• About
  • Contact
Wednesday, June 17, 2026
Wednesday, June 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମୋ ବୋଉ ର ମମତା ରୁ କିଛି

ମୋ ବୋଉ ର ମମତା ରୁ କିଛି
Share on FacebookShare on Xshare on Whatsappshare on Linkedin
ଡ଼ଃ.ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, କଟକ, ୨୨ ସେପ୍ଟେମ୍ବର ୨୦୨୩

ମାଟ୍ରିକୁଲେସନ ପାସ କରିବା ପରେ ମୋର ଧାରଣା ନ ଥାଏ ଯେ କଲେଜ ରେ ପଢ଼ିବାକୁ ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ଫିଲଅପ କରିବାକୁ ପଡ଼େ। ଫର୍ମ ମିଳିବାର ଶେଷ ତାରିଖ ଦିନ ମୋର ଜଣେ ସାଙ୍ଗ କହିଲା `ଆରେ ତୁ ଆଡ଼ମିସନ ପାଇଁ ଫର୍ମ ଫିଲଅପ କଲୁନି । ଆଉ ପଢ଼ି ପାରିବୁନି। ଆଜି ଶେଷ ତାରିଖ’। ବୋଉ ଠାରୁ କିଛି ଟଙ୍କା ନେଇ ତୁରନ୍ତ ସାଇକଲ ରେ ଯାଇ ସାଲେପୁର କଲେଜ ରେ ପହଂଚିଲି। ଫର୍ମ ଫିଲଅପ କରି ଆସିଲି। ବିଜ୍ଞାନ ରେ ପଢ଼ିବା ପାଇଁ ସିଲେକସନ ହୋଇଗଲା। ହେଲେ ଆଡ଼ମିସନ କରିବା ପାଇଁ ଟଙ୍କା ପାଖରେ ନ ଥାଏ। ବୋଉ ପଡ଼ିଶା ଘରୁ କିଛି ଟଙ୍କା ଉଧାର ଆଣିଲା । ମୁଁ ସେତକ ଟଙ୍କା ନେଇ ଆଡ଼ମିସନ କରି ଆସିଲି। ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଲା ସାଲେପୁର ରେ ରହି ପଢ଼ିବା ପାଇଁ ଟଙ୍କା କେଉଁଠୁ ଆସିବ ? ବୋଉ କହିଲା ମାସକୁ ଦୁଇଶହ ଟଙ୍କା ମୁଁ କୋଉଠୁଁ ଆଣିବି ? ତୁ ସାଇକଲ ରେ ଯିବା-ଆସିବା କରି ପାଠ ପଢ଼। ଆମ ଘର ଠାରୁ ସାଲେପୁର କଲେଜ 22 କି.ମି ଦୂର। ସେ ସମୟ ରେ କୁଆଁପାଳ ଠାରୁ ସାଲେପୁର କଲେଜ ପର୍ଯ୍ୟନ୍ତ 17 କି.ମି ରାସ୍ତାରେ ମହରମ ବିଛା ହୋଇଥାଏ। କୁଆଁପାଳ ଠାରୁ ଆମ ଗାଁ ମାଳିହତା ପର୍ଯ୍ୟନ୍ତ 5 କି.ମି ରାସ୍ତା କେବଳ କାଦୁଅ ରାସ୍ତା। ବର୍ଷା ଦିନେ ସାଇକଲ ଚାଲିବା ଅସମ୍ଭବ। ବାଉଁସ ପିଚିକିଳା ଖଣ୍ଡେ ସାଙ୍ଗରେ ନେଇଥିଲେ ଠା’ କୁ ଠା’ ସାଇକଲ ଚକା ରୁ କାଦୁଅ ବାହାର କରି ପାରିବ। ତେବେ ଯାଇଁ ସାଇକଲ ଚାଲିବ। ମୁଁ କହିଲି, `ବୋଉ! ଯିବା – ଆସିବା 44 କି.ମି ବାଟ। ବର୍ଷା ଦିନ, ଶୀତ ଦିନ, ଖରା ଦିନ ରେ ଏତେ ଗୁଡ଼ିଏ ବାଟ ଯିବା-ଆସିବା କରି ମୁଁ ବିଜ୍ଞାନ ପାଠ ପଢ଼ି ପାରିବି ?’ ବୋଉ କହିଲା, `ନିଶ୍ଚୟ ପଢ଼ି ପାରିବୁ’। ମୁଁ କହିଲି, `ସନ୍ଧ୍ୟାବେଳକୁ ଫେରିଲା ବେଳକୁ ମୁଁ ହାଲିଆ ହୋଇଯାଇଥିବି। ନିଦ ମାଡ଼ିବ। ଶୋଇ ପଡ଼ିବି।‘ ବୋଉ କହିଲା, `ଶୋଇ ପଡ଼। ପାହାନ୍ତା କୁ ମୁଁ ଉଠେଇ ଦେବି। ତୁ ପଢ଼ିବୁ, ମୁଁ ତୋ ପାଖରେ ବସିବି।‘ ସେଇଆ ହେଲା। ମୁଁ ସାଇକଲ ରେ ଯିବା-ଆସିବା କଲି। ସନ୍ଧ୍ୟାବେଳେ ଘରକୁ ଫେରିବା ପରେ ବୋଉ ମୋ ପାଇଁ ସଅଳ-ସଅଳ ରୋଷେଇ କରିଥିବା ତଟକା ଖାଦ୍ୟ କୁ ଖାଇ ଦେଇ ଶୋଇ ପଡ଼ିବି। ବୋଉ ମୋ ଗୋଡ଼ରେ ସୋରିଷ ତେଲ ଗରମ କରି ଲଗେଇ ଦଉଥିବ, ଆଉ ତା ଦୁଇ ଆଖିରୁ ଲୁହ ଦି’ ଧାର ଝଡ଼ିପଡ଼ୁଥିବ।

