• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିପ୍ଲବୀ କୃପାସିନ୍ଧୁ

ବିପ୍ଲବୀ କୃପାସିନ୍ଧୁ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ଅପ୍ରେଲ ୨୦୨୪

ସ୍ୱାଧୀନତା ସଂଗ୍ରାମୀ କୃପାସିନ୍ଧୁ ଦାଶ ଆଜୀବନ ବିପ୍ଲବୀ ଥିଲେ । ବୈପ୍ଲବିକ ଚିନ୍ତାଧାରାର ଝଲକ ତାଙ୍କ ଠାରେ ପିଲାଦିନରୁ ହିଁ ପରିଲକ୍ଷିତ ହୋଇଥିଲା । ଜୀବଦ୍ଦଶାରେ ସେ ଏଭଳି କେତେକ ପଦକ୍ଷେପ ଗ୍ରହଣ କରିଥିଲେ, ଯାହାକି ତାଙ୍କୁ ନିଜ ସମୟର ଜଣେ ଅଗ୍ରଣୀ ସତ୍ୟାଗ୍ରହୀର ସମ୍ମାନ ଦେଇଥିଲା । ତେବେ ତାଙ୍କର ସେହି ଦୂରଦୃଷ୍ଟି ସଂପନ୍ନ ପ୍ରଗତିଶୀଳ ବୈପ୍ଲବିକ ଚିନ୍ତାଧାରାକୁ ତଦାନୀନ୍ତନ ସମାଜ ଏବଂ ପରିବାରବର୍ଗ ବୁଝିବା ପାଇଁ ସମର୍ଥ ହୋଇନଥିଲେ । ସେଥିଯୋଗୁଁ ସେ ଜୀବଦ୍ଦଶାରେ ଅନେକ ଭୁଲ ବୁଝାମଣାର ଶୀକାର ହୋଇ ଅକଥନୀୟ ଦୁର୍ଦ୍ଦଶାକୁ ସାମ୍ନା କରିଥିଲେ । ଏହା ସତ୍ତ୍ଵେ ଦୃଢ ମନା କୃପାସିନ୍ଧୁ “ଏକଲା ଚଲୋ” ନୀତି ଆପଣେଇ ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ନିଜ ସିଦ୍ଧାନ୍ତରେ ଅଟଳ ରହିଥିଲେ ।

ଓଡିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କୃପାସିନ୍ଧୁ ଥିଲେ ଅନ୍ୟତମ ଧର୍ମ ପୁତ୍ର (ଧରମ ପୁଅ) । କାନ୍ତକବିଙ୍କ ଗାଁ ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତାଳପଦା ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ କୃପାସିନ୍ଧୁ ଜନ୍ମ ଗ୍ରହଣ କରିଥିଲେ । ପିଲାଟିଦିନରୁ ହିଁ ସେ କାନ୍ତକବିଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ ‘ଗୋପୀନାଥ ସଂଗୀତ ସମାଜ’ ଥିଏଟର ପାର୍ଟିର ସଦସ୍ୟ ଥିଲେ । ଗୌର ବର୍ଣ୍ଣ, ସୁନ୍ଦର ଚେହେରା ସହିତ ନୃତ୍ୟ, ସଂଗୀତ ଓ ଅଭିନୟରେ ବିଶେଷ ଆଗ୍ରହ ରଖିଥିବା ଯୋଗୁଁ ସେ କାନ୍ତକବିଙ୍କ ରଚିତ ପୌରାଣିକ ନାଟକଗୁଡିକରେ ‘ରାଧା’ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ । ଏପରିକି ସେହି ଥିଏଟର ପାର୍ଟିର ସଦସ୍ୟ ଭାବରେ ସେ କାନ୍ତକବିଙ୍କ ସହିତ ଆରଡି (ଆଖଣ୍ଡଳମଣି ଧାମ), ପୁରୀ (ଜଗନ୍ନାଥ ଧାମ), ନୀଳଗିରି ପ୍ରଭୃତି ଅଞ୍ଚଳ ଗସ୍ତ କରିଥିଲେ । ଉକ୍ତ ଥିଏଟର ପାର୍ଟିରେ ସାମିଲ ହୋଇଥିବା ଅନ୍ୟ ପିଲାଙ୍କ ଭଳି କୃପାସିନ୍ଧୁ ମଧ୍ୟ କାନ୍ତକବି ଓ ତାଙ୍କ ପତ୍ନୀ ଲବଙ୍ଗଲତାଙ୍କୁ ଯଥାକ୍ରମେ ବାବା ଏବଂ ବୋଉ ବୋଲି ସମ୍ବୋଧନ କରୁଥିଲେ । ଅର୍ଥାତ୍ ପିଲାଟି ଦିନରୁ ହିଁ କୃପାସିନ୍ଧୁ କାନ୍ତକବିଙ୍କ ପରିବାର ସହିତ ଯୋଡ଼ି ହୋଇ ଯାଇଥିଲେ ।

