟମ କଲି । କିନ୍ତୁ “ଆନ୍ନା” ନଛୋଡ଼ବନ୍ଧା । ଫଳରେ ମୁଁ ବାଧ୍ୟ ହୋଇ କହିଥିଲି ଯେ, ଲୋକପ୍ରିୟତା ହରାଇଥିବା କିଛି ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଦେଲେ ବିଶେଷ କିଛି ଅସୁବିଧା ହେବ ନାହିଁ । ତା’ ପରେ “ଆନ୍ନା” ମୋତେ ତାଙ୍କ କବଳରୁ ମୁକ୍ତ କରିଥିଲେ ।

“ଆନ୍ନା” ଜଣେ ପୋଖତ ରାଜନେତା ଥିଲେ । ଆଉ ମୁଁ ଗୋଟିଏ ସାଧାରଣ ଗଣମାଧ୍ୟମର ପ୍ରତିନିଧି । ତଥାପି ବିଭିନ୍ନ ମହତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଜନସାଧାରଣଙ୍କ ମତାମତ କ’ଣ ? ଏବଂ ମୋର ମତ କ’ଣ ? ତାହା ସେ ଆହରଣ କରୁଥିଲେ । ଏହି ଘଟଣାରୁହିଁ ତାଙ୍କର ରାଜନୈତିକ ବିଚକ୍ଷଣତା ଓ ପରିପକ୍ୱତାର ସ୍ପଷ୍ଟ ପ୍ରମାଣ ମିଳିଥାଏ । ଏହି ସଂକ୍ଷିପ୍ତ ଆଲେଖ୍ୟ ମାଧ୍ୟମରେ “ଆନ୍ନା”ଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତାଙ୍କ ଆତ୍ମା ସଦ୍ ଗତି ଲାଭ କରୁ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା
More

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

by ଡ଼ଃ. ଗିରିଜା ଶଙ୍କର ମିଶ୍ର
July 16, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୧୬ ଜୁଲାଇ ୨୦୨୬ ଓଡ଼ିଶା ର ସର୍ବ ବୃହତ ଧାର୍ମିକ ଉତ୍ସବ ହେଉଛି ରଥଯାତ୍ରା। ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା...

Read more
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
Vipul’s Voice:Burden of the Known

Vipul’s Voice:
Burden of the Known

June 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.