ଥରେ `କାଶିବାବୁ’ (ଫିଜିକ୍ସ ଅଧ୍ୟାପକ) ଫିଜିକ୍ସ ପ୍ରାକ୍ଟିକାଲ ରେ ଆମ ଗ୍ରୁପ ର ପିଲାଙ୍କୁ ଡିଟେନ୍ ରଖିଦେଲେ (ସେତେବେଳେ ସାଲେପୁର କଲେଜ କମ ବର୍ଷ ହେଲା ଆରମ୍ଭ ହୋଇଥାଏ। ତେଣୁ ସାର୍ ମାନେ ପାଠପଢ଼ା ପ୍ରତି ଅଧିକ ଯତ୍ନବାନ ଥିଲେ।) ସନ୍ଧ୍ୟା 6 ଟା ବେଳକୁ ଛାଡ଼ିଲେ। ପ୍ରବଳ ବର୍ଷା ହେଉଥାଏ। ଗୋଟିଏ ହାତରେ ଛତା ଧରି ଅନ୍ୟ ହାତରେ ସାଇକଲ ଚଲାଇବା କଷ୍ଟସାଧ୍ୟ ଥିଲା । ଏଣେ ଅନ୍ଧାର ହୋଇ ଗଲାଣି। ମୁଁ ଆସି ରାଇସୁଙ୍ଗୁଡ଼ା ପାଖରେ ପହଂଚିଛି ମୋ ସାଇକଲ ଚକା ଫାଟିଗଲା। ରିପେୟାରିଙ୍ଗ ଦୋକାନ ସବୁ ବନ୍ଦ ହୋଇଗଲାଣି। ସାଇକଲ ଗଡ଼େଇ-ଗଡ଼େଇ ଘରେ (ପ୍ରାୟ 12 କି.ମି) ରାତି ଆଠଟା ବେଳେ ପହଂଚିଲି। ବୋଉ ମୋତେ ଅପେକ୍ଷା କରି-କରି ଅଧର୍ଯ୍ୟ ହୋଇଗଲାଣି। ସାହି-ପଡ଼ିଶାର ଲୋକମାନଙ୍କୁ ଅନୁରୋଧ କରୁଥାଏ, `ଟିକିଏ ଯାଆନ୍ତ କି ମୋ ପୁଅ କାହିଁକି ଏପର୍ଯ୍ୟନ୍ତ ଆସିନି।‘ ରାତି, ପୁଣି ଏତେ ଜୋରରେ ବର୍ଷା ହେଉଛି। କିଏ କାହିଁକି ରାଜି ହେବ ? ମୁଁ ଆସି ଘରେ ପହଂଚିଲି ତ ବୋଉ ର ଆନନ୍ଦାଶ୍ରୁ ଥମିବାର ନାଁ ନେଲା ନାହିଁ। ମୋ ଓଦା ସାର୍ଟ-ପ୍ୟାଣ୍ଟ କୁ ଓହ୍ଲେଇ ଦେଇ ଚୁଲି ପାଖକୁ ନେଇ ମୋତେ ସେକିବାକୁ ଲାଗିଲା। ଟିକିଏ ପ୍ରକୃତିସ୍ଥ ହେଲାପରେ ମୋତେ ଖୋଇ-ପେଇ ଶୋଇଦେଲା। ହେଲେ ରାତିରେ ମୋତେ ଭୀଷଣ ଜର ହେଲା। ବୋଉ ସାରା ରାତି ଶୋଇନାହିଁ। ମୋର ସେବା କରି ଚାଲୁଛି। କଳା ତୁଳସୀ ପତ୍ର, ମହୁ ଦେଇ ଚାଲିଲା। ଜର ଭଲ ହେଲାନି। ପର ଦିନ ଡ଼ାକ୍ତରୀ ଔଷଧ ଅଣେଇ ଦେଲା। ଜର ଭଲ ହେଲାନି। ଶେଷରେ ମାହାଙ୍ଗା ମେଡିକାଲ କୁ ନେଲା। ଡ଼ାକ୍ତର କହିଲେ, ‘ଟାଇଫୟଡ଼ ହୋଇଛି’। ପ୍ରାୟ ସାତ-ଆଠ ଦିନ ପରେ ମୁଁ ଭଲ ହେଲି।

