• About
  • Contact
Saturday, June 27, 2026
Saturday, June 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମହିୟସୀ ମହିଳା ଅନିମା କର

ମହିୟସୀ ମହିଳା ଅନିମା କର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ଡିସେମ୍ବର ୨୦୨୩

ଓଡ଼ିଶାର ଶିକ୍ଷା ଓ ସଂଗୀତ ଜଗତରେ ଅନିମା କର ହେଉଛନ୍ତି ଏକ ପରିଚିତ ନାମ । ଉତ୍ତମ ଗୁଣବତ୍ତାର ଶିକ୍ଷାଦାନ ମାଧ୍ୟମରେ ସେ ଅଗଣିତ ଛାତ୍ରୀମହଲରେ ତାଙ୍କର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି । ସେହିପରି ଉଚ୍ଚ କୋଟିର ସୁମଧୁର ସଂଗୀତ ପରିବେଷଣ କରି ସେ ମଧ୍ୟ ରାଜ୍ୟର ଅସଂଖ୍ୟ ଶ୍ରୋତା ମହଲରେ ବେଶ୍ ଆଦରଣୀୟା ହୋଇ ପାରିଛନ୍ତି ।

ଅନିମା କର ରାଜଧାନୀର ରମାଦେବୀ ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ତେବେ ଉକୃଷ୍ଟ ମାନର ଶିକ୍ଷାଦାନ ପ୍ରତି ଐକାନ୍ତିକ ନିଷ୍ଠା, ଆନ୍ତରିକତା ଓ ପ୍ରତିବଦ୍ଧତା ଯୋଗୁଁ ସେ ଉକ୍ତ ଶିକ୍ଷାନୁଷ୍ଠାନରେ ବିଭାଗୀୟ ମୁଖ୍ୟ ହେବା ସହିତ ଏପରିକି ଅଧ୍ୟକ୍ଷା ପଦବୀରେ ମଧ୍ୟ ଅଧିଷ୍ଠିତ ହୋଇ ପାରିଥିଲେ । ଛାତ୍ରୀବତ୍ସଳତା ତାଙ୍କ ମହନୀୟ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ଥିଲା, ଯାହାକି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ତାଙ୍କୁ ନିଆରା ସମ୍ମାନ ପ୍ରଦାନ କରିଥିଲା । କେବଳ ସେତିକି ନୁହେଁ, ଆଚାର ବ୍ୟବହାରରେ ଶାଳୀନତା, ଅମାୟିକ ତଥା ମାର୍ଜିତ ବ୍ୟବହାର, ଛାତ୍ରୀମାନଙ୍କୁ ସଂସ୍କାରିତ କରି ଗଢି ତୋଳିବା ପାଇଁ ଉପଯୁକ୍ତ ନୀତି ଶିକ୍ଷା ପ୍ରଦାନ ଆଦି ମହନୀୟ ଗୁଣ ତାଙ୍କୁ ସମାଜରେ ଜଣେ ଆଦର୍ଶ ନାରୀର ପରିଚୟ ପ୍ରଦାନ କରିଥିଲା ।

ସେହିପରି ସଂଗୀତ ପ୍ରତି ଏହି ମହନୀୟା ମହିଳାଙ୍କର ପ୍ରଚଣ୍ଡ ମମତ୍ୱବୋଧ ଥିଲା । ସେଥିଯୋଗୁଁ ଅଧ୍ୟାପନା ଚାକିରିର ଘନଘଟା ଏବଂ ରାଜନୈତିକ ପାରିବାରିକ ପରିବେଶର ଅସ୍ଥିରତା ଭିତରେ ରହି ସୁଦ୍ଧା ସେ ନିରବଚ୍ଛିନ୍ନ ଭାବରେ ସଂଗୀତ ସାଧନା କରି ପାରିଥିଲେ । ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଆକାଶବାଣୀରେ ପରିବେଷିତ ତାଙ୍କ ସୁମଧୁର କଣ୍ଠ ସ୍ୱରର ମୂର୍ଚ୍ଛନା ଓଡିଶାର ଅଗଣିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା । ଆକାଶବାଣୀ, ଦୂରଦର୍ଶନ ଠାରୁ ଆରମ୍ଭ କରି ମନ୍ଦିରର ଭଜନ ସମାରୋହ ଓ ଗୁରୁତ୍ୱପୂର୍ଣ୍ଣ ମହୋତ୍ସବ ଆଦି ପାଳନ ପର୍ଯ୍ୟନ୍ତ ବିଭିନ୍ନ ମଞ୍ଚରେ ତାଙ୍କ ସୁମଧୁର କଣ୍ଠସ୍ୱର ଗୁଞ୍ଜରି ଉଠୁଥିଲା ।