ସ୍ୱାସ୍ଥ୍ୟଗତ କାରଣରୁ କାନ୍ତକବି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନ ଏବଂ ସ୍ୱାଧୀନତା ସଂଗ୍ରାମରେ ନିଜେ ସକ୍ରିୟ ଭାବେ ଅଂଶଗ୍ରହଣ କରି ପାରିନଥିଲେ । ମାତ୍ର ନିଜର ଜ୍ୱାଳାମୟୀ ଆଲେଖ୍ୟ ମାଧ୍ୟମରେ ଲୋକଙ୍କ ମନରେ ଉଗ୍ର ଜାତୀୟତା ମନୋଭାବ ଉଦ୍ରେକ କରି ସେ ଉପରୋକ୍ତ ଦୁଇଟି ଯାକ ଆନ୍ଦୋଳନକୁ ବେଶ୍ ତେଜୀୟାନ କରିଥିଲେ । କାନ୍ତକବିଙ୍କ ଉଗ୍ର ଦେଶପ୍ରୀତି କିଶୋର କୃପାସିନ୍ଧୁଙ୍କ ଜୀବନକୁ ଯଥେଷ୍ଟ ପରିମାଣରେ ଆନ୍ଦୋଳିତ କରିଥିଲା । ଫଳରେ କୃପାସିନ୍ଧୁ କିଶୋର ଅବସ୍ଥାରୁ ହିଁ ଜାତୀୟ ଆନ୍ଦୋଳନ ବା ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ଯାଇଥିଲେ ।

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କୃପାସିନ୍ଧୁ ଲବଣ ସତ୍ୟାଗ୍ରହରେ ଝାସ ଦେଇଥିଲେ । ଆଇନ ଅମାନ୍ୟ ଅଭିଯୋଗରେ ବ୍ରିଟିଶ ସରକାର ତାଙ୍କୁ ବାଲେଶ୍ୱର ଜେଲରେ ବନ୍ଦୀ କରି ରଖିଥିଲେ । ସେହିପରି ଭାରତଛାଡ ଆନ୍ଦୋଳନ ସମୟରେ ସେ ବାନର ସେନା ସଭ୍ୟ ରୂପେ ଅଟକ ବନ୍ଦୀ ହୋଇ ରହିଥିଲେ । ପିଲା ଦିନେ କୃପାସିନ୍ଧୁ ନାମୀଦାମୀ ସଂଗ୍ରାମୀଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କୁ ନିଜ ଘରେ ଲୁଚାଇ ରଖିଥିଲେ । ସେଥି ନିମନ୍ତେ ସେ ନିଜର ଇଷ୍ଟ ଦେବତା ଶ୍ରୀ ଶ୍ରୀ ଗୋପାଳ ଜୀଉଙ୍କୁ ମଧ୍ୟ ସ୍ଥାନାନ୍ତର କରି ଦେଇଥିଲେ । ସନ୍ଥ ବିନୋବା ଭାବେଙ୍କ ଆଦର୍ଶର ଛାପ ମଧ୍ୟ କୃପାସିନ୍ଧୁଙ୍କ ଜୀବନରେ ପରିଲକ୍ଷିତ ହୋଇଥିଲା । ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି ସେ ପରିବାରବର୍ଗଙ୍କ ଇଚ୍ଛା ବିରୁଦ୍ଧରେ ପୈତୃକ ଭୂସମ୍ପତ୍ତିର କିଛି ଭାଗ ହରିଜନମାନଙ୍କୁ ଦାନ କରି ଦେଇଥିଲେ ।