ମୁଁ ବୋଉକୁ କହିଲି, `ମୁଁ ଆଉ ପାଠ ପଢ଼ିବାକୁ ସାଲେପୁର କଲେଜ ଯିବି ନାହିଁ।‘ ବୋଉ ର ରୌଦ୍ର ରୂପ ଦେଖି ହତବାକ୍ ହୋଇଗଲି। ବୋଉ କହିଲା, `କଣ କହିଲୁ? ପାଠ ପଢ଼ିବୁ ନାହିଁ। ଆଛା, ବ୍ରାହ୍ମଣ ଘର ପିଲା ତୁ କଣ କରିବୁ ? ତୁ ଏକୁଟିଆ କଷ୍ଟ କରୁଛୁ। ସଁସାର ରେ ତୋ’ ଠାରୁ ଢ଼େର କଷ୍ଟ କରୁଥିବା ପିଲା ଅଛନ୍ତି। ତୋତେ ଖାଇବାକୁ ମିଳୁଛି, ରହିବାକୁ ଠାକୁରେ ଘରଟିଏ ଦେଇଛନ୍ତି। ପିଲା ଅଛନ୍ତି ଯାହାଙ୍କ ପାଖରେ ଏତିକି ନଥିବ। କଣ କହିଲା ନା ମୁଁ ପଢ଼ିବିନି। କାଲି ଠାରୁ ତୁ କଲେଜ ଯିବୁ ଆଉ ପାଠ ପଢ଼ିବୁ।‘ ତାହା ହିଁ ହେଲା।