ଆକାଶବାଣୀରେ ପରିବେଷିତ ତାଙ୍କର ଲୋକପ୍ରିୟ ସଂଗୀତ ଗୁଡିକ ମଧ୍ୟରେ “ଯେମିତି ବରଷା ଝରେ-ନଦୀ ହୋଇ ଯାଏ ବହି, ସେମିତି ଆସଇ ପ୍ରୀତି- ଗୀତଟିଏ ହେବା ପାଇଁ ।” “ପ୍ରୀତି ସେତ ଏକ ଛାଇ ଆଲୁଅର ଖେଳ, ମମତା ମଧୁର ବେଦନା ବିଧୂର ଯାତନାର ଉପକୂଳ ।” “ଆଶୋକାର ଗଜରା ମୁଁ ତୁମରି ଖୋସାରେ ଯଦି ଖୋସି ଦେବି ଆଜି ଖୁସିରେ, ଜୋଛନାର ସିନାନେ ମୁଁ ହସି ହସି ଚାଲିଯିବି ସରାଗେ ତୁମ ସାଥୀରେ ।” ପ୍ରଭୃତି ଆଜି ବି ଅସଂଖ୍ୟ ଶ୍ରୋତାଙ୍କ ମନରେ ଅନୁରଣିତ ହେଉଛି, ଯାହାକି ତାଙ୍କୁ ଦୀର୍ଘ କାଳ ଯାଏଁ ସ୍ମରଣୀୟ କରି ରଖିବ । ସେ ନିଜେ ଏକକ କଣ୍ଠରେ ଅନେକ ମନଛୁଆଁ ସଂଗୀତ ପରିବେଷଣ କରିଥିବା ବେଳେ ତାଙ୍କ ସମୟର ପ୍ରସିଦ୍ଧ ଗାୟକ ଭିକାରୀ ବଳ, ପ୍ରଣବ ପଟ୍ଟନାୟକ ଆଦିଙ୍କ ସହିତ ଦୈତ୍ୟ କଣ୍ଠରେ ମଧ୍ୟ ସେ ବହୁ ଲୋକପ୍ରିୟ ସଂଗୀତ ଗାନ କରିଛନ୍ତି ।

ଶ୍ରୀମତୀ କର ଗୋଟିଏ ରାଜନୈତିକ ପରିବାରର ଗୃହକର୍ତ୍ତୀ ଥିଲେ । କାରଣ ବିଶିଷ୍ଟ ସାହିତ୍ୟିକ, ରାଜନୈତିକ, ବାଗ୍ମୀ ତଥା ପୂର୍ବତନ ମନ୍ତ୍ରୀ ଏବଂ ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ସ୍ୱର୍ଗତଃ ଶରତ କୁମାର କରଙ୍କର ସେ ଥିଲେ ସହଧର୍ମିଣୀ । ତେଣୁ ସ୍ୱାମୀଙ୍କ ରାଜନୈତିକ ଜୀବନର ଉତ୍‌ଥାନ ପତନରେ ଉପଯୁକ୍ତ ସହଭାଗୀ ଭାବେ ନିଜକୁ ସାମିଲ କାରିବା ସହିତ ଅତ୍ୟନ୍ତ ଶୃଙ୍ଖଳିତ ଜୀବନଚର୍ଯ୍ୟା ଅନୁପାଳନ କରି ସେ ପରିବାରର ଆଭିଜାତ୍ୟକୁ ପରିବର୍ଦ୍ଧନ କରିଥିଲେ ।

ଗୋଟିଏ ପକ୍ଷରେ ଅଧ୍ୟାପନା, ଅନ୍ୟପକ୍ଷରେ ସଂଗୀତ ଏବଂ ସର୍ବୋପରି ପରିବାରକୁ ଶୃଙ୍ଖଳିତ କରି ଗଢି ତୋଳିବା ସହିତ ଆଭିଜାତ୍ୟ ରକ୍ଷା ଭଳି ଗୁରୁଦାୟିତ୍ୱ ବହନ କରିଥିବା ଏହି ମହିୟସୀ ମହିଳାଙ୍କୁ ଜୀବଦ୍ଦଶାରେ ଯେ, କେତେ ପରିମାଣର ତ୍ୟାଗ ସ୍ୱୀକାର ଏବଂ ଉପଯୁକ୍ତ ସନ୍ତୁଳନ ବା ଭାରସାମ୍ୟ ରକ୍ଷା କରିବାକୁ ପଡ଼ିଥିବ, ତାହା ଅନୁଭବି କେବଳ ହୃଦୟଙ୍ଗମ କରିପାରିବେ । ଆମ ସମାଜରେ ସାଧାରଣତଃ ପରିବାରର ସୁଖ ସମୃଦ୍ଧି ପାଇଁ ମହିଳାମାନଙ୍କ ତ୍ୟାଗକୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନଥାଏ । କିନ୍ତୁ ପରିବାରର ଶ୍ରୀବୃଦ୍ଧି ସାଧନରେ ସେମାନଙ୍କ ଅବଦାନ କେବଳ ଅତୁଳନୀୟ ନୁହେଁ, ପରନ୍ତୁ ଅମୂଲ୍ୟ ମଧ୍ୟ । ଏହି ମାନଦଣ୍ଡରେ ବିଚାର କଲେ ଅନିମା କରଙ୍କ ଗାରିମାମୟ ବକ୍ତିତ୍ୱ ସମ୍ମୁଖରେ ଯେକୌଣସି ବ୍ୟକ୍ତିଙ୍କ ମଥା ନତ ହୋଇଯିବା ସ୍ୱାଭାବିକ ।

ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ହୋଇ ଏହି ମହିୟସୀ ମହିଳାଙ୍କର ୮୨ ବର୍ଷ ବୟସରେ ନଭେମ୍ବର ୨୮ ତାରିଖରେ ପରଲୋକ ଘଟିଛି । ଫଳରେ ରାଜ୍ୟର ଶିକ୍ଷା ଓ ସଂଗୀତ ଜଗତରେ ଅପୂରଣୀୟ କ୍ଷତି ଘଟିଛି । ତାଙ୍କର ଅମର ଆତ୍ମା ସଦ୍‌ଗତି ପ୍ରାପ୍ତ ହେଉ, ଏତିକି ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.