ସ୍ୱାଧୀନତା ସଂଗ୍ରାମ କାଳରେ କୃପାସିନ୍ଧୁ ବିପ୍ଲବୀ ଭୂମିକା ନିର୍ବାହ କରି ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ଗୁଡିକରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅସୃଶ୍ୟତା ନିବାରଣ, ନିଶାମୁକ୍ତି ଅଭିଯାନ, ଯୌତୁକ ନିରୋଧ, ଖଦୀର ପ୍ରସାର, ସର୍ବୋଦୟ କାର୍ଯ୍ୟକଳାପ ଭଳି ରଚନାତ୍ମକ କାର୍ଯ୍ୟରେ ସେ ନିଜକୁ ବ୍ୟାପୃତ ରଖିଥିଲେ । ତେବେ ପରିବାର ପ୍ରତିପୋଷଣ ପାଇଁ କୃପାସିନ୍ଧୁ ଧାନ ଚାଷ, ଗୋପାଳନ, ମହୁମାଛି ଚାଷ, ତେଜରାତି ଦୋକାନ ଭଳି କାର୍ଯ୍ୟପନ୍ଥାକୁ ଆପଣେଇ ନେଇଥିଲେ । ଏସବୁ ସତ୍ତ୍ଵେ ସଂଗୀତ ପାଇଁ ତାଙ୍କ ମନରେ ଅହେତୁକ ଦୁର୍ବଳତା ଥିଲା । ତେଣୁ ପରିଣତ ବୟସରେ ମଧ୍ୟ ସେ ହାରମୋନିୟମ ବଜାଇ କାନ୍ତ ସଂଗୀତ ଗାନ କରୁଥିଲେ । ତାଳପଦା ଗ୍ରାମର ଉଭୟ ବାଳକ ଓ ବାଳିକା ବିଦ୍ୟାଳୟରେ ସେ ବହୁ ବର୍ଷ ଧରି ଅବୈତନିକ ସଂଗୀତ ଶିକ୍ଷକ ଭାବରେ କାର୍ଯ୍ୟ ସଂପାଦନ କରିଥିଲେ ।

କୃପାସିନ୍ଧୁ ମୋ ବାପା (କାନ୍ତକବିଙ୍କ କନିଷ୍ଠ ପୁତ୍ର ଗୌରଚନ୍ଦ୍ର)ଙ୍କ ଠାରୁ ବୟସରେ ବଡ ଥିଲେ । ତେଣୁ ଆମେ ସବୁ ଭାଇ ଭଉଣୀ ତାଙ୍କୁ ‘କୃପା ବଡବା’ ବୋଲି ସମ୍ବୋଧନ କରୁଥିଲୁ । ପିଲାଦିନେ ମୁଁ ଭୁବନେଶ୍ୱରରେ ପାଠ ପଢୁଥିଲି ଓ ଖରାଦିନ ଛୁଟିରେ ଗାଁକୁ ଯାଉଥିଲି । ସେତେବେଳେ ପ୍ରତ୍ୟେକ ସଂଧ୍ୟାରେ ଆମ ଘରେ କାନ୍ତ ସଂଗୀତ ଆସର ଅନୁଷ୍ଠିତ ହେଉଥିଲା । ସଂଧ୍ୟା ସମୟରେ କୃପା ବଡବା ଆମ ଘରେ ପହଞ୍ଚି ଯାଉଥିଲେ ଓ ଆମେ ଭାଇଭଉଣୀମାନେ କାନ୍ତକବିଙ୍କ ରଚିତ ଗୀତ ବା କାନ୍ତ ସଂଗୀତ ସବୁ ଗାନ କରୁଥିଲୁ । କୃପା ବଡବା ହାରମୋନିୟମରେ ସ୍ୱର ଦେଇ ପ୍ରଥମେ ଗୀତର ଗୋଟିଏ ପଦ ବୋଲିବା ପରେ ଆମେମାନେ ତା’ର ପାଳି ଧରୁଥିଲୁ । ଆମେ ଗୀତ ବୋଲିବାରେ ସାମାନ୍ୟ ଭୁଲ୍ କଲେ, ତାହା ସଠିକ୍ ନହେବା ପର୍ଯ୍ୟନ୍ତ ସେ ସଂଶୋଧନ କରି ଚାଲୁଥିଲେ । ଏଥିରେ କେବେହେଲେ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟୁନଥିଲା ବରଂ କାନ୍ତ ସଂଗୀତ ପରିବେଷଣ କାଳରେ ସେ ଗଭୀର ଭାବରେ ତନ୍ମୟ ହୋଇ ଯାଉଥିଲେ । ସଂଗୀତ ଆସରର ମଧ୍ୟାନ୍ତର ବା ବିରତି ସମୟରେ କୃପା ବଡବା ତାଙ୍କ ସଂଗ୍ରାମୀ ଜୀବନର ଅନେକ ଅଙ୍ଗେନିଭା କଥା ଆମମାନଙ୍କୁ ଶୁଣାଉଥିଲେ । ଥରେ ସେ କହିଥିଲେ – ଜାତୀୟ ଆନ୍ଦୋଳନ ସମୟରେ କଂଗ୍ରେସ ବାର୍ତ୍ତା ପ୍ରଚାର ପାଇଁ ଗୋପବନ୍ଧୁ ଚୌଧୁରୀ, ରମା ଦେବୀ ଓ ହରେକୃଷ୍ଣ ମହାତାବ ବାବା (କାନ୍ତକବି)ଙ୍କୁ ସାକ୍ଷାତ କରିବା ଲାଗି ତାଳପଦା ଗ୍ରାମକୁ ଆସିଥିଲେ । ସେହି ପରିପ୍ରେକ୍ଷୀରେ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଲାଗି କାନ୍ତକବି ଗାଁରେ ଗୋଟିଏ ସଭାର ଆୟୋଜନ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାଟି ଏକ ପ୍ରାରମ୍ଭିକ ସଂଗୀତରୁ ହିଁ ଆରମ୍ଭ ହୋଇଥିଲା, ଯାହାକୁ କାନ୍ତକବି ତତ୍‌କ୍ଷଣାତ୍ ଲେଖି ସ୍ୱର ସଂଯୋଜନା କରିଥିଲେ । କାନ୍ତକବିଙ୍କ ଗ୍ରନ୍ଥାବଳୀ “କାନ୍ତ ସାହିତ୍ୟମାଳା”ରେ ତାଙ୍କର ଅନେକ ଲେଖା ସ୍ଥାନ ପାଇନଥିବା ଭଳି ସେହି ପ୍ରାରମ୍ଭିକ ସଂଗୀତଟି ମଧ୍ୟ ସ୍ଥାନିତ ହୋଇପରିନାହିଁ । ତେବେ ମୋର ସାନ ଭାଇ ଗୋପୀକଲ୍ୟାଣ ଉକ୍ତ ସଂଗୀତ ଓ ତା’ର ସ୍ୱରକୁ ଏବେବି ମନେ ରଖିଛି । ଏହି ଅବସରରେ ଗୋଟିଏ କୌତୁକପ୍ରଦ ଘଟଣା ଘଟିଥିଲା, ଯାହାକୁ କୃପା ବଡବା ଆମକୁ ଅନେକ ଥର କହିଥିଲେ । ତାହା ହେଉଛି ରମା ଦେବୀଙ୍କୁ କେହି ଜଣେ ପ୍ରଶ୍ନ ପଚାରିଥିଲେ ‘ଆପଣ ଗାନ୍ଧିଜୀ ଓ ସ୍ୱାମୀ ଗୋପବନ୍ଧୁ ଚୌଧୁରୀଙ୍କ ମଧ୍ୟରୁ କାହାକୁ ବେଶୀ ଭଲ ପାଆନ୍ତି?’ ଭୁଆଶୁଣୀ ଅର୍ଥାତ୍ ସଦ୍ୟ ବିବାହିତା ରମା ଦେବୀ ଏହି ଜଟିଳ ପ୍ରଶ୍ନର ସଂକ୍ଷିପ୍ତ ସରଳ ଉତ୍ତରଟିଏ ଦେଇଥିଲେ । ଗୋପବନ୍ଧୁ ଚୌଧୁରୀଙ୍କ ପିଠିରେ ସେ ‘ସେବା’ ବୋଲି ନିଜ ହାତରେ ଲେଖି ଦେଇଥିଲେ । ଏହାର ଅର୍ଥ ହେଉଛି, ‘ସେବା’କୁ ହିଁ ସେ ସବୁଠାରୁ ଅଧିକ ଭଲ ପାଆନ୍ତି ।

ସେହିପରି ପୁରୀ ଠାରେ ସଂଘଟିତ ଅନ୍ୟ ଏକ ମଜା ଘଟଣା ସଂପର୍କରେ ମଧ୍ୟ କୃପା ବଡବା ଅବତାରଣା କରୁଥିଲେ । ସେହି ଘଟଣାଟି ଏହିପରି – କାନ୍ତକବିଙ୍କ ଥିଏଟର ପାର୍ଟି ଏକଦା ପୁରୀ ଠାରେ ନାଟକ ପରିବେଷଣ କରୁଥିଲା । ପୁରୀ ଅବସ୍ଥାନ କାଳରେ କାନ୍ତକବି ଲକ୍ଷ୍ୟ କରିଥିଲେଯେ, ପୁରୀରେ ପହଞ୍ଚୁଥିବା ତୀର୍ଥ ଯାତ୍ରୀମାନେ ମଶା, ମୂଷା, ମହନ୍ତ ଓ ପଣ୍ଡା ପ୍ରଭୃତିଙ୍କ ଦ୍ୱାରା ଅକଥନୀୟ ଶୋଷଣର ଶିକାର ହେଉଛନ୍ତି । ତେଣୁ ବ୍ୟଙ୍ଗୋକ୍ତି ଛଳରେ କାନ୍ତକବି ‘ଅଜବ ସହର ପୁରୀରେ ଭାଇ, ଅଜବ ସହର ପୁରୀ’ ସଂଗୀତଟି ସେଠାରେ ରଚନା କରି ନାଟକରେ ପରିବେଷଣ କରିଥିଲେ । ଫଳରେ ପୁରୀ ସହରବାସୀଙ୍କ ମନରେ ସେଥିନେଇ ତୀବ୍ର ପ୍ରତିକ୍ରୟା ସୃଷ୍ଟି ହୋଇଥିଲା । ଏହିପରି ଅନେକ ଅଙ୍ଗେନିଭା ଘଟଣାର ଅବତାରଣା କରି କୃପା ବଡବା ଆମମାନଙ୍କର ମନ ମୋହି ନେଉଥିଲେ ।

କୃପାସିନ୍ଧୁଙ୍କ ସଂଗୀତ ଗାନ ଓ ପିଲାମାନଙ୍କୁ ସଂଗୀତ ଶିକ୍ଷାଦାନ ନିଶା କେତେ ପ୍ରଖର ଥିଲା, ତାହା ନିମ୍ନଲିଖିତ ଘଟଣାର ଅବତାରଣାରୁ ହିଁ ସ୍ପଷ୍ଟ ପ୍ରତୀୟମାନ ହୁଏ । କାନ୍ତ ସଂଗୀତର ପ୍ରଚାର ପ୍ରସାର ପାଇଁ ମୋ ବାପା ମଝିରେ ମଝିରେ ଆମ ଗାଁ ତାଳପଦା ପାଶ୍ୱବର୍ତ୍ତୀ ଗ୍ରାମମାନଙ୍କରେ ସଂଗୀତ ଆସରର ଆୟୋଜନ କରୁଥିଲେ । ମାସରେ ଥରେ ଦୁଇଥର ସଂଧ୍ୟା ସମୟରେ ହିଁ ସେହି ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ସେଥିପାଇଁ ପ୍ରାୟ ସପ୍ତାହେ ପୂର୍ବରୁ ସଂପୃକ୍ତ ଗ୍ରାମର ମୁରବୀମାନଙ୍କୁ ଖବର ଦିଆଯାଉଥିଲା ଏବଂ ସେମାନେ ସ୍ଥାନ, ସମୟ ପ୍ରଭୃତି ନିରୂପଣ କରୁଥିଲେ । ଆମ ଘରୁ ହାରମୋନିୟମ, ଡୋଗି/ତବଲା, ମୃଦଙ୍ଗ ପ୍ରଭୃତି ବାଦ୍ୟଯନ୍ତ୍ର ସଂପୃକ୍ତ ସ୍ଥାନକୁ ବୁହାହୋଇ ଯାଉଥିଲା । କୃପା ବଡବା, ମୋ ସାନଭାଇ ମାନଙ୍କ ସହିତ ସଂଗୀତରେ ରୁଚି ରଖିଥିବା ଆମ ଗାଁର ଆଉ କିଛି ଯୁବକମାନଙ୍କୁ ଧରି ସମ୍ପୃକ୍ତ ଗ୍ରାମକୁ ଯାଉଥିଲେ ଏବଂ ରାତ୍ରୀର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ସଂଗୀତ ପରିବେଷଣ କରୁଥିଲେ । ଏହିସବୁ ସଂଗୀତ ଆସର କାର୍ଯ୍ୟକ୍ରମରେ କୃପା ବଡବା ହିଁ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ । କାରଣ କୃପା ବଡବା ହାରମୋନିୟମ ବଜାଇ ପ୍ରଥମେ କାନ୍ତ ସଂଗୀତ ଆରମ୍ଭ କରିବା ପରେ ପିଲାମାନେ ସେହି ସ୍ୱରରେ ପାଳି ଧରି ତା’ର ପୁନରାବୃତ୍ତି କରୁଥିଲେ । ଏହି ସଂଗୀତ କାର୍ଯ୍ୟକ୍ରମ ପାଇଁ ପରିଣତ ବୟସରେ ମଧ୍ୟ କୃପା ବଡବାଙ୍କ ଯୁବ ସୁଲଭ ଉଦ୍ଧମତା ଯିଏ ଦେଖିଛି, ସିଏ ହିଁ କେବଳ ଅନୁଭବ କରିପାରିବ ସଂଗୀତ ପ୍ରତି ତାଙ୍କର ନିଷ୍ଠା । କାରଣ ରାତ୍ରୀର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ସଂଗୀତ ଆସର ଚାଲିଥିଲେ ମଧ୍ୟ ସେ କ୍ଳାନ୍ତ ହେଉନଥିଲେ ଏବଂ ଭୋକ, ଶୋଷ ମଧ୍ୟ ଭୁଲି ଯାଉଥିଲେ ।

୧୯୦୮ ମସିହା ରାକ୍ଷୀ ପୂର୍ଣ୍ଣିମା ଦିନ ଜୟକୃଷ୍ଣ ଦାଶ ଓ ସାବିତ୍ରୀ ଦେବୀଙ୍କ କୋଳମଣ୍ଡନ କରିଥିଲେ କୃପାସିନ୍ଧୁ । ତେବେ ପିଲାଟି ଦିନରୁ ସେ ତାଙ୍କର ପିତା ଜୟକୃଷ୍ଣଙ୍କୁ ହରାଇଥିଲେ । କାରଣ ଜୟକୃଷ୍ଣ କଳାବସନ୍ତ ରୋଗରେ ସଂକ୍ରମିତ ହୋଇ ଆକସ୍ମିକ ମୃତ୍ୟୁବରଣ କରିଥିଲେ । ତେଣୁ ଜେଜେ ବାପା ବନମାଳୀ ଓ ବିଧବା ନିଃସନ୍ତାନ ପିଉସୀ ମୂଷୀନାନୀଙ୍କ ତତ୍ତ୍ୱାବଧାନରେ ହିଁ କୃପାସିନ୍ଧୁ ପ୍ରତିପାଳିତ ହୋଇଥିଲେ । ଅଠର ବର୍ଷ ବୟସରେ ସେ ମଉଦା ଗ୍ରାମନିବାସୀ ଶ୍ରୀକୃଷ୍ଣ ଦାଶଙ୍କ ଜେଷ୍ଠା କନ୍ୟା ସୁଲୋଚନାଙ୍କୁ ବିବାହ କରିଥିଲେ । କନ୍ୟା ଶାନ୍ତିଲତା ପତିଙ୍କ ଦୋଳସାହିସ୍ଥିତ ବାସଭବନରେ ଅବସ୍ଥାନ କାଳରେ ସେ ୧୯୯୭ ମସିହାରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କର ପାର୍ଥିବ ଶରୀରକୁ ମୋର ସାନ ଭାଇ ବାଣୀକଲ୍ୟାଣ ଆତ୍ମୀୟ ସ୍ୱଜନ ଓ ଗ୍ରାମାବାସୀଙ୍କ ସହଯୋଗରେ ଆମ ଗ୍ରାମ ତାଳପଦାକୁ ଆଣି ସମ୍ମାନର ସହିତ ସଂସ୍କାର କରିଥିଲେ ।

ଦେଶର ସ୍ୱାଧୀନତା, ସମାଜ ସଂସ୍କାର ଏବଂ ସଂଗୀତ ଲାଗି ସମଗ୍ର ଜୀବନ ଉତ୍ସର୍ଗ କରିଥିବା ଏହି ବିପ୍ଳବୀ ଆଜି ବିସ୍ମୃତି ଗର୍ଭରେ ଲୀନ ହୋଇ ଯାଇଛନ୍ତି । କାରଣ ଅନେକ ବରପୁତ୍ରଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ କୃପାସିନ୍ଧୁ ଦାଶଙ୍କ ସ୍ମୃତି ରକ୍ଷା ଲାଗି ଅଦ୍ୟାବଧି ଯଥୋଚିତ ଉଦ୍ୟମ ହୋଇନାହିଁ । ସେହି ପୁଣ୍ୟାତ୍ମାଙ୍କ ସ୍ମୃତି ପ୍ରତି ହୃଦୟର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.