ବୋଉ ର ମମତା ଆଉ ଆକଟ ମୋତେ ଆଗକୁ ସରକାରୀ କଲେଜ ର ଅଧ୍ୟାପକ ବନେଇ ଦେଲା। ମୁଁ ତାଠାରୁ ଶିଖିଥିବା ସ୍ନେହ, ଆକଟ କୁ, ଆଉ ନିଜେ ଆହରଣ କରିଥିବା ଜ୍ଞାନ କୁ ପାଥେୟ କରି ଶହ-ଶହ ପିଲାଙ୍କୁ ପଢ଼େଇବାକୁ ଲାଗିଲି। ବର୍ତ୍ତମାନ ର ପରିଣତ ବୟସ ପର୍ଯ୍ୟନ୍ତ ମୋ ବୋଉ ଶିଖେଇଥିବା ପାହାନ୍ତିଆ ପଢ଼ା କୁ ମୁଁ ଜାରୀ ରଖିଛି।

ମୁଁ ରେଭେନ୍ସା କଲେଜ ରେ ଅଧ୍ୟାପକ ଥାଏ। ମୋ ବଡ଼ ଭଉଣୀ ଙ୍କ ଘରୁ ଫୋନ ଆସିଲା ମୋ ବୋଉ ର ଦେହ ଭୀଷଣ ଖରାପ (ସେତେବେଳେ ମୋ ବୋଉ ବଡ଼ ଭଉଣୀଙ୍କ ଘରେ ଥାଆନ୍ତି)। ସାଙ୍ଗେ–ସାଙ୍ଗେ ମୁଁ ଓ ମୋ ସ୍ତ୍ରୀ ଯାଇଁ ବୋଉ କୁ ନେଇ ଆସିଲୁ। ବୋଉ ର ଚିକିତ୍ସା S.C.B Medical ରେ ଚାଲିଲା। ଦିନେ ସଖାଳେ ବଡ଼ ଅସ୍ପଷ୍ଟ ସ୍ୱର ରେ ବୋଉ ମୋତେ ଏବଂ ମୋ ସ୍ତ୍ରୀ କୁ ବାରମ୍ବାର କହିଲା, `ତୁମେ ଦି ଜଣ ଯା ଖାଇ ଆସ’। ଆମେ Ravenshaw Quarter କୁ ଖାଇବାକୁ ଆସିଲୁ। ଅଧଘଣ୍ଟା ଭିତରେ ମେଡ଼ିକାଲ ରେ ପହଂଚିଲା ବେଳକୁ ବୋଉ ମୃତ୍ୟୁ ସହିତ ସଙ୍ଗ୍ରାମ କରୁଛି। ଡ଼ାକ୍ତରମାନେ ଜୀବନ ବଂଚେଇବା ପାଇଁ ଲାଗି ପଡ଼ିଛନ୍ତି। ଶେଷରେ ଡ଼ାକ୍ତର ଙ୍କ ର ବିଷାଦ ମୁଖ ଆମକୁ ଜଣେଇ ଦେଲା ଯେ `ମୋ ବୋଉ ଆଉ ନାହାନ୍ତି’। ପାଦ ତଳର ମାଟି ତଳକୁ-ତଳକୁ ଖସି ଯାଉଥାଏ। ବିକଳ ହୋଇ ଆମେ ସମସ୍ତେ କାନ୍ଦୁଥାଉ। ମୋ ସ୍ତ୍ରୀ କାନ୍ଦୁଥିବା ସହ କହି ଚାଲିଥାଆନ୍ତି, `ଆମେ କାଳେ ଭୋକିଲା ରହି ଯିବୁ, ସେଥିପାଇଁ ଜିଦି କରି ଆମକୁ ଖାଇବା ପାଇଁ ପଠେଇଦେଲ।‘

ଡ଼ଃ. ଗିରିଜା ଶଙ୍କର ମିଶ୍ର

ଡ଼ଃ. ଗିରିଜା ଶଙ୍କର ମିଶ୍ର

ସେବାନିବୃତ୍ତ ଅଧ୍ୟାପକ

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୬)

by ଭବେଶ ଚନ୍ଦ୍ର କର
June 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁନ ୨୦୨୬ ସେଦିନ ରାତିରେ ଆମେ ଘରକୁ ଫେରି ଖାଇସାରି ବିଶ୍ରାମ ନେଲୁ। ସକାଳୁ ଉଠି ଘର କାମ କରୁଥିଲି।...

Read more